ସହସ୍ର ବିପ୍ଳବର ପଦଧ୍ୱନୀ

ସହସ୍ର ବିପ୍ଳବର ପଦଧ୍ୱନୀ

Share :

ଦେବେନ୍ଦ୍ର ପୃଷ୍ଟି   ଡିସେମ୍ୱର ୧୬ ତାରିଖ। ୨୦୧୨ ମସିହା। ରାତି ୯ଟା ୩୦ ମିନିଟ‍୍‌।   ଦକ୍ଷିଣ ଦିଲ୍ଲୀର ସାକେତ ଅଞ୍ଚଳରେ ଏକ ସିନେମା ହଲରୁ ଲାଇଫ୍ ଅଫ୍ ପାଇ ଫିଲ୍ମ ଦେଖି ଘରକୁ ଫେରୁଥିଲେ ପ୍ରେମୀ ଯୁଗଳ, ଜ୍ୟୋତି ସିଂହ ଓ ଅବିନ୍ଦ୍ର ପ୍ରତାପ ପାଣ୍ଡେ।   ମୁନିର୍କା। ଏଠି ବସ‍୍‌କୁ ଅପେକ୍ଷା କରିଥିବାବେଳେ ଦେଖିଲେ ବସ‍୍‌ଟିଏ ଆସୁଛି। ହାତ ଦେଖାଇବାରୁ ବସ‍୍‌ ଅଟକିଲା। ପଚାରିଲେ, ଦ୍ୱାରକା ଯିବ। ଉଠିବାକୁ ଅନୁମତି ମିଳିଲା। ଦିହେଁ ବସ‍୍‌ରେ ଉଠିଲେ।   ବସ‍୍‌ କିନ୍ତୁ ଦ୍ୱାରକା ଗଲା ନାହିଁ। ବସ‍୍‌ ଭିତରେ ଥିଲେ ଚାଳକ ସମେତ ୬ ଜଣ ମଦ୍ୟପ ଏବଂ ତାହା ଥିଲା ଆଧୁନିକ ଭାରତ ଇତିହାସରେ ଅନ୍ୟ ଏକ ଜଘନ୍ୟ କାଳରାତ୍ରୀ।   ଜ୍ୟୋତି ସିଂହ ଧର୍ଷଣର କାହାଣୀ କମ୍ପନ ସୃଷ୍ଟି କଲା ସାରା ଭାରତରେ। ଭାରତ ବାହାରେ ମଧ୍ୟ। ସମଗ୍ର ବିଶ୍ୱରେ ଆଲୋଡ଼ନ। ମଣିଷ କ’ଣ ଏମିତି ବର୍ବର ହୋଇପାରେ?   ଦିଲ୍ଲୀ ରାଜରାସ୍ତାରେ ସୃଷ୍ଟି ହେଲା ଜନ ସମୁଦ୍ର। ସ୍ୱାଧୀନ ଭାରତ ଇତିହାସରେ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଭବନର ଗେଟ‍୍‌ ପର୍ଯ୍ୟନ୍ତ ମାଡ଼ିଗଲେ ବିକ୍ଷୁବ୍ଧ ଜନତା।   ଅମାନବିକତାର ସମସ୍ତ ସୀମା ସରହଦ ପାର‍୍‌ କରିଥିଲେ ବସ‍୍‌ରେ ଥିବା ୬ ଜଣ ମଦ୍ୟପ। ସେମାନେ ଜ୍ୟୋତି ସିଂହଙ୍କୁ ଗଣଧର୍ଷଣ କରିବା ସହିତ ତା’ର ଗୁପ୍ତାଙ୍ଗରେ ଲୁହା ରଡ଼୍ ପୂରେଇ ଦେଇଥିଲେ। ଏହା ପରେ ସେମାନେ ଚଳନ୍ତା ବସ‍୍‌ରୁ ପ୍ରେମୀ ଯୁଗଳଙ୍କୁ ତଳକୁ ଫିଙ୍ଗି ଫେରାର ହୋଇଯାଇଥିଲେ।   ଅନେକ ସମୟ ରାସ୍ତା କଡ଼ରେ ଛଟପଟ ହେବା ପରେ ସେମାନଙ୍କୁ ପୁଲିସ ଡାକ୍ତରଖାନା ପଠାଇଥିଲା। ଡିସେମ୍ୱର ୧୬ ତାରିଖରୁ ଡିସେମ୍ୱର ୨୯ ତାରିଖ। ଦିଲ୍ଲୀ ଓ ସିଙ୍ଗାପୁରରେ ଜୀବନ ସହିତ ଯୁଦ୍ଧ କରି ‘ମାଆ ମୁଁ ବଂଚିବାକୁ ଚାହେଁ’ ଆକୁଳ ନିବେଦନ କରିଥିବା ଜ୍ୟୋତି ଶେଷରେ ହାରିଯାଇଥିଲା।   