ଆଇଓସିଏଲ ପ୍ରଦୂଷଣ ବିରୋଧରେ ଅଭିଯାନ

ଆଇଓସିଏଲ ପ୍ରଦୂଷଣ ବିରୋଧରେ ଅଭିଯାନ

Share :

  ପାରାଦୀପ ତୈଳବିଶୋଧନାଗାର ପ୍ରକଳ୍ପ ଗତ କିଛିଦିନ ହେବ ଯେପରି ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରୁଛି ତାକୁ ନେଇ ପାରାଦୀପ ନାଗରିକ ମଞ୍ଚ ତରଫରୁ ଏକ ସ୍ୱାକ୍ଷର ଅଭିଯାନ କରାଯାଇଥିଲା। ନାଗରିକ ମଞ୍ଚର ସଭାପତି ଅୟସକାନ୍ତ ରାୟଙ୍କ ନେତୃତ୍ୱରେ ହୋଇଥିବା ଏହି ଅଭିଯାନରେ ବିଶୋଧନାଗାର ବିରୁଦ୍ଧରେ ଅଭୁତପୂର୍ବ ଜନ ସମର୍ଥନ ମଳିଥିଲା। ସକାଳ ପ୍ରାୟ ୮ଟା ଠାରୁ ପାରାଦୀପ ଥାନା ଛକ ନିକଟରେ ଏକ ଧଳା ବ୍ୟାନରରେ ଲୋକେ ସ୍ୱତଃପ୍ରବୃତ ଭାବେ ଆସି ସ୍ୱାକ୍ଷର କରିଥିଲେ।   ଗତ କିଛିଦିନ ହେବ ପାରାଦୀପ ଓ ଏହାର ଆଖ ପାଖ ଅଞ୍ଚଳରେ ଯେପରି ବାୟୁ ପ୍ରଦୂଷଣ ବୃଦ୍ଧି ପାଇଛି ତାକୁ ନେଇ ଜନଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇ ପଡିଛନ୍ତି। ବିଦେଶରୁ ଆମଦାନୀ ହେଉଥିବା ଅଶୋଧିତ ତୈଳ ପାରାଦୀପରେ ବିଶୋଧନ କରାଯାଉଛି। କିନ୍ତୁ ଏହାର ସେପରି କୌଣସି ବୈଷୟିକ ପ୍ରଣାଳୀ ବ୍ୟବହାର ନ କରାଯାଇ ସିଧା ସଳଖଭାବେ ଏହି ଦୃର୍ଗନ୍ଧ ବାୟୁକୁ ଜନବସତି ଆଡକୁ ଛାଡି ଦିଆଯାଉଥିବା ଅଭିଯୋଗ ହେଉଛି। ଏନେଇ ପ୍ରଦୂଷଣ ବିଭାଗ ସମେତ ସ୍ଥାନୀୟ ପ୍ରଶାସନକୁ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ପାରାଦୀପରେ ପ୍ରଦୂଷଣ ରୋକିବା ପାଇଁ ଏକ ଆଞ୍ଚଳିକ କାର୍ଯ୍ୟକ୍ରମ ଖୋଲିଛି। କିନ୍ତୁ ଏହା ଥାଇକି ନଥିବା ପରି କାମ କରୁଛି। ଏପରିକି ଏହି ଦୁର୍ଗନ୍ଧମୟ ପରିବେଶ ସମ୍ପର୍କରେ ତୈଳବିଶୋଧନାଗାର ପ୍ରକଳ୍ପ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଲେ ମଧ୍ୟ କର୍ତ୍ତୃର୍ପକ୍ଷ ଓ ତାଙ୍କ ଅଧିକାରୀମାନେ ଏଡାଇ ଦେଉଛନ୍ତି।   ଏ ନେଇ ଏକ ଗଣ ଆନ୍ଦୋଳନ ପାଇଁ ଜନମତ ସୃଷ୍ଟି କରିବାକୁ ପାରାଦୀପ ନାଗରିକ ମଞ୍ଚ ପକ୍ଷରୁ ସ୍ୱାକ୍ଷର ଅଭିଯାନ ଆରମ୍ଭ ହୋଇଛି। ଯେଉଁଥିରେ ପ୍ରଥମ ପର୍ଯ୍ୟାୟରେ ମାତ୍ର ୨ ଘଣ୍ଟା ମଧ୍ୟରେ ପ୍ରାୟ ୧୦୦୮ଟି ସ୍ୱାକ୍ଷର ହୋଇଛି। ପରେ ଦିନ ପ୍ରାୟ ୧ଟା ବେଳକୁ ନାଗରିକ ମଞ୍ଚ ପକ୍ଷରୁ ଏହି ଦୁର୍ଗନ୍ଧ ଗ୍ୟାସକୁ ରୋକିବା ପାଇଁ ପାରାଦୀପର ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ମଧ୍ୟ ପ୍ରଦାନ କରାଯାଇଛି। ଯଦି ଆଗାମୀ ଦିନରେ କୌଣସି ସୁଫଳ ନମିଳେ ତାହେଲେ ନାଗରିକ ମଞ୍ଚ ରାଜରାସ୍ତାକୁ ଓହ୍ଳାଇବ ବୋଲି ସଭାପତି ଅୟସକାନ୍ତ ରାୟ ଚେତାବନୀ ଦେଇଛନ୍ତି।   ପ୍ରଥମ ଦିନରେ ସ୍ୱାକ୍ଷର ଅଭିଯାନର ଅଭୁତପୂର୍ବ ସମର୍ଥନ ପରେ ଏହାକୁ ନିୟମିତ ଜାରି ରଖିବା ପାଇଁ ପାରାଦୀପ ନାଗରିକ ମଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି। ଶିଳ୍ପ ହେଲେ ପ୍ରଦୂଷଣ ହେବ। କିନ୍ତୁ ଏହାର ପରିମାଣ ବଢିଲେ ନିଶ୍ଚିନ୍ତ ଚିନ୍ତାଜନକ ବିଷୟ। ଏହା ନିୟନ୍ତ୍ରଣ କରିବାକୁ ନିଶ୍ଚିନ୍ତ ପଦକ୍ଷେପ ନିଆଯିବ ବୋଲି ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ବିଶ୍ୱାଳ ପ୍ରତିଶୃତି ଦେଇଛନ୍ତି। ନାଗରିକ ମଞ୍ଚର ଏହି ଅଭିଯାନରେ ମଞ୍ଚର ସଭାପତି ଅୟସକାନ୍ତ ଓରଫ ପପି ରାୟଙ୍କ ସମେତ ରାଜେଶ ଭୂୟାଁ (ରାଜା), ସୁଶାନ୍ତ ସାମଲ(ବାପି), ଦୀପ୍ତି ପ୍ରକାଶ ପଟ୍ଟନାୟକ( ଦୀପୁ), ଜୀବନାନନ୍ଦ ନାୟକ(ଜୀବନ), ରଶ୍ମିରଂଜନ ଜେନା(କାଳିଆ), ସାରଦା ପ୍ରସନ୍ନ ବେଉରା, ଶଶାଙ୍କ ଶେକ୍ଷର ରାଉତ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।

Share :