ଶିକ୍ଷକ ଅଭାବ, ଶିକ୍ଷାଦାନ ବ୍ୟାହତ

ଶିକ୍ଷକ ଅଭାବ, ଶିକ୍ଷାଦାନ ବ୍ୟାହତ

Share :

କେନ୍ଦ୍ରୀୟ ବିଦ୍ୟାଳୟ, ପାରାଦ୍ୱୀପରେ ଶିକ୍ଷକ ଅଭାବ ସମସ୍ୟା ଅବ୍ୟାହତ ରହିଛି। ଶିକ୍ଷାବର୍ଷର ୪ ମାସ ଅତିକ୍ରାନ୍ତ ପରେ ମଧ୍ୟ ଶିକ୍ଷକ ଅଭାବରୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ଯୁକ୍ତ ୨ ରସାୟନ ବିଜ୍ଞାନ ଏବଂ କଂପ୍ୟୁଟର ବିଜ୍ଞାନ ବିଷୟରେ ଶିକ୍ଷକ ନଥିବାରୁ ଚଳିତ ଶିକ୍ଷା ବର୍ଷରେ ପାଠପଢା ଆରମ୍ଭ ହୋଇ ପାରିନାହିଁ ଯାହା ଫଳରେ ବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରଥମ ୟୁନିଟ ଟେଷ୍ଟକୁ ସ୍ଥଗିତ ରଖିଛନ୍ତି। ଏହା ଫଳରେ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।   କେନ୍ଦ୍ର ସରକାର ଉନ୍ନତ ଶିକ୍ଷାଦାନର ଡିଣ୍ଡିମ ପିଟୁଥିବା ବେଳେ କେନ୍ଦ୍ର ସରାକାରଙ୍କ ପରିଚାଳିତ ଉକ୍ତ ବିଦ୍ୟାଳୟରେ ଏପରି ବ୍ୟତିକ୍ରମ ଶିକ୍ଷାବ୍ୟବସ୍ଥାକୁ ନିମ୍ନଗାମୀ କରିଛି ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି। ପାରାଦ୍ୱୀପରେ ୧୯୭୦ ମସିହାରୁ ସ୍ଥାପିତ ଏହି ବିଦ୍ୟାଳୟ ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟ ଅନୁଦାନରେ ଚାଲିଛି ଯେଉଁଥିରେ ବର୍ତ୍ତମାନ ୧୨୦୦ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଭୁବନେଶ୍ୱର ଠାରେ ଅବସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଆଂଚଳିକ କାର୍ଯ୍ୟାଳୟ ଶିକ୍ଷକ ନିଯୁକ୍ତି କରିଥାଏ ଏବଂ ଉକ୍ତ କାର୍ଯ୍ୟାଳୟ ଏହି ପୁରାତନ ବିଦ୍ୟାଳୟ ପ୍ରତି ବୈମାତୃକ ଭାବ ପରିଦର୍ଶନ କରୁଛନ୍ତି ବୋଲି ଅଭିଯୋଗ ହୁଏ। ଠିକା ନିଯୁକ୍ତି କରି କାମ ଚଳେଇ ନେବାକୁ ଚେଷ୍ଟା କରୁଛନ୍ତି।   ଯୁକ୍ତ ୨ ବିଜ୍ଞାନରେ ପଢୁଥିବା ଛାତ୍ରଛାତ୍ରୀ  ଆସନ୍ତା ବର୍ଷ ମାର୍ଚ୍ଚମାସରେ ବୋର୍ଡ ପରୀକ୍ଷା ଦେବେ କିନ୍ତୁ ରସାୟନ ବିଷୟରେ ପାଠପଢା ଆରମ୍ଭ ହୋଇନଥିବାରୁ ସମସ୍ତ ଛାତ୍ରଛାତ୍ରୀ ତଥା ଅଭିଭାବକମାନେ ବର୍ତ୍ତମାନ ମୁଣ୍ଡରେ ହାତଦେଇ ବସିଛନ୍ତି। ଅତି ଶୀଘ୍ର ଶିକ୍ଷକ ନିଯୁକ୍ତି ନହେଲେ ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ଅନ୍ଧାର ମଧ୍ୟକୁ ଠେଲି ହୋଇଯିବା ନିଶ୍ଚିତ ହୋଇଯାଇଛି। ଏ ସମ୍ୱନ୍ଧରେ ଅଭିଭାବକମାନେ ବିଦ୍ୟାଳୟର ମୁଖ୍ୟ, ବନ୍ଦର ପ୍ରଶାସନକୁ ନିଜର ଅଭିଯୋଗ ଜଣାଇଛନ୍ତି ଏବଂ ଏପର୍ଯ୍ୟନ୍ତ ଅବସ୍ଥାରେ କୌଣସି ସୁଧାର ଆସିନାହିଁ। ବିଦ୍ୟାଳୟରେ ଖାଲିଥିବା ସମସ୍ତ ଶିକ୍ଷକ ପଦବୀକୁ ଶୀଘ୍ର ପୁରଣ କରି ବିଦ୍ୟାଳୟରେ ଶିକ୍ଷାଦାନର ମାନଦଣ୍ଡରେ ପରିବର୍ତ୍ତନ ଆଣିବା ପାଇଁ ବନ୍ଦର ପ୍ରଶାସନ ତଥା କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଏ କ୍ଷେତ୍ରରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି କରାଯାଇଛି।

Share :