ଗଣମାଧ୍ୟମରେ ଜ୍ୟୋତି ସିଂହର ନାଁ ଥିଲା ନିର୍ଭୟା ଓ ଦାମିନୀ।   ତା’ ପାଇଁ ପ୍ରକାଶ ପାଇଥିବା ଜନ ପ୍ରତିକ୍ରିୟାର ନାମ ଥିଲା ନିର୍ଭୟା ଆନ୍ଦୋଳନ। ଏ ଆନ୍ଦୋଳନ ଥିଲା ଉଦବେଳିତ ମାନବ ହୃଦୟର ସମଷ୍ଟି। ଆଉ ଏଇ ସମଷ୍ଟି ଥିଲା ସ୍ୱୟଂକ୍ରିୟ। ପଛରେ ଥିଲେ ଫେସ‍୍‌ବୁକ୍ ଓ ଟୁଇଟର ପରି କେତେକ ସୋସିଆଲ ମିଡିଆ ମଂଚରେ ସକ୍ରିୟ ଦିଲ୍ଲୀର କେତେକ େସ୍ୱଚ୍ଛାସେବୀ ଓ ସାମାଜିକ କର୍ମୀ। ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରେ ଥିବା ଅରବିନ୍ଦ କେଜ୍ରିୱାଲଙ୍କ ପରିବର୍ତ୍ତନ ଓ ଅନ୍ୟ ସମଧର୍ମା େସ୍ୱଚ୍ଛାସେବୀଙ୍କ ଆହ୍ୱାନ, ଆବେଦନ, ପ୍ରେରଣା, ପ୍ରଚୋଦନା ଓ ପ୍ରୋତ୍ସାହନରେ ସଂଘଟିତ ହୋଇଥିଲା ଏହି ଆନ୍ଦୋଳନ।   ଜ୍ୟୋତିର ଜୀବନ ଦୀପ ଲିଭିଗଲା ସତ। ହେଲେ ସେଇ ଆନ୍ଦୋଳନ ଭାରତ ସରକାରଙ୍କୁ ଶକ୍ତ ଆଘାତ ଦେଇଥିଲା। ରାଜନେତାମାନଙ୍କର ସାଧାରଣତଃ ଉଦାସୀନ ଓ ନିଷ୍ଠୁର ହୃଦୟକୁ ତରଳାଇ ଦେଇଥିଲା। ପ୍ରଣୀତ ହୋଇଥିଲା ଏକ ନୂଆ ଆଇନ। ଏଭଳି ଜଘନ୍ୟ ଧର୍ଷକଙ୍କ ପାଇଁ ମୃତ୍ୟୁଦଣ୍ଡର ବ୍ୟବସ୍ଥା ହେଲା। ବଦଳି ଗଲା ଧର୍ଷଣ ଓ ତତ୍ସଂପର୍କୀତ ଆଇନର ପରିଭାଷା।   ଇଏ ଥିଲା ମାତ୍ର ୪ ବର୍ଷ ତଳର ଘଟଣା। ଆଜି ବି ସତେଜ।   ଦୁର୍ନୀତି ବିରୋଧୀ ଭାରତ   ତାହାର ମାତ୍ର ଗୋଟିଏ ବର୍ଷ ଆଗରୁ ଭାରତରେ ସଂଘଟିତ ହୋଇଥିଲା ଅନ୍ୟ ଏକ ଜନ ଆନ୍ଦୋଳନ। ତାହାର ନାୟକ ଥିଲେ ସମାଜସେବୀ ଆନ୍ନା ହଜାରେ। ଆନ୍ନାଙ୍କ ଦୁର୍ନୀତି ବିରୋଧୀ ଭାରତ ବା ଇଣ୍ଡିଆ ଏଗ୍‌ନେଷ୍ଟ କରପ‍୍‌ସନ ଆନ୍ଦୋଳନରେ ସାମିଲ ହୋଇଥିଲା ସମଗ୍ର ଭାରତ।   ୨୦୧୧ ଏପ୍ରିଲ ୫ ତାରିଖ। ଦିଲ୍ଲୀର ଜନ୍ତର ମନ୍ତରଠାରେ ଦୁର୍ନୀତି ବିରୋଧୀ ଜନ ଲୋକପାଳ ଆଇନ ଦାବିରେ ଅନଶନ ଆରମ୍ଭ କଲେ ମହାରାଷ୍ଟ୍ରର ସମାଜସେବୀ ଆନ୍ନା ହଜାରେ। ସେତେବେଳେ ସମଗ୍ର ଭାରତରେ ଦୁର୍ନୀତି ପ୍ରସଙ୍ଗ ଥିଲା ଚର୍ଚ୍ଚା ଓ ଆଲୋଚନାର ମୁଖ୍ୟ ପ୍ରସଙ୍ଗ। ଆନ୍ନାଙ୍କ ସହଯୋଗୀ ଥିଲେ ସୂଚନା ଅଧିକାର ଆଇନ ଓ ଦୁର୍ନୀତି ବିରୋଧୀ ଅଭିଯାନର କର୍ମୀ ଅରବିନ୍ଦ କେଜ୍ରିୱାଲ, ବିଶିଷ୍ଟ ଆଇନଜୀବୀ ପ୍ରଶାନ୍ତ ଭୂଷଣ, ସମାଜ ବିଜ୍ଞାନୀ ଯୋଗେନ୍ଦ୍ର ଯାଦବ, ବିଚାରପତି ଏନ. ସନ୍ତୋଷ ହେଗଡେ଼, ଏବେ ଗୋଆର ରାଜ୍ୟପାଳ ଥିବା ତତ୍କାଳୀନ ଅବସରପ୍ରାପ୍ତ ପୁଲିସ ଅଧିକାରୀ କୀରଣ ବେଦୀ ଓ ଏବେକାର କେନ୍ଦ୍ର ମନ୍ତ୍ରୀ ତଥା ସେବେକାର ଅବସରପ୍ରାପ୍ତ ସେନାଧ୍ୟକ୍ଷ ଜେନେରାଲ ଭିକେ ସିଂହ, ଯୋଗଗୁରୁ ବାବା ରାମଦେବ ଓ ଜୀବନକଳାର ମାର୍ଗଦର୍ଶକ ଶ୍ରୀଶ୍ରୀ ରବି ଶଙ୍କର ପ୍ରମୁଖ ଅନେକ ଦେଶପ୍ରେମୀ ଚିନ୍ତା ନାୟକ ଓ ସାଧାରଣ ଜନତା। ଆନ୍ନା ତାଙ୍କ ଅନଶନ ମଂଚରୁ ରାଜନେତାମାନଙ୍କୁ ଦୂରେଇ ରଖିଥିଲେ।   ଆନ୍ନାଙ୍କ ଆହ୍ୱାନ ଓ ଆବେଦନର ପ୍ରତିଧ୍ୱନୀ ପହଂଚିଥିଲା ଭାରତର ସବୁ ରାଜ୍ୟରେ, ସବୁ ରାଜଧାନୀରେ। ସବୁଠି ଶହଶହ ଲୋକ ବସିଥିଲେ ଅନଶନରେ, ପାଳିକରି। ଆନ୍ଦୋଳକୁ ଭଣ୍ଡୁର କରିବା ପାଇଁ ସରକାରଙ୍କ ତରଫରୁ ଅନେକ କୂଟକପଟ କରାଯାଇଥିଲା। ପ୍ରତିକ୍ରିୟା ହୋଇଥିଲା ଆହୁରି ତୀବ୍ର। ଆନ୍ନାଙ୍କ ଆନ୍ଦୋଳନର ପରିପୂରକ ଆନ୍ଦୋଳନ ଆରମ୍ଭ କରିଥିଲେ ଯୋଗଗୁରୁ ବାବା ରାମଦେବ। ରାମଦେବଙ୍କ କଳାଧନ ବିରୋଧୀ ଅନଶନକୁ ବଳ ପ୍ରୟୋଗ କରି ଭଣ୍ଡୁର କରାଗଲା।   ୨୦୧୧ ମସିହାର ଏପ୍ରିଲ, ଜୁଲାଇ ଓ ଅଗଷ୍ଟରେ ଦିଲ୍ଲୀ ଓ ମୁମ୍ୱାଇରେ ଆନ୍ନା ହଜାରେଙ୍କ ତିନି ତିନି ଥର ଅନଶନ ଆଗରେ ଶେଷରେ ମୁଣ୍ଡ ନୂଆଇଁଥିଲେ ଭାରତ ସରକାର। ଜନ ଲୋକପାଳ ଆଇନ ପ୍ରଣୟନ କରିବାକୁ ରାଜି ହୋଇଥିଲେ, ପ୍ରଣୟନ କରିଥିଲେ ବି। ତାହା ଦୁର୍ନୀତି ବିରୋଧରେ ଭାରତର ସବୁଠୁ ବଡ଼ ଆନ୍ଦୋଳନ ଓ ସବୁଠୁ ପ୍ରଭାବଶାଳୀ ଆଇନ। ଆନ୍ନାଙ୍କ ପରିକଳ୍ପିତ ଜନ ଲୋକପାଳ ଆଇନଠାରୁ ଏହି ଆଇନ ଅନେକ ଦୁର୍ବଳ ହୋଇଥିଲେ ବି ଭାରତ ସରକାର ଏହାକୁ ଏଯାଏଁ କାର୍ଯ୍ୟକାରୀ କରି ନାହାନ୍ତି। ଭାରତର ଅଧିକାଂଶ ରାଜ୍ୟ ମଧ୍ୟ ଏହି ଆଇନକୁ ନିଷ୍ଠାର ସହିତ ପାଳନ କରି ନାହାନ୍ତି।   