ଜଗନ୍ନାଥଙ୍କୁ ଅଛୁଆଁ କଲା କିଏ?

ଜଗନ୍ନାଥଙ୍କୁ ଅଛୁଆଁ କଲା କିଏ?

Share :

ଡକ୍ଟର ହରିହର କାନୁନଗୋ   ପୁରୀ ମୁକ୍ତି ମଣ୍ଡପ ପଣ୍ଡିତ ସଭାର ସାଧାରଣ ସମ୍ପାଦକ ଭଗବାନ ମହାପାତ୍ରଙ୍କ ‘ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ଓ ସ୍ପର୍ଶ ସମ୍ପର୍କରେ’ ତା. ୯.୭.୨୦୧୬ ରିଖ ସମାଜର ପୃ. ୬ ରେ ପ୍ରକାଶିତ ତଥ୍ୟ ସମ୍ବଳିତ ଲେଖା ପାଠକରି ବିସ୍ମିତ ଏବଂ ମର୍ମାହତ ହେଲି। ବିଚାର ବିଶ୍ଳେଷଣ ପୂର୍ବକ ଜଗନ୍ନାଥପ୍ରେମୀ ବିଜ୍ଞ ପାଠକ ଓ ଶ୍ରଦ୍ଧାଳୁ ଭକ୍ତମାନଙ୍କ ଅବଗତି ନିମନ୍ତେ ନିମ୍ନରେ ଏ ପ୍ରସଙ୍ଗରେ କେତେକ ତଥ୍ୟ ଉପସ୍ଥାପନ କରୁଛି।   ଜଗତରନାଥ ଶ୍ରୀଜଗନ୍ନାଥ ମହାପ୍ରଭୁ ବର୍ଷରେ ଦୁଇଥର ରତ୍ନବେଦୀ ଛାଡ଼ି ସ୍ନାନପୂର୍ଣ୍ଣିମା ଓ ରଥଯାତ୍ରାରେ ପତିତମାନଙ୍କୁ ତାରିବା ପାଇଁ ଦେଉଳ ବାହାରକୁ ଅାସିଥା’ନ୍ତି। ଏପରିକି ଗର୍ଭଗୃହ ଭିତରେ ମଧ୍ୟ ତାଙ୍କର ସବୁ ଖୋଲାମେଲା ବା ସାହାଣମେଲା କେବଳ ସର୍ବସାଧାରଣ ଭକ୍ତମାନଙ୍କ ପାଇଁ। ତାଙ୍କ ପାଖରେ କୋଣସି କଥା ଗୁପ୍ତ ବା ଗୋପନୀୟ ନୁହେଁ। ସେଇଥିପାଇଁ ଅଷ୍ଟାଦଶ ଶତାବ୍ଦୀରେ କବିସମ୍ରାଟ ଉପେନ୍ଦ୍ରଭଞ୍ଜ ତାଙ୍କ ‘କୋଟିବ୍ରହ୍ମାଣ୍ଡ ସୁନ୍ଦରୀ’ କାବ୍ୟର ପ୍ରଥମ ଛାନ୍ଦରେ ଲେଖିଛନ୍ତି – ‘ସ୍ନାନ ଯେ ଗୁଣ୍ଡିଚା ବେନି ସ୍ବୟଂ ଲୀଳା ଯା’ର, ପତିତପାବନ ଅର୍ଥେ ପ୍ରାସାଦୁ ବାହାର।’   ଏଠାରେ ବ୍ୟବହୃତ ‘ପତିତ’ ଶବ୍ଦଟି ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ମୁକ୍ତିକାମୀ ପାପୀ ପତିତମାନଙ୍କୁ ଉଦ୍ଧାର କରିବା ପାଇଁ ମହାପ୍ରଭୁ ଦେଉଳ ବା ପ୍ରାସାଦ ବାହାରକୁ ଅାସି ଘୋଷଯାତ୍ରା କରିଥାଅାନ୍ତି ଅର୍ଥରେ ହିଁ ବ୍ୟବହୃତ। ପଣ୍ଡିତ ନୀଳକଣ୍ଠ ଦାସ ଠିକ ଏହି ଅର୍ଥରେ ହିଁ ପତିତପାବନ ଶବ୍ଦଟିକୁ ବୁଝିଛନ୍ତି। ତାଙ୍କ ମତରେ, ‘ଏ ନିରାଲମ୍ବ ମୈତ୍ରୀ ଧର୍ମର ପ୍ରତିଷ୍ଠା ନାନା କାରଣରୁ ଓ ନାନାଭାବରେ ପଡ଼ି ଭ୍ରଷ୍ଟ ହୋଇଥିଲା। ଏଇ ଭ୍ରଷ୍ଟତାର ବୀଜ ଅାମ ଇତିହାସରେ ପ୍ରଥମେ ଦେଖାଯାଏ ମହାଯାନର ସେବାଧର୍ମରେ। ମହାଯାନରେ ମୈତ୍ରୀର ସାଧନା ଯାଇ ସେଠାରେ ପଶିଲା କରୁଣା ଓ ସେଥିରେ ଅମୁକ୍ତର ବା ପତିତର ସେବା। ସ୍ବୟଂ ବୁଦ୍ଧ ମଧ୍ୟ ସେଇପରି ପତିତ ସେବାରେ ଲାଗିଥିଲେ ଓ ଜଗତର ପ୍ରତ୍ୟେକ ଜୀବ ନିର୍ବାଣ ପାଇବା ଯାଏ ସେ ଏଇ ସେବା ଧର୍ମରେ ଲାଗିଥିବେ। ଏଇଠାରେ ହିଁ ପତିତପାବନ ଧର୍ମର ଅଙ୍କୁରାରୋପଣ; ମାତ୍ର ଜଗନ୍ନାଥଙ୍କ ପାଖେ କେହି ପତିତ ନୁହେଁ - କେହି ଉନ୍ନତ ନୁହେଁ। ସେ କାହାକୁ ପତିତ କରନ୍ତି ନାହିଁ, ମଣନ୍ତି ନାହିଁ, ତାଙ୍କ ପାଖେ କାଙ୍ଗାଳ ଅପବିତ୍ର ନୁହେଁ କି ବ୍ରାହ୍ମଣ। ରାଜା, ଶିଳ୍ପୀ, ବଣିକ, ଜମିଦାର ବା ମଠାଧୀଶ ସମାଜରେ ଧନୀ ବା ପ୍ରଭାବଶାଳୀ ବୋଲି ବେଶୀ ପବିତ୍ର ନୁହଁନ୍ତି। ଯାହାଙ୍କ ଦୃଷ୍ଟିରେ ପତିତ ନାଇଁ ବା ପତିତ ବୋଲି କେହି ଅପବିତ୍ର ନୁହେଁ, ସେ ପୁଣି ପତିତପାବନ ହେବେ କିପରି? ଅତଏବ ଜଗନ୍ନାଥ ପତିତପାବନ ନୁହଁନ୍ତି। ସେ ହେଉଛନ୍ତି ଅନନ୍ତ ବିଶ୍ବ ପ୍ରକାଶର ବହୁରେ ଏକ, ପୁଣି ବିଶ୍ବତ୍ବର ଏକରେ ପ୍ରକାଶ ରୂପ ବହୁ। ସେ ହେଉଛନ୍ତି ଶୁଦ୍ଧ-ବୁଦ୍ଧ-ଜଗନ୍ନାଥ। ତେବେ ଏକା ଯଥାର୍ଥରେ ବ୍ରାହ୍ମଣ୍ୟର ଉପାସ୍ୟ ଶବରଦେବତା ଜଗନ୍ନାଥ ଯୁଗ ଯୁଗର ଅାରୋପ ଜନିତ ମଳିନତା ତୁଟାଇ ନିଷ୍କଳଙ୍କ ହେବେ।’ (ଦାସ, ନୀଳକଣ୍ଠ - ସଂସ୍କୃତ ଓ ସଂସ୍କୃତି, ୧୯୫୧, ପୃ.୧୩୩)।   ଏହି ବୌଦ୍ଧଧର୍ମରୁ କାଳକ୍ରମେ ନାନା ଶାଖା ପ୍ରଶାଖାରେ ଶାକ୍ତ, ବୈଷ୍ଣବ ଓ ସନ୍ଥ ଧର୍ମମାନଙ୍କର ପ୍ରକାଶ ଓ ପ୍ରତିଷ୍ଠା। (ସଂସ୍କୃତ ଓ ସଂସ୍କୃତି, ପୃ. ୧୨୭, ୧୨୮) ବୁଦ୍ଧ ସ୍ବୟଂ ପତିତପାବନ (ଜଗନ୍ନାଥ) ହୋଇଥିବାରୁ ପରବର୍ତ୍ତୀ କାଳରେ ବୁଦ୍ଧଙ୍କ ପତିତପାବନ ଯାତ୍ରାକୁ ଜଗନ୍ନାଥଙ୍କ ରଥଯାତ୍ରାରେ ପରିଣତ କରିଦିଅାଯାଇଛି। ଏହି ଯାତ୍ରାରେ ବୈଦିକ-ବ୍ରାହ୍ମଣ୍ୟ ଧର୍ମ ଉପାସନାର କୋଣସି ପ୍ରଭାବ ନାହିଁ; ମାତ୍ର ପରବର୍ତ୍ତୀ କାଳରେ ଏହି ବୈଦିକ ପ୍ରଥା ଜଗନ୍ନାଥ ସଂସ୍କୃତି ଓ ଉପାସନାରେ ଅନୁପ୍ରବେଶ କରିଛି।   