କ’ଣ ଅଭାବ? ନିଷ୍ଠା ନା ଦକ୍ଷତା?

କ’ଣ ଅଭାବ? ନିଷ୍ଠା ନା ଦକ୍ଷତା?

Share :

୧୯୫୪ ମସିହାରୁ ହେଲାଣି ଓଡ଼ିଆ ରାଜଭାଷା ଆଇନ। ଏହା ପରେ ଗଲେଣି ଡଜନେ ଉପରେ ମୁଖ୍ୟମନ୍ତ୍ରୀ ଓ ବିତିଗଲାଣି ପ୍ରାୟ ୬୨ ବର୍ଷ। ତଥାପି ଏହା କାର୍ଯ୍ୟକାରୀ ହୋଇନାହିଁ। ଏଥିପାଇଁ ଆନ୍ଦୋଳନ କରିବାକୁ ପଡ଼ୁଛି। ଓଡ଼ିଶା ବିଧାନସଭା ପ୍ରତି ଖୋଦ ଓଡ଼ିଶା ସରକାରଙ୍କର ଯେତେବେଳେ ସମ୍ମାନ ନଥିବାବେଳେ ଓଡ଼ିଶାର ଅମଲାଙ୍କ ମୁଣ୍ଡ କାହିଁକି ବଥେଇବ? ତେଣୁ ନିୟମ ପ୍ରଣୟନ ବାହାନାରେ ଯାଉ ଆଉ କିଛି ବର୍ଷ! ଚକେ ଗଡ଼ିଲେ ବାର ହାତ!   ଓଡ଼ିଶାର ଭାଷା ଓଡ଼ିଆକୁ ଓଡ଼ିଶା ସରକାରଙ୍କ ଭାଷା କରିବା ପାଇଁ ବର୍ଷେ ହେଲା ଆନ୍ଦୋଳନ ଚାଲୁଛି। ଏଟା ଗୋଟେ ଲଜ୍ଜାର କଥା ହୋଇଥିଲେ ବି ମୁଖ୍ୟମନ୍ତ୍ରୀ ଓ ତାଙ୍କ ପାରିଷଦ ବର୍ଗଙ୍କୁ ବାଧୁନି। ରାଜ୍ୟର ବିଧାୟକମାନଙ୍କୁ ବାଧୁନି। ତେଣୁ ଓଡ଼ିଶାରେ ଏବେ ବି ଚାଲିଛି ବିଦେଶୀ ଭାଷାର ଶାସନ।   ଏଥିପାଇଁ ଓଡ଼ିଆଙ୍କର ହୀନମନ୍ୟତାର ଅବଦାନ କିଛି କମ ନୁହେଁ। କାଳେକାଳେ ରାଜାନୁଗ୍ରହ ପ୍ରାର୍ଥୀ ଓଡ଼ିଆମାନେ ଜୋତାଦାନ ଗ୍ରହଣ କରିବା ପର୍ଯ୍ୟାୟକୁ ଖସିଆସିଲେଣି। ଖାଲି ଜୋତାଦାନ ନୁହେଁ ଛତର ଆଜିର ସଂସ୍କାର ହୋଇଗଲାଣି। ଶବ ପୋଡ଼ିବାର କାଠ ଦାନ ନେବାକୁ ଲୋକଙ୍କ ଅଭାବ ନାହିଁ। ଏଭଳି ଏକ କାଙ୍ଗାଳ ସମାଜ ପାଇଁ ଭାଷା ଓ ସଂସ୍କୃତିର ମୂଲ୍ୟ କ’ଣ?   ଏକଥା ଚାଲାଖ ବାବୁ ଓ ନେତାମାନେ ଜାଣିଛନ୍ତି। ତେଣୁ ନିୟମ ପ୍ରଣୟନ କରିବା ଆଳରେ ଗଲା ଅଢ଼େଇ ମାସ କାଟିଦେବା ପରେ ଆଉ ଗୋଟେ କମିଟି ଘୋଷଣା କରି ଆଉ କିଛି ଦିନ ଟାଳି ଦେବାକୁ ଯାଉଛନ୍ତି। ଅଗଷ୍ଟ ୮ ତାରିଖ ମନ୍ତ୍ରିସଭାରେ ଓଡ଼ିଶା ସରକାରଙ୍କ ଭାଷା ସଂକ୍ରାନ୍ତ ଅଧ୍ୟାଦେଶଟି ମଂଜୁର ହେଲା। ଏ ଅଧ୍ୟାଦେଶଟି ହେଉଛି ୧୯୫୪ ଭାଷା ଆଇନର ସଂଶୋଧନ। ସଂଶୋଧନ ହେଉଛି ନିୟମ ପ୍ରଣୟନ କରିବାର କ୍ଷମତା ଗ୍ରହଣ। ପୂର୍ବ ଆଇନରେ କାଳେ ନିୟମ ପ୍ରଣୟନ ପାଇଁ ସରକାରଙ୍କର କ୍ଷମତା ନଥିଲା! ଯା ହେଉ, ଏ କ୍ଷମତା ପାଇବାକୁ ସରକାର କେଇ ମାସ ତଳେ ଏକ ଅଧ୍ୟାଦେଶ ଆଣିଥିଲେ। ଏବେ ତାକୁ ମନ୍ତ୍ରିସଭାର ମଂଜୁର କଲେ। ଆଗାମୀ ବିଧାନସଭା ଅଧିବେଶନରେ ତତ୍‌ସଂକ୍ରାନ୍ତ ବିଲ୍ ଆଣିବେ। ବିଲ୍ ଆଇନରେ ପରିଣତ ହେବା ପରେ ନିୟମ ପ୍ରଣୟନ ହେବ। ନିୟମ କାର୍ଯ୍ୟକାରୀ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇବ। ତା’ ପରେ ଓଡ଼ିଶାରେ ଚାଲିବ ଓଡ଼ିଆ ଶାସନ!   ଏସବୁ ପ୍ରକ୍ରିୟା ପାଇଁ ଆଉ କେତେ କାଳ ଲାଗିବ? ମୁଖ୍ୟମନ୍ତ୍ରୀଙ୍କୁ ଲଗାଇ ୨୨ ମନ୍ତ୍ରୀ, ୧୪୭ ବିଧାୟକ, ୪୦ ପାଖାପାଖି ସଚିବ, ଶତାଧିକ ଅତିରକ୍ତି ଓ ଯୁଗ୍ମ ସଚିବ, ତହୁଁ ଅଧିକ ନିର୍ଦ୍ଦେଶକ, ଜିଲ୍ଲାପାଳ। ସରକାରରେ ଲୋକଙ୍କ ସଂଖ୍ୟା ପ୍ରାୟ ୫ ଲକ୍ଷ। ପ୍ରାୟ ସମସ୍ତେ ଶିକ୍ଷିତ ଓ ପ୍ରତିଭାବାନ, ଦକ୍ଷ ବୋଲି ଦାବି କରନ୍ତି। ତେବେ କାହିଁକି ଗଡ଼ୁଛି ସମୟ? ଭଲେଇ ହେବାକୁ ନା ଭୁଲେଇବାକୁ?   ଓଡ଼ିଆମାନେ ଏକଜୁଟ ଥିଲେ ବିଲକୁଲ୍ ସମୟ ଲାଗନ୍ତା ନାହିଁ। କିନ୍ତୁ ଓଡ଼ିଆଙ୍କ କଥା ଛାଡ଼ନ୍ତୁ ଭାଷାପ୍ରେମୀମାନେ ମଧ୍ୟ ଏକଜୁଟ ନାହାନ୍ତି। ଓଡ଼ିଆ ଭାଷା ନାଁରେ ଏବେ ଏକାଧିକ ସଂଗଠନ, ସବୁ ପ୍ରାୟ ପରସ୍ପର ବିରୋଧୀ। ଏ ଜାତିର ଏ ବିକଳ ଅବସ୍ଥା କଙ୍କଡ଼ାଙ୍କଠାରୁ ବି ବଳି!   ୨୦୦୩ ମସିହାରେ ଓଡ଼ିଶାର ସ୍ବାଭିମାନ ଓ ସମୃଦ୍ଧିର ସୁରକ୍ଷା ଓ ବିକାଶ ନିମନ୍ତେ ସାମ୍ବାଦିକ ରବି ଦାସ ଓ ଦେବେନ୍ଦ୍ର ପୃଷ୍ଟିଙ୍କ ଦ୍ବାରା ଆହୂତ ହୋଇଥିବା ଓଡ଼ିଶା ଜନ ସମ୍ମିଳନୀ ଖଣି ଦୁର୍ନୀତି, ଭାଷା ଓ ଇଭିଏମ ପ୍ରସଙ୍ଗ ଉଠାଇବା ପରେ ରାଜନୀତିକ ବିବାଦରୂ ଦୂରେଇ ରହିବା ନିମନ୍ତେ ନିଷ୍କ୍ରିୟ ହୋଇଥିଲା। ଏହା ପରେ ନଟବର ଶତପଥୀ ଓ ସୁବ୍ରତ ପୃଷ୍ଟିଙ୍କ ଉଦ୍ୟମରେ ଆରମ୍ଭ ହୋଇଥିଲା ଜନ ସମ୍ମିଳନୀ ଓଡ଼ିଶା। ଏ ଦୁଇ ସଂଗଠନର ଉଦ୍ଦେଶ୍ୟ ଥିଲା ଗୋଟିଏ ଓ ସୂତ୍ରଧର ଥିଲେ ମଧ୍ୟ ଜଣେ।   