ରାସ୍ତାଦଖଲ ଲାଇସେନ୍ସ ଦେଉଛି ବିଏମସି!

ରାସ୍ତାଦଖଲ ଲାଇସେନ୍ସ ଦେଉଛି ବିଏମସି!

Share :

ହେମାଙ୍ଗ ପ୍ରସାଦ ରାଉଳ   ସହରର ସମସ୍ୟା ସମାଧାନ କିମ୍ୱା ତାର ସ୍ଥାୟୀ ପ୍ରତିକାର ଦିଗରେ ଉଦ୍ୟମ କରିବା ପ୍ରଶାସନର ଆଭିମୁଖ୍ୟ ରହିବା କଥା। କିନ୍ତୁ ବ୍ରହ୍ମପୁର ମହାନଗର ନିଗମର ଏଭଳି ଆଭିମୁଖ୍ୟ ନଥିବା ବୋଧ ହେଉଛି। ରାଜସ୍ୱ ବୃଦ୍ଧି ପାଇଁ ଫି ଆଦାୟ ଆଳରେ ନିଗମ କର୍ତ୍ତୃପକ୍ଷ ନିଜେ ସମସ୍ୟାକୁ ଜଟିଳ କରିବାରେ ଲାଗିଛନ୍ତି। ଫଳରେ ବ୍ରହ୍ମପୁର ସହରର ଟ୍ରାଫିକ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।   ରେଶମ ସହର ବ୍ରହ୍ମପୁର। ପୁରୁଣା ସହର ହୋଇଥିବାରୁ ତଥା ସହରର ଅଣଓସାରିଆ ରାସ୍ତାଘାଟ ସାଙ୍ଗକୁ ଦିନକୁ ଦିନ ବୃଦ୍ଧି ପାଉଥିବା ଯାନବାହନ ଯୋଗୁଁ ସହରରେ ଟ୍ରାଫିକ ସମସ୍ୟା ବଢିବାରେ ଲାଗିଛି। ଏହି ସମସ୍ୟାର ସମାଧାନ ପାଇଁ ବିଏମସି, ବିଡିଏ ଏବଂ ପୋଲିସ ପ୍ରଶାସନ ସମନ୍ୱୟ ରହିବା ଆବଶ୍ୟକ। ଯାହାକି ପ୍ରକୃତ ପକ୍ଷେ ପରିଲିକ୍ଷିତ ହେଉ ନାହିଁ। ଏକାଠି ହୋଇ କାମ କରିବା ଓ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ପରସ୍ପର ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରିବାକୁ ମଧ୍ୟ ପଛାଉ ନାହାନ୍ତି କେହି। ପ୍ରକୃତରେ କହିବାକୁ ଗଲେ ସହରର ଏହି ପ୍ରମୁଖ ସମସ୍ୟାର ସମାଧାନ ନୁହେଁ ବରଂ ପରୋକ୍ଷରେ କାହିଁକି ସିଧାସଳଖ ଭାବେ ବ୍ରହ୍ମପୁର ମହାନଗର ନିଗମ ହିଁ ମୁଖ୍ୟତଃ ଦାୟୀ।   ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ପାଇଁ କମ୍ମାପଲ୍ଲୀ ପରିବା ମାର୍କେଟକୁ ବିଜୁ ପଟ୍ଟନାୟକ ମାର୍କେଟକୁ ଏବଂ ମାଛ ମାର୍କେଟକୁ ମର୍ଦ୍ଦରାଜ ଭେଣ୍ଡିଂ ଜୋନକୁ ସ୍ଥାନାନ୍ତର କରାଗଲା। ସହରବାସୀ ଆଶା ରଖିଥିଲେ ସହରର ଏହି ବଡ ସମସ୍ୟାର ସମାଧାନ ପାଇଁ ଅନ୍ତତଃ ପକ୍ଷେ ପ୍ରଶାସନ ପକ୍ଷରୁ କିଛି ଉଦ୍ୟମ ଆରମ୍ଭ ହୋଇଛି। ହେଲେ ସବୁଥର ଭଳି ଏଥର ମଧ୍ୟ ଫଳ ଶୂନ। କାରଣ କମାପଲ୍ଲୀର ଉଭୟ ପରିବା ଓ ମାଛ ବଜାରର ସମସ୍ତ ବ୍ୟବସାୟୀଙ୍କୁ ଥଇଥାନ କରିବାରେ ବିଫଳ ହେଲେ ଉଭୟ ବିଏମସି ଓ ସ୍ଥାନୀୟ ପ୍ରଶାସନ। ଫଳରେ ଉଭୟ ବିଜୁ  ପଟ୍ଟନାୟକ ପରିବା ମାର୍କେଟ ଓ ମର୍ଦ୍ଦରାଜ ଭେଣ୍ଡିଂ ଜୋନ ସ୍ଥାପନ ପରେ ମଧ୍ୟ ରାସ୍ତା କଡରେ ଉଠାଦୋକାନୀଙ୍କ କାରୋବାର ବନ୍ଦ ହେବା ତ ଦୂରର କଥା ବରଂ ଜାତୀୟ ୫୯ନଂ ରାଜପଥର କଡରେ ଉଠାଦୋକାନୀଙ୍କ ଆଉ ଏକ ବଜାର ସୃଷ୍ଟି ହୋଇଥିଲା। ଯାହାକୁ ପ୍ରଶାସନ ଦେଖି ମଧ୍ୟ ନଦେଖିଲା ଭଳି ରହିଛି।   ଏହି ପ୍ରସଙ୍ଗରେ ବ୍ରହ୍ମପୁର ମହାନଗର ନିଗମ କତ୍ତୃର୍ପକ୍ଷଙ୍କ ଆଉ ଏକ ପଦକ୍ଷେପକୁ ଯେ କେହି ଜାଣିଲେ ବା ଶୁଣିଲେ ନିଶ୍ଚିତ ଚିନ୍ତାରେ ପଡିଯିବେ। କାରଣ ସହରର ପ୍ରମୁଖ ସମସ୍ୟାର ସମାଧାନ କରିବାକୁ ଅଣ୍ଟା ଭିଡିଥିବା ନିଜେ ନିଗମ କର୍ତ୍ତୃପକ୍ଷ ସମସ୍ୟାକୁ ଜଟିଳ କରିଦେଇଛନ୍ତି। ନିଜେ ଜବରଦଖଲ କରିବାକୁ ସହରର ଉଠାଦୋକାନୀଙ୍କୁ ପ୍ରଶ୍ରୟ ମଧ୍ୟ ଦେଉଛନ୍ତି।  ଏହି ଘଟଣା ଯେ କେବଳ କମ୍ମାପଲ୍ଲୀ ରାସ୍ତାକଡରୁ ଜଣାପଡେ ଏହା ନୁହେଁ ବରଂ ବ୍ରହ୍ମପୁର ସହରର ଯେକୌଣସି ସ୍ଥାନରେ ବସିଥିବା ଉଠାଦୋକାନୀଙ୍କ ପାଖରେ ଥିବା ବିଏମସି କତ୍ତୃର୍ପକ୍ଷଙ୍କ ଟିକସ ରସିଦରୁ ସ୍ପଷ୍ଟ ଜଣାପଡୁଛି। ସହରର ସମସ୍ତ ଉଠାଦୋକାନୀଙ୍କ ଠାରୁ ନିଗମ କତ୍ତୃର୍ପକ୍ଷ ଦୈନିକ ୫ ଟଙ୍କା ଲେଖାଁଏ ଟିକସ ଆଦାୟ କରୁଛନ୍ତି। ଯାହାକି ନିଗମର ରାଜସ୍ୱ ବୃଦ୍ଧିରେ ସହାୟକ ହେବା ସଙ୍ଗେ ସଙ୍ଗେ ସହରର ଟ୍ରାଫିକ ସମସ୍ୟା ବୃଦ୍ଧି କରିବାରେ ମଧ୍ୟ ସହାୟକ ହେଉଛି। ନିଗମ ପକ୍ଷରୁ ଉଠାଦୋକାନୀଙ୍କ ଠାରୁ ୫ ଟଙ୍କା ଆଦାୟ କରାଯାଇ ପ୍ରତିବଦଳରେ ଦିଆଯାଉଥିବା ରସିଦରେ ସ୍ପଷ୍ଟ ଉଲ୍ଲେଖ ରହିଛି ଯେ ସେମାନେ ୧୫ ବର୍ଗ ଫୁଟ ସ୍ଥାନରେ ବ୍ୟବସାୟ କରୁଥିବାରୁ ସେମାନଙ୍କଠାରୁ ଦୈନିକ ଏହି ୫ ଟଙ୍କା ଟିକସ ଆଦାୟ ହେଉଛି।   ରାସ୍ତା କଡରେ ଠେଲା ହେଉ ଅଥବା କ୍ୟାବିନ ପକାଇ ବ୍ୟବସାୟ କରୁଥିବା ବ୍ୟକ୍ତିବିଶେଷଙ୍କୁ ବିଭିନ୍ନ ସମୟରେ ପ୍ରଶାସନ ଜବରଦଖଲକାରୀ ବୋଲି ଆଖ୍ୟା ଦେଇ ଉଚ୍ଛେଦ ମଧ୍ୟ କରିଥାଏ। ନିଗମ ଯେତେବେଳେ ନିଜେ ଏଭଳି ଉଠାଦୋକାନୀଙ୍କଠାରୁ ୫ ଟଙ୍କିଆ ଟିକସ ଆଦାୟ କରି ପରୋକ୍ଷରେ ଜବରଦଖଲ ପାଇଁ ଅନୁମତି ଦେଉଛି ସହରର ଟ୍ରାଫିକ ସମସ୍ୟା ପାଇଁ ଆଉ କାହାକୁ ଦାୟୀ କରାଯିବ?

Share :