ତେଣୁ ସ୍ନାନ ଓ ରଥଯାତ୍ରାରେ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ସ୍ପର୍ଶ, ଦର୍ଶନ ଓ ଅାଲିଙ୍ଗନ କରିବା ପାଇଁ ମହାପ୍ରଭୁ ସ୍ବୟଂ ଭାଇ ଭଉଣୀଙ୍କୁ ଧରି ବଡ଼ଦାଣ୍ଡରେ ଉଭା ତିନି ରଥରେ ଘୋଷଯାତ୍ରା କରିଥାଅାନ୍ତି। ଶ୍ରୀଜଗନ୍ନାଥଙ୍କ ଉତ୍ପତ୍ତି ମୂଳରେ ବୋଦ୍ଧଧର୍ମ-ଦର୍ଶନର ପ୍ରଭାବ ପ୍ରତିଫଳିତ। ଅଶୋକଙ୍କ ସମୟରେ ଓଡ଼ିଶାର ଶବରମାନେ ବୌଦ୍ଧଧର୍ମରେ ଦୀକ୍ଷିତ ହୋଇଥିଲେ। ଓଡ଼ିଶାର ବହୁ ସ୍ଥାନରେ ବୌଦ୍ଧସ୍ତୂପ ଓ ଚୈତ୍ୟ ନିର୍ମିତ ହୋଇଥିଲା ଓ ସେଥିରେ ବୌଦ୍ଧ ତ୍ରିରତ୍ନ ଚିହ୍ନ ସ୍ବାଭାବିକ କ୍ରମରେ ଅଙ୍କିତ ହୋଇଥିଲା। ଏହି ସ୍ତୂପ ଥିଲା ଶବରମାନଙ୍କ ଶ୍ରେଷ୍ଠ ପୂଜାପୀଠ। ଏମାନେ ସ୍ତୂପର ତ୍ରିରତ୍ନ ଚିହ୍ନଙ୍କୁ ହିଁ ପୂଜା କରୁଥିଲେ। ଏହି ଚିହ୍ନ ତ୍ରୟକୁ ସେତେବେଳେ ଜଗନ୍ନାଥ ବୋଲି କୁହାଯାଉଥିଲା। କାରଣ ବୁଦ୍ଧଙ୍କର ଅନ୍ୟ ନାମ ଜଗନ୍ନାଥ। ଏହା ପୁରାତନ ପାଲି ସାହିତ୍ୟ ଓ ନେପାଳରୁ ମିଳିଥିବା ତନ୍ତ୍ର ସାହିତ୍ୟରୁ ଜଣାଯାଏ। ଅତଏବ ଜଗନ୍ନାଥ ନାମର ମୂଳ ହେଉଛି ବୌଦ୍ଧ। ସେଇଥିପାଇଁ ପଣ୍ଡିତ ନୀଳକଣ୍ଠ କହିଛନ୍ତି, ‘ଜଗନ୍ନାଥ କଥାଟି ବୁଦ୍ଧଙ୍କ ନିଜ ଉକ୍ତି। ବୁଦ୍ଧ ହେଲାବେଳେ ଓ ଦେହତ୍ୟାଗ କଲାବେଳେ ସେ କହି ପକାଇଥିଲେ- ‘ମୁଁ ଜଗତର ନାଥ-ଜଗତର ଦୁଃଖ ନାଶର ଉପାୟ ମୁଁ ପାଇଛି। ସେଇଥିପାଇଁ ଜଗନ୍ନାଥଙ୍କ ନାମୋଲ୍ଲେଖ ପ୍ରଥମ କରି ବଜ୍ରଯାନର ପ୍ରବକ୍ତା ରାଜା ଇନ୍ଦ୍ରଭୂତି (ଖ୍ରୀ: 717)ଙ୍କ ‘ଜ୍ଞାନସିଦ୍ଧି’ ଗ୍ରନ୍ଥର ପ୍ରଥମ ସର୍ଗ, ପ୍ରଥମ ଶ୍ଳୋକରୁ ମିଳିଥାଏ। ଯେପରି - ‘ପ୍ରଣିପତ୍ୟେ ଜଗନ୍ନାଥଂ ସର୍ବଜିନ ବରାର୍ଚ୍ଚିତଂ, ସର୍ବବୁଦ୍ଧମୟଂ ସିଦ୍ଧି ବ୍ୟାପିନୋ ଗଗନୋପମଂ।’ ଏଠାରେ ଉଲ୍ଲେଖନୀୟ ଯେ, ଖ୍ରୀ: ୭୧୭ ପୂର୍ବରୁ କୌଣସି ଅଭିଲେଖ, ଗ୍ରନ୍ଥ, ସାହିତ ଓ ପୁରାଣରେ ଜଗନ୍ନାଥ ଶବ୍ଦର ନାମୋଲ୍ଲେଖ ଖୋଜିଲେ ବି ମିଳେ ନାହିଁ।   ଯେହେତୁ ବୁଦ୍ଧଙ୍କ ପାଖରେ ଜାତିଭେଦ ନାହିଁ, ସେହି ହେତୁ ତାଙ୍କ ପ୍ରସିଦ୍ଧ ଓ ପବିତ୍ର ପତିତପାବନ ଯାତ୍ରା ବା ରଥଯାତ୍ରାରେ ଜାତି-ବର୍ଣ୍ଣ-ଧର୍ମ ସମ୍ପ୍ରଦାୟ ମଧ୍ୟରେ କୌଣସି ଭେଦଭାବ ନାହିଁ କି ନ ଥିଲା। ତେଣୁ ଏଭଳି ମହାନ୍ ପରମ୍ପରାର ଅାଦର୍ଶ ଏ ଓଡ଼ିଆ ଜାତି ଗ୍ରହଣ କରି ନେଇ ସମଗ୍ର ବିଶ୍ବରେ ନିଜକୁ ପରିଚିତ ଓ ପ୍ରତିଷ୍ଠିତ କରିପାରିଥିଲା। ତେଣୁକରି