ଏହି ଆନ୍ଦୋଳନରୁ ଜନ୍ମ ନେଇଥିଲା ଆମ‍୍‌ ଆଦମୀ ପାର୍ଟି। ଆନ୍ଦୋଳକୁ ଭଣ୍ଡୁର କରିବାକୁ ଓ ସେଥିରୁ ରାଜନୀତିକ ଫାଇଦା ନେବାକୁ ଭାରତର ପ୍ରମୁଖ ରାଜନୀତିକ ଦଳଙ୍କ ଚକ୍ରାନ୍ତ ସଫଳ ହୋଇଥିଲା। ବିଜେପିକୁ ଚାଲି ଯାଇଥିଲେ ଭିକେ ସିଂହ ଓ କୀରଣ ବେଦୀ। ଆନ୍ନାଙ୍କୁ ଛାଡ଼ି ଅଲଗା ହୋଇଗଲେ ଅରବିନ୍ଦ କେଜ୍ରିୱାଲ, ପ୍ରଶାନ୍ତ ଭୂଷଣ ଓ ଯୋଗେନ୍ଦ୍ର ଯାଦବ। ଗଢ଼ା ଗଲା ଆମ‍୍‌ ଆଦମୀ ପାର୍ଟି। ଏଇ ଆନ୍ଦୋଳନ ଜରିଆରେ ଦିଲ୍ଲୀର ଘରେ ଘରେ ପହଂଚିଗଲା ଆପ‍୍‌। ଦୁଇ ଦୁଇ ଥର ବିପୁଳ ବିଜୟ ହାସଲ କଲା। କିନ୍ତୁ ଦଳୀୟ ଆଦର୍ଶର ଦୁଇ ପ୍ରବକ୍ତା ତଥା ଦଳର ଦୁଇ ମୂଳ ଉଦ୍ୟୋକ୍ତା ପ୍ରଶାନ୍ତ ଭୂଷଣ ଓ ଯୋଗେନ୍ଦ୍ର ଯାଦବ ଏବେ ବାହାରେ, ଆମ‍୍‌ ଆଦମୀ ପାର୍ଟିରୁ ଅନେକ ଦୂରରେ।   ନିର୍ଭୟା ଓ ଦୁର୍ନୀତି ବିରୋଧୀ ଭାରତ ଆନ୍ଦୋଳନ ଥିଲା ଦୁଇଟି ସାମାଜିକ କ୍ରାନ୍ତିର ନିଶାନ। ତା’ ପୂର୍ବରୁ ଏମିତି ଏକ ଶକ୍ତିଶାଳୀ କିନ୍ତୁ ଅର୍ଦ୍ଧସଫଳ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ବିଶ୍ୱନାଥ ପ୍ରତାପ ସିଂହ। ତତ୍କାଳୀନ ରାଜୀବ ଗାନ୍ଧୀ ସରକାରର ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ ତାଙ୍କରି ସରକାରର ମନ୍ତ୍ରୀ ତଥା ଉତ୍ତର ପ୍ରଦେଶ ମାଣ୍ଡାର ରାଜା ବିଶ୍ୱନାଥ ପ୍ରତାପ ସିଂହ। ବୋଫର୍ସ କମାଣ କିଣା ଦୁର୍ନୀତିକୁ ଅସ୍ତ୍ର କରି ସେ ଭାରତର ପ୍ରାୟ ସମସ୍ତ ରାଜନୀତିକ ଦଳ ଓ ଶକ୍ତିଙ୍କୁ ଏକଜୁଟ କରିଥିଲେ। ସମସ୍ତେ ମିଶି ୧୯୮୯ ନିର୍ବାଚନରେ କଂଗ୍ରେସକୁ ପରାସ୍ତ କରିଥିଲେ। କିନ୍ତୁ କୌଣସି ଦଳ ସରକାର ଗଠନ କରିବାକୁ ଆବଶ୍ୟକ ସଂଖ୍ୟା ପାଇ ନଥିଲେ। ତେଣୁ ଭିପିଙ୍କୁ ପ୍ରଧାନମନ୍ତ୍ରୀ କରିବା ପ୍ରସ୍ତାବକୁ ସମର୍ଥନ କରିଥିଲେ ଭାରତ ବର୍ଷର ଉଭୟ ବାମପନ୍ଥୀ ଓ ଦକ୍ଷିଣପନ୍ଥୀ ରାଜନୀତିକ ଶକ୍ତି। ଏହା ଥିଲା ସ୍ୱାଧୀନ ଭାରତ ଇତିହାସରେ ସବୁଠୁ ବଡ଼ ରାଜନୀତିକ ଚମତ୍କାର। ଭାରତୀୟ ଜନତା ପାର୍ଟି ଓ ବାମପନ୍ଥୀ ମେଣ୍ଟ ଗୋଟିଏ ସରକାରକୁ ଖୋଲାଖୋଲି ସମର୍ଥନ ଦେବା ଏବେ ବି ଭାରତୀୟ ରାଜନୀତିରେ ଏକ ବିରଳ ଉଦାହରଣ ହୋଇ ରହିଯାଇଛି।   ତେବେ ସେହି ରାଜନୀତିକ ପରୀକ୍ଷା ଥିଲା କ୍ଷଣସ୍ଥାୟୀ।   ମଣ୍ଡଳ ଓ କମଣ୍ଡଳ   ଏହି ପରିବର୍ତ୍ତନ ସମୟରେ ଭାରତୀୟ ରାଜନୀତିର ଜିନ‍୍‌ ପରିବର୍ତ୍ତନ ସହିତ ସବୁ ଦିନ ପାଇଁ କଂଗ୍ରେସକୁ ଦୁର୍ବଳ କରିବା ଉଦ୍ଦେଶ୍ୟରେ ବହୁଦିନର ଏକ ପୁରୁଣା କମିଶନ ରିପୋର୍ଟକୁ କାର୍ଯ୍ୟକାରୀ କରିବାର ନିଷ୍ପତ୍ତି ନେଲେ ବିଶ୍ୱନାଥ ପ୍ରତାପ ସିଂହ। ତାହା ଥିଲା ମଣ୍ଡଳ କମିଶନ ରିପୋର୍ଟ। ଭାରତର ପଛୁଆ ବର୍ଗର ଚିହ୍ନଟ ଓ ଉତ୍ଥାନ ପାଇଁ ବିନ୍ଧେଶ୍ୱରୀ ପ୍ରସାଦ ମଣ୍ଡଳଙ୍କ ଅଧ୍ୟକ୍ଷତାରେ ୧୯୭୯ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେସାଇ ଏହି କମିଶନ ବସାଇଥିଲେ। ୧୯୮୦ ମସିହାରେ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିଲାବେଳେ କମିଶନ ତାଙ୍କ ରିପୋର୍ଟ ପ୍ରଦାନ କରିଥିଲେ। ଶ୍ରୀମତୀ ଗାନ୍ଧୀ ତାହା କାର୍ଯ୍ୟକାରୀ କରି ନଥିଲେ। କମିଶନଙ୍କ ରିପୋର୍ଟ ଭାରତ ସରକାରଙ୍କ ହଜାର ହଜାର ଫାଇଲ ତଳେ ଚାପି ହୋଇ ରହିଥିଲା। ସାମାଜିକ ପୁନର୍ଗଠନ ବା ସୋସିଆଲ ଇଂଜିନିଅରିଂ ଜରିଆରେ ଭାରତୀୟ ରାଜନୀତିର ରୂପରେଖ ବଦଳାଇବା ଥିଲା ମଣ୍ଡଳ କମିଶନ ରିପୋର୍ଟ କାର୍ଯ୍ୟକାରୀ କରିବା ପଛର ଅସଲ ଉଦ୍ଦେଶ୍ୟ। ତାହା ସାକାର ହୋଇଛି। ୧୯୮୯ରୁ ୨୦୧୪ ଯାଏଁ ଦୀର୍ଘ ୨୫ ବର୍ଷ କାଳ ଭାରତୀୟ ରାଜନୀତି କଂଗ୍ରେସର ଏକଦଳୀୟ ଶାସନ ବ୍ୟବସ୍ଥାରୁ ମୁକ୍ତ ରହିଥିଲା। ୨୦୧୪ ମସିହାରେ ଆନ୍ନା ହଜାରେଙ୍କ ଦୁର୍ନୀତି ବିରୋଧୀ ଆନ୍ଦୋଳନରୁ ଫାଇଦା ଉଠାଇ ଭାରତୀୟ ଜନତା ପାର୍ଟି ଏହି ସ୍ଥିତିକୁ ବଦଳାବାରେ ସଫଳ ହୋଇଛି। ଜାତୀୟ ସ୍ତରରେ କଂଗ୍ରେସର ବ୍ୟାପ୍ତି ଓ ଶକ୍ତି ବହୁ ଗୁଣରେ ହ୍ରାସ ପାଇଛି। ଏହା ମଣ୍ଡଳ ରାଜନୀତିର ଶ୍ରେୟ।   