ମୋ ମାଆ

ମୋ ମାଆ

Share :

ଅଚ୍ୟୁତ ସାମନ୍ତ   ‘ଜାତସ୍ୟ ହିଁ ଧ୍ରୁବ ମୃତ୍ୟୁଃ’। ଆମେ ସମସ୍ତେ ଜାଣୁ, ମୃତ୍ୟୁ ହେଉଛି ଚିରନ୍ତନ ସତ୍ୟ। ଧରାପୃଷ୍ଠରେ ଜନ୍ମ ନେଇଛ ମାନେ ଦିନେ ନା ଦିନେ ମୃତ୍ୟବରଣ କରିବା। କିନ୍ତୁ ଏହା ଜାଣି ସୁଦ୍ଧା ଆମେ ମୃତ୍ୟୁ ନା ଶୁଣିଲେ ଦୁଃଖ ପ୍ରକାଶ କରିଥାଉ। ଆମେ ସମସ୍ତେ ବିମର୍ଷ, କାରଣ ପ୍ରିୟଜନଙ୍କ ସ୍ଥ୍ଲଳ ଶରୀରର ଅବର୍ତ୍ତମାନକୁ ଆମେ ଅନୁଭବ କରିଥାଉ। ମୋ ମା ଆଉ ଅଧିକ ଦିନ ବଞ୍ଚିପାରି ନଥାନ୍ତେ ଯେହେତୁ ତାଙ୍କୁ ଅଧିକ ବୟସ ହୋଇଯାଇଥିଲା। କିନ୍ତୁ ମଁୁ କେବେ ଆଶା କରିନଥିଲି ଯେ ସେ ଆମକୁ ଏତେ ଶୀଘ୍ର ଛାଡ଼ି ଚାଲିଯିବେ। ତାଙ୍କର ଅବର୍ତ୍ତମାନ ମୋ ଜୀବନରେ ଏକ ଶୂନ୍ୟ ସ୍ଥାନ ସୃଷ୍ଟି କରିଦେଲା ଏବଂ ଏହାକୁ ନେଇ ମୋତେ ବଞ୍ଚିବାକୁ ପଡ଼ିବ। କେତେକ ଲୋକ ସେମାନଙ୍କର ବଂଶାବଳୀ ଯୋଗଁୁ ଇତିହାସ ପୃଷ୍ଠାରେ ସେମାନଙ୍କର ସ୍ଥାନ ଖୋଜି ବସନ୍ତି, କିନ୍ତୁ କେତେକ ଲୋକ ଇତିହାସ ସୃଷ୍ଟି କରିଥାନ୍ତି। କେତେକ ଲୋକ ସମୟଚକ୍ରରେ ଧୀରେ ଧୀରେ ଅପସରି ଯାଆନ୍ତି, କିନ୍ତୁ କେତେକ ଲୋକ ସବୁଦିନ ପାଇଁ ଅନ୍ୟମାନଙ୍କ ହୃଦୟରେ ବଞ୍ଚିରହିଥାନ୍ତି। ମୋ ମାଆ ହେଉଛନ୍ତି ସେଭଳି ଜଣେ ମଣିଷ ଯିଏ ସବୁଦିନ ପାଇଁ ଅନ୍ୟମାନଙ୍କ ହୃଦୟରେ ବଞ୍ଚିରହିବେ। ସେ କଲରାବାଙ୍କ ଗାଁ ଓ ମାଣପୁର ପଞ୍ଚାୟତର ପ୍ରତ୍ୟେକଟି ଲୋକର ହୃଦୟରେ ବଞ୍ଚି ରହିଥିବେ, ଯାହାଙ୍କ ପାଇଁ କଲରାବାଙ୍କ ଓ ମାଣପୁର ପଞ୍ଚାୟତର ନା ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇଛି।   