ନେତା କିଣୁଛନ୍ତି ଚିଟ୍ ଫଣ୍ଡ ଜମି!

ନେତା କିଣୁଛନ୍ତି ଚିଟ୍ ଫଣ୍ଡ ଜମି!

Share :

ସ୍ନେହଲତା ମିଶ୍ର   ସାରା ରାଜ୍ୟରେ ଚିଟ ଫଣ୍ଡ ସଂସ୍ଥାଗୁଡ଼ିକ ସାଧାରଣ ଜମାକାରୀଙ୍କ ଅର୍ଥ ହଡପ କରି ସଂସ୍ଥାମାନେ ନିଜ ନିଜ ସମ୍ପତି ବୃଦ୍ଧି କରିଥିବା ବେଳେ ବହୁ ସ୍ଥାନରେ ଜମାକାରୀଙ୍କ ଟଙ୍କାରେ ଜମି କ୍ରୟ କରିଥିଲେ। ଜଷ୍ଟିସ ଆର.କେ ପାତ୍ର କମିଶନ ଚିଟ ଫଣ୍ଡ ସଂସ୍ଥାମାନଙ୍କର ମହାଦୁର୍ନୀତିର ତଦନ୍ତ ପ୍ରକ୍ରିୟା ଆରମ୍ଭ ହେବା ପରେ ବହୁଚିଟ୍ ଫଣ୍ଡ ସଂସ୍ଥା ଅନେକ ସ୍ଥାନରେ କିଣିଥିବା ଜମି ବିକ୍ରି କରିଦେଇଥିଲେ। ଚିଟ ଫଣ୍ଡ ସଂସ୍ଥାର ଜମି ଓ ସମ୍ପିତି ବାଜ୍ୟାପ୍ତ କରି ଜମାକାରୀଙ୍କ ଅର୍ଥ ଫେରସ୍ତ ପାଇଁ ଉଦ୍ୟମ ଆରମ୍ଭ ହେବା ପରେ ସଂସ୍ଥାମାନଙ୍କ ମୁଖ୍ୟ ଓ ଅଂଶୀଦାରମାନେ ଗିରଫ ହେବା ପରେ ଏହାର ସୁଯୋଗ ନେଇ କଳାହାଣ୍ଡିରେ ଥିବା କେତେକ ଚିଟ ଫଣ୍ଡ ସଂସ୍ଥାର ତଳିଆ ଅଧିକାରୀମାନେ ଜମିଗୁଡିକୁ ଘରୋଇ ଲୋକଙ୍କୁ ବିକ୍ରି କରିଥିବା ଅଭିଯୋଗ ହୋଇଛି।   କଳାହାଣ୍ଡି ଜିଲ୍ଲାରେ ଫ୍ଲୋରିସ ଇଣ୍ଡିଆ ତରଫରୁ ଜିଲ୍ଲାର ବହୁ ଜମାକାରୀଙ୍କ କୋଟି କୋଟି ଟଙ୍କା ଚଳୁ କରିଦେଇଥିଲା। ଜମି ବାଜ୍ୟାପ୍ତ ଭୟରେ ଭବାନୀପାଟଣା ସହର ନିକଟରେ ଥିବା ରିଷ ଗାଁର ଜମିକୁ ଜଣେ ଠିକାଦାରକୁ ଏହି ସଂସ୍ଥା ବିକ୍ରି କରି ଦେଇଥିଲା। ପରେ ଏହି ଜମିକୁ ସେ ଅନ୍ୟମାନଙ୍କୁଙ୍କ ବିକ୍ରି କରିଥିଲେ। ଏବେ ସେହି ଜମିକୁ ରିୟଲ ଇଷ୍ଟେଟ କାରବାରରେ ବିକ୍ରି କରିବା ପାଇଁ ପ୍ଲଟିଂ କରାଯାଉଛି।   ଏହି ଜମି କ୍ରାଇମ ବ୍ରାଂଚର ଅର୍ଥନୈତିକ ଅପରାଧ ଶାଖାର ନଜର ବାହାରେ କିଭଳି ରହିଲା ଓ ଚିଟଫଣ୍ଡ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ କିପରି ଏହି ଜମିକୁ ବିକ୍ରି କଲେ ତାହା ଏବେ ତଦନ୍ତ ସାପେକ୍ଷ। କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଂଚଳରୁ ନୀରିହ ଗରୀବ ଲୋକ ସେମାନଙ୍କ କଷ୍ଟ ଉପାର୍ଜିତ ଅର୍ଥକୁ ଫ୍ଲୋରିସ ଇଣ୍ଡିଆ ଚିଟ ଫଣ୍ଡ ସଂସ୍ଥାରେ ଜମା କରିଥିଲେ। ଜମା ମିଆଦ ଶେଷ ହେବା ପରେ ଲୋକଙ୍କ ଜମା ରାଶି ଆଉ ଫେରସ୍ତ ହୋଇ ନ ଥିଲା। ଏହି ସଂସ୍ଥାରେ ଥିବା କର୍ମଚାରୀ ଓ ସଂପୃକ୍ତ ଅଧିକାରୀମାନେ ଜିଲ୍ଲାରୁ ଉଭାନ ହୋଇଯାଇଥିଲେ।   ଫ୍ଲୋରିସ ଇଣ୍ଡିଆ ପକ୍ଷରୁ ଫ୍ଲୋରିସ ଡେଭଲପମେଣ୍ଟ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ନାମକ ଅନ୍ୟ ଏକ କମ୍ପାନୀ ଗଠିତ ହୋଇଥିଲା। ଏହି କମ୍ପାନୀ ତରଫରୁ ଭବାନୀପାଟଣା ସହର ନିକଟରେ ଥିବା ରିଷ ନିକଟରେ ସମୁଦାୟ ୧୧ ଏକର ୮୩ ଡିସମିଲ ଜମି ଜମାକାରୀଙ୍କ ଅର୍ଥରେ ଜମି କ୍ରୟ କରାଯାଇଥିଲା। ଫ୍ଲୋରିସ ଇଣ୍ଡିଆ ଚିଟ ଫଣ୍ଡ ସଂସ୍ଥାର କାରବାର ନେଇ କ୍ରାଇମ ବ୍ରାଂଚ ତଦନ୍ତ ଆରମ୍ଭ ହେବାର ସୂଚନା ପାଇବା ପରେ ଏହି ୧୧ ଏକର ୮୩ ଡିସମିଲ ବାହାଲ ଓ ଆଟ କିସମ ଜମିକୁ ୨୦୧୨ ମସିହା ନଭେମ୍ୱର ୨ ତାରିଖ ଦିନ ସଂସ୍ଥାର ପରିଚାଳନା ନିଦ୍ଦେର୍ଶକ ବୋଲି କହୁଥିବା ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଥାନା ଅନ୍ତର୍ଗତ ପଦରାପଡାର ବଲ୍ଲଭ ପ୍ରସାଦ ନାୟକ ଭବାନୀପାଟଣା ସହରର ନାମିଦାମୀ ଠିକାଦାରଙ୍କୁ ୨୦ ଲକ୍ଷ ଟଙ୍କାରେ ବିକ୍ରି କରିଥିଲେ। ଭବାନୀପାଟଣା ସହରର ସବ ରେଜିଷ୍ଟ୍ରି ଅଫିସରେ ଏ ନେଇ ଜମି ରେଜିଷ୍ଟ୍ରେସନ ହୋଇଥିଲା।   ବର୍ତ୍ତମାନ ଏହି ଜମିକୁ ଛୋଟଛୋଟ ପ୍ଲଟରେ ବିଭକ୍ତ କରି ବିଭିନ୍ନ ବ୍ୟକ୍ତିଙ୍କୁ ବିକ୍ରି କରାଯାଉଛି। ଏହି ଜମିକୁ ବିଭିନ୍ନ ରାଜନୈତିକ ନେତା କ୍ରୟ କରିଛନ୍ତି। ଜମି ମାଫିଆଙ୍କ କବଜାରେ ଥିବା ଏହି ଚିଟ ଫଣ୍ଡ ସଂସ୍ଥାର ଜମି ବାହାଲ ଓ ଆଟ ଚାଷ ଜମି କିସମ ଥିବା ବେଳେ ଏହାର କିସମ ପରିବର୍ତ୍ତନ କେବେ କରାଯାଇ ବାସଗୃହ ଉପଯୋଗୀ କରାଗଲା ତାହା ଏବେ ତଦନ୍ତ ସାପେକ୍ଷ। କେଉଁ ରାଜନୈତିକ ଚାପ ଓ ପ୍ରଶାସନର ସୁରକ୍ଷା ବଳୟରେ କ୍ରାଇମବ୍ରାର ଅର୍ଥନୈତିକ ଅପରାଧ ଶାଖା ଏହି ୧୧ ଏକର ୮୩ ଡିସମିଲ ଜମିକୁ ଠାବ କରି ବାଜ୍ୟାପ୍ତ କରିପାରିଲା ନାହିଁ ବୋଲି ଜମା କାରୀଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଚିଟ ଫଣ୍ଡ ସଂସ୍ଥାର ଜମି ବାଜ୍ୟାପ୍ତ ନ ହୋଇ କିଭଳି ଜମି ବିକ୍ରି ହୋଇ ରେଜିଷ୍ଟ୍ରି ହେଲା ଓ ଏହାକୁ ନେଇ ପ୍ଲଟିଂ ହେବାର ସୂଚନା ଜିଲ୍ଲା ପ୍ରଶାସନ ପାଖରେ ନ ଥିବା ଏବେ ପ୍ରଶାସନ ଓ କ୍ରାଇମବ୍ରାଂଚର ସ୍ୱଚ୍ଛତା ପ୍ରତି ଜମାକାରୀମାନେ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି।

Share :