ବଢ଼ିବ ପ୍ରଦୂଷଣ ଜନିତ ମୃତ୍ୟୁସଂଖ୍ୟା

ବଢ଼ିବ ପ୍ରଦୂଷଣ ଜନିତ ମୃତ୍ୟୁସଂଖ୍ୟା

Share :

  ଆଉ କିଛି ବର୍ଷ ପରେ ବାୟୁ ପ୍ରଦୂଷଣ ଯୋଗୁଁ ଚୀନ ତୁଳନାରେ ଭାରତରେ ଅଧିକ ଲୋକଙ୍କ ମୃତ୍ୟୁ ଘଟିବାର ଆଶଙ୍କା ସୃଷ୍ଟି ହୋଇଛି। ପରିବେଶ ସୁରକ୍ଷା ଆଇନକୁ ଅଣଦେଖା କରି ଭାରତ ସରକାର ଅଧିକରୁ ଅଧିକ କୋଇଲା ଖଣି ଖନନ ପାଇଁ ଅନୁମତି ଦେଉଥିବାରୁ ଏପରି ହେବ ବୋଲି ଏକ ଅନୁଧ୍ୟାନ ରିପୋର୍ଟରେ କୁହାଯାଇଛି।   ଆମେରିକାର ବୋଷ୍ଟନସ୍ଥିତ ହେଲ‍୍‌ଥ ଇଫେକ୍ଟସ ଇନ‍୍‌ଷ୍ଟିଚ୍ୟୁଟର ସଭାପତି ଡାନ‍୍‌ ଗ୍ରୀନବୋମ‍୍‌ କହିଛନ୍ତି ଯେ ଚୀନଠାରୁ ଭାରତ ଅଧିକ ଦ୍ରୁତଗତିରେ ଖରାପ ସ୍ଥିତି ଆଡ଼କୁ ଦୌଡ଼ିବାରେ ଲାଗିଛି। ଭାରତ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ କରିବା ଦିଗରେ ପୂର୍ବରୁ ବିଶେଷ କିଛି ପଦକ୍ଷେପ ନେଇ ନଥିବାବେଳେ ଏବେ ଅଧିକରୁ ଅଧିକ କୋଇଲା ଖଣି ଖନନ ପାଇଁ ଅନୁମତି ଦେବାରେ ଲାଗିଛି।   ନିକଟରେ ଏହି ସଂସ୍ଥାର ଏକ ରିପୋର୍ଟରେ ପ୍ରକାଶ ପାଇଥିଲା ଯେ ସମଗ୍ର ବିଶ୍ୱରେ ଯେତେ ଲୋକ ବାୟୁ ପ୍ରଦୂଷଣ ଯୋଗୁଁ ମୃତ୍ୟୁ ବରଣ କରୁଛନ୍ତି ତାହାର ଅଧା ମୃତ୍ୟୁ କେବଳ ଭାରତ ଓ ଚୀନରେ ହେଉଛି। ଚୀନରେ କୋଇଲା ଭିତ୍ତିକ ତାପଜ ବିଦ୍ୟୁତ କେନ୍ଦ୍ରଗୁଡ଼ିକ ବାୟୁ ପ୍ରଦୂଷଣ ପାଇଁ ସର୍ବାଧିକ ଦାୟୀ। କିନ୍ତୁ ଭାରତରେ ଏଯାଏଁ ବାୟୁ ପ୍ରଦୂଷଣ ରୋକିବାକୁ ଉପଯୁକ୍ତ ଜ୍ଞାନକୌଶଳ ବ୍ୟବହାର କରାଯାଇ ନାହିଁ। ତେଣୁ ଅଧିକ ତାପଜ ବିଦ୍ୟୁତ କେନ୍ଦ୍ର ଅଧିକ କ୍ଷତିକାରକ ହେବାର ଆଶଙ୍କା ରହିଛି।   ୨୦୨୦ ସୁଦ୍ଧା ଚୀନ ଏହାର କୋଇଲା ଉତ୍ପେଦନ ୫୦୦ ନିୟୁତ ଟନ‍୍‌ କମାଇବାକୁ ଉଦ୍ୟମ ଆରମ୍ଭ କରିଛି। ଏବେ ଚୀନ ଯେତେ କୋଇଲା ଉେତ୍ତାଳନ କରୁଛି ଏହା ତାହାର ୧୯ ପ୍ରତିଶତ ହେବ। ସେହିପରି ଏହି ସମୟ ମଧ୍ୟରେ ତାପଜ ବିଦ୍ୟୁତ କ୍ଷେତ୍ରର ପ୍ରଦୂଷକ ନିର୍ଗମନ ୬୦ ପ୍ରତିଶତ ହ୍ରାସ କରିବାକୁ ମଧ୍ୟ ଚୀନ ବିଭିନ୍ନ ପଦକ୍ଷେପ ନେବାରେ ଲାଗିଛି। ଅନ୍ୟପକ୍ଷରେ ସମସ୍ତଙ୍କୁ ବିଜୁଳି ସେବା ଯୋଗାଇବାକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଥିବା ସଂକଳ୍ପ କାର୍ଯ୍ୟକାରୀ କରିବା ଦିଗରେ ଭାରତ ଅଧିକ କୋଇଲା ଉତ୍ପାଦଦନ ଉପରେ ଗୁରୁତ୍ୱ ଦେଉଛି। ଅଥଚ କୋଇଲା ଭିତ୍ତିକ ତାପଜ ବିଦ୍ୟୁତ କେନ୍ଦ୍ର ପାଇଁ ପ୍ରଦୂଷଣ ନିୟନ୍ତ୍ରଣର ସୁଦୃଢ଼ ମାନକ ଏଯାଏଁ ସ୍ଥିର ହୋଇନାହିଁ।   ଚୀନରେ ୨୦୧୩ ମସିହାରେ ବାୟୁ ପ୍ରଦୂଷଣ ଯୋଗୁଁ ୩,୬୬,୦୦୦ ଲୋକଙ୍କର ମୃତ୍ୟୁ ଘଟିଥିଲା। ୧୯୯୦ ମସିହାରୁ ୨୦୧୩ ମଧ୍ୟରେ ଚୀନର କୋଇଲା ଉତ୍ପାଦନ ୩ ଗୁଣ ବୃଦ୍ଧି ପାଇଥିଲା। ଏହି ସମୟ ମଧ୍ୟରେ ବାୟୁ ପ୍ରଦୂଷଣ ଜନିତ ମୃତ୍ୟୁସଂଖ୍ୟା ୬୭ ପ୍ରତିଶତ ବଢ଼ିଥିଲା। ଭାରତ ଖୁବଶୀଘ୍ର ଏହି ରେକର୍ଡ଼ ହାସଲ କରିବାର ଆଶଙ୍କା ସୃଷ୍ଟି ହୋଇଛି।

Share :