ଠିକ ସେହି ସମୟରେ ଭାରତୀୟ ଜନତା ପାର୍ଟିକୁ ଅଧିକ ଶକ୍ତିଶାଳୀ କରିବା ଉଦ୍ଦେଶ୍ୟରେ ସମଗ୍ର ଦେଶରେ ରାମ ମନ୍ଦିର ନିର୍ମାଣ ପାଇଁ ରଥଯାତ୍ରା ଆରମ୍ଭ କରିଥିଲେ ଦଳର ତତ୍କାଳୀନ ସଭାପତି ଲାଲକୃଷ୍ଣ ଆଡ଼ଭାନୀ। ଭାରତର ଗୋଟିଏ ପରେ ଗୋଟିଏ ରାଜ୍ୟରେ ରାଜନୀତିକ ଉଦ୍ଦେଶ୍ୟରେ ହିନ୍ଦୁତ୍ୱର ମଂଜି ବୁଣିଥିଲେ ଆଡ଼ଭାନୀ। ବିହାରରେ ତାଙ୍କୁ ଗିରଫ କରାଗଲା। ବିଜେପି ସମର୍ଥନ ପ୍ରତ୍ୟାହାର କଲା। ଲୋକସଭାରେ ଆସ୍ଥା ହରାଇଲେ ଭିପି। କିନ୍ତୁ ଆଡ଼ଭାନୀଙ୍କର ଏହି ହିନ୍ଦୁତ୍ୱବାଦୀ ଅଭିଯାନ ଭାରତୀୟ ଜନତା ପାର୍ଟିର ଶକ୍ତି ଓ ସଂଗଠନ ବୃଦ୍ଧିରେ ଯଥେଷ୍ଟ ସହାୟକ ହେଲା। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଓ ଭାରତୀୟ ଜନତା ପାର୍ଟିର ହିନ୍ଦୁତ୍ୱବାଦୀ ସଂପ୍ରସାରଣ ଦେଶରେ ଏକ ସାମାଜିକ ସାଂସ୍କୃତିକ ଓ ରାଜନୀତିକ ପରିବର୍ତ୍ତନ ଆଣିବାରେ ସଫଳ ହେବା ସହିତ ଆଜି ତାହାର ପରିଣାମ ହୋଇଛି ମୋଦି ସରକାର। ଅବଶ୍ୟ ଏହି ଆନ୍ଦୋଳନର ମହାରଥୀ ଆଡ଼ଭାନୀ ଏବେ ବିସ୍ମୃତିଗାମୀ।   ସଂପୂର୍ଣ୍ଣ କ୍ରାନ୍ତି   ମଣ୍ଡଳ ଓ କମଣ୍ଡଳ ଆନ୍ଦୋଳନର ବହୁ ପୂର୍ବରୁ ସ୍ୱାଧୀନ ଭାରତରେ ପ୍ରଥମ ଜନ ବିପ୍ଳବର ଧ୍ୱଜା ଉଡ଼ାଇଥିଲେ ଲୋକନାୟକ ଜୟପ୍ରକାଶ ନାରାୟଣ। ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ଜରୁରୀକାଳୀନ ପରିସ୍ଥିତିକୁ ବିରୋଧ କରି ଜୟପ୍ରକାଶ ଆରମ୍ଭ କରିଥିଲେ ସଂପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନ। ତାଙ୍କ ନେତୃତ୍ୱରେ ଏକଜୁଟ ହୋଇଥିଲେ ଭାରତବର୍ଷର ସମସ୍ତ ସମାଜବାଦୀ ରାଜନୀତିକ ଶକ୍ତି। ତାହାକୁ ସମର୍ଥନ କରିଥିଲେ ତତ୍କାଳୀନ ଦକ୍ଷିଣପନ୍ଥୀ ଦଳ ଭାରତୀୟ ଜନସଂଘ। ଜୟପ୍ରକାଶଙ୍କ ଏହି ଆନ୍ଦୋଳନରୁ ସୃଷ୍ଟି ହୋଇଥିଲା ଜନତା ପାର୍ଟି। ପ୍ରଥମ ଥର ପାଇଁ ଜନତା ପାର୍ଟି ହାତରେ ପରାସ୍ତ ହୋଇଥିଲେ ସେ ସମୟର ସବୁଠୁ କ୍ଷମତାଶାଳୀ ରାଜନେତ୍ରୀ ଇନ୍ଦିରା ଗାନ୍ଧୀ।   