୫୦ ହଜାର ପାଇଁ ୨ କୋଟି ଅଚଳ!

୫୦ ହଜାର ପାଇଁ ୨ କୋଟି ଅଚଳ!

Share :

  ଭବାନୀପାଟଣାରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ରହିଛି ଆଞ୍ଚଳିକ ରୋଗ ନିରୁପଣ କେନ୍ଦ୍ର। ଏହି ଆଞ୍ଚଳିକ ରୋଗ ନିରୁପଣ କେନ୍ଦ୍ରରେ କଳାହାଣ୍ଡି ଜିଲ୍ଲା ସମେତ ପଡୋଶୀ ନୂଆପଡା, ନବରଙ୍ଗପୁର, କୋରାପୁଟ, କନ୍ଧମାଳ, ରାୟଗଡା ଅଞ୍ଚଳର ରୋଗୀମାନେ ନିର୍ଭର କରିଥାନ୍ତି। ପ୍ରତିଷ୍ଠା ହେଲା ଦିନଠାରୁ ଏହି ଆଞ୍ଚଳିକ ରୋଗ ନିଦାନ କେନ୍ଦ୍ରରେ ଆବଶ୍ୟକ ବିଶେଷଜ୍ଞ ଡାକ୍ତର ଓ ଟେକ‌୍‍ନିସିଆନ‌୍‍ ନିଯୁକ୍ତି ଦିଆଯାଇ ନଥିବା ବେଳେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତରଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯାଇ ସେମାନଙ୍କ ଜରିଆରେ ଏହି କେନ୍ଦ୍ରଟି କୌଣସି ପ୍ରକାରେ ଚାଲିଛି। ବର୍ତ୍ତମାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରେଡିଓଲୋଜିଷ୍ଟ ବିଶେଷଜ୍ଞଙ୍କ ତତ୍ତ୍ୱାବଧାନରେ ଏହି ଆଞ୍ଚଳିକ ରୋଗ ନିରୂପଣ କେନ୍ଦ୍ରଟି ଚାଲିଛି।   ତେବେ ଏହି କେନ୍ଦ୍ରରେ ପ୍ରାୟ ୨ କୋଟି ଟଙ୍କାର ବିଭିନ୍ନ ରୋଗ ନିରୂପଣ ଯନ୍ତ୍ରପାତି ରହିଥିଲେ ହେଁ ବିଶେଷଜ୍ଞ ଡାକ୍ତର ଅଭାବରୁ ଅନେକଗୁଡିଏ ଯନ୍ତ୍ରପାତି କୌଣସି କାର୍ଯ୍ୟରେ ଲାଗୁ ନାହିଁ। ତେବେ ଏହି ରୋଗ ନିଦାନ କେନ୍ଦ୍ରରେ ଥିବା ସିଟିସ୍କାନ ମେସିନଟି ଗତ ୧୦ ଦିନ ହେଲା ଅଚଳ ହୋଇପଡିଥିବା ଜଣାପଡିଛି। ସିଟିସ୍କାନ ମେସିନର ୟୁପିଏସ‌୍‍ ଖରାପ ହୋଇଯାଇଥିବା ଫଳରେ ଏହା କାମ କରୁନାହିଁ। ନୂଆ ୟୁପିଏସ‌୍‍ ଆଣି ସଂଯୋଗ କରିବା ପରେ ଯାଇ ସିଟିସ୍କାନ ମେସିନ କାର୍ଯ୍ୟକ୍ଷମ ହୋଇପାରିବ ବୋଲି ରେଡିଓଲୋଜିଷ୍ଟ ବିଶେଷଜ୍ଞ ଡାକ୍ତର ଏ.କେ ବେହେରା କହିଛନ୍ତି।   ଏ ସମ୍ପର୍କରେ ସିଡିଏମ‌୍‍ଓ ଡା. ବ୍ରଜ କିଶୋର ବ୍ରହ୍ମାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସିଟିସ୍କାନ ମେସିନର ୟୁପିଏସ‌୍‍ ଖରାପ ହୋଇଥିବା ସ୍ବୀକାର କରିଥିଲେ। ୟୁପିଏସ‌୍‍ର ମୂଲ୍ୟ ୪୦ ରୁ ୫୦ ହଜାର ଟଙ୍କା ହେବ। ତେଣୁ ଟେଣ୍ଡର ଆହ୍ୱାନ କରି ୟୁପିଏସ‌୍‍ କିଣିବାକୁ ପଡିବ ବୋଲି ସିଡିଏମ‌୍‍ଓ କହିଥିଲେ। ତେବେ ଟେଣ୍ଡର ପ୍ରକ୍ରିୟା ଏଯାଏଁ ଆରମ୍ଭ ହୋଇନଥିବା ବେଳେ ରାଜ୍ୟ ସ୍ୱାସ୍ଥ୍ୟା ନିର୍ଦ୍ଦେଶାଳୟକୁ ଏ ସମ୍ପର୍କରେ ଅବଗତ କରାଇବା ଓ ସେଠାରୁ ଅନୁମତି ମିଳିବା ପରେ ଟେଣ୍ଡର ଆହ୍ୱାନ କରାଯିବ। ପୁଣି ଟେଣ୍ଡର ଆହ୍ୱାନ ପରେ ଅନ୍ତତଃ ୧୦ଦିନ ସମୟ ଦିଆଯିବ। ତେଣୁ ଏହି ଟେଣ୍ଡର ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବାକୁ ଆପାତତ ଅତି କମ‌୍‍ରେ ୧୫ ଦିନ ସମୟ ଲାଗିବ।   ସିଟିସ୍କାନ ମେସିନ ଏକ ଅତି ଆବଶ୍ୟକ ରୋଗ ନିରୂପଣ ଯନ୍ତ୍ର ହୋଇଥିବା ବେଳେ ଗତ ୧୦ ଦିନ ଧରି ଅଚଳ ହୋଇପଡିବାରୁ ରୋଗୀ ମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ରୋଗୀମାନଙ୍କୁ ସିଟିସ୍କାନ କରାଇବା ପାଇଁ କଟକ କିମ୍ୱା ବିଶାଖାପାଟଣା ଯିବାକୁ ପଡୁଛି। ତେବେ ଏଠାରେ ପ୍ରଶ୍ନ ଉଠେ ଯେ ଜିଲ୍ଲାରେ ଲକ୍ଷ ଲକ୍ଷ ଟଙ୍କାର ନିର୍ମାଣ କାର୍ଯ୍ୟ ବିନା ଟେଣ୍ଡରରେ ସମ୍ପାଦିତ ହେଉଥିବା ବେଳେ ଚିକିତ୍ସା ନିମନ୍ତେ ଏକ ଜରୁରୀ ଯନ୍ତ୍ରାଂଶ ଯାହାର ମୂଲ୍ୟ ମାତ୍ର ୪୦ରୁ ୫୦ ହଜାର ଟଙ୍କା ତାହା ପାଇଁ ଟେଣ୍ଡରକୁ ଅପେକ୍ଷା କରିବା କେତେ ଦୂର ଯୁକ୍ତି ସଂଗତ?   ଜରୁରୀ ସେବା ନିମନ୍ତେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ ବିନା ଟେଣ୍ଡରରେ କିପରି ତୁରନ୍ତ ଏହି ୟୁପିଏସ‌୍‍ କ୍ରୟ କରିବେ ସେ ଦିଗରେ ବିହିତ ପଦକ୍ଷେପ ନେଲେ ରୋଗୀ ମାନେ ଉପକୃତ ହୋଇପାରନ୍ତେ। ଜିଲ୍ଲାର ବିଭିନ୍ନ ବିଭାଗ ମାନଙ୍କରେ ଛଞ୍ଚକତା କରି ଲକ୍ଷ ଲକ୍ଷ ଟଙ୍କାର କାମ ବିନା ଟେଣ୍ଡରରେ ଚଲିଥିବା ବେଲେ ମାତ୍ର ୫୦ ହଜାର ଟଙ୍କା ପାଇଁ କର୍ତ୍ତୃପକ୍ଷ ଟେଣ୍ଡରକୁ ଜଗିବା କେତେଦୂର ନ୍ୟାୟ ସଙ୍ଗତ ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି।

Share :