ଅନ୍ଧାରି ମୁଲକରେ ଆଦିବାସୀ

ଅନ୍ଧାରି ମୁଲକରେ ଆଦିବାସୀ

Share :

ସ୍ନେହଲତା ମିଶ୍ର   ଘଞ୍ଚ ଜଙ୍ଗଳ ଭିତରେ ଲୁଚି ରହିଚି ପାହାଡ ତଲିଆ ଗାଁ। ଶିକ୍ଷା ଓ ସ୍ୱାସ୍ଥ୍ୟସେବା କଥା ଛାଡନ୍ତୁ ଗାଁରେ ବିଜୁଳି ବତି ଜଳିନି କି ବିଶୁଦ୍ଧ ପାଣି ଟୋପାଏ ବି ମିଳେନି। ସରକାରୀ ସ୍ତରରେ ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଥିବା ସରକାରୀ ରେକର୍ଡରେ ଦର୍ଶା ଯାଉଥିବାବେଳେ ସରକାରୀ ଯୋଜନା ଯେ ଅଙ୍କା ବଙ୍କା ଜଙ୍ଗଲୀ ରାସ୍ତାରେ ବାବୁମାନଙ୍କ ଦ୍ବାରା ବାଟବଣା ହେଉଛି ତାହା କୋକସରା ବ୍ଲକ ଆମପାଣି ପଞ୍ଚାୟତ ଅନ୍ତର୍ଗତ ସାହାଜଖୋଲ ଜଙ୍ଗଳରେ ବସବାସ କରୁଥିବା କେତେକ ଆଦିବାସୀ ଗାଁ ଦେଖିଲେ ସ୍ପଷ୍ଟ ହୋଇଯାଏ।   କଳାହାଣ୍ଡି -ନବରଙ୍ଗପୁର ସୀମାରେ ସାହାଜଖୋଜ ଜଙ୍ଗଲ ଆମପାଣି ଘାଟି ତଳେ ରହିଛି କେତେକ ଆଦିବାସୀ ବହୁଳ ଗ୍ରାମ। କୁଟୃ, କାଦୋମଲି, ଆନ୍ଦି ଝରଣ, ସର୍ଗପାନି, ଗାଇବନ୍ଧା, ଠିରଲିଆମ, ସର୍ଗିଗୁଡା, ସାଇକେଲ ବରଗଛ, ଛକପଡା ଭଳି ଆଦିବାସୀ ବହୁଳ ଗ୍ରାମଗୁଡ଼ିକ ଏହି ଘାଟିତଳେ ଅବସ୍ଥିତ ଏବଂ ଏହା ଦୁର୍ଗମ ଇଲାକା ହେତୁ କେତେକ ମାଓବାଦୀ ଏ ଅଂଚଳରେ ଲୁଚି ରହି ସେମାନଙ୍କ କାର୍ଯ୍ୟକଳାପ ଚଳାଇଛନ୍ତି। ଏହି ଗାଁଗୁଡିକରେ କନ୍ଧ, ଭତରା ସଂପ୍ରଦାୟର ଲୋକ ରହୁଥିବା ବେଳେ ରାୟଗଡା ଜିଲ୍ଲା କାଶିପୁର, କଲ୍ୟାଣସଂିହପୁର ଅଞ୍ଚଳରୁ ମଧ୍ୟ ସାନ୍ତରା ଜନଜାତିର ଆଦିବାସୀମାନେ ଆସି ବହୁତ ବର୍ଷ ହେବ ଏଠାରେ ବସବାସ କରୁଛନ୍ତି।   ଏହି ଆଦିବାସୀ ଗାଁଗୁଡିକରେ ବର୍ତ୍ତମାନ ସୁଦ୍ଧା କୌଣସି ସରକାରୀ ଯୋଜନାର ସଫଳ ରୂପାୟନ ହୋଇନାହିଁ। ସ୍ୱାସ୍ଥ୍ୟ,ଶିକ୍ଷା, ପାନୀୟ ଜଳ, ଏମାନଙ୍କ ପାଇଁ ସାତ ସପନ। କାଁ ଭାଁ କୋଉ ଗାଁରେ ସ୍କୁଲ ଅଛି ହେଲେ ସେଠାକୁ ଶିକ୍ଷକ ଯାଆନ୍ତି ନାହିଁ। କେବଳ ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ନୁଙ୍ଗୁରା ଦେହରେ କିଛି ଛାତ୍ରଛାତୀ ଆସି ଜମା ହୋଇ ଥାଆନ୍ତି। ସ୍କୁଲ ପୋଷାକରେ କିଛି ଆଦିବାସୀ ବାଳକ ଜଙ୍ଗଲରୁ ଜାଲେଣି କାଠ ସଂଗ୍ରହ କରି ଘରକୁ ଆଣୁଥିବାର ମଧ୍ୟ ଆମେ ଦେଖିବାକୁ ପାଇଥିଲୁ।   ଏଥିରୁ ସ୍ପଷ୍ଟ ଅନୁମେୟ ଯେ ପ୍ରାଥମିକ ଶିକ୍ଷାବ୍ୟବସ୍ଥା ଏଠାରେ ଦିଗହରା। ବିଶୁଦ୍ଧ ପାନୀୟ ଜଳ ଏମାନଙ୍କ ପାଇଁ ସାତ ସପନ। କିଛି ଗାଁରେ ନଳକୂପ ଅଛି। ମାତ୍ର ତାହା କେବେଠୁ ଅଚଳ ହୋଇ ପଡିରହିଛି। ଏଣୁ ଜଙ୍ଗଲୀ ଝରଣା ହିଁ ଏମାନଙ୍କ ପାଇଁ ପିଇବା ପାଣିର ମାଧ୍ୟମ ସାଜିଛି। ପିଡିଏସ‌୍‍ ସାମଗ୍ରୀ ପାଇବା ପାଇଁ ଏମାନଙ୍କୁ ଜଙ୍ଗଲୀ ରାସ୍ତାରେ ୧୦/୧୫ କିମି ଦୂର ଚାଲିଚାଲି ଆମପାଣି ପଞ୍ଚାୟତକୁ ଆସିବାକୁ ପଡେ। ସେଥିରେ ବି ପ୍ରତି ମାସରେ ଚାଉଳ କିମ୍ୱା କିରୋସିନି ମିଳିବାର କିଛି ଗ୍ୟାରେଣ୍ଟି ନଥାଏ। ଲୋକେ ଏତେବବାଟ ଚାଲିଚାଲି ଆସିବା ପରେ ସାମଗ୍ରୀ ନମିଳିଲେ ପୁଣି ସେତିକି ବାଟ ଚାଲିଚାଲି ଫେରନ୍ତି।   ବର୍ଷାଦିନ ଆସିଲେ ଏମାନଙ୍କ ଦୁଃଖ ଦୁଇଗୁଣା ବଢିଯାଏ। କାରଣ ରାସ୍ତା ନଥିବା ଯୋଗୁଁ ପାଦଚଲା ରାସ୍ତା ମଧ୍ୟ ପାଣି ଯୋଗୁଁ ଯିବା ଆସିବାରେ ପ୍ରତିବନ୍ଧକ ସୃଷ୍ଟି କରେ। ଏଣୁ ବର୍ଷା ଚାରି ମାସ ଏହି ଗ୍ରାମମାନଙ୍କରେ ରହୁଥିବା ଆଦିବାସୀମାନେ ବନ୍ଦୀ ଜୀବନ ବିତାଇବାକୁ ବାଧ୍ୟ ହୁଅନ୍ତି। ଜଙ୍ଗଲରେ ମିଳୁଥିବା କନ୍ଦମୂଳ ଖାଇ ଜୀବନ ନିର୍ବାହ କରନ୍ତି। ଏମାନଙ୍କର ମୁଖ୍ୟ ଜୀବିକା ହେଲା ଜଙ୍ଗଲ ଜାତ ଦ୍ରବ୍ୟ ଓ ଜାଲେଣିକାଠ ସଂଗ୍ରହ। ଏହାକୁ ସେମାନେ ଆମପାଣି ବଜାରରେ ବିକ୍ରି କରି ନିଜର ଗୁଜୁରାଣ ମେଣ୍ଟାଇ ଥାନ୍ତି।   ଏହି ଗାଁଗୁଡିକରେ ରହୁଥିବା ଆଦିବାସୀମାନଙ୍କ ବୟସ ୬୦ ଅତିକ୍ରମ କଲେ ମଧ୍ୟ ବାର୍ଦ୍ଧକ୍ୟଭତ୍ତା, ବିଧବା ଭତ୍ତା, ମଧୁବାବୁ ପେନସନ‌୍‍ କାର୍ଡ ଖଣ୍ଡିଏ କହାକୁ ମିଳିନି। ଏହି ଆଦିବାସୀମାନଙ୍କ ସରଳତାର ସୁଯୋଗ ନେଇ ପଞ୍ଚାୟତ କର୍ମଚାରୀମାନେ ଏମାନଙ୍କ ଆଜାଣତରେ ଜବ‌୍‍କାର୍ଡରୁ ଟଙ୍କା ଉଠାଣ କରି ହଡପ କରି ନିଅନ୍ତି। ସ୍ୱାସ୍ଥ୍ୟସେବା ମଧ୍ୟ ଏମାନଙ୍କ ପାଇଁ ଅପହଞ୍ଚ। ଗର୍ଭବତୀ ମହିଳାମାନଙ୍କୁ ଖଟିଆରେ ଦୋଳା କରି ୧୦ କିମି ନେବା ପରେ ୧୦୨ ଗାଡି ପହେଞ୍ଚ। ଜ୍ୱର ହେଲେ ଲୋକେ ଗାଁରେ ଥିବା ଦିଶାରି ଉପରେ ଭରସା କରନ୍ତି। ସରକାରୀ ସ୍ତରରେ ଯାହା ବି ଯୋଜନା ପାଣ୍ଠି ଆସେ ସରକାରୀ ବାବୁମାନେ ଭାଗବଣ୍ଟା କରି କାଗଜ କଲମରେ କାମ ସାରି ଦିଅନ୍ତି।   ମାଓବାଦୀ ପ୍ରବଣ ଅଞ୍ଚଳ ହୋଇଥିବା ଯୋଗୁଁ ଏସବୁ ଗାଁରେ କେବେ କୌଣସି ସରକାରୀ ନେତା କି ବଡ଼ ହାକିମଙ୍କ ପାଦପଡେ ନାହିଁ। କେବଳ ତଳ ସ୍ତରର କର୍ମଚାରୀମାନେ କେବେ କେବେ ଯାଇ ସରକାରୀ ଯୋଜନା କଥା କହି ଆସନ୍ତି।   ତିନି ମାସ ତଳେ ଏହି ସାହାଜଖୋଲ ଜଙ୍ଗଳରେ ମାଓବାଦୀ ପୋଲିସ ଏନ‌୍‍କାଉଣ୍ଟରରେ ୩ ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା। ସେହିଦିନଠାରୁ ଏହି ଅଞ୍ଚଳ ଅଭିଶପ୍ତ ହୋଇଯାଇଛି। ଯାଜପୁର ଜିଲ୍ଲା ନଗଡାରର ଅପପୁଷ୍ଟିର ଚିତ୍ର ସାରା ରାଜ୍ୟରେ ହଟ ଚମଟ ସୃଷ୍ଟି କରିଥିବା ବେଳେ ଏଠି ମଧ୍ୟ ଅପପୁଷ୍ଟିରେ ଶିଶୁମାନେ ଶିକାର ହୋଇଛନ୍ତି। ହେଲେ ଲୋକଲୋଚନକୁ ଆସୁ ନଥିବାରୁ ସେମାନେ ଅଲୋଡା ହୋଇରହିଛନ୍ତି। ଜିଲ୍ଲ‌୍‍ା ପ୍ରଶାସନର ନଜର ଆଢୁଆଳରେ ରହିଥିବା ଏହି ଆଦିବାସୀ ବହୁଳ ଗାଁଗୁଡିକରେ ବିକାଶର ଧାରା କେବେ ପହଞ୍ଚିବ ତାହା ଦେଖିବାକୁ ବାକି ରହିଲା।

Share :