ତେବେ ଉଭୟ ସଂଗଠନ ଅନେକ ‘ମନ୍ଦକବି ଯଶପ୍ରାର୍ଥୀ’ଙ୍କ ଯୋଗୁଁ ନିଷ୍କ୍ରିୟ ହେଲା। ଏହା ପରେ କେବଳ ଭାଷା ପାଇଁ ସୁବ୍ରତ ପୃଷ୍ଟି ଆରମ୍ଭ କଲେ ଓଡ଼ିଆ ଅଧ୍ୟକ୍ଷ ଗବେଷଣା ସଂସ୍ଥା। ଏହି ସଂସ୍ଥା ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କ ଦିଗଦର୍ଶନରେ ଓଡ଼ିଆ ବିଶ୍ବବିଦ୍ୟାଳୟ ଓ ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ପାଇଁ ଉଦ୍ୟମ କଲେ। ସେତେବେଳକୁ ଓଡ଼ିଶା ସରକାର ମଧ୍ୟ ଆମ ଓଡ଼ିଶା ପରି ଅନ୍ୟ କେତେକ ସଂଗଠନର ଚାପରେ ଥାଆନ୍ତି। ତେଣୁ ଶାସ୍ତ୍ରୀୟ ମାନ୍ୟତା ପାଇଁ କମିଟି ଗଠନ ହେଲା ଓ ବହୁ ଲୋକଙ୍କ ଉଦ୍ୟମ ଓ କେନ୍ଦ୍ରର ସହଯୋଗରେ ମିଳିଲା ମଧ୍ୟ।   ଶାସ୍ତ୍ରୀୟ ମାନ୍ୟତା ପରେ ସ୍ବାଭାବିକ ଭାବେ ଜାଗି ଉଠିଲେ ଆଉ କିଛି ନିଦ୍ରିତ ବୁଦ୍ଧିଜୀବୀ। ଓଡ଼ିଆକୁ ସରକାରୀ ଭାଷା କରିବା ପାଇଁ ଆରମ୍ଭ ହେଲା ଆନ୍ଦୋଳନ। ତେବେ ଏ ଆନ୍ଦୋଳନ ଆଜି ବହୁଭାଗ।   ପ୍ରଥମେ ଏଥିପାଇଁ ଅନଶନରେ ବସିଥିଲେ ବଲାଙ୍ଗୀର ଆଇନଜୀବୀ ଗଜାନନ ମିଶ୍ର। ସେଇଠୁ ଜନ୍ମ ନେଲା ଦୁଇଟି ସଂସ୍ଥା। ଗୋଟିଏ ହେଲା ପୂର୍ବତନ ସାଂସଦ ବୈଷ୍ଣବ ପରିଡ଼ାଙ୍କର ଭାଷା ସୁରକ୍ଷା ସମ୍ମିଳନୀ ଓ ଅନ୍ୟଟି ପୁରୀର ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶଙ୍କର ପରିଡ଼ାଙ୍କର ଓଡ଼ିଆ ଭାଷା ସଂଗ୍ରାମ ସମିତି। ଏ ଦୁଇଟି ସଂସ୍ଥାର ଦାବି ଓ ଆନ୍ଦୋଳନ ବୌଦ୍ଧିକ ସ୍ତରରେ ସୀମୀତ ରହିବାରୁ ପରେ ଆରମ୍ଭ ହେଲା ବରିଷ୍ଠ ସାମ୍ବାଦିକ ସୁଭାଷ ପଟ୍ଟନାୟକଙ୍କର ଭାଷା ଆନ୍ଦୋଳନ। ଏବେ ଏ ତିନିଟି ଯାକ ସଂସ୍ଥା ଓଡ଼ିଆ ଭାଷାକୁ ନେଇ ସରକାରଙ୍କ ଆଭିମୁଖ୍ୟ ଓ ଆଚରଣର ଭିନ୍ନଭିନ୍ନ ତର୍ଜମା କରୁଛନ୍ତି ଓ ଭିନ୍ନଭିନ୍ନ ପନ୍ଥା ଗ୍ରହଣ କରୁଛନ୍ତି। ଏମାନଙ୍କ ମଧ୍ୟରୁ କେତେକ ପୁଣି ପରସ୍ପର ବିରୋଧରେ ଗଣମାଧ୍ୟମ ଓ ବ୍ୟକ୍ତିଗତ ସ୍ତରରେ ମଧ୍ୟ ଅଶାଳୀନ ମତ ଓ ମନ୍ତବ୍ୟ ଦେବାକୁ ପଛାଇ ନାହାନ୍ତି।   ମନ୍ତ୍ରିସଭା ଅନୁମୋଦନ କରିଥିବା ଅଧ୍ୟାଦେଶ ନେଇ ଏ ତିନି ସଂସ୍ଥାର ଆଭିମୁଖ୍ୟ ସେମାନଙ୍କର ତିନି ପ୍ରକାର ପ୍ରତିକ୍ରିୟାରୁ ସ୍ପଷ୍ଟ। ପଢ଼ନ୍ତୁ ସେମାନଙ୍କର ପ୍ରତିକ୍ରିୟା।   