ବିଶ୍ବର ବିଭିନ୍ନ ଦେଶରୁ ଜଗନ୍ନାଥ ମହାପ୍ରଭୁଙ୍କୁ ରଥରେ ବା ବଡ଼ଦାଣ୍ଡରେ ସ୍ପର୍ଶ, ଦର୍ଶନ ଓ ଅାଲିଙ୍ଗନ କରିବା ପାଇଁ ଭକ୍ତମାନେ ଧାଇଁଅାସୁଛନ୍ତି। ଏହା ହିଁ ଜଗନ୍ନାଥ ମହାପ୍ରଭୁଙ୍କର ମାହାତ୍ମ୍ୟ ଓ ଏ ପୀଠର ପରମ୍ପରା। ସେଇଥିପାଇଁ ଶ୍ରୀଜଗନ୍ନାଥ ମନ୍ଦିର ସ୍ବତ୍ବଲିପିର ପୃ. ୬୯ ରେ ଉଲ୍ଲେଖ ଅଛି ‘ଠାକୁର ପହଣ୍ଡି ହେବା ସମୟରେ ବାହାର ଲୋକମାନେ ତାଙ୍କୁ ଛୁଇଁଲେ ଛୁଆଁ ହୁଅନ୍ତି ନାହିଁ।’   ସ୍ବତ୍ବଲିପି ପୃ. 239-୨୪୧ ମଧ୍ୟରେ ଉଲ୍ଲିଖିତ ମୁକ୍ତିମଣ୍ଡପରେ ମୋଟ ଚବିଶଗୋଟି ଶାସନର ବ୍ରାହ୍ମଣମାନେ ବସିବା ବ୍ୟତୀତ ଦଣ୍ଡୀ ସନ୍ନ୍ୟାସୀ, ରାଜଗୁରୁ, ରାୟଗୁରୁମାନେ ବସନ୍ତି। ଏପଟେ ଗୋବର୍ଦ୍ଧନ ମଠର ଦଣ୍ଡୀ ସନ୍ନ୍ୟାସୀ ପ୍ରସଙ୍ଗରେ ସ୍ବତ୍ବଲିପିର ପୃ. 184 ରେ ଉଲ୍ଲେଖ ଅଛି- ‘ନୀତି ବିଷୟରେ ଦଣ୍ଡୀ ସନ୍ନ୍ୟାସୀଙ୍କର ମତ ଦେବାର ଅଧିକାର ଅଛି ଓ ମନ୍ଦିରର ଧର୍ମ ବ୍ୟବସ୍ଥା ଏହାଙ୍କୁ ପଚାରି କରିବା ନିୟମ। ମୁକ୍ତି ମଣ୍ଡପର ନାୟକ ଅଟନ୍ତି। ପୂଜାଜ୍ଞାନ ନିପୁଣତା ବିଷୟରେ ପୂର୍ବେ ଏ ପୂଜାପଣ୍ଡାମାନଙ୍କୁ ପରୀକ୍ଷା ସାଟିର୍ଫିକେଟ ଦେଲେ ସେମାନେ ପୂଜା କରିପାରୁଥିଲେ।’ ଏଥିରୁ ଜଣାଯାଏ ଯେ ଦେଉଳ ନୀତି ବିଷୟରେ କିଛି ସମସ୍ୟା ଉପୁଜିଲେ ଅନ୍ୟମାନଙ୍କ ଭଳି ମତ ଦେବାର ଅଧିକାର ଅଛି ଦଣ୍ଡୀ ସନ୍ନ୍ୟାସୀଙ୍କର; ମାତ୍ର ଶ୍ରୀମନ୍ଦିର ନୀତି ବିଷୟରେ ମତ ଦେବାରେ ସେ ‘ଏକମାତ୍ର’ ଅଧିକାରୀ ନୁହଁନ୍ତି। ଦ୍ବିତୀୟତଃ ମନ୍ଦିରର ଧର୍ମ ବ୍ୟବସ୍ଥା ଏହାଙ୍କୁ ପଚାରି କରିବା ନିୟମ ଅର୍ଥାତ ମନ୍ଦିରରେ ହିନ୍ଦୁଧର୍ମ ସଂକ୍ରାନ୍ତୀୟ ବ୍ୟବସ୍ଥାରେ କୌଣସି ବିଭେଦ ବା ସମସ୍ୟା ଉପୁଜିଲେ ଦଣ୍ଡୀ ସନ୍ନ୍ୟାସୀଙ୍କୁ ପଚାରିବାର ନିୟମ ରହିଛି; ମାତ୍ର ଅାଦିବାସୀ ଶବର ଓ ପରବର୍ତ୍ତୀ କାଳରେ ବୌଦ୍ଧ ସଂସ୍କୃତି ଉପରେ ପ୍ରତିଷ୍ଠିତ ଜଗନ୍ନାଥ ଉପାସନା ଭିନ୍ନ ଓ ସ୍ବତନ୍ତ୍ର ହୋଇଥିବାରୁ ଅଦ୍ବୈତ ବେଦାନ୍ତ ଗୁରୁ ଶଙ୍କରାଚାର୍ଯ୍ୟଙ୍କ କର୍ତ୍ତୃତ୍ବ ଭିତରେ ଶ୍ରୀମନ୍ଦିର ବିଧି ବ୍ୟବସ୍ଥା କେବେ ନ ଥିଲା ଓ ଏବେ ମଧ୍ୟ ନାହିଁ।   ମୁକ୍ତି ମଣ୍ଡପ ଉପରେ ବସି ଅନ୍ୟମାନଙ୍କ ସହିତ ଦଣ୍ଡୀ ସନ୍ନ୍ୟାସୀଙ୍କର ମତ ଦେବାର ଅଧିକାର ଅଛି। ଏମାନେ ବର୍ଣ୍ଣ ବୈଷମ୍ୟର କୁସଂସ୍କାରକୁ ସ୍ବୀକାର କରନ୍ତି ନାହିଁ। ଅଷ୍ଟାଦଶ ଶତାବ୍ଦୀ ପର୍ଯ୍ୟନ୍ତ ସେବାୟତ (ପୂଜାପଣ୍ଡା) ମାନଙ୍କୁ ତାଲିମ ଦେବାର ଦାୟିତ୍ବ ଗୋବର୍ଦ୍ଧନ ପୀଠର ଦଣ୍ଡୀ ସନ୍ନ୍ୟାସୀଙ୍କ ଉପରେ ନ୍ୟସ୍ତ ଥିଲା। ସେହି ଅଷ୍ଟାଦଶ ଶତାବ୍ଦୀରେ ଶାସନୀ ବ୍ରାହ୍ମଣମାନେ ମେଳି ହୋଇ ଗୋବର୍ଦ୍ଧନ ପୀଠର ଦଣ୍ଡୀ ସନ୍ନ୍ୟାସୀମାନଙ୍କର ଏହି କର୍ତ୍ତୃତ୍ବ ଓ ଅଧିକାରରୁ ସେମାନଙ୍କୁ ବଞ୍ଚିତ କରିଥିଲେ। ଏକଥା ୧୯୮୫ ମସିହା ଝଙ୍କାର, ବିଷୁବ ସଂଖ୍ଯା, ପୃ.୨୫ ରେ ସଚ୍ଚିଦାନନ୍ଦ ମିଶ୍ରଙ୍କ ‘ଅାଚାର୍ଯ୍ୟ ଶଙ୍କର ଓ ଶ୍ରୀଜଗନ୍ନାଥଙ୍କ ପ୍ରତିଷ୍ଠା’ ପ୍ରବନ୍ଧରେ ଉଲ୍ଲେଖ ଅଛି। ସମ୍ଭବତଃ ଏହା ସିଂହଦ୍ବାର ଗୁମୁଟର ଉତ୍ତରପଟ କାନ୍ଥରେ ପତିତପାବନ ସ୍ଥାପନର ସମସାମୟିକ ଘଟଣା ଓ ଏହି ସମୟରୁ ବର୍ଣ୍ଣ ବୈଷମ୍ୟ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରି କ୍ରମେ ସଂକ୍ରମିତ ହୋଇଥିଲା।   ଅତୀତରେ ରଥ ଉପରେ ଚଢ଼ିବା ଓ ବିଗ୍ରହଙ୍କୁ ସ୍ପର୍ଶ କରିବା ନ ଥିଲା ବୋଲି କହିବା ଏକ ହାସ୍ୟାସ୍ପଦ ଓ ଅଜ୍ଞତାର ପରିଚାୟକ। ଜଗନ୍ନାଥ ମନ୍ଦିର ଓ ରଥଯାତ୍ରା ଅାରମ୍ଭ ହେବା ଦିନଠାରୁ ଶ୍ରୀମନ୍ଦିର ଭିତରେ ଓ ବାହାରେ ବିଶେଷ କରି ରଥ ଉପରେ ଚଢ଼ି ବିଗ୍ରହମାନଙ୍କୁ ଛୁଇଁବାର ପରମ୍ପରା ବହୁକାଳରୁ ଅର୍ଥାତ ରଥଯାତ୍ରା ଅାରମ୍ଭରୁ ପ୍ରଚଳିତ ହୋଇଅାସୁଅଛି। ସେଇଥିପାଇଁ ମହାପ୍ରଭୁଙ୍କ ଏ ଯାତ୍ରାକୁ ପତିତପାବନ ଯାତ୍ରା ବୋଲି କୁହାଯାଇଅାସୁଛି। ସାଧାରଣ ଜନତାଙ୍କ ଜୀବନ୍ତ ଠାକୁର ବା ଦାରୁଦେବତା, ଯାହାଙ୍କ ପାଖରେ ଛୁଆଁ-ଅଛୁଆଁ, ଜାତି-ଅଜାତିର ଭେଦଭାବ ନାହିଁ, ସେହି ଶବର-ବୌଦ୍ଧ ଦେବତା ଶ୍ରୀଜଗନ୍ନାଥଙ୍କୁ ଛୁଇଁ ତାଙ୍କ ପାଦପଦ୍ମରେ ନିଜର ଭାବଭକ୍ତିପୂର୍ଣ୍ଣ ନୈବେଦ୍ୟ ଅର୍ପଣ କରିବାପାଇଁ ଶହଶହ ବର୍ଷଧରି ଶ୍ରଦ୍ଧାଳୁ ଭକ୍ତମାନେ ଯାଇଅାସୁଥିଲେ ଓ ଏବେ ମଧ୍ୟ ଯାଇଅାସୁଛନ୍ତି।   