ମୁଁ ଏବେ ସୁଦ୍ଧା ଯେତେ ଜଣଙ୍କୁ ଦେଖିଛି ମୋ ମାଆ ଥିଲେ ଦୁନିଆର ସବୁଠୁ ସୁନ୍ଦର ମହିଳା। କିନ୍ତୁ ତାହା ତାଙ୍କର ବାହ୍ୟ ସୌନ୍ଦର୍ଯ୍ୟ ନୁହେଁ, ତାହା ହେଉଛି ତାଙ୍କ ହୃଦୟର ସୌନ୍ଦର୍ଯ୍ୟ, ଯାହାକି ସର୍ବଦା କଲରାବାଙ୍କ ଗାଁ ଓ ଏହାର ପ୍ରତିଟି ମଣିଷ ପାଇଁ ଅବିରତ କ୍ଷରଣ ହେଉଥିଲା। ସେ ବିତ୍ତଶାଳୀ କିମ୍ୱା ପ୍ରତିପତ୍ତିଶାଳୀ ନଥିଲେ, କିନ୍ତୁ ତାଙ୍କର ବିୟୋଗ କଲରାବାଙ୍କ ଓ ମାଣପୁର ପଞ୍ଚାୟତକୁ ଶୂନ୍ୟ କରିଦେଇଛି। ସେ କେବେ ସୁଖ ସ୍ୱାଚ୍ଛନ୍ଦ୍ୟ ଚାହୁଁ ନଥିଲେ କିନ୍ତୁ, ତାଙ୍କ ଗାଁ ଲୋକଙ୍କ ପାଇଁ ଗାଁରେ ସମସ୍ତ ସୁଖ ସ୍ୱାଚ୍ଛନ୍ଦ୍ୟ ଉପଲବ୍ଧ ହେଉ ସେ ଚାହୁଁଥିଲେ। ସେ ଶିକ୍ଷିତ ନଥିଲେ କିନ୍ତୁ, ଗାଁରେ ଭଲ ସ୍କୁଲଟିଏ ହେଉ ଯଦ୍ୱାରା ଗାଁ ପିଲାମାନେ ପାଠ ପଢିପାରିବେ ବୋଲି ସେ ଚାହୁଁଥିଲେ। ଗାଁ ରେ ଘରେ ବସି କିପରି ସାତ ସନ୍ତାନସନ୍ତତିଙ୍କୁ ମଣିଷ କରିବେ ସେଥିପାଇଁ ଅହରହ ସଂଗ୍ରାମ କରୁଥିଲେ ମଧ୍ୟ ସେ ଚାହୁଁଥିଲେ ଗାଁରେ ଗୋଟିଏ କମ୍ୟୁନିଟ‌୍‍ ହଲ ଓ ନଲେଜ‌୍‍ ସେଣ୍ଟର ଯେଉଁଠି ଗ୍ରାମବାସୀମାନେ ଏକାଠି ବସି ସେମାନଙ୍କ ପିଲାମାନଙ୍କ ଭଲ ପାଇଁ ଆଲୋଚନା କରିପାରିବେ ଓ ନିଷ୍ପତ୍ତି ନେଇପାରିବେ। ବାପାଙ୍କ ବିୟୋଗ ଓ ଅତିଶୟ ଅଭାବ ଅନାଟନ ମଧ୍ୟରେ ଆମ ସାତ ଭାଇ ଭଉଣୀଙ୍କୁ ମଣିଷ କରିବା ପାଇଁ ସଂଗ୍ରାମ କରୁଥିବାବେଳେ ମା’ ଗାଁ ପାଇଁ ଏତେ ଚିନ୍ତା କରିବାର ଶକ୍ତି କେଉଁଠୁ ପାଇଲେ ତାହା ଆଜି ବି ମୋ ମନକୁ ଆନ୍ଦୋଳିତ କରେ। ବୋଧ ହୁଏ ମୋ ମା’ ଭବିଷ୍ୟଦ୍ରଷ୍ଟା ଥିଲେ, ଯେ କି ଭଗବାନଙ୍କ ନିର୍ଦ୍ଦେଶ ଅନୁସାରେ କାମ କରୁଥିଲେ।   ଏକ ସ୍ୱଚ୍ଛଳ ପରିବାରରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ନୀଳିମାରାଣୀ ତାଙ୍କଠାରୁ ଗରିବ ଅନାଦି ଚରଣ ସାମନ୍ତଙ୍କୁ ବିବାହ କରିଥିଲେ। ଏକ ଷ୍ଟିଲ‌୍‍ ପ୍ଲାଣ୍ଟ‌୍‍ର ଛୋଟିଆ କର୍ମଚାରୀଟିଏ ହୋଇଥିଲେ ମଧ୍ୟ କେବେ ବି ନୀଳିମାରାଣୀଙ୍କୁ ସୁଖ ସ୍ୱାଚ୍ଛନ୍ଦ୍ୟ ପ୍ରଦାନ କରିବାରେ ଅବହେଳା କରୁନଥିଲେ। ଏଥିପାଇଁ ସେ ପାରୁପର୍ଯ୍ୟନ୍ତ ଚେଷ୍ଟା କରିଥିଲେ। କିନ୍ତୁ ବିଧିର ବିଧାନ ଥିଲା ଅଲଗା। ଏକ ଟ୍ରେନ‌୍‍ ଦୁର୍ଘଟଣାରେ ବାପାଙ୍କ ମୃତ୍ୟୁପରେ ମା’ଙ୍କ ଜୀବନରେ ଅନ୍ଧାର ଘୋଟି ଆସିଲା। ବାପା ତାଙ୍କର ଅଳ୍ପ କିଛି ସଂଚୟ ଏବଂ କମ୍ପାନୀରୁ ମିଳିଥିବା ସହାୟତା ରାଶି ଆମ ପାଇଁ ଛାଡ଼ି ଚାଲିଯାଇଥିଲେ। ବାପାଙ୍କ ମୃତ୍ୟୁପରେ ସଂସାରକୁ ସାମ୍ନା କରିବାକୁ ମା’ ବାଧ୍ୟ ହେଲେ। ମାତ୍ର ୪୦ ବର୍ଷ ବୟସରେ ବିଧବା ହୋଇଯିବା ଘଟଣା ଯେ କୌଣସି ମହିଳାଙ୍କ ସଂସାରକୁ ଛାରଖାର କରିଦେଇଥାନ୍ତା, କିନ୍ତୁ ମାଆ ନୀଳିମାରାଣୀଙ୍କ କ୍ଷେତ୍ରରେ ତାହା ଘଟିନଥିଲା। ସେ ଜଣେ ସଂଗ୍ରାମୀ ଥିଲେ। ସେ ତାଙ୍କର ସମସ୍ତ ପୁଅ ଝିଅଙ୍କୁ ଲାଳନ ପାଳନ କରି ମଣିଷ କରିବା ପାଇଁ ଶପଥ ନେଇଥିଲେ। ସେ ଆଜି ନାହାନ୍ତି। ମୁଁ ଓ ମୋ ସାନଭଉଣୀ ଇତି ସମେତ ତାଙ୍କର ସମସ୍ତ ପୁଅ ଝିଅ ଭଲ ମଣିଷ ହୋଇ ସମାଜରେ ପ୍ରତିଷ୍ଠିତ ହେବା ଦେଖିବା ପରେ ଶାନ୍ତିରେ ଶେଷ ନିଶ୍ୱାସ ତ୍ୟାଗ କଲେ।   ସବୁ ମା’ଙ୍କ ଭଳି ମୋ ମା’ ମଧ୍ୟ ଚାହିଁଥିଲେ ତାଙ୍କର ସନ୍ତାନ ସନ୍ତତିମାନେ ସୁଖ ସ୍ୱାଚ୍ଛନ୍ଦ୍ୟରେ ବଢ଼ନ୍ତୁ। କିନ୍ତୁ ଏହା ତାଙ୍କ ଭାଗ୍ୟରେ ଘଟି ନଥିଲା। ସେ ତାଙ୍କ ସୀମା କେତେଦୂର ଜାଣିଥିଲେ ଏବଂ ସମସ୍ତ ପୁଅ ଝିଅଙ୍କୁ ମଣିଷ କରିବା ପାଇଁ ଅହରହ ସଂଗ୍ରାମ କରୁଥିଲେ। ମୁଁ ସବୁବେଳେ ମା’ଙ୍କ ପାଖେ ପାଖେ ଥିଲି। ଜୀବନରେ କଷ୍ଟ କ’ଣ ତାହା ମୁଁ ମା’ଙ୍କ ଜୀବନରୁ ମର୍ମେ ମର୍ମେ ଅନୁଭବ କରିଛି। ସେତେବେଳେ ଗାଁ ରେ ନିମ୍ନତମ ମୌଳିକ ସୁବିଧା ମଧ୍ୟ ନଥିଲା। ଏହାରି ମଧ୍ୟରେ ଗାଁର ପିଲାମାନେ କେତେ କଷ୍ଟ କରୁଥିଲେ ତାହା ମୁଁ ଦେଖିଛି। ମୁଁ ମୋ ଜୀବନର ଅଧିକାଂଶ ଗାଁର ସେହି ଚାଳଘରେ କାଟିଛି ଏବଂ ସେତେବେଳର ସମୟ ମୋ ପାଇଁ କେତେ ମୂଲ୍ୟବାନ‌୍‍ ଥିଲା ତାହା ମୁଁ ଆଜି ଜାଣି ପାରିଛି। ମା’ଙ୍କ ପାଖରେ ରହି ମୁଁ ତାଙ୍କଠାରୁ ଆଶାର ସହ ଅସହାୟ ପରିସ୍ଥିତିର କିପରି ମୁକାବିଲା କରାଯାଇପାରିବ ଏବଂ ବର୍ତ୍ତମାନର ଅନ୍ଧାରରେ ଭବିଷ୍ୟତ ପାଇଁ ସ୍ୱପ୍ନ କିପରି ଦେଖିହେବ ଶିଖିଛି। ମା’ ସେତେବେଳେ ମୋ ଭିତରେ ଯେଉଁ ସାହସ ଭରି ଦେଇଥିଲେ ତାହାରି ବଳରେ ମାତ୍ର ୫୦୦୦ ଟଙ୍କାରେ କିଟ‌୍‍ ଓ କିସ‌୍‍ ଅନୁଷ୍ଠାନ ପ୍ରତିଷ୍ଠା ପାଇଁ ମୁଁ ସ୍ୱପ୍ନ ଦେଖିଥିଲି।   କିଟ‌୍‍ ଓ କିସ‌୍‍ ପ୍ରତିଷ୍ଠା ପରେ ମୋ ମା’ ମୋତେ ସବୁବେଳେ ମୋ ପିଲାଦିନ କଥା ମନେପକାଇ ଦେଉଥିଲେ ଏବଂ ଗାଁର ଉନ୍ନତି କରିବାକୁ କହୁଥିଲେ। ତାଙ୍କରି ପରାମର୍ଶ ଓ ଆଶୀର୍ବାଦରେ ମୁଁ ଗାଁର ଉନ୍ନତି କରିଥିଲି ଏବଂ ଗାଁର ପ୍ରତ୍ୟେକ ଉନ୍ନତିମୂଳକ କାର୍ଯ୍ୟ ପଛରେ ମା’ଙ୍କର ଶକ୍ତି ରହିଛି। ଏବେ କଲରାବାଙ୍କ ଗାଁର ସମ୍ପୂର୍ଣ୍ଣ ପରିବର୍ତ୍ତନ ଘଟିଛି। ସ୍କୁଲ, କଲେଜ, ଡାକ୍ତରଖାନା, ପକ୍କା ରାସ୍ତାଠାରୁ ଆରମ୍ଭ କରି ୱାଇଫାଇ ସୁବିଧା ପର୍ଯ୍ୟନ୍ତ ସହରରେ ଉପଲବ୍ଧ ସମସ୍ତ ପ୍ରକାର ସୁବିଧା ସୁଯୋଗ ଏହି ଗାଁ ରେ ରହିଛି। ଗାଁରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ସୃଷ୍ଟି କରାଯିବା ପରେ ୨୦୦୬ ମସିହାରେ ତତ‌୍‍କାଳୀନ ରାଜ୍ୟପାଳ ସ୍ୱର୍ଗତଃ ରାମେଶ୍ୱର ଠାକୁରଙ୍କ ଦ୍ୱାରା ଏସବୁର ଉଦ‌୍‍ଘାଟନ ହେବା ସହ ଏହି ଗ୍ରାମକୁ ସେ ଭାରତର ପ୍ରଥମ ଆଦର୍ଶ ଗ୍ରାମ ଭାବେ ଘୋଷଣା କରିଥିଲେ। ଗାଁରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଉପଲବ୍ଧ ହୋଇଯିବା ପରେ ମା’ ଚାହିଁ ଥିଲେ ମାଣପୁର ପଞ୍ଚାୟତକୁ ମଧ୍ୟ ଆଦର୍ଶ ପଞ୍ଚାୟତରେ ପରିଣତ କରାଯାଉ। ଏବେ ମା’ ଙ୍କ ଆଶୀର୍ବାଦରେ ତାଙ୍କର ସେହି ଇଚ୍ଛା ପୂରଣ ହୋଇଛି ଏବଂ ମାଣପୁର ପଞ୍ଚାୟତ ଏକ ଆଦର୍ଶ ପଞ୍ଚାୟତରେ ପରିଣତ ହୋଇଛି।   କଲରାବାଙ୍କ ଓ ମାଣପୁର ପଞ୍ଚାୟତର ସମସ୍ତ ପ୍ରକାର ଉନ୍ନତିମୂଳକ କାର୍ଯ୍ୟ ପଛରେ ମା’ ହିଁ ଥିଲେ। ଏହାକୁ ଛାଡ଼ି ମା’ କେବେବି ତାଙ୍କର ସୁଖ ସ୍ୱାଚ୍ଛନ୍ଦ୍ୟ ପାଇଁ ମୋତେ ପଦୁଟିଏ ହେଲେବି କହି ନାହାନ୍ତି। ତାଙ୍କର ସରଳ ଜୀବନ ଯାପନ ଓ ସଂଗ୍ରାମର ଚିହ୍ନ ରୂପେ ଆଜି ବି କଲରାବାଙ୍କରେ ସେହି ଛୋଟିଆ ଚାଳଘରଟି ଦଣ୍ଡାୟମାନ। ଯେଉଁ ଘରେ ସେ ତାଙ୍କର ସାତ ପୁଅ ଝିଅଙ୍କୁ ମଣିଷ କରି ସମାଜରେ ପ୍ରତିଷ୍ଠା କରିଥିଲେ, କିନ୍ତୁ ସେ କେବେବି ତାଙ୍କ ପାଇଁ କିମ୍ୱା ତାଙ୍କ ପରିବାରର କୌଣସି ସଦସ୍ୟଙ୍କ ପାଇଁ ଆଉ ଏକ ପକ୍କାଘର ଚାହଁୁ ନଥିଲେ। ତାଙ୍କ ସ୍ଥାନରେ ଅନ୍ୟ ଜଣେ ଥିଲେ ସେ ନିଶ୍ଚିତ ରୂପେ ଭଲ ଘର ଖଣ୍ଡିଏ କରିବା ପାଇଁ କହିଥାନ୍ତେ। କିନ୍ତୁ ସେ ଆଉ ଏକ ପକ୍କାଘର କରିବାକୁ ଚାହଁୁ ନଥିଲେ କିମ୍ୱା ସେ ଓ ତାଙ୍କ ପରିବାରର କୌଣସି ସଦସ୍ୟଙ୍କ ନାମରେ ସମ୍ପତ୍ତି ଆହରଣ ପାଇଁ ମଧ୍ୟ ବାଧ୍ୟ କରୁନଥିଲେ। ଆମର କୌଣସି ଜମି ନାହିଁ ଏବଂ ଆମେ ସବୁବେଳେ ବଜାରରୁ ଚାଉଳ କିଣି ଖାଉଥିଲୁ। ଆଜି ପର୍ଯ୍ୟନ୍ତ ତାଙ୍କ ନାମରେ କିମ୍ୱା ଆମ ପରିବାରର ଅନ୍ୟ କୌଣସି ସଦସ୍ୟଙ୍କ ନାମରେ ଜମି ଖଣ୍ଡିଏ ନାହିଁ। ସେ ତାଙ୍କ ଜୀବନରେ ବହୁ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିଛନ୍ତି। ସେ ପରୋପକାରରେ ବିଶ୍ୱାସ କରୁଥିଲେ। ତାଙ୍କର ସମସ୍ତ କାମ ନୈତିକ ଭାବେ ଠିକ‌୍‍ ଥିଲା ଏବଂ ତାଙ୍କର ପ୍ରତ୍ୟେକଟି କାମ ଅନ୍ୟମାନଙ୍କ ହିତ ଉଦ୍ଦେଶ୍ୟରେ ଥିଲା।   ପ୍ରକୃତରେ ସେ ଅନ୍ୟମାନଙ୍କ ପାଇଁ ବଞ୍ଚିଥିଲେ। ସେ ମୋତେ ଅତ୍ୟଧିକ ସ୍ନେହ କରୁଥିବାରୁ ମୁଁ ନିଜକୁ ଭାଗ୍ୟବାନ ମନେକରୁଛି। ମୋ ମା’ ଯାହା ଚାହିଁଛନ୍ତି ସେସବୁ ମଁୁ କରିବାକୁ ଉଦ୍ୟମ କରିଛି। କିନ୍ତୁ ପୁନର୍ବାର ଏବେ ମଁୁ ଶୂନ୍ୟ ହୋଇଯାଇଛି। ଅନେକଗୁଡ଼ିଏ ଦାୟିତ୍ୱ ସେ ମୋ ଉପରେ ଛାଡ଼ି ଚାଲିଯାଇଛନ୍ତି। ଏବେ ମୁଁ ତାଙ୍କ କୋଳରେ ମୁଣ୍ଡ ଗୁଞ୍ଜି ପାରିବିନି କି ସେ ଆଉ ମୋ ମୁଣ୍ଡ ଉପରେ ହାତ ବୁଲାଇ ପାରିବେନାହିଁ। ମୋତେ ୪ ବର୍ଷ ବୟସ ହୋଇଥିବା ବେଳେ ବାପାଙ୍କ ଦେହାନ୍ତ ହେଲା ଏବଂ ମୁଁ ମୋ ମା’ଙ୍କ ପାଖରେ ବଢ଼ିଛି। ତାଙ୍କର ବର୍ତ୍ତମାନରେ ମୁଁ ଅନାଥ ହୋଇପଡ଼ିଛି। ମୁଁ ମୋର ସମସ୍ତ ସଫଳତା ମୋ ମା’ଙ୍କୁ ଉତ୍ସର୍ଗ କରୁଛି। ମା’ ଯେଉଁଠି ଥାଆନ୍ତୁ ଶାନ୍ତିରେ ଥାଆନ୍ତୁ ଏବଂ ଆମକୁ ସବୁବେଳେ ଆଶୀର୍ବାଦ କରୁଥାଆନ୍ତୁ।

Share :