ଅସୁରକ୍ଷିତ ହେଉଛି ପାରାଦୀପ

ଅସୁରକ୍ଷିତ ହେଉଛି ପାରାଦୀପ

Share :

  ପାରାଦୀପରେ ବଢ଼ି ଚାଲିଛି ଅପରାଧ ଓ ଅରାଜକତା। ବ୍ୟାବସାୟିକ ଶତ୍ରୁତା, ଚାନ୍ଦା ଆଦାୟ ପ୍ରତିଯୋଗିତା ଓ ଅପରାଧ ସାମ୍ରାଜ୍ୟ ବିସ୍ତାର ନେଇ ଚାଲିଥିବା ବଳ କଷାକଷିରୁ ପୁଣି ଘଟିଛି ଗୁଳିକାଣ୍ଡ ଓ ଗୁରୁତର ଆହତ ହୋଇଛନ୍ତି ଜଣେ ବ୍ୟକ୍ତି।   ଅଗଷ୍ଟ ୧୩ ତାରିଖ ଅପରାହ୍ନ ୧୨.୩୦ ମିନିଟ‌୍‍ ସମୟରେ ନିର୍ମାଣାଧୀନ ଆଇଓସିଏଲ ପ୍ଳାଷ୍ଟିକ‌୍‍ ପାର୍କରେ ଜିଡିସିଏଲ କମ୍ପାନୀକୁ ୩ ଜଣ ଦୁର୍ବୁତ୍ତ ଆସି ଗୋଟିଏ ହାତ ବୋମା ଏକ ମେସିନ ଉପରକୁ ଫୋପାଡିଥିଲେ। ବୋମା ପକାଇବା ଦେଖି ସେହି କମ୍ପାନୀର କାର୍ଯ୍ୟରତ ସୁପରଭାଇଜର ଭାବେ କାର୍ଯ୍ୟକରୁଥିବା ଜିତେନ୍ଦ୍ର ପ୍ରଧାନ ସେମାନଙ୍କୁ ଆସି ପଚାରିବାରୁ ଦୁବୁର୍ତ୍ତମାନଙ୍କ ସହିତ ପ୍ରଥମେ ବଚସା ହୋଇଥିଲା। ଏହି ବଚସା ଭିତରେ ୩ ଦୁର୍ବୁତ୍ତଙ୍କ ମଧ୍ୟରୁ ଜଣେ ଦୁବୁର୍ତ୍ତ ଜିତେନ୍ଦ୍ରଙ୍କୁ ମାଡ ମାରିଥିଲେ। ତା’ପରେ ଫାଙ୍କା ଗୁଳି ଦୁଇ ରାଉଣ୍ଡ ମାରିଥିଲେ। ଘଟଣା ସ୍ଥଳରେ ଶ୍ରୀ ପ୍ରଧାନ ତଳେ ପଡିଯିବାର ଦେଖି ଦୁବୁର୍ତ୍ତମାନେ ଫେରାର ହୋଇଯାଇଥିଲେ। ସଙ୍ଗେ ସଙ୍ଗେ ଶ୍ରୀ ପ୍ରଧାନଙ୍କୁ ଅଠରବାଙ୍କୀସ୍ଥିତ ବିଜୁମେମୋରିଆଲ ଡାକ୍ତରଖାନାକୁ ନିଆଯାଇଥିଲଶ। କିନ୍ତୁ ତାଙ୍କର ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ପଠାଇ ଦିଆଯାଇଅଛି।   ଯାହା ସନ୍ଦେହ କରାଯାଏ, ଦାଦାବଟି କିମ୍ୱା ଠିକାକାମକୁ ନେଇ ଏହି ଗୁଳିକାଣ୍ଡ ଘଟି ଥାଇପାରେ।   ଏଠାରେ ସୂଚନା ଯୋଗ୍ୟ ଯେ, ପୂର୍ବରୁ ଏଭଳି ଘଟଣା ବାରମ୍ୱାର ଘଟୁଅଛି। ପାରାଦୀପ ପରି ଏକ ଶିଳ୍ପ ସହରରେ ଶିଳ୍ପର ଅଗ୍ରଗତି ଘଟୁଥିବାବେଳେ ରାଜ୍ୟ ସରକାର ଓ ପୋଲିସ କର୍ତ୍ତୃପକ୍ଷ ଏହାର ଗୁରୁତ୍ୱକୁ ଉପଲବ୍ଧି ନକରି ଏଠାରେ ଦକ୍ଷ ପୋଲିସ ଅଫିସରମାନଙ୍କୁ ଅବସ୍ଥାପିତ ନ କରିବା ଦ୍ୱାରା ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ଅନ୍ୟ ପକ୍ଷରେ ପ୍ରକୃତ ଆସାମୀ ଓ ଷଡଯନ୍ତ୍ରକାରୀଙ୍କୁ ନ ଧରିପାରି ଜନସାଧାରଣ ଏବଂ ଗଣମାଧ୍ୟମର ନଜରକୁ ହଟାଇବା ପାଇଁ ନିରୀହ ବେକାର ଯୁବକଙ୍କୁ ମିଛ କେସରେ ଫସାଇ ଜେଲ ପଠାଇ ଦିଅନ୍ତି। ଏହା ମଧ୍ୟ ଅପରାଧ ବୃଦ୍ଧିର ଅନ୍ୟ ଏକ କାରଣ। ସେହିଭଳି ଅପରାଧ ନିୟନ୍ତ୍ରଣରେ ସ୍ଥାନୀୟ ନେତୃତ୍ବ ମଧ୍ୟ ବିଫଳ ହୋଇଥିବା ଏଥିରୁ ସ୍ପଷ୍ଟ ହୋଇଯାଇଛି।   ବର୍ତ୍ତମାନ ସ୍ଥାନୀୟ ଠିକାଦାର, ଶ୍ରମିକ ଓ ଜନସାଧାରଣ ଏଭଳି ବଢୁଥିବା ଅପରାଧିକ ଘଟଣା ଯୋଗୁଁ ନିଜକୁ ସୁରକ୍ଷିତ ମଣୁ ନାହାଁନ୍ତି। ଯାହା ଶୁଣାଯାଏ ଏଠାରେ କାମ କରୁଥିବା କିଛି ବାହାର କମ୍ପାନୀ ନିଜର କାମର ସୁରକ୍ଷା ପାଇଁ ସ୍ଥାନୀୟ ଠିକାଦାରଙ୍କ ବାହାର ଗୁଣ୍ଡାମାନଙ୍କ ଦ୍ୱାରା ବିଭିନ୍ନ କାରଣ ବାହାନାରେ ଧମକାଉଛନ୍ତି। ଏହି ଘଟଣା ସେପରି ହୋଇଥିବାର ସନ୍ଦେହ ମଧ୍ୟ କରାଯାଉଛି।

Share :