ଖଣି ଖାଇ କାରଖାନା ବନ୍ଦ!

ଖଣି ଖାଇ କାରଖାନା ବନ୍ଦ!

Share :

ଶରତ ପଥାଳ ୧୯୯୩ ମସିହାରେ ଅର୍ଥାତ ୨୩ ବର୍ଷ ତଳେ କଳିଙ୍ଗନଗର ଶିଳ୍ପାଞ୍ଚଳରେ ମୁଣ୍ଡ ଟେକିଥିବା ମେସ୍କୋ ଷ୍ଟିଲ‌୍‍ରେ ତାଲା ପଡ଼ିବ। ବ୍ୟାପକ କ୍ଷତିର ବାହାନାରେ ଶ୍ରମିକ ଛଟେଇ ପାଇଁ କାରଖାନା କର୍ତ୍ତୃପକ୍ଷ ଶ୍ରମ ବିଭାଗର ଅନୁମତି ମାଗିବା ପରେ କାର୍ଯ୍ୟରତ ଶ୍ରମିକ ଓ କର୍ମଚାରୀଙ୍କ ଚେତା ହଜିଯାଇଛି। କ୍ଷତି ଦର୍ଶାଇ ଶ୍ରମିକ କର୍ମଚାରୀ ଛଟେଇ କରିବା ପରେ କାରଖାନା ବନ୍ଦ କରିବାକୁ ମେସ୍କୋ କର୍ତ୍ତୃପକ୍ଷ ଚକ୍ରାନ୍ତ ଚଳାଇଥିବା ଅନୁମାନ କରାଯାଉଛି।   ଅଗଷ୍ଟ ୧୯ ତାରିଖ ଶୁକ୍ରବାର ମେସ୍କୋର ପଦାଧିକାରୀ ଯାଜପୁର ଜିଲା ଶ୍ରମ କାର୍ଯ୍ୟାଳରେ ଜିଲା ଶ୍ରମ ଅଧିକାରୀଙ୍କ ନିକଟରେ ଛଟେଇ ନେଇ ଦରଖାସ୍ତ କରିଛନ୍ତି। କାରଖାନା କର୍ତ୍ତୃପକ୍ଷଙ୍କ ଏତାଦୃଶ ଶ୍ରମିକ ମାରଣନୀତି ବିରୁଦ୍ଧରେ ଶୁକ୍ରବାର କାରଖାନା ଫାଟକ ସମ୍ମୁଖରେ ସହସ୍ରାଧିକ ଶ୍ରମିକ-କର୍ମଚାରୀ ସମବେତ ହୋଇ ଭବିଷ୍ୟତ ପନ୍ଥା ଉପରେ ଆଲୋଚନା କରିଥିଲେ। ମେସ୍କୋର ଶ୍ରମିକ ଓ କର୍ମଚାରୀ ମାରଣନୀତିକୁ ତୀବ୍ର ସମାଲୋଚନା କରିବା ସହ ରାଜ୍ୟ ସରକାର କାରଖାନା ବନ୍ଦ ପାଇଁ ଅନୁମତି ନଦେବାକୁ ଦାବି କରିଥିଲେ। ଶ୍ରମିକ-କର୍ମଚାରୀମାନଙ୍କୁ ସାମୟିକ ଅପସାରଣ ଲକ୍ଷ୍ୟରେ ମେସ୍କୋ ଷ୍ଟିଲ ଏଭଳି ନିଷ୍ପତ୍ତି ନେଇଥିବାର କୁହାଯାଉଥିଲେ ହେଁ ଶ୍ରମିକ-କର୍ମଚାରୀମାନଙ୍କୁ ଛଟେଇ କରିବାକୁ ବିଧିବଦ୍ଧ ଯଡ଼ଯନ୍ତ୍ର କରିଥିବା ଜଣାପଡ଼ିଛି।   ମେସ୍କୋ ଷ୍ଟିଲ‌୍‍ର କିଛି ପଦାଧିକାରୀ ଶ୍ରମ କାର୍ଯ୍ୟାଳୟରେ ପହଁଚି ଶ୍ରମ ଅଧିକାରୀ କୁବେର ବେହେରାଙ୍କୁ କାରଖାନାକୁ ସାମୟିକ ଭାବେ ବନ୍ଦ କରିବାର ଅନୁମତି ପାଇଁ ଦରଖାସ୍ତ ଦାଖଲ କରିଥିଲେ। ଦାଖଲ ଅନୁମତିପତ୍ରରେ କାରଖାନା ୧୬ ମାସ ହେଲା ବନ୍ଦ ରହିଥିବା ଏବଂ ବ୍ୟାପକ କ୍ଷତିରେ ଚାଲୁଥିବାରୁ ଲେ-ଅଫ ବା ସାମୟିକ ଭାବେ ଶ୍ରମିକ କର୍ମଚାରୀମାନଙ୍କୁ ଛଟେଇ ଓ ଅପସାରଣ ପାଇଁ ଅନୁମତି ମାଗିଥିଲେ। ସଂପୃକ୍ତ ଅନୁମତି ଆସନ୍ତା ମାସ ଅର୍ଥାତ ସେପ୍ଟେମ୍ବର ୧ ତାରିଖରୁ ପ୍ରଦାନ କରିବାକୁ ମେସ୍କୋ ପକ୍ଷରୁ ଦରଖାସ୍ତ କରାଯାଇଥିବା ବେଳେ ଶ୍ରମ ବିଭାଗ ଏହାକୁ ରାଜ୍ୟ ସରକାରଙ୍କ ନିକଟକୁ ପଠାଇବ ବୋଲି ଜଣାପଡ଼ିଛି।   