ଧର୍ମନିରପେକ୍ଷତା ଓ ନୀତିଶିକ୍ଷା

ଧର୍ମନିରପେକ୍ଷତା ଓ ନୀତିଶିକ୍ଷା

Share :

ସରକାର ଧର୍ମନିରପେକ୍ଷ ହୋଇପାରନ୍ତି | ରାଷ୍ଟ୍ର ଧର୍ମନିରପେକ୍ଷ ହୋଇପାରେ | କିନ୍ତୁ ନାଗରିକମାନେ ? ନାଗରିକମାନେ କ’ଣ ଧର୍ମନିରପେକ୍ଷ ? କୌଣସି ଦେଶର ଅଧିକାଂଶ ନାଗରିକ ଧର୍ମନିରପେକ୍ଷ ହୋଇନଥାନ୍ତି | ବିଶ୍ବରେ ଧର୍ମରେ ବିଶ୍ବାସ କରୁ ନଥିବା ଖୁବ୍ କମ୍ ଲୋକ ଅଛନ୍ତି | ସେମାନଙ୍କୁ ନିରୀଶ୍ବରବାଦୀ କୁହାଯାଏ | ଏପରିକି କମୁ୍ୟନିଷ୍ଟ ଚୀନ୍ ଓ ରୁଷର ଅଧିକାଂଶ ନାଗରିକ ମଧ୍ୟ ନିଦ୍ଦିର୍ଷ୍ଟ ଧର୍ମରେ ବିଶ୍ବାସ କରନ୍ତି | ବିଶ୍ବର ମଣିଷମାନଙ୍କୁ ଧର୍ମ ଭିତ୍ତିରେ ଶ୍ରେଣୀଭୁକ୍ତ କଲେ ଖୁବ୍ ଅଳ୍ପ ଲୋକ ରହିଯିବେ ଯେଉଁମାନେ କୌଣସି ଧର୍ମରେ ବିଶ୍ବାସ କରନ୍ତି ନାହିଁ | ଏଇ ଅଳ୍ପ ଲୋକଙ୍କ ବିଶ୍ବାସକୁ ସମଗ୍ର ପୃଥିବୀର ଲୋକଙ୍କ ଉପରେ ନଦି ଦିଆଯିବା ଠିକ୍ ନୁହେଁ | ଏହା ଗଣତନ୍ତ୍ର ବିରୋଧୀ | ଗଣତନ୍ତ୍ରରେ ବ୍ୟକ୍ତି ସ୍ବାଧୀନତା ଓ ବ୍ୟକ୍ତିର ମୌଳିକ ଅଧିକାର ବଡ଼ କଥା | ସେଥିପାଇଁ ଶାସନ ଜୋରରେ କୌଣସି ବ୍ୟକ୍ତିର ଧର୍ମ ପରିବର୍ତ୍ତନ ସମ୍ଭବ ନୁହେଁ | ଏହି ଯୁକ୍ତିରେ ମଧ୍ୟ ସାରା ପୃଥିବୀର ଶିକ୍ଷା ଓ ସଂସ୍କାର ଧର୍ମନିରପେକ୍ଷତାର ଭିତ୍ତିଭୂମି ଆଧାରିତ ହୋଇପାରିବ ନାହିଁ | ଧର୍ମ ସହିତ ଶିକ୍ଷା ଓ ସଂସ୍କାର ଓତଃପ୍ରୋତଃ ଭାବେ ଜଡ଼ିତ ଥାଏ | ଶିକ୍ଷା ଓ ସଂସ୍କାର ଧର୍ମନିରପେକ୍ଷ ହୋଇଗଲେ ପିଢ଼ି ପରେ ପିଢ଼ି ନାଗରିକମାନେ ନୀତି ଓ ମୂଲ୍ୟବୋଧ ହରାଇ କେବଳ ଆର୍ଥନୀତିକ ମେସିନରେ ପରିଣତ ହୋଇଯିବେ | ସେତେବେଳେ ଜୀବନ ଓ ସଭ୍ୟତାର ସଂଜ୍ଞା ବଦଳିଯିବ | ନୀତି ଓ ମୂଲ୍ୟବୋଧ ରହିତ ଲୋକମାନେ କାହା ପାଇଁ ମଙ୍ଗଳକର ନୁହନ୍ତି- ନା ଦେଶ ପାଇଁ ନା ବିଶ୍ବ ପାଇଁ | ସଂପ୍ରତି ସମଗ୍ର ବିଶ୍ବରେ ଦେଖା ଦେଇଛି ଧର୍ମ ସଂକଟ | କୌଣସି ଲୋକ ନିଜ ଧର୍ମର ପ୍ରକୃତ ନୀତି, ଆଦର୍ଶ ଓ ମୂଲ୍ୟବୋଧକୁ ନେଇ ଜୀବନ ବଂଚିବାକୁ ଚାହୁଁ ନାହିଁ | ସମସ୍ତଙ୍କର ଧର୍ମ ହୋଇଯାଇଛି ଅର୍ଥ, ସଂପତ୍ତି ଓ ଉପଭୋଗ | ଏହା ସହିତ ଯୋଡ଼ି ହୋଇଯାଇଛି ପ୍ରଭୁତ୍ବ ବା ଶାସନ କରିବାର କର୍ତ୍ତୃତ୍ବ | ଏହି ପ୍ରଭୁତ୍ବ ଓ କର୍ତ୍ତୃତ୍ବ ଜାହିର୍ କରିବା ନିମନ୍ତେ ଅନେକ ମାନବ ଗୋଷ୍ଠୀ ଧର୍ମକୁ ମଧ୍ୟ ଏକ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି | ସେମାନେ ସେମାନଙ୍କ ଧର୍ମର କଲ୍ୟାଣକାରୀ ନୀତି, ଆଦର୍ଶ ଓ ମୂଲ୍ୟବୋଧ ପରିବର୍ତ୍ତେ ଧ୍ବଂସକାରୀ ଉପାଦାନଗୁଡ଼ିକୁ ଜାବୁଡ଼ି ଧରି ଅନ୍ୟ ଉପରେ ଶାସନ କରିବାକୁ ଉଦ୍ୟମ କରିଥାନ୍ତି | ଏପରି ଲୋକମାନଙ୍କୁ କୁହାଯାଏ ଧର୍ମାନ୍ଧ | ଆଜିର ବିଶ୍ବରେ ଧାମିର୍କ ଓ ଧର୍ମାନ୍ଧଙ୍କ ମଧ୍ୟରେ ପାର୍ଥକ୍ୟ ଖୁବ୍ ପତଳା ହୋଇଚାଲିଥିବାବେଳେ ଅଧିକାଂଶ ମଣିଷ ଅର୍ଥ, ସଂପତ୍ତି, ଉପଭୋଗ ଓ ପ୍ରଭୁତ୍ବକୁ ଧର୍ମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଭାବେ ଗ୍ରହଣ କରିଗଲେଣି | ତେଣୁ ସାଂପ୍ରତିକ ବିଶ୍ବରେ ଈର୍ଷା, ଅସୂୟା, ପରଶ୍ରୀକାତରତା, ଲାଭଖୋର୍ ପ୍ରତିଯୋଗିତା, ହିଂସା, ଉଗ୍ରବାଦ ଓ ଆତଙ୍କବାଦ ପରି ମଣିଷର ଶାନ୍ତିପୂର୍ଣ୍ଣ ସହାବସ୍ଥାନ ବିରୋଧୀ ବିଲକ୍ଷଣମାନ ବୃଦ୍ଧି ପାଇଚାଲିଛି | ବସ୍ତୁବାଦ ଓ ଉପଭୋଗବାଦର ଦୁନିଆରେ ବଜାର ଓ ବ୍ୟବସାୟ ହୋଇଯାଇଛି ମନ୍ଦିର ଓ ଅର୍ଥ ଓ ପ୍ରଭୁତ୍ବଲାଭ ହୋଇଛି