ଭାଷା ଆନ୍ଦୋଳନ- କଳାପତାକା ଅଭିଯାନ ଚାଲିବ   ଅଗଷ୍ଟ ୮ ତାରିଖରେ କେବଳ ଭାଷା ଆଇନର ସଂଶୋଧନ ଅଧ୍ୟାଦେଶ କ୍ୟାବିନେଟ‌୍‍ରେ ରଖାଯାଇ ବିଧାନସଭା ପାଇଁ ପ୍ରସ୍ତୁତ କରାହୋଇଥିବାବେଳେ, ଦଣ୍ଡବିଧାନ ନିୟମାବଳୀ ପ୍ରସ୍ତୁତ କରା ନଯାଇଥିବା ହେତୁ ଭାଷା ଆଇନକୁ ପୂର୍ବବତ‌୍‍ ଅକାମୀ କରି ରଖା ହୋଇଛି। ଏହା ଓଡ଼ିଶାବାସୀଙ୍କ ସ୍ୱାର୍ଥର ଘୋର ପରିପନ୍ଥୀ।   ଭାଷା ଆନ୍ଦୋଳନ, ଓଡ଼ିଶା ର ଦୀର୍ଘ ୪୧ ଦିନ ପରିବ୍ୟାପ୍ତ କଳାପତାକା ଅଭିଯାନ କେବଳ ଗୋଟିଏ ଦାବି ଉପରେ ଆଧାରିତ ଥିଲା। ଏହି ଦାବିର ସମୁଦାୟ ଦୁଇଟି ଭାଗ ଥିଲା। ୧୯୫୪ରେ ଗୃହୀତ ଓ ତତ୍କାଳ ବଳବତ୍ତର ହୋଇଥିବା ଓଡ଼ିଶା ସରକାରୀ ଭାଷା ଅଧିନିୟମର ଉଲଂଘନକାରୀଙ୍କ ବିରୁଦ୍ଧରେ ଦଣ୍ଡ ବିଧାନ ସମେତ ତହିଁର କାର୍ଯ୍ୟକାରିତା ପାଇଁ ଅଲଂଘ୍ୟ ବ୍ୟବସ୍ଥା ଥାଇ ନିୟମାବଳୀ ପ୍ରଣୟନ ଓ ଏହି ନିୟମାବଳୀ ପ୍ରଣୟନ ପାଇଁ ସରକାରଙ୍କ କ୍ଷମତା ନ ଥିବା ହେତୁ ତାହା ଅର୍ଜନ କରିବାକୁ ଅଧିନିୟମର ସଂଶୋଧନ।   ଏହି କଳାପତାକା ଲହର ସାରା ରାଜ୍ୟରେ ଭାଷା ପାଇଁ ବିପ୍ଲବର ଉଦ‌୍‍ବେଳନ ସୃଷ୍ଟି କରିବା ହେତୁ, ମେ ୨୧ରେ ଭାଷା ଆନ୍ଦୋଳନ, ଓଡ଼ିଶାର ଦାବି ଅନୁରୂପ ଆଇନ ସଂଶୋଧନ ହେଲା ଓ କାଳବିଳମ୍ୱ ନ କରି ନିୟମାବଳୀ ପ୍ରବର୍ତ୍ତନ ପାଇଁ ଅଧ୍ୟାଦେଶ ବି ଜାରୀ ହେଲା। କିନ୍ତୁ ଦୀର୍ଘ ଅଢେଇ ମାସ ଅତିବାହିତ ହୋଇଥିଲେ ମଧ୍ୟ ନିୟମାବଳୀ ପ୍ରବର୍ତ୍ତନ ହୋଇନାହିଁ। ନିୟମାବଳୀ ଦ୍ୱାରା ଦଣ୍ଡବିଧାନ ବ୍ୟବସ୍ଥା ନ ହେବା ପର୍ଯ୍ୟନ୍ତ ଭାଷା ଆଇନର କାର୍ଯ୍ୟକାରିତା ମଧ୍ୟ ସମ୍ଭବ ହେବନାହିଁ।   ତେଣୁ ଭାଷା ଆନ୍ଦୋଳନ ଦାବି କରୁଛି କି, ସରକାର ଖଳବୁଦ୍ଧି ଛାଡନ୍ତୁ ଓ ଦଣ୍ଡବିଧାନ ବ୍ୟବସ୍ଥା ସହ ଭାଷା ନିୟମାବଳୀ ତୁରନ୍ତ ପ୍ରବର୍ତ୍ତନ କରନ୍ତୁ। ମୁଖ୍ୟମନ୍ତ୍ରୀଙ୍କ କଥା ଉପରେ ଭରସା ରଖି, କଳାପତାକା ଅଭିଯାନ ଅଗଷ୍ଟ ୧୫ ପର୍ଯ୍ୟନ୍ତ ସ୍ଥଗିତ ଅଛି। ସେଦିନ ସୁଦ୍ଧା ଦଣ୍ଡବିଧାନ ନିମୟ ଲାଗୁ ନ ହେଲେ ଅଗଷ୍ଟ ୧୬ ତାରିଖରୁ କଳାପତାକା ଅଭିଯାନ ପୁନଶ୍ଚ ଚାଲିବ ବୋଲି ଭାଷା ଆନ୍ଦୋଳନ ଓଡ଼ିଶା ତରଫରୁ ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ପଟ୍ଟନାୟକ, ସଭାପତି