କଂଗ୍ରେସମୁକ୍ତ ବଦଳରେ ଦୁର୍ନୀତିମୁକ୍ତ ଭାରତ ଲକ୍ଷ୍ୟ ହେଉ
 

କଂଗ୍ରେସମୁକ୍ତ ବଦଳରେ ଦୁର୍ନୀତିମୁକ୍ତ ଭାରତ ଲକ୍ଷ୍ୟ ହେଉ  

Share :

ପ୍ରଫୁଲ୍ଲ ସାମନ୍ତରା  ରାଜନୀତିର ସଜ୍ଞା ଏବେ ବଦଳିଯାଇଛି | ନୀତିହୀନ ରାଜନୀତି ଓ ସେଥିରେ ପୁଣି ଅନୈତିକତା ଏପରି ସ୍ତରକୁ ଯାଇଛି ଯାହାକି ରାଜନୀତିର ଅର୍ଥ ହୋଇଯାଇଛି | କ୍ଷମତା ପାଇଁ ଅର୍ଥ ଓ ଅର୍ଥ ପାଇଁ କ୍ଷମତା କ୍ଷମତା ପ୍ରତିଯୋଗିତା ବେଳେ ସରକାରୀ ଦଳର ଭ୍ରଷ୍ଟାଚାରକୁ ଆଧାର କରି ଭୋଟ ମାଗୁଥିବା ବିରୋଧୀ ଦଳମାନେ ନିଜର ସ୍ବଛତା ଓ ସାଧୁତାକୁ ଆଖିବୁଜି ଦିଅନ୍ତି ବିରାଡି ଦୁଧ ପିଇଲା ପରି | ସାଧାରଣ ଜନତା ମଧ୍ୟ ଭୋଟ ଦେବାବେଳେ ସରକାରୀ ଦଳର ଭ୍ରଷ୍ଟାଚାର କିମ୍ବା ଅତ୍ୟଚାରରେ ଅତିଷ୍ଠ ହୋଇଯାଇଥାନ୍ତି କିମ୍ବା ବିରୋଧୀ ଦଳର ପ୍ରଚାରରେ ସରକାର ପ୍ରତି ଖୁବ ପ୍ରତିକ୍ରିୟାଶୀଳ ହୋଇଯାଆନ୍ତି | ତାହା ହେଲେ ସରକାରୀ ଦଳକୁ ହଟାଇବା ପାଇଁ ସ୍ଥିରକରି ଭୋଟ ଦିଅନ୍ତି | ତାର ପରିଣାମରେ ବିରୋଧୀ ଦଳ ମଧ୍ୟରୁ କେହି କେଉଁଠାରେ ଲାଭାନ୍ବିତ ହୁଅନ୍ତି | କ୍ଷମତା ହାସଲ ମଧ୍ୟ କରନ୍ତି | ପୁଣି କ୍ଷମତାସୀନ ହେଲାପରେ ନିଜ ସ୍ବଛତା ଓ ସାଧୁତା ଆବରଣଟି ଉଡିଯାଏ, କାରଣ ଭ୍ରଷ୍ଟାଚାରକୁ ଛାଡି ରାଜନୀତି ହୋଇପାରିବ ନାହିଁ ବୋଲି କ୍ଷମତା ରାଜନୀତିର ସଜ୍ଞା ନିରୂପଣ ହୋଇଯାଇଛି | ଭାରତୀୟ ଶାସକ ଶ୍ରେଣୀ ଦ୍ବାରା କଂଗ୍ରେସର ଟୁଜି ସ୍ପେକ୍ଟ୍ରମ ଓ କୋଇଲା ଦୁର୍ନୀତି ଖୁଲାସା ହେବାପରେ ଓ ଆନ୍ନା ହଜାରେଙ୍କ ଭ୍ରଷ୍ଟାଚାର ବିରୋଧୀ ଜନ ଆନ୍ଦୋଳନର ବାର୍ତ୍ତା ସମଗ୍ର ଦେଶରେ ପହଂଚିବା ପରେ କଂଗ୍ରେସ ଯେ କ୍ଷମତାଚ୍ୟୁତ ହେବ ଏକଥା ସ୍ପଷ୍ଟ ହୋଇଯାଉଥିଲା | କଂଗ୍ରେସ ଶାସନର ଭ୍ରଷ୍ଟାଚାରୀ ରାଜନୈତିକ ହିତାଧିକାରୀମାନଙ୍କଠାରୁ ଅଧିକ ମାତ୍ରାରେ ମୁଖ୍ୟ ହିତାଧିକାରୀ ଥିଲେ କମ୍ପାନୀମାନେ | ଯାହାର ଅତ୍ୟଧିକ ମୁନାଫା ପାଇଁ ଏସବୁ ଘୋଟାଲା ହୋଇଥିଲା | କିନ୍ତୁ ଘୋଟାଲା ପାଇଁ କ୍ଷମତାସୀନ ଦଳ ହଟିବା ବେଳେ ଅନ୍ୟ ଯିଏ କ୍ଷମତାସୀନ ହେବ ସେହି କମ୍ପାନୀମାନଙ୍କ ସେବାରେ ରହିବ | ଏଥିପାଇଁ ଆମ ଦେଶର ରାଜନୀତି ନିୟନ୍ତ୍ରିତ ମେସିନ କାମ କରୁଛି ଓ ତାର ରିମୋଟ କଣ୍ଟ୍ରୋଲ ରହିଛି ସର୍ବୋଚ୍ଚରେ ଥିବା ହାତଗଣତି କମ୍ପାନୀର ମାଲିକମାନଙ୍କ ହାତରେ | ସେମାନେ ସେହି ଏକପ୍ରତିଶତ କୋଟିପତିଙ୍କ ପ୍ରତିନିଧିତ୍ବ କରନ୍ତି ଯାହାଙ୍କ ହାତରେ ଦେଶର 48 ପ୍ରତିଶତ ସମ୍ବଳ ଠୁଳ ହୋଇରହିଛି | ସେଇଥିପାଇଁ 2014 ସାଧାରଣ ନିର୍ବାଚନରେ କର୍ପୋରେଟ ଟଙ୍କା ଖର୍ଚ୍ଚ ହୋଇଛି ପ୍ରାୟ 30 ହଜାର କୋଟିରୁ ଅଧିକ | ଯହିଁରୁ 20 ହଜାର କୋଟି ଟଙ୍କା ବିନିଯୋଗ ହୋଇଛି ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ କରାଇବା ପାଇଁ | ନିର୍ବାଚନରେ ଲୋକଙ୍କୁ ପ୍ରଲୋଭିତ କରିବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା କଳାଟଙ୍କା ବିଦେଶରୁ ଫେରିଆସିବ ଏବଂ ପ୍ରତ୍ୟେକ ପରିବାରର ବ୍ୟାଙ୍କ ଖାତାରେ 15 ଲକ୍ଷ ଟଙ୍କା ଜମା ହୋଇଯିବ | ମାତ୍ର ଦେଢ ବର୍ଷ ପରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ କହିଲେ ଏପରି ପ୍ରତିଶ୍ରୁତି ବା ପ୍ରଲୋଭନ ନିର୍ବାଚନ ଇସ୍ତାହାରରେ ନଥିଲା ବରଂ ଥିଲା ନିର୍ବାଚନୀ ଜୁମୁଲା ବା ଚୁଗୁଲି | ଏହା ପ୍ରମାଣିତ କରୁଛି ଯେ ଭ୍ରଷ୍ଟାଚାର ବିରୋଧରେ କହିବା ଓ ଭ୍ରଷ୍ଟାଚାରର ପରିସମାପ୍ତି ଘଟାଇ ତାର ଜନ୍ମଦାତା ବ୍ୟବସ୍ଥାକୁ କବର ଦେବା ମଧ୍ୟରେ ଆକାଶ-ପାତାଳ ଫରକ ରହିଛି | ଯେଉଁ ଦଳ ବା ବ୍ୟକ୍ତି ନିର୍ବାଚନ ପ୍ରଚାରରେ ନିଜକୁ କଳାଧନରୁ ମୁକ୍ତ ରଖି ନପାରେ କିମ୍ବା ସ୍ବଛତାକୁ ଆଧାର କରିନପାରେ ସେହି ଦଳ ବା ବ୍ୟକ୍ତି କିପରି ଦୁର୍ନୀତିହୀନ ଶାସନ ଦେଇପାରିବ? ଏବେ କେହି କେହି କହିବା ଆରମ୍ଭ କରିଛନ୍ତି - ମୋଦୀ ସରକାର ଆସିଲା ପରଠାରୁ ସେପରି ବଡ ସ୍କାମ ବା ଦୁର୍ନୀତି ଅଭିଯୋଗ ଆସିନାହିଁ | ସବୁବେଳେ ଦୁର୍ନୀତି ଜନିତ ସରକାରୀ କାରନାମା ପଦାକୁ ଆସେନାହିଁ, କିନ୍ତୁ ସମୟାନୁକ୍ରମେ ତାହା ପ୍ରମାଣ ସହ ଲୋକଲୋଚନକୁ ଆସେ | ୟୁପିଏ ସରକାରରେ 2004-2009 ମଧ୍ୟରେ ସେପରି ଦୁର୍ନୀତି ଅଭିଯୋଗ ଆସିନଥିଲା | କିନ୍ତୁ ସିଏଜି ଦ୍ବାରା 2011 ବେଳକୁ ଯେତେବେଳେ ପଦାକୁ ଆସିଲା ତାହା 2009 ପୂର୍ବରୁ କେତେକ ନିଷ୍ପତ୍ତି ଯୋଗୁଁ ଥିଲା | ଏବେ କୋଇଲା ସମେତ ବିଭିନ୍ନ ଖଣି ଲିଜ ନିଲାମ ପ୍ରକ୍ରିୟାରେ ଦିଆଯିବା ପ୍ରକ୍ରିୟା ସ୍ବଛ ବୋଲି କୁହାଯାଉଛି | କିନ୍ତୁ ଏହି ନିଲାମ ନାମରେ ଲିଜ ଅବଧିକୁ 20ରୁ 30 ଏବଂ 50ବର୍ଷ ପର୍ଯ୍ୟନ୍ତ ବୃଦ୍ଧିକରିବା ନିଷ୍ପତ୍ତି ପଛରେ କମ୍ପାନୀମାନଙ୍କଠାରୁ ଦଳୀୟ ଓ ନିର୍ବାଚନ ପୁଂଜି ସଂଗ୍ରହ କରିବା ଅଭିପ୍ରାୟ ନାହିଁ କି? ପୁଣି ଯେଉଁ ଲୁହାପଥର ବଜାର ଦର ପ୍ରତିଟନ ଆଠ ହଜାର ଟଙ୍କା ତାକୁ ଲିଜରେ ନିଲାମ କରିବା ଅର୍ଥ 800 ଟଙ୍କାରୁ ଆରମ୍ଭ ହୋଇ ଏକହଜାର ଟଙ୍କା ପର୍ଯନ୍ତ ଯାଉଛି କି | ସରକାର କାହିଁକି ବଜାର ଦରରେ ବିକ୍ରି କରିବା ବ୍ଯବସ୍ଥା କରୁନାହାନ୍ତି | ସେହିପରି ଆମ ରାଜ୍ୟର କ୍ରୋମକୁ ଆଧାରକରି ନିଲାମ ବ୍ୟବସ୍ଥା ହେବ | ଏଥିରେ ହଜାର ହଜାର କୋଟି ଟଙ୍କାର ମୁନାଫା କମ୍ପାନୀମାନଙ୍କର | କଳାଧନକୁ ବିଦେଶରୁ ଫେରାଇ ଆଣିପାରିବା ସାମର୍ଥ୍ୟ ନଥାଇପାରେ, କିନ୍ତୁ କଳାଧନ ବିଦେଶକୁ ଯାଉଥିବା ବାଟ ତ ବନ୍ଦ କରାଯାଇ ପାରୁନାହିଁ | ଟିକସ ସ୍ବର୍ଗ ଚିହ୍ନଟ ସ୍ଥାନମାନଙ୍କ ଜରିଆରେ କଳାଧନ ସୃଷ୍ଟି ପାଇଁ ଯେଉଁ ସୁଯୋଗ ଅଛି ତାକୁ ବିଲୋପ କରିବାକୁ ଏପର୍ଯନ୍ତ କେନ୍ଦ୍ର ସରକାର ଉଚିତ ମନେକଲେ ନାହିଁ | ସମସ୍ତ କଳାଧନ ମଧ୍ୟରୁ ମାତ୍ର 10ରୁ 20 ପ୍ରତିଶତ କେବଳ ବିଦେଶକୁ ଯାଉଛି | ଆଉ ବାକି ଦେଶ ଭିତରେ ଆଦାୟ କରିବାକୁ କାହିଁକି