ଶ୍ରୀ ମହାପାତ୍ର ଏ ପ୍ରସଙ୍ଗରେ ପୁଣି କହିଛନ୍ତି, ‘ଏପରି ପରିସ୍ଥିତି ହେଲା ଯେ ରଥ ଉପରେ ରକ୍ତପାତଠାରୁ ଅାରମ୍ଭ କରି ଅନେକ ଅପ୍ରୀତିକର ପରିସ୍ଥିତି ଉପୁଜିଲା।’ ଏ ପ୍ରସଙ୍ଗରେ ଏତିକି କୁହାଯାଇପାରେ ଯେ ଯେବେଠାରୁ ଶ୍ରଦ୍ଧାଳୁ ଭକ୍ତମାନଙ୍କ ମେଳରୁ ଜଗନ୍ନାଥ ମହାପ୍ରଭୁଙ୍କୁ ଅଛୁଅଁା ଦେବତା କରିବା ପାଇଁ ହୀନ ଉଦ୍ୟମ କରାଗଲା, ସେହିଦିନଠାରୁ ଏ ରଥ ଉପରେ ଅପ୍ରୀତିକର ପରିସ୍ଥିତି ଓ ବିବାଦ ଦେଖାଦେଲା। ଏହା ଏକ ପରମ୍ପରା ବିରୋଧୀ କାର୍ଯ୍ୟ। ତେଣୁ ମାନ୍ୟବର ହାଇକୋର୍ଟ ଏ କ୍ଷେତ୍ରରେ ନିଜ ନିଷ୍ପତ୍ତିର ପୁନଃ ବିଚାର କରିବାର ବେଳ ଅାସିଛି ଓ ଜନସାଧାରଣଙ୍କଠାରୁ ତାଙ୍କ ଅାରାଧ୍ୟ ଦେବତା-ରାଷ୍ଟ୍ରଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦୂରେଇ ଦିଅା ନ ଯାଉ।   ୧୯୬୦ରେ ଓଡ଼ିଶା ସରକାର ଶ୍ରୀମନ୍ଦିରର ପରିଚାଳନା ଦାୟିତ୍ବ ହାତକୁ ନେବାପରେ ଶହଶହ ବର୍ଷଧରି ଜନସାଧାରଣଙ୍କ ଅାସ୍ଥା ବିଶ୍ବାସଭାଜନ ହୋଇଥିବା ଶ୍ରୀମନ୍ଦିରର ବିଧିବିଧାନ ଓ ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖି କାହାରିକୁ ହସ୍ତକ୍ଷେପ କରିବା ପାଇଁ ସୁଯୋଗ ଦେଇନାହଁାନ୍ତି, ସେ ଗଜପତି ହୁଅନ୍ତୁ ବା ଦଣ୍ଡୀ ସନ୍ନ୍ୟାସୀ ହୁଅନ୍ତୁ ବା ମୁକ୍ତିମଣ୍ଡପ ପଣ୍ଡିତସଭା। କାରଣ ମୁକ୍ତି ମଣ୍ଡପ ଅତୀତରେ ମୁକ୍ତ ମଣ୍ଡପ ଥିଲା। ମାଦଳାପାଞ୍ଜିରେ ଉଲ୍ଲେଖ ଅଛି, ମାନସିଂହଙ୍କ ଭାରିଜା ଗୌରା ରାଣୀ ମୁକୁତ ମଣ୍ଡପ ଗଢ଼ାଇଥିଲେ। ‘ବେଦାନ୍ତସାର ଗୁପ୍ତଗୀତା’ରେ ବଳରାମ ଦାସ ଏହାକୁ ମୁକୁତ ମଣ୍ଡପ ବୋଲି ବର୍ଣ୍ଣନା କରିଛନ୍ତି। ଅତଏବ ଏ ମଣ୍ଡପଟିର ମୌଳିକ ଓ ପ୍ରକୃତ ନାମ ମୁକ୍ତ ମଣ୍ଡପ ଥିଲା, ପରେ ଖ୍ରୀଷ୍ଟୀୟ ଷୋଡ଼ଶ ଶତାବ୍ଦୀରେ ଭୋଇବଂଶୀୟ ରାଜା ଦ୍ବିତୀୟ ରାମଚନ୍ଦ୍ର ଦେବଙ୍କ ରାଜତ୍ବ କାଳରେ ମୁସଲମାନ ସୁବେଦାର ତକି ଖଁାର ଭଉଣୀକୁ ବିବାହ କରି ସେ ମହମ୍ମଦ ହାଫିଜ୍ କାଦରବେଗ୍ ହୋଇଥିଲେ; ମାତ୍ର ସେ ମହାପ୍ରଭୁ ଜଗନ୍ନାଥଙ୍କର ପରମଭକ୍ତ ତଥା ଗଜପତି ରାଜପଦବୀରୁ ବିଚ୍ୟୁତ ହୋଇ ନ ଥିବାରୁ ବ୍ରାହ୍ମଣ ଓ ଅବ୍ରାହ୍ମଣ ମଧ୍ୟରେ ଅଯଥା ବିବାଦ ରକ୍ତପାତକୁ ଏଡ଼େଇବା ପାଇଁ ସେ ଅାଉ ମନ୍ଦିର ଭିତରକୁ ଯିବା ଉଚିତ ମନେକଲେ ନାହିଁ। ତାଙ୍କରି ଅାଦେଶରେ ଓ ତାଙ୍କରି ପାଇଁ କେବଳ ସିଂହଦ୍ବାର ଗୁମୁଟର ଉତ୍ତର ପାର୍ଶ୍ବରେ ପତିତପାବନ ଚିତ୍ର ଅସ୍ଥାୟୀ ଭାବରେ ଅଙ୍କିତ କରାଗଲା ଓ ତାହା ଏବେ ମଧ୍ୟ ବଳବତ୍ତର ରହିଛି।   ବିବେକୀ ରାଜା ଦ୍ବିତୀୟ ରାମଚନ୍ଦ୍ରଦେବଙ୍କୁ ବିଧର୍ମୀ ଓ ପତିତ ଅାଖ୍ୟା ଦେଇ ସିଂହଦ୍ବାର ଗୁମୁଟରେ ପତିତପାବନଙ୍କୁ ଦର୍ଶନ ପୂର୍ବକ ତାଙ୍କ ସେବାପୂଜାକୁ ସୀମିତ କରିଦେଲେ। ଏହି ଅାଳରେ ଶ୍ରୀମନ୍ଦିରକୁ ପୂର୍ବରୁ ଅବାଧରେ ପ୍ରବେଶ କରୁଥିବା ସମସ୍ତ ଜାତି-ବର୍ଣ୍ଣ-ଧର୍ମର ଭକ୍ତମାନଙ୍କ ପ୍ରତି ପ୍ରବେଶ ନିଷେଧ ନିୟମ ଲାଗୁ ହେଲା ଓ ଏହି ସମୟରୁ ଜାତିଭେଦର ଗରଳ ପ୍ରଥମ କରି ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କଲା। ତା’ ପୂର୍ବରୁ ଶ୍ରୀମନ୍ଦିରର ପରିସର ଥିଲା ମୁକ୍ତ ପରମ୍ପରାର ମନ୍ଦିର। ଜାତି ବର୍ଣ୍ଣ ଧର୍ମ ସମ୍ପ୍ରଦାୟ ନିର୍ବିଶେଷରେ ମୁକ୍ତ ନୃସିଂହ ସମ୍ମୁଖସ୍ଥ ମୁକ୍ତମଣ୍ଡପ ଉପରେ ସମସ୍ତେ ବସି ଶାସ୍ତ୍ରାଲୋଚନାରେ ଭାଗ ନେବା ସଙ୍ଗେସଙ୍ଗେ ସ୍ବାଧୀନ ଭାବରେ ସମସ୍ତଙ୍କର ମତବ୍ୟକ୍ତ କରିବାର ଅଧିକାର ରହିଥିଲା। ଜାତି-ଅଜାତି, ଛୁଆଁ-ଅଛୁଆଁ ଭେଦଭାବର ଲେଶମାତ୍ର ସୂଚନା ଶ୍ରୀମନ୍ଦିର ଭିତରେ ପ୍ରବେଶ କରି ନ ଥିଲା। 1638 ଖ୍ରୀଷ୍ଟାବ୍ଦରେ ଜାତିଭେଦର ଗରଳ ପ୍ରଥମକରି ଅନୁପ୍ରବେଶ କରିବା ଫଳରେ ମୁକ୍ତମଣ୍ଡପ ଭଳି ଏକ ଗୌରବୋଜ୍ବଳ ଧାର୍ମିକ ଖୋଲାମଞ୍ଚଟି ସଙ୍କୁଚିତ ହୋଇଗଲା। ପରବର୍ତ୍ତୀ କାଳରେ ସୁଯୋଗ ଅପେକ୍ଷାରେ ଗଜପତି ରାଜଦରବାରରେ ଥିବା ପଣ୍ଡିତ ସଭାର ଶାସନୀ ବ୍ରାହ୍ମଣମାନେ (ପ୍ରଥମେ ଷୋଳ ଶାସନ ଓ ପରେ ଅାଉ ଅାଠ ମିଶି ଚବିଶ ଶାସନ) ଏହି ମୁକ୍ତ ମଣ୍ଡପକୁ ମାଡ଼ିବସି ନିଜର ଏକଚାଟିଅା ଅଧିକାର ସାବ୍ୟସ୍ତ କରିବା ସଙ୍ଗେସଙ୍ଗେ ଏହାକୁ ମୁକ୍ତି ମଣ୍ଡପରେ ପରିଣତ କରିଦେଲେ। ଫଳରେ ପୂର୍ବରୁ ମୁକ୍ତ ମଣ୍ଡପର ପ୍ରେରଣା ଓ ପ୍ରଭାବରେ ଓଡ଼ିଶାର ପୁରପଲ୍ଲୀରେ ଗଢ଼ି ଉଠିଥିବା ଭାଗବତ ଟୁଙ୍ଗୀ ସଂସ୍କୃତିର ଅବକ୍ଷୟ ହେଲା ଓ କାଳକ୍ରମେ ତା’ର ପୂର୍ବ ଐତିହ୍ୟ ଓ ପରମ୍ପରା ହରାଇ ବସିଲା। (କାନୁନଗୋ, ହରିହର-ମୁକ୍ତିମଣ୍ଡପ ଓ ଜଗନ୍ନାଥ ମନ୍ଦିର : ଐତିହାସିକ ସମୀକ୍ଷା, ଇତିହାସ ପରମ୍ପରା ଓ ଶ୍ରୀଜଗନ୍ନାଥ, ସତ୍ୟ†ନାରାୟଣ ବୁକ ଷ୍ଟୋର, କଟକ-୨, ତୃତୀୟ ସଂସ୍କରଣ, ୨୦୧୨, ପୃ. ୧୮୬-୧୯୧)।   