କେତେ ସୁରକ୍ଷିତ ସ୍କୁଲ ପରିବହନ?

କେତେ ସୁରକ୍ଷିତ ସ୍କୁଲ ପରିବହନ?

Share :

  ଦୁର୍ନୀତି ଓ କୁପରିଚାଳନା ଯୋଗୁଁ ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକ ବିପର୍ଯ୍ୟସ୍ତ ହୋଇଚାଲିଥିବା ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଛତୁଫୁଟୁଛି ଘରୋଇ ଶିକ୍ଷା ସଂସ୍ଥା। ଆଧୁନିକ ପଦ୍ଧତିରେ ଶିକ୍ଷା, ନିୟମିତ ଶ୍ରେଣୀ ପାଠପଢ଼ା, ପରୀକ୍ଷା ଓ ଅନୁଶାସନ ଯୋଗୁଁ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକ ଲୋକପ୍ରିୟତା ଅର୍ଜନ କରୁଛନ୍ତି।   କିନ୍ତୁ କେତେକ କ୍ଷେତ୍ରରେ ଦେଖାଯାଉଛି ଯେ ଏପରି ଅନକେ ଘରୋଇ ଶିକ୍ଷାନୁଷ୍ଠାନ ପିଲାଙ୍କ ନିରାପତ୍ତା ପ୍ରତି ବିଶେଷ ଦୃଷ୍ଟି ଦେଉ ନାହାନ୍ତି। ସରକାରୀ ସ୍କୁଲରେ ନିରାପତ୍ତାର ଘୋର ଅଭାବ। ଘରୋଇ ସ୍କୁଲ ପରିସରରେ ନିରାପତ୍ତା ପାଇଁ ଯଥେଷ୍ଟ ବ୍ୟବସ୍ଥା ଥିଲେ ବି ପରିବହନ କ୍ଷେତ୍ରରେ ଅତ୍ୟଧିକ କୋହଳ ମନୋଭାବ ରହିଥିବାରୁ ଅନେକ ସମୟରେ ଦୁର୍ଘଟଣା ଘଟୁଛି। କୋମଳମତି ଛାତ୍ରଛାତ୍ରୀମାନଙ୍କୁ  ନବା ଆଣିବା କାର୍ଯ୍ୟରେ ବ୍ୟବହୃତ ହେଉଥିବା ଯାନବାହାନ ଚଳାଚଳ ଉପରେ ସୁପ୍ରିମ କୋର୍ଟଙ୍କ ପକ୍ଷରୁ କେତେକ କଟକଣା ଜାରି କରାଯାଇଥିଲା।   ଗାଡ଼ିର ନମ୍ୱର ପ୍ଲେଟକୁ ଧଲା ରଙ୍ଗରେ ରଙ୍ଗାଇ କଳା ରଙ୍ଗରେ ନମ୍ୱର ଲେଖାଯିବା ସହ ଗାଡ଼ିର ରଙ୍ଗ ସମ୍ପୂର୍ଣ୍ଣ ହଳଦିଆ କରିବା, ଗାଡ଼ି ସମ୍ମୁଖରେ ଶିକ୍ଷାନୁଷ୍ଠାନର ନାମ ଲେଖାଯିବା, ଗାଡ଼ିର ଦୁଇପଟେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନିମନ୍ତେ ଗ୍ରୀଲ ଲଗାଯିବା, ଛାତ୍ରଛାତ୍ରୀଙ୍କ ବ୍ୟାଗ ରଖିବା ନିମନ୍ତେ ସୁବିଧା କରିବା ଏବଂ ବ୍ୟବହୃତ ଯାନଗୁଡ଼ିକରେ ସଠ‌୍‍ିକ ସଂଖ୍ୟକ ଛାତ୍ରଛାତ୍ରୀ ନେବା ପାଇଁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।   କିନ୍ତୁ ପୁରୀ ଜିଲ୍ଲାର କୋଣାର୍କ, ଗୋପ, କାକଟପୁର, ନିମାପଡ଼ା ଓ ଅସ୍ତରଙ୍ଗ ଆଦି ଅଞ୍ଚଳରେ ସୁପ୍ରିମ କୋର୍ଟର ନିର୍ଦ୍ଦେଶନାମା ଅନୁସୃତ ହେଉ ନଥିବା ଦେଖାଯାଉଛି। ଛାତ୍ରଛାତ୍ରୀଙ୍କୁ ନେବା ଆଣିବା ଉଦ୍ଦେଶ୍ୟରେ ବ୍ୟବହୃତ ହେଉଥିବା ମିନିବସ‌୍‍, ଟ୍ରେକର, ଟାଟାଏସି ଓ ଅଟୋରେ ଥିବା ନିର୍ଦ୍ଦିଷ୍ଟ ସିଟ‌୍‍ ସଂଖ୍ୟାଠାରୁ ଦୁଇଗୁଣ ଅଧିକ ଛାତ୍ରଛାତ୍ରୀ ନେବାଆଣିବା କରୁଥିବା ଦେଖିବାକୁ ମିଳୁଛି। ଏହି ସବୁ ଶିକ୍ଷାନୁଷ୍ଠାନରେ ଚଳାଚଳ କରୁଥିବା ଯାନବାହାନ ପ୍ରତି କର୍ତ୍ତୃପକ୍ଷ ସଜାଗ ରହୁ ନ ଥିବା ବେଳେ ଯାନବାହାନର ମାଲିକମାନଙ୍କ ସହ ଆଞ୍ଚଳିକ ପରିବହନ ଅଧିକାରୀଙ୍କ କୋହଳ ମନଭାବ ଯୋଗୁଁ  ପିଲାଙ୍କ ନିରାପତ୍ତା ପ୍ରତି ଆଶଙ୍କା ସୃଷ୍ଟି ହୋଇଛି।   ଶିକ୍ଷାର ପ୍ରସାର ପାଇଁ ସରକାର ଶହ ଶହ ସ୍କୁଲ କଲେଜ ଖୋଲିବା ପାଇଁ ଅନୁମତି ଦେଇଥିବାବେଳେ ଏଥିପ୍ରତି ବିଭାଗର ଦୃଷ୍ଟି ପଡ଼ୁନାହିଁ। ପୁରୀ ଜିଲ୍ଲାରେ ଥିବା  ଘରୋଇ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ନେବା ଆଣିବା କରିବା ପାଇଁ  ବ୍ୟବହୃତ ହେଉଥିବା ସବୁ ଯାନର ତାଲିକା ଆଞ୍ଚଳିକ ପରିବହନ ଅଧିକାରୀଙ୍କ ପାଖରେ ସଂପୂର୍ଣ୍ଣ  ନାହିଁ। ଯାହାବି ତାଲିକା ଅଛି ସେଗୁଡ଼ିକ ମଧ୍ୟରୁ କାହାର ପରମିଟି ନାହିଁ ତ କାହାର ଫିଟନେସ‌୍‍  ସାର୍ଟଫିକେଟ ନାହିଁ। ଏହାଛଡ଼ା କାହାର ଟ୍ୟାକ୍ସ ଅପ‌୍‍ ଡେ଼ଟ‌୍‍ ମଧ୍ୟ ନାହିଁ। ଏ ଦିଗରେ ବିଭାଗିୟ ପରିବହନ ଅଧିକାରୀ ଓ ମନ୍ତ୍ରୀ ଦୃଷ୍ଟି ଦେବାପାଇଁ ସାଧାରଣରେ ଦାବିହେଉଛି। 

Share :