ପ୍ରଥମରୁ ଇସ୍ପାତ ଉତ୍ପାଦନ କରିବା ଲକ୍ଷ୍ୟ ନେଇ କାରଖାନା ସ୍ଥାପନ କରିଥିବା ମେସ୍କୋ ଷ୍ଟିଲ‌୍‍ କ୍ଷତି ହେଉଥିବା ବାହାନାରେ କାରଖାନାକୁ ବନ୍ଦ କରି ଶ୍ରମିକ ଓ କର୍ମଚାରୀମାନଙ୍କୁ ଛଟେଇ କରିବାର ଗୋଟି ଚଳାଇଥିବାର ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ମିଳିଛି। ମେସ୍କୋ ଯେଉଁ ଆଧାରରେ ଅନୁମତି ମାଗିଛି ରାଜ୍ୟ ସରକାର ତାହା ପ୍ରଦାନ କଲେ ଶ୍ରମିକ -କର୍ମଚାରୀ ସବୁଦିନ ପାଇଁ ଛଟେଇ ହେବା ଥୟ ବୋଲି ଜାଣିବାକୁ ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ମେସ୍କୋ ଲେ-ଅଫ ଅନୁମତିରେ ପ୍ରଥମେ ୪୫ ଦିନ ପାଇଁ କାରଖାନାକୁ ବନ୍ଦ କରି ଶ୍ରମିକ -କର୍ମଚାରୀଙ୍କୁ କାର୍ଯ୍ୟରୁ ଅନ୍ତର କରାଯିବ। ପରେ ସମାନ ବ୍ୟବସ୍ଥାରେ ୯୦ ଦିନ ଯାଏ ଦିନ ଗଡ଼ାଇ ନେବ। ଶେଷରେ କାରଖାନା ସବୁଦିନ ପାଇଁ ତାଲା ପଡ଼ିବ ବୋଲି ଘୋଷଣା କରିବ।   ଏଭଳି ଏକ ଯୋଜନାବଦ୍ଧରେ ମେସ୍କୋ ରାଜ୍ୟ ସରକାରଙ୍କୁ ଠକିବାକୁ ଲକ୍ଷ୍ୟ ରଖିଥିବା ବେଳେ ଶ୍ରମିକ-କର୍ମଚାରୀଙ୍କୁ ମଧ୍ୟ ସବୁଦିନ ପାଇଁ କାର୍ଯ୍ୟରୁ ଅନ୍ତର କରିବ। ଯାହାକୁ ନେଇ ଶ୍ରମିକ-କର୍ମଚାରୀମାନେ ଘୋର ବିରୋଧ କରିଛନ୍ତି। କାରଖାନା ଫାଟକ ସମ୍ମୁଖରେ ଶହଶହ ଶ୍ରମିକ-କର୍ମଚାରୀ ଏକାଠି ହୋଇ ମେସ୍କୋର ଚକ୍ରାନ୍ତ ବିରୁଦ୍ଧରେ ଲଢେଇ କରିବାକୁ ଘୋଷଣା କରିଛନ୍ତି। ଶ୍ରମିକ-କର୍ମଚାରୀମାନେ ଅଭିଯୋଗ କରିଛନ୍ତିକି ୧୯୯୩ ମସିହାରୁ ସ୍ଥାପିତ ମେସ୍କୋ ଷ୍ଟିଲ ପାଇଁ ଜମି ଏବଂ ବାସ ହରାଇଥିବା ପରିବାର ସଦସ୍ୟ ୫୩୦ ଏକର ଜମି ଯୋଗାଇଦେଇ କାରଖାନା ସ୍ଥାପନରେ ସହଯୋଗ କରିଥିଲେ।   ଗୋଟିଏ ସମୟରେ ମେସ୍କୋ ଋଣରେ ବୁଡ଼ିଥିବା ବେଳେ ଇଡ଼କୋ ଠାରୁ ଋଣ ନେଇ ବର୍ତ୍ତିଥିଲା। ରାଜ୍ୟ ସରକାର ମେସ୍କୋକୁ ସହଯୋଗର ହାତ ବଢାଇ କେନ୍ଦୁଝରରେ ୨୪୦୦ ହେକ୍ଟର ପରିସୀମାର ଲୁହାପଥର ଖଣି ଯୋଗାଇ ଦେଇଥିଲେ। ମେସ୍କୋ ଲୁହାପଥର ବିଦେଶକୁ ବିକ୍ରି କରି ବ୍ୟାପକ ମୁନାଫା କମାଉଥିବା ବେଳେ କ୍ଷତିର ବାହାନାରେ କାରଖାନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରିଛି। ଏଥିଯୋଗୁ ୧୪୦୦ ପରିବାର କ୍ଷତିଗ୍ରସ୍ତ ହେବେ ବୋଲି  ଶ୍ରମିକ-କର୍ମଚାରୀଙ୍କ ପକ୍ଷରୁ କୁହାଯାଇଛି।   ମେସ୍କୋ ଷ୍ଟିଲ ପାଇଁ ଲୁହାପଥର ଯୋଗାଇ ଦିଆଯାଇଥିବା ବେଳେ ଉକ୍ତ କାରଖାନା କିପରି ଏବଂ କେଉଁ ଆଧାରରେ କ୍ଷତିର ସମ୍ମୁଖୀନ ହେଉଛି ବୋଲି ପ୍ରଶ୍ନ ଉଠାଇଛନ୍ତି ଶ୍ରମିକ-କର୍ମଚାରୀ। ରାଜ୍ୟ ସରକାର ମେସ୍କୋକୁ ଲେ-ଅଫ ଅନୁମତି ନଦେବାକୁ ଦାବି କରିଥିବା ବେଳେ ଏସଂପର୍କୀତ ଦାବିପତ୍ର ମୁଖ୍ୟମନ୍ତ୍ରୀ, ଶିଳ୍ପମନ୍ତ୍ରୀ, ଶ୍ରମମନ୍ତ୍ରୀ, ସଚିବ, ଜିଲାପାଳ, ଏସପି ପ୍ରମୁଖଙ୍କ ନିକଟକୁ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ଶ୍ରମିକ-କର୍ମଚାରୀଙ୍କ ଦାବି ପ୍ରତିଧ୍ୟାନ ଦିଆନଗଲେ ଶ୍ରମ ନିଦ୍ଦେର୍ଶାଳୟ ସମ୍ମୁଖରେ ଅନଶନ କରିବାକୁ ଶ୍ରମିକ-କର୍ମଚାରୀ ଧମକ ଦେଇଛନ୍ତି।    ମେସ୍କୋ ଷ୍ଟିଲରେ କାର୍ଯ୍ୟରତ ଶ୍ରମିକ-କର୍ମଚାରୀ ଶ୍ରମିକ / କର୍ମଚାରୀ , ନିୟମିତ କର୍ମଚାରୀ , ଠିକା କର୍ମଚାରୀ,   ମୋଟ ଅଣ କୁଶଳୀ-------୦--------------୭୬--------- ୭୬ ଅର୍ଦ୍ଧ କୁଶଳୀ-------୧୩-------------୧୪୩--------୧୫୬ କୁଶଳୀ----------୨୪୧-------------୧୫୩-------୩୯୪ ଅତି କୁଶଳୀ-------୮୧--------------୨୦୮-------୨୮୯ ସୁପରଭାଇଜର-----୧୩୯-----------୦-----------୧୩୯ ବରିଷ୍ଟ ଅଧିକାରୀ---୨୨-------------୦------------୨୨ ମୋଟ ---------୪୯୬------------୫୮୦-------୧୦୭୬   କ୍ଷତିରେ ଚାଲୁଛି ବୋଲି କହି ମେସ୍କୋ କାରଖାନାକୁ ଲେ-ଅଫ କରିବାକୁ ଅନୁମତି ମାଗିଥିବା ବେଳେ ରାଜ୍ୟ ସରକାର ଏନେଇ ନିଜସ୍ୱ ସଂସ୍ଥା ମାଧ୍ୟମରେ ତଦନ୍ତ କରିବା ଦରକାର। ଦୀର୍ଘ ୧୩ ମାସ ହେଲା କାରଖାନାକୁ ଅଚଳ କରି ରଖିଥିବା ମେସ୍କୋ କିପରି ଏବଂ କେଉଁ ଆଧାରରେ କ୍ଷତିର ସମ୍ମୁଖୀନ ହେଉଛି, ତାହାର ଖୋଳତାଡ଼ କରାଯିବାର ଆବଶ୍ୟକତା ରହିଛି। ରାଜ୍ୟ ସରକାର ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ଶିଳ୍ପପତିକୁ ଆମନ୍ତ୍ରଣ କରୁଥିବା ବେଳେ ୨୩ ବର୍ଷ ହେଲା କାରଖାନା କରିଥିବା ମେସ୍କୋ ଇସ୍ପାତ ଉତ୍ପାଦନ ନକରିବା ପଛରେ କି କାରଣ ରହିଛି ବୋଲି ପ୍ରଶ୍ନ ଉଠିବାରେ ଲାଗିଛି। ଯେଉଁଠି ଗୋଟିଏ କାରଖାନା ଭଲରେ ଚାଲୁନି ସେଠି ମେସ୍କୋ ମଇଥାନ ଇସ୍ପାତକୁ କିଣିଲା କାହିଁକି ଏବଂ ଏହା ପଛରେ କି କାରଣ ରହିଛି ବୋଲି ଶ୍ରମିକ-କର୍ମଚାରୀ ମହଲରେ ଆଲୋଚନା ହେଉଛି। 

Share :