ଶ୍ରୀମନ୍ଦିରର ବିଧିବିଧାନ ଓ ଅନ୍ୟାନ୍ୟ ଅାନୁସଙ୍ଗିକ ସେବାପୂଜା, ନୀତିକାନ୍ତି ୧୯୫୪ ମସିହାରୁ ଶ୍ରୀମନ୍ଦିରର ସ୍ବତ୍ବଲିପି ଅାଧାରରେ ପରିଚାଳିତ ହୋଇଅାସୁଛି। ଶ୍ରୀମନ୍ଦିର ପ୍ରଶାସନ ଗୋବର୍ଦ୍ଧନ ପୀଠାଧୀଶଙ୍କୁ କାହିଁକି ଅନୁରୋଧ କଲେ ଏବଂ ଏଭଳି କି ଅଘଟଣ ଘଟିଲା ଯେ ଗଜପତିଙ୍କ ମାଧ୍ୟମରେ ଶଙ୍କରାଚାର୍ଯ୍ୟଙ୍କ ମତ ଓ ମନ୍ତବ୍ୟକୁ ପ୍ରାଧାନ୍ୟ ଦେଇ ୦୫.୧୧.୨୦୧୩ରେ ନିଜ ସିଦ୍ଧାନ୍ତ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରି ପରବର୍ତ୍ତୀ କାଳରେ ଉଚ୍ଚ ନ୍ୟାୟାଳୟ ଦ୍ବାରା ଅନୁମୋଦନ କରାଇବାର ଅାବଶ୍ୟକତା କ’ଣ ଥିଲା? ଶହଶହ ବର୍ଷ ଧରି ଶ୍ରୀମନ୍ଦିର ଓ ରଥଯାତ୍ରା ଭଳି ଏକ ମୁକ୍ତ ପରମ୍ପରାର ଠାକୁରଙ୍କୁ ଜାତିଭେଦ ଓ ବର୍ଣ୍ଣ ବୈଷମ୍ଯର ଗଣ୍ଡି ଭିତରେ ଅାବଦ୍ଧ କରି ରଖିବା ପାଇଁ ପୁରୀ ଗଜପତି ଓ ଶଙ୍କରାଚାର୍ଯ୍ୟଙ୍କୁ ଅବସ୍ଥାପିତ କରାଯାଇଛି କି? ନଚେତ ରଥରେ ଶ୍ରଦ୍ଧାଳୁ ଭକ୍ତମାନେ ଦିଅଁମାନଙ୍କୁ ଛୁଇଁବା ମହାପାପ ବୋଲି କହି ନଥାନ୍ତେ।   ଗତ ସ୍ନାନ ପୂର୍ଣ୍ଣମୀରେ ଅବରୋଧ ଶୂନ୍ୟତାର ସୁଯୋଗ ନେଇ ମହାପ୍ରଭୁଙ୍କୁ ସ୍ପର୍ଶ କରିବାଠାରୁ ଅାରମ୍ଭ କରି ଅାଖି ଓ ମୁହଁକୁ ବିବର୍ଣ୍ଣ କରିଦେଲେ ବୋଲି ଶ୍ରୀମହାପାତ୍ର ଦୁଃଖ ପ୍ରକାଶ କରିଛନ୍ତି। ଏଠାରେ ଉଲ୍ଲେଖନୀୟ ଯେ ଭକ୍ତର ଭଗବାନ ଜଗନ୍ନାଥ। ଭକ୍ତଟିଏ ତାଙ୍କ ଅାଖି ଓ ମୁହଁକୁ ବିବର୍ଣ୍ଣ କରିଦେଲା ବୋଲି ତାକୁ ସେ କାର୍ଯ୍ୟରୁ ବାରଣ ବା ନିବୃତ୍ତ କରିବା ଉଚିତ। କିନ୍ତୁ ଶ୍ରୀମୁଖକୁ ବିବର୍ଣ୍ଣ କରିଦେବା ଅାଳରେ ସମସ୍ତଙ୍କୁ ରଥ ଉପରକୁ ଚଢ଼ି ଛୁଇଁବାକୁ ମନା କରିବା କ’ଣ ଉଚିତ? ବରଂ ମହାପ୍ରଭୁଙ୍କୁ ଏ ପୁଣ୍ୟ ପୀଠରେ ଛୁଇଁବା ଏକ ମହାନ ଓ ଅନନ୍ୟ ପରମ୍ପରା।   ଅର୍ବାଚୀନ ସ୍କନ୍ଦପୁରାଣ (ଉତ୍କଳଖଣ୍ଡ, ପୁରୁଷୋମ ମାହାĝ

Share :