ଉପାସନା| ଏହି ସଂସ୍କାରରେ ପଡ଼ି ଆଜିର ମଣିଷମାନେ ଡାକ୍ତର, ଇଞ୍ଜିନିଅର୍, ପ୍ରଫେସର, ମ୍ୟାନେଜର୍, ସାମ୍ବାଦିକ, ରାଜନେତା, ଶିଳ୍ପପତି, ବ୍ୟବସାୟୀ, ଖେଳାଳି ଆଦି ପେସାଦାର ହେବାକୁ ପ୍ରତିଯୋଗିତା ଚଳାଇଛନ୍ତି | ଏହି ପ୍ରତିଯୋଗିତା ଭିତରେ ମଣିଷ ହେବା କଥା କେହି ଆଉ ମନେ ରଖୁନାହାନ୍ତି | କାରଣ ଆଧୁନିକ ବିଶ୍ବର ଶିକ୍ଷା ବ୍ୟବସ୍ଥାରେ ପ୍ରଚଳିତ କୌଣସି ପାଠ୍ୟକ୍ରମରେ ଆଉ ମଣିଷ ହେବାର ନୀତି ଓ ମୂଲ୍ୟବୋଧ ଶିକ୍ଷା ଦିଆଯାଉ ନାହିଁ କହିଲେ ଚଳେ | ଏପରି ଶିକକ୍ଷା ମଧ୍ୟ ଧର୍ମନିରପେକ୍ଷ ହୋଇପାରିବ ନାହିଁ | କାରଣ ଧର୍ମକୁ ଛାଡ଼ି ମାନବିକ ମୂଲ୍ୟଧର କଳ୍ପନା କରାଯିବା କଷ୍ଟକର | ଅଧିକାଂଶ ମାନବିକ, ସାମାଜିକ, ଆର୍ଥନୀତିକ ଓ ରାଜନୀତିକ ମୂଲ୍ୟବୋଧର ମୂଳ ଉତ୍ସ ହେଉଛି ଧର୍ମ | ଏବେ ଗାଣତନ୍ତ୍ରିକ ଓ ଧର୍ମ ନିରପେକ୍ଷ ବିଶ୍ବରେ ଧର୍ମର ଗୁରୁତ୍ବ କମିଯାଇଥିବାରୁ ଅଧିକାଂଶ ଶିକ୍ଷାନୁଷ୍ଠାନରେ ଏସବୁ ନୀତି ଓ ମୂଲ୍ୟବୋଧର ଶିକ୍ଷା ଦିଆଯାଉ ନାହିଁ | ମଣିଷ ଶିଶୁ ବଡ଼ ହେଲେ କିପରି ବୃତ୍ତି କରିବ, କି ଧନ୍ଦା କରିବ, କେତେ ରୋଜଗାର କରିବ, କେଉଁ ଷ୍ଟାଟସ୍ ମେଣ୍ଟେନ୍ କରିବ- ଏହି ବିଚାରରେ ପିଲାବେଳୁ ତା’ର ଶିକ୍ଷା କେନ୍ଦ୍ର ଓ ପାଠ୍ୟକ୍ରମ ନିର୍ଦ୍ଧାରିତ ହେଉଛି | ସରକାର ପ୍ରାଥମିକ ଓ ମାଧ୍ୟମିକ ସ୍ତରରୁ ଧନ୍ଦାମୂଳକ ଶିକ୍ଷା ଉପରେ ଜୋର୍ ଦେଉଥିବାବେଳେ ନୀତି ଓ ମୂଲ୍ୟବୋଧର ଶିକ୍ଷା ଉଚ୍ଚତର ଶ୍ରେଣୀରେ ମଧ୍ୟ ନାହିଁ କହିଲେ ଚଳେ | ଭାରତବର୍ଷ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ହୋଇଥିବାରୁ ଧର୍ମାନୁଷ୍ଠାନ ଓ ଧର୍ମଭିତ୍ତିକ ଶିକ୍ଷାନୁଷ୍ଠାନକୁ ଛାଡ଼ିଦେଲେ ସରକାରୀ ଓ ବେସରକାରୀ ସ୍କୁଲ ଓ କଲେଜରେ ମାନବିକ ଆଦର୍ଶ ଓ ମୂଲ୍ୟବୋଧର ଶିକ୍ଷା କୌଣସି ପାଠ୍ୟକ୍ରମରେ ନାହିଁ | କଳା, ବିଜ୍ଞାନ ଓ ବାଣିଜ୍ୟ ହେଉ କି ଡାକ୍ତରୀ, ଇଞ୍ଜିନିଅରିଂ, ସୂଚନା ପ୍ରଯୁକ୍ତି, ପରିଚାଳନା, ଔଷଧ ଉତ୍ପାଦନ, ଧାତୁବିଜ୍ଞାନ, ବ୍ୟାଙ୍କିଙ୍ଗ, ମାର୍କେଟିଂ, ଆକାଉଣ୍ଟିଂ ଆଦି ପ୍ରାୟ ସମସ୍ତ ବିଷୟର ପାଠ୍ୟକ୍ରମରେ ଶାନ୍ତି, ସଂହତି, ସ୍ନେହ, ମମତା, ଦୟା, ଦାନ, ଏକତା, ଅଚୌର୍ଯ୍ୟ, ଅପରିଗ୍ରହ ଆଦି ସିଲାବସ୍ ନାହିଁ | ଏସବୁ ରହିଛି ବିଭିନ୍ନ ଧର୍ମର କଥା, କାହାଣୀ ଓ ଶାସ୍ତ୍ରରେ | ଭାରତବର୍ଷର ସର୍ବ ପୁରାତନ ଧର୍ମ ହେଉଛି ସନାତନ | ତେଣୁ ଏହାର ମୂଳ ଚେତନାର ମୂଲ୍ୟବୋଧ ରହିଛି ସନାତନ ଧର୍ମର ବିଭିନ୍ନ ଗ୍ରନ୍ଥରେ | ତନ୍ମଧ୍ୟରେ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ଗ୍ରନ୍ଥ ହେଉଛି ଶ୍ରୀମଦ୍ଭଗବତଗୀତା | ଏଥିରେ ଭାରତୀୟ ଜୀବନ ଦର୍ଶନ ଓ ଧର୍ମର ବିଭିନ୍ନ ବ୍ୟାଖ୍ୟା ଉପସ୍ଥାପିତ ହୋଇଛି | ଏହା ବ୍ୟତିତ ବେଦ ଓ ଉପନିଷଦ୍, ଭାଗବତ, ରାମାୟଣ ଓ ମହାଭାରତ ଆଦି ଶାସ୍ତ୍ର ଓ ପୁରାଣରେ ମଧ୍ୟ କଥା ଓ କାହାଣୀ ଆକାରରେ ଭାରତୀୟ ଜୀବନ ଦର୍ଶନ ଓ ନୀତି ସଂହିତା ବହୁଳ ଭାବେ ବଣ୍ଣିର୍ତ ହୋଇଛି | ଏବେକାର ପିଲାମାନେ ଏସବୁ ସଂପର୍କରେ ଅଜ୍ଞ ଓ ଅଚେତନ | ଏହି ଶିକ୍ଷାରୁ ଦୂରେଇ ଯାଇଥିବା ଭାରତୀୟମାନେ ଏବେ କଥାକଥାରେ ହିଂସା ଓ ରକ୍ତପାତର ସ୍ରୋତ ବୁହାଉଛନ୍ତି | ଧାର୍ମିକ ବିଦ୍ବେଷ, ଆର୍ଥିକ ଅସୂୟାଭାବ, ସାମାଜିକ ଦଙ୍ଗା ଆଦି ବୃଦ୍ଧି ପାଉଥିବାବେଳେ ଶାନ୍ତି, ସଂହତି, ଏକତା ଓ ଅଖଣ୍ଡତା ଆଦି ମୂଲ୍ୟବୋଧ ବିସ୍ମୃତପ୍ରାୟ | ପୁଣି ଥରେ ଭାରତର ଶିଶୁମାନଙ୍କୁ ଏସବୁ ନୀତି, ଆଦର୍ଶ ଓ ମୂଲ୍ୟବୋଧ ଶିକ୍ଷା ଦେବାକୁ ହେଲେ ଶ୍ରୀମଦ୍ଭଗବଦଗୀତା ପରି ଗ୍ରନ୍ଥ ଅଧ୍ୟୟନର ଆବଶ୍ୟକତା ରହିଛି | ଏପରିକି କୁରାନ୍, ବାଇବେଲ୍, ଗୁରୁ ଗ୍ରନ୍ଥସାହେବ, ତ୍ରିପିଟକ ଓ ମଝିମା ନିକାୟ ପରି ଇସଲାମ, ଖୀରସ୍ତାନ, ଶିଖ ଓ ବୌଦ୍ଧ ଗ୍ରନ୍ଥରେ ମଧ୍ୟ ଶାନ୍ତି ଓ ପ୍ରେମର ବାର୍ତ୍ତା ଭରପୂର ଅଛି | ଭବିଷ୍ୟତର ମଣିଷମାନଙ୍କୁ ଶାନ୍ତି, ପ୍ରେମ, ଭ୍ରାତୃତ୍ବ, ସ୍ନେହ, ମମତା, ଦାନ, ଦୟା, କ୍ଷମା, ପରୋପକାର, ଏକତା, ଅଖଣ୍ଡତା, ସହିଷ୍ଣୁତା ଆଦି ମାନବିକ ମୂଲ୍ୟବୋଧର ଶିକ୍ଷା ଦେବାକୁ ହେଲେ ଏହି ଧାର୍ମିକ ଗ୍ରନ୍ଥଗୁଡ଼ିକ ବା ଏସବୁର ଆବଶ୍ୟତଥା ନିର୍ବାଚିତ ଅଂଶବିଶେଷ ପାଠ୍ୟକ୍ରମରେ ରହିବା ଜରୁରୀ | କିଛି ମାସ ତଳେ ଭାରତୀୟ ସୁପ୍ରିମ କୋର୍ଟର ଜଣେ ବିଚାରପତି ଏ. ଆର୍. ଡାଭେ ଅହମଦାବାଦରେ ଅନୁଷ୍ଠିତ ଏକ ସେମିନାରରେ ଉଦବୋଧନ ଦେବା ଅବସରରେ ପ୍ରଥମ ଶ୍ରେଣୀ ପାଠ୍ୟକ୍ରମରେ ଶ୍ରୀମଦ୍ଭବତଗୀତା ପ୍ରଚଳନ କରିବାକୁ ଯେଉଁ ପରାମର୍ଶ ଦେଇଛନ୍ତି ତାହାକୁ ଏହି ବିଚାରରେ ଗ୍ରହଣ କରାଯିବା ଉଚିତ | ସେ ଏକଛତ୍ରବାଦୀ ହୋଇଥିଲେ ଏପରି କରିଥାନ୍ତେ ବୋଲି ଜଷ୍ଟିସ୍ ଡାଭେ ଭାଷଣ ଛଳରେ ଯାହା କହିଛନ୍ତି ତାହାକୁ ସେହି ଅର୍ଥରେ ଗ୍ରହଣ ନକରି ଭାରତବର୍ଷରେ ନୀତି, ଆଦର୍ଶ ଓ ମୂଲ୍ୟବୋଧର ଶିକ୍ଷା ପ୍ରଚଳନ କରିବା ଅର୍ଥରେ ଗ୍ରହଣ କରାଯିବା ଉଚିତ | ଆଉ ଧର୍ମ ଶାସ୍ତ୍ର ବିନା ଯେ ନୀତି, ଆଦର୍ଶ ଓ ମୂଲ୍ୟବୋଧର ଶିକ୍ଷା ସମ୍ଭବ, ଏହା ଧର୍ମର ଦୁନିଆରେ କଳ୍ପନା କରିବା କଷ୍ଟକର |

Share :