ପ୍ରଦ୍ୟୁମ୍ନ ଶଥପଥୀ, ଆବାହକ ପବିତ୍ର ମହାରଥା ମିଳିତ ବିବୃତ୍ତି ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଭାଷା ଆନ୍ଦୋଳନ, ଓଡ଼ିଶାର କର୍ମକର୍ତ୍ତା ସାଗର ଶତପଥୀ, ତୁଷାରକାନ୍ତ ଶତପଥୀ, ପ୍ରାକ୍ତନ ବିଧାୟକ ଅଜୟ ଜେନା, ଅବଦୁଲ‌୍‍ କଲାମ, ଅଲେଖ ମଲ୍ଲିକ, ର୍ନିମଳ ବେହେରା, ସବ୍ୟସାଚୀ ଶତପଥୀ, ସ୍ୱଦେଶ ଦାସ, ନବ କୁମାର ପ୍ରଧାନ, କୁମାର ଆଶିଷ ପ୍ରମୁଖ ଉପସ୍ଥିତ ଥିଲେ।   ଭାଷା ସୁରକ୍ଷା ସମ୍ମିଳନୀ- ଭାଷା ଆୟୋଗ କର   ୧୯୫୪ ସରକାରୀ ଭାଷା ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ଏଥିରେ ଆବଶ୍ୟକ ସଂଶୋଧନ ସହ ନିୟମାବଳୀ ପ୍ରଣୟନ କରିବାକୁ ରାଜ୍ୟ ସରକାର ମନ୍ତ୍ରୀମଣ୍ଡଳର କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନେଇଛନ୍ତି। ଏହି ଆଇନକୁ କାର୍ଯ୍ୟକାରୀ କରିବାକୁ ହେଲେ ଏହା ଏକ ଆବଶ୍ୟକ ପଦକ୍ଷେପ। କିନ୍ତୁ ଆଇନରେ ସଂଶୋଧନୀ ଆଣି ନିୟମାବଳୀ ପ୍ରଣୟନ କରିଦେଲେ ଭାଷା ଆଇନ କାର୍ଯ୍ୟକାରୀ ହୋଇଯିବ ନାହିଁ ବୋଲି ଭାଷା ସୁରକ୍ଷା ସମ୍ମିଳନୀ ପକ୍ଷରୁ କୁହାଯାଇଛି। ଆବଶ୍ୟକ ନିୟମାବଳୀ ପ୍ରଣୟନ କରିବା ସହିତ ଭାଷା ଆଇନ କିପରି କାର୍ଯ୍ୟକାରୀ ହେଉଛି ତାକୁ ତଦାରଖ କରିବା ପାଇଁ ଏକ କ୍ଷମତାସମ୍ପନ୍ନ ଆୟୋଗ ବା କମିଶନ ଗଠନ କରିବାକୁ ହେବ। ତଦାରଖ ବା ମନିଟରିଂ କାର୍ଯ୍ୟଟି ସଠିକ ଭାବେ ନହେଲେ ଏବଂ ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ଅନିଚ୍ଛୁକ ଅଫିସରମାନଙ୍କ ବିରୁଦ୍ଧରେ ଦଣ୍ଡ ବିଧାନର ବ୍ୟବସ୍ଥା ନ ରହିଲେ ଭାଷା ଆଇନ କାର୍ଯ୍ୟକାରୀ ହୋଇପାରିବ ନାହିଁ। ଭାଷା ଆଇନ କିପରି କାର୍ଯ୍ୟକାରୀ ହେଉଛି ତା’ର ତଦାରଖ ଦାୟିତ୍ୱ ଓ ଏହାକୁ ସଫଳ କରିବାପାଇଁ ସରକାରଙ୍କୁ ସୁପାରିଶ କରିବାର କାର୍ଯ୍ୟ ଅମଲାତନ୍ତ୍ର ହାତରେ ନ ଦେଇ ଏକ ସ୍ୱତନ୍ତ୍ର ବିଧିବଦ୍ଧ ସଂସ୍ଥା ଉପରେ ନ୍ୟସ୍ତ କରିବାକୁ ହେବ। କାରଣ ନିୟମାବଳୀ ଅନୁଯାୟୀ ଭାଷା ଆଇନକୁ  କାର୍ଯ୍ୟକାରୀ କରିବାର ଦାୟିତ୍ୱ ହେଉଛି ଅମଲାତନ୍ତ୍ରର। କିନ୍ତୁ ସେହି ନିୟମାବଳୀ ଅନୁଯାୟୀ ସେମାନେ କାର୍ଯ୍ୟ କରୁଛନ୍ତି ବା ସେଥିରେ ଖିଲାପ କରୁଛନ୍ତି ତା’ର ତଦାରଖ ଦାୟିତ୍ୱ ପୁଣି ଅମଲାତନ୍ତ୍ରକୁ ନେଇ ଗଠିତ ଏକ କମିଟି ହାତରେ ଦେଲେ ଭାଷା ଆଇନ କାର୍ଯ୍ୟକାରୀ ହୋଇପାରିବ ନାହିଁ ବୋଲି ‘ଭାଷା ସୁରକ୍ଷା ସମ୍ମିଳନୀ’ର ସଭାପତି ବୈଷ୍ଣବ ପରିଡ଼ା କହିଛନ୍ତି।   ତେଣୁ ସରକାର ଆଗାମୀ ବିଧାନସଭା ଅଧିବେଶନରେ ୧୯୫୪ ମସିହା ଆଇନରେ ଆଉ ସଂଶୋଧନୀ ଆଣି ଏକ ସ୍ୱତନ୍ତ୍ର ବିଧିବଦ୍ଧ ଭାଷା କମିଶନ ବା ଷ୍ଟାଚ୍ୟୁଟାରୀ ବଡି ଗଠନ କରନ୍ତୁ। ଭାଷା ଆୟୋଗ ଗଠନ କରିବାକୁ ହେଲେ ଆଇନରେ ଏଥି ପାଇଁ ପ୍ରବିଧାନ ରଖିବାକୁ ହେବ। ଏହି କମିଶନ ଅମଲାତନ୍ତ୍ରର ଅଧୀନରେ ନ ରହି ସ୍ୱାଧୀନ ଭାବରେ ଭାଷା ଆଇନ କିପରି କାର୍ଯ୍ୟକାରୀ ହେଉଛି ତାକୁ ତଦାରଖ କରିବ ଏବଂ ଇଂରେଜୀ ବଦଳରେ ଓଡ଼ିଆ ଭାଷାର ପ୍ରୟୋଗକୁ ତ୍ୱରାନ୍ୱିତ କରିବା ପାଇଁ ସରକାରଙ୍କୁ ଆବଶ୍ୟକ ସୁପାରିଶ କରିବ। ଏହି କମିଶନଙ୍କ ରିପୋର୍ଟ ସରକାରଙ୍କ ଜରିଆରେ ବିଧାନସଭାରେ ଉପସ୍ଥାପନ କରାଯିବ ଏବଂ ତା’ ଉପରେ ବିଧାନସଭାରେ ଆଲୋଚନା ହେବ। ଆମ ରାଜ୍ୟର ଅଫିସରମାନେ ବହୁବର୍ଷ ଧରି ଇଂରେଜୀରେ ଶାସନ କରିବାରେ ଅଭ୍ୟସ୍ତ ହୋଇଥିବା ହେତୁ ଓଡ଼ିଆରେ କାର୍ଯ୍ୟ କରିବାକୁ ଅନେକ କ୍ଷେତ୍ରରେ ଅନିଚ୍ଛୁକ। ତେଣୁ ଆଇନକୁ କାର୍ଯ୍ୟକାରୀ କରିବାର ପ୍ରକ୍ରିୟାକୁ ତଦାରଖ କରିବାର ଦାୟିତ୍ୱ ଅମଲାତନ୍ତ୍ର ହାତରେ ନ ଛାଡ଼ି ଏକ ଭାଷା ଆୟୋଗ ଗଠନ କରିବାକୁ ପରିଡ଼ା ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ଓଡ଼ିଆ ଭାଷା ସଂଗ୍ରାମ ସମିତି- ଆଇନ କାର୍ଯ୍ୟକାରୀ ହେବ   ସମସ୍ତ ଆଶା ଓ ଆଶଙ୍କାକୁ ଦୂରୀଭୂତ କରି ଓଡିଆ ଭାଷାରେ ଓଡିଶା ଶାସନ ପାଇଁ ବାଟ ଫିଟିଲା। ଓଡିଶା ସରକାର ଓ ଓଡିଆ ଭାଷା ସଂଗ୍ରାମ ସମିତିର ସମ୍ପାଦିତ ଚୁକ୍ତି ଅନୁଯାୟୀ ଗଠିତ ମନ୍ତ୍ରୀସ୍ତରୀୟ କମିଟିର ଚୂଡାନ୍ତ ନିଷ୍ପତ୍ତିକୁ ଅଧ୍ୟାଦେଶ ବଳରେ ରାଜ୍ୟ ସରକାରଙ୍କ ମନ୍ତ୍ରୀମଣ୍ଡଳ ଅନୁମୋଦନ ଲାଭ କରିଛି। ପ୍ରକାଶଥାଉକି ଆସନ୍ତା ଅଗଷ୍ଟ ୧୫ ତାରିଖଠାରୁ ଓଡିଆରେ ଶାସନ କରିବା ବାଧ୍ୟତାମୂଳକ ହୋଇଯିବ। ଏଥିପାଇଁ ରାଜ୍ୟସରକାର ଓଡିଶା ସରକାରୀ ଭାଷା ଆଇନ ୧୯୫୪ରେ ସାମାନ୍ୟ ସଂଶୋଧନ ଆଣିବା ସହିତ ଓଡିଶା ରାଜଭାଷା ଆଇନ (ସଂଶୋଧିତ)-୨୦୧୬ କାର୍ଯ୍ୟକ୍ଷମ କରାଯାଇଅଛି। ଏଥିନିମନ୍ତେ ମନ୍ତ୍ରୀସ୍ତରୀୟ ସଭାର ଗତ ଅପ୍ରେଲ ୨୫ ତାରିଖ ବୈଠକରେ ଆବଶ୍ୟକ ନିୟମାବଳୀ ଓ ଭାଷାନୀତିର ଚୂଡାନ୍ତ ଅନୁମୋଦନ ଲାଭ କରିଥିଲା। ଏହାକୁ ଆଇନରେ ପରିଣତ କରିବାପାଇଁ ରାଜ୍ୟ ସରକାରଙ୍କ କ୍ଷମତା ନ ଥିବାରୁ ଗତ ବିଧାନସଭାରେ ସଂପୃକ୍ତ ବିଧେୟକର ଆବଶ୍ୟକ ଅପେକ୍ଷାରେ ଥିବାବେଳେ ନିର୍ଦ୍ଧାରିତ ଅବଧି ପୂର୍ବରୁ ବିଧାନସଭାର କାର୍ଯ୍ୟକାଳ ଶେଷ ହୋଇଥିବାରୁ ଏହା ଆଇନରେ ପରିଣତ ହୋଇ ପାରିବା ସମ୍ଭବ ନ ଥିଲା।   ପୂର୍ବ ନିର୍ଦ୍ଧାରିତ ଘୋଷଣା ଅନୁଯାୟୀ ମନ୍ତ୍ରୀସ୍ତରୀୟ କମିଟିର ଚୂଡାନ୍ତ ଅନୁମୋଦନକୁ କାର୍ଯ୍ୟକାରି କରିବାନିମନ୍ତେ  ବିଧାନସଭାର ଅନୁପସ୍ଥିତିରେ ରାଜ୍ୟସରକାର ମାନ୍ୟବର ରାଜ୍ୟପାଳଙ୍କ ଆଦେଶକ୍ରମେ ଅଧ୍ୟାଦେଶ ବଳରେ ଗତ ମଇ ୨୧ ତାରିଖ ଦିନ କ୍ଷମତାପ୍ରାପ୍ତ ହୋଇଥିଲେ। ଓଡିଆ ଭାଷାକୁ କେବଳ ଶାସନ ଓ ପ୍ରଶାସନର ଭାଷା ନୁହେଁ, ରୋଜଗାର ଓ ଜ୍ଞାନବିଜ୍ଞାନର ଭାଷା ଭାବରେ ପ୍ରତିଷ୍ଠିତ କରିବାପାଇଁ ଓଡିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାକାର୍ଯ୍ୟକୁ ତ୍ୱରାନ୍ୱିତ କରିବା, ମଡେଲ ସ୍କୁଲ ଶିକ୍ଷା ମାଧ୍ୟମ ଓଡିଆରେ କରିବା, ପ୍ରଥମରୁ ଦଶମ ପର୍ଯ୍ୟନ୍ତ ଓଡିଶାର ସମସ୍ତ ସରକାରି ଓ ବେସରକାରୀ ବିଦ୍ୟାଳୟରେ ଓଡିଆ ଭାଷା ଏକ ବାଧ୍ୟତାମୂଳକ ବିଷୟ ଭାବରେ ଗ୍ରହଣ କରାଯିବା ପାଇଁ ହୋଇଥିବା ନିଷ୍ପତ୍ତି, ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ନିଯୁକ୍ତ ଶିକ୍ଷକମାନଙ୍କ ଭାଷା ସମ୍ପର୍କୀତ ଗୁଣାତ୍ମକ ଶୈକ୍ଷିକ ବିକାଶପାଇଁ ବୈଷୟିକ ତାଲିମ ସହିତ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଓଡିଆ ଭାଷା ଶିକ୍ଷକ ନିଯୁକ୍ତି କରିବା, ଓଡିଆରେ ଶାସନର ମୌଳିକ ସମସ୍ୟା ଦୂରପାଇଁ ରାଜ୍ୟର ସମସ୍ତ ନିଯୁକ୍ତିଭିତ୍ତିକ ପରୀକ୍ଷା ଓ ତାଲିମ କାର୍ଯ୍ୟକ୍ରମ ଓଡିଆ ଭାଷାରେ କରାଯିବା, ପ୍ରତିବର୍ଷ ଭାଷାପକ୍ଷ, ଭାଷା ସପ୍ତାହ ପାଳନ ଆଦି ନିଷ୍ପତ୍ତି ଖୁବଶୀଘ୍ର କାର୍ଯ୍ୟକାରୀ କରିବାକୁ ଦାବି କରାଯାଇଛି।   ବିଶେଷକରି ଓଡିଆରେ ଶାସନ କାର୍ଯ୍ୟକୁ କ୍ରିୟାଶୀଳ କରିବାପାଇଁ ମନ୍ତ୍ରୀସ୍ତରୀୟ କମିଟିର ଅନୁରୋଧକ୍ରମେ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକଙ୍କଦ୍ୱାରା ଦିଆଯାଇଥିବା ଭାଷାନୀତିକୁ ଯଥାଶୀଘ୍ର କାର୍ଯ୍ୟକାରୀ କରିବା ଏବଂ ଓଡିଆଭାଷା ସଂଗ୍ରାମ ସମିତିର ପରାମର୍ଶକ୍ରମେ ସରକାର ନିଷ୍ପତ୍ତି ନେଇଥିବା ଭାଷା ନିର୍ଦ୍ଦେଶାଳୟ ଗଠନ ପ୍ରକ୍ରିୟା ଶୀଘ୍ର ସାରିବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦିଆଯାଇଥିଲା। ଅନ୍ୟପକ୍ଷରେ ୬୦ ବର୍ଷ ଧରି ଅଚଳ ଭାଷାଆଇନକୁ ସଚଳ କରିବାରେ ରାଜ୍ୟ ପ୍ରଶାସନ ବିଳମ୍ୱ କରୁଥିଲେ ମଧ୍ୟ ତାହା ଆଜି ପୂରଣ ହେବାର ବାଟ ଫିଟାଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡିଶାର ମନ୍ତ୍ରୀସଭା ଓ ମନ୍ତ୍ରୀସ୍ତରୀୟ କମିଟିର ସଦସ୍ୟମାନଙ୍କୁ ଓଡିଆ ଭାଷା ସଂଗ୍ରାମ ସମିତି ପକ୍ଷରୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରାଯାଇଛି। ଓଡିଆ ଭାଷା ସଂଗ୍ରାମ ସମିତି ଆବାହକ ଶଙ୍କର୍ଷଣ ପରିଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଂପୃକ୍ତ ଖବରଦାତା ସମ୍ମିଳନୀରେ ଭାଷାବିତ ପଦ୍ମଶ୍ରୀ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ, ଓଡିଶା ନାଗରିକ ସମାଜର ସଭାପତି ପ୍ରଫେସର ଯନ୍ତ୍ରଣା ପରୀକ୍ଷିତ, କଳିଙ୍ଗସେନାଧ୍ୟକ୍ଷ ହେମନ୍ତ ରଥ, ସମ୍ଭାବନାର ସମ୍ପାଦକ ଦେବପ୍ରସାଦ ପରିଜା, ଭାଷାବିତ ଡ. ଦେବାଶିଷ ମହାପାତ୍ର, ବିଶିଷ୍ଟ ସାମ୍ୱାଦିକ ଅତୀଶ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Share :