କେନ୍ଦ୍ର ସରକାର ଉଦ୍ୟମ କରୁନାହିଁ? ଏହାର କାରଣ ଅଧିକାଂଶ କଳାଧନର ସ୍ରଷ୍ଟା ଓ ମାଲିକ ହେଉଛନ୍ତି କର୍ପୋରେଟ ମାଲିକମାନେ | ଏମାନଙ୍କ ସ୍ବାର୍ଥର ସୁରକ୍ଷା ପାଇଁ ସରକାର ବଦ୍ଧ ପରିକର | ତାହା ହେଲେ ଦୁର୍ନୀତି ହଟିବ କିପରି? ଆନ୍ନା ହଜାରେଙ୍କ ନେତୃତ୍ବରେ ଜନ ଲୋକପାଳ ଆଇନ ପାଇଁ ହୋଇଥିବା ଆନ୍ଦୋଳନ ଦ୍ବାରା କଂଗ୍ରେସ ଭୋଟ ହରାଇଲା ଓ ଭାରତୀୟ ଜନତା ପାର୍ଟି କ୍ଷମତାକୁ ଆସିଲା | କିନ୍ତୁ ଜନ ଲୋକପାଳ ଆଇନକୁ ଦୁର୍ବଳ କରିଦେବା ପାଇଁ ସେଥିରେ ପରିବର୍ତ୍ତନ ଆଣିବାକୁ ଉଦ୍ୟମ ଅତି ନିନ୍ଦନୀୟ ଓ ଏପର୍ଯ୍ୟନ୍ତ ଲୋକପାଳ ଗଠନ କରି  ନଥିବା କେନ୍ଦ୍ର ସରକାରର ଆଭିମୁଖ୍ୟ ଅତି ସ୍ପଷ୍ଟ | କଂଗ୍ରେସ ମୁକ୍ତ ଭାରତ ଚାହୁଁଥିବା ବିଜେପି ଦୁର୍ନୀତିମୁକ୍ତ ଭାରତ ଚାହୁଁ ନାହିଁ | ବିଦେଶରେ ଲୁଚିଥିବା ଲଳିତ ମୋଦୀଙ୍କ କଳାଟଙ୍କା କାରବାରକୁ ସୁରକ୍ଷା ଦେଉଥିବା ଅଭିଯୋଗ ଆସିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ନିଜ କ୍ୟାବିନେଟ ମନ୍ତ୍ରୀ ସୁଷମା ସ୍ବରାଜ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ଭୂମିକା ସଂକ୍ରାନ୍ତରେ ତଦନ୍ତ କରାଇଲେ ନାହିଁ | ଓଲଟା ବିଜେପି ଏମାନଙ୍କୁ ସୁରକ୍ଷା ଦେଲା | ଦଳୀୟ ସ୍ବର୍ଥ ପାଇଁ ଅର୍ଥମନ୍ତ୍ରୀ ଜେଟଲୀଙ୍କ ବିରୋଧରେ ଆର୍ଥିକ ଦୁର୍ନୀତି ଅଭିଯୋଗ ଆଣିଲେ ନିଜ ଦଳୀୟ ସାଂସଦ କିର୍ତ୍ତୀ ଆାଜାଦ | କିନ୍ତୁ ଅଭିଯୋଗର ନିରପେକ୍ଷ ତଦନ୍ତ ବଦଳରେ ଆଜାଦଙ୍କୁ ଦଳରୁ ନିଲମ୍ବିତ କରାଯାଇଛି | ବାରମ୍ବାର ପ୍ରଧାନମନ୍ତ୍ରୀ କହୁଛନ୍ତ ଦୁର୍ନୀତିକୁ ଆଦୌ ସହ୍ୟ କରାଯାଇପାରିବ ନାହିଁ | ’ଜିରୋ ଟଲରେନସ’ ଶବ୍ଦ ବ୍ୟବହାର କରାଯାଉଛି | ତାହାହେଲେ କାହାକୁ ସହ୍ୟ କରାଯାଇପାରୁନି, ଦୁର୍ନୀତିକୁ ନା ଅଭିଯୋଗକାରୀକୁ? ମଧ୍ୟ ପ୍ରଦେଶରେ ବିଜେପିର ଶାସନ ଚାଲିଛି 15 ବର୍ଷରୁ ଅଧିକ ସମୟ | ଏ ମଧ୍ୟରେ ବ୍ୟାପମ ଦୁର୍ନୀତିର ପରିସର ବ୍ୟାପକ ଏବଂ ତଳୁ ଉପର ପର୍ଯ୍ଯନ୍ତ ଶାସକ ଦଳ, ମନ୍ତ୍ରୀ, ଅଫିସର ସଂପୃକ୍ତ | ରାଜ୍ୟ ସରକାରଙ୍କ ଦ୍ବାରା ତଦନ୍ତ ପ୍ରକ୍ରିୟା ଚାଲୁଥିବା ବେଳେ ଅଭିଯୋଗର ସାକ୍ଷୀ, ଅଭିଯୁକ୍ତ ଓ ଦୁର୍ନୀତି ଦ୍ବାରା ଉପକୃତ ବ୍ୟକ୍ତିମାନଙ୍କ ମଧ୍ୟରୁ 50 ଜଣ ଆତ୍ମହତ୍ୟା କିମ୍ବା ହତ୍ୟାର ଶିକାର ହେବାପର୍ଯ୍ୟନ୍ତ କେନ୍ଦ୍ର ସରକାର ପ୍ରସ୍ତୁତ ନଥିବାବେଳେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ସିବିଆଇ ତଦନ୍ତ ହୋଇଥିଲା | ଆଗକୁ ଆଗକୁ ଅଧିକ ପରିମାଣ ଓ ସଂଖ୍ୟରେ ଭ୍ରଷ୍ଟାଚାରର ସତ୍ୟତା ପଦାକୁ ଆସିବ | ଓଡିଶାବାସୀ ବହୁବର୍ଷରୁ ଦୁର୍ନୀତିଗ୍ରସ୍ତ ରାଜନୀତିର ଶିକାର ହୋଇଆସିଛନ୍ତି | ବିଶେଷକରି ଗତ 15 ବର୍ଷର ଶାସନରେ ଭ୍ରଷ୍ଟାଚାର ଏକ ଅକ୍ଟୋପସ ହୋଇଯାଇଛି ଖଣି, ପାଣି, ଜମି, ଡାଲି ଦୁର୍ନୀତି ନିତିଦିନିଆ କରାବାର | ଏବେ ଗରୀବଙ୍କ 5 କେଜି ଚାଉଳକୁ ମଧ୍ୟ ହାତେଇଲେଣି | ସେହିପରି ଦିଲୀରେ ଏକ ନୂଆ ଇତିହାସ କରି ଆମ ଆଦମୀ ପାଟିର୍ର କ୍ଷମତା ହାସଲ ମୂଳରେ ଥିଲା ଦୁର୍ନୀତିମୁକ୍ତ ଶାସନ | କିନ୍ତୁ ନିର୍ବାଚନରେ ପ୍ରାର୍ଥୀ ହୋଇ ବିଧାନସଭାକୁ ନିର୍ବାଚିତ ହୋଇଥିବା ବିଧାୟକମାନଙ୍କ ମରୁ କେତେକ ଧରା ପଡିଛନ୍ତି | ଯେଉଁମାନେ ଏମାନଙ୍କୁ ଟିକେଟ ନଦେବା ପାଇଁ ଦଳରେ କହୁଥିଲେ ସେମାନଙ୍କୁ ଦଳରୁ ତଡି ଦିଆଯାଇଛି | ଏସବୁକୁ ଦେଖିଲେ ମନେହେଉଛି ଦୁର୍ନୀତିମୁକ୍ତ ଭାରତ ଗଠନ କରିବା ପାଇଁ ଏକ ସ୍ବାଭିମାନୀ ସ୍ବଛ ନେତୃତ୍ବର ଆବଶ୍ଯକତା ରହିଛି | ଯିଏକି ଭ୍ରଷ୍ଟ ପୁଂଜିବାଦ ବିରୋଧରେ ସଂଗ୍ରାମ ପାଇଁ ସଦା ପ୍ରସ୍ତୁତ ରହିପାରିବ | ସେଇଥିପାଇଁ ତାଠାରୁ ଅଧିକ ଆବଶ୍ୟକ ସଂଗଠିତ ଜନଆନ୍ଦୋଳନ ଯାହାର ଲକ୍ଷ୍ୟ ହେବ ଭ୍ରଷ୍ଟାଚାରମୁକ୍ତ ଦେଶ ନିର୍ମାଣ | ଲୋହିଆ ଏକାଡେମୀ, ଭୁବନେଶ୍ବର 22, ଫୋ-9437259005

Share :