ଦଳହୀନ ରାଜନୀତିର ସ୍ୱପ୍ନ ଦେଖିଥିବା ଜୟପ୍ରକାଶଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ସେତେବେଳେ ଅନେକ ଯୁବକ ଉଚ୍ଚଶିକ୍ଷା ଓ ଚାକରି ଛାଡ଼ି ରାଜନୀତିରେ ଯୋଗଦେଇଥିଲେ। ସେମାନଙ୍କ ମଧ୍ୟରେ ମୁଲାୟମ ସିଂହ ଯାଦବ, ଲାଲୁ ଯାଦବ, ଶରଦ ଯାଦବ, ନୀତୀଶ କୁମାର ପ୍ରମୁଖ ଅନ୍ୟତମ। ଜୟପ୍ରକାଶ ନାରାୟଣ ସମାଜବାଦୀ ଆଦର୍ଶରେ ଅନୁପ୍ରାଣୀତ ହୋଇଥିଲେ ହେଁ ଭାରତରେ ଏହି ଆଦର୍ଶର ପ୍ରତିଷ୍ଠା ଓ ସଂପ୍ରସାରଣ କ୍ଷେତ୍ରରେ ରାମ ମନୋହର ଲୋହିଆ, ଆଚାର୍ଯ୍ୟ ନରେନ୍ଦ୍ର ଦେବ, ଆଚାର୍ଯ୍ୟ କୃପାଳିନୀ ପ୍ରମୁଖଙ୍କ ନାମ ବିଶେଷ ଉଲ୍ଲେଖଯୋଗ୍ୟ। ଏମାନେ ଭାରତର ନେତୃତ୍ୱ ନେବାକୁ ସମର୍ଥ ହୋଇନଥିଲେ ମଧ୍ୟ ଭାରତୀୟ ଜନଗୋଷ୍ଠୀଙ୍କ ପାଇଁ ଆଜି ବି ଆଦର୍ଶ ହୋଇ ରହିଛନ୍ତି।   ଭୂଦାନ   ସ୍ୱାଧୀନ ଭାରତର ସବୁଠୁ ଶକ୍ତିଶାଳୀ ଓ କଲ୍ୟାଣକାରୀ ସାମାଜିକ ଆନ୍ଦୋଳନର ପ୍ରତିଷ୍ଠାତା ଓ ପ୍ରଚାରକ ଥିଲେ ଆଚାର୍ଯ୍ୟ ବିନୋବା ଭାବେ। ଏହି ଗାନ୍ଧୀବାଦୀ ନେତାଙ୍କର ଭୂଦାନ ଆନ୍ଦୋଳନ ଭାରତରେ ଏକ ସାମ୍ୟବାଦୀ ସମତାବାଦୀ ସମାଜ ଗଠନ ଦିଗରେ ଅଭିପ୍ରେତ ଥିଲା। ଧନୀ-ଦରିଦ୍ର ମଧ୍ୟରେ ବୃଦ୍ଧି ପାଉଥିବା ଉତ୍କଟ ବ୍ୟବଧାନରୁ ସୃଷ୍ଟି ହୋଇଥିବା ଉଗ୍ର ବାମପନ୍ଥୀ ବିପ୍ଳବ ବିରୋଧରେ ଏହା ଥିଲା ବିନୋବାଙ୍କ ଉଦ୍ଭାବିତ ସାମାଜିକ ଅସ୍ତ୍ର ଯାହା ଗାନ୍ଧୀଙ୍କ ଶାନ୍ତି ଓ ଅହିଂସା ଉପରେ ଆଧାରିତ। ୧୯୫୧ ମସିହା ଏପ୍ରିଲ ୧୮ ତାରିଖରେ ଆନ୍ଧ୍ର ପ୍ରଦେଶର ନାଲଗୋଣ୍ଡା ଜିଲ୍ଲାର ପୋଚମପାଲି ଗାଁରୁ ଆରମ୍ଭ ହୋଇଥିଲା ବିନୋବାଙ୍କ ଭୂଦାନ ଆନ୍ଦୋଳନ। ସେତେବେଳେ ଏହି ଅଂଚଳରେ ଉଗ୍ର କମ୍ୟୁନିଷ୍ଟ ଆନ୍ଦୋଳନ ଦାନା ବାନ୍ଧିଥିଲା। ବିନୋବାଙ୍କ ଆହ୍ୱାନରେ ଏହି ଗାଁର ଜଣେ ଜମି ମାଲିକ ରାମଚନ୍ଦ୍ର ରେଡ୍ଡି ସେହି ଗାଁର ହରିଜନଙ୍କ ପାଇଁ ୧୦୦ ଏକର ଜମି ଦାନ କରିଥିଲେ। ଏହି ବାର୍ତ୍ତା ଏତେ ପ୍ରଭାବଶାଳୀ ଓ ପ୍ରେରଣାଦାୟକ ଥିଲା ଯେ ଭାରତର ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ହଜାର ହଜାର ସାମାଜିକ ରାଜନୀତିକ କର୍ମୀ ବିନୋବାଙ୍କ ଭୂଦାନ ଆନ୍ଦୋଳନରେ ସାମିଲ ହୋଇ ଭାରତରେ ଏକା ସାମ୍ୟବାଦୀ ସମାଜବାଦୀ ସମତାଭିତ୍ତିକ ସମାଜ ପ୍ରତିଷ୍ଠା ପାଇଁ ନିଷ୍ଠାପର ଉଦ୍ୟମ ଚଳାଇଥିଲେ। ବିନୋବା କିନ୍ତୁ ମହାତ୍ମା ଗାନ୍ଧୀଙ୍କ ପରି ପ୍ରତ୍ୟକ୍ଷ ରାଜନୀତିରୁ ଦୂରେଇ ରହି ସନ୍ନ୍ୟାସୀ ଜୀବନ ଗ୍ରହଣ କରିଥିଲେ। ତାଙ୍କ ଅନୁଗାମୀମାନେ ମଧ୍ୟ କ୍ଷମତା ରାଜନୀତିକୁ ତୁଚ୍ଛ କରି ସଂରଚନାତ୍ମକ ସାମାଜିକ କାର୍ଯ୍ୟରେ ସାରା ଜୀବନ ନିୟୋଜିତ ରହିଥିଲେ। ୧୯୯୦ ଯାଏଁ ପ୍ରଭାବଶାଳୀ ଥିବା ଭୂଦାନ ଆନ୍ଦୋଳନ ଭାରତୀୟ ଅର୍ଥନୀତିର ସଂସ୍କାର ଓ ଜଗତୀପରଣ ପରେ ପ୍ରାସଙ୍ଗିକତା ହରାଇ ଏବେ ନିଶ୍ଚିହ୍ନ ପ୍ରାୟ।   ପରିବେଶ   ସ୍ୱାଧୀନ ଭାରତରେ ସାମାଜିକ ଓ ରାଜନୀତିକ ଅଭ୍ୟୁଦୟ ନେଇ ଏପରି କେତେକ ମହାନ ବିପ୍ଳବ ସଂଗଠିତ ହେବା ସମୟ ଭିତରେ ବିକାଶର ବିନାଶ ପ୍ରକ୍ରିୟାର ପ୍ରତିକ୍ରିୟା ସ୍ୱରୂପ ଆରମ୍ଭ ହୋଇଥିଲା ଅନ୍ୟ ଏକ ଆନ୍ଦୋଳନ। ମୁଖ୍ୟତଃ ସାମାଜିକ ଓ ସାଂସ୍କୃତିକ ସ୍ତରରେ ସୀମୀତ ରହିଥିବା ଏହି ଆନ୍ଦୋଳନର ପ୍ରଭାବ ଥିଲା ସୁଦୂର ପ୍ରସାରୀ। ଭାରତୀୟ ପ୍ରକୃତି ଓ ପରିବେଶର ସୁରକ୍ଷା ପାଇଁ ଅଭିପ୍ରେତ ଏହି ଆନ୍ଦୋଳନର ପ୍ରଥମ ପରିପ୍ରକାଶ ଘଟିଥିଲା ହିମାଳୟରେ। ଚିପ‍୍‌କୋ ଆନ୍ଦୋଳନ ନାମରେ ଖ୍ୟାତ ଏହି ଆନ୍ଦୋଳନର ଉଦ୍ୟୋକ୍ତା ଥିଲେ ଚଣ୍ଡିପ୍ରସାଦ ଭଟ୍ଟ ଓ ସୁନ୍ଦରଲାଲ ବହୁଗୁଣା। ୧୯୭୦ ଦଶକରେ ହିମାଳୟର ଗଡ଼ୱାଲ ଅଂଚଳରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ପରବର୍ତ୍ତୀ ସମୟରେ ଦେଶର ବିଭିନ୍ନ ଭାଗରେ ପରିବେଶ ସୁରକ୍ଷା ଆନ୍ଦୋଳନ ପାଇଁ ପ୍ରେରଣାଦାୟକ ହୋଇଥିଲା। ତଥାକଥିତ ବିକାଶ ପାଇଁ ଅବିଚାରିତ ଜଙ୍ଗଲ ସଫା ବିରୋଧରେ ଏହା ଥିଲା ସବୁଠୁ ଶକ୍ତିଶାଳୀ ଜନ ଆନ୍ଦୋଳନ।   ଏହା ପରେ ୧୯୭୮ ମସିହାର ସାଇଲେଣ୍ଟ ଭ୍ୟାଲି ଆନ୍ଦୋଳନ, ୧୯୮୦ ମସିହାର ଜଙ୍ଗଲ ବଂଚାଅ ଆନ୍ଦୋଳନ, ୧୯୮୨ ମସିହାର ନବଦାନ୍ୟ ଆନ୍ଦୋଳନ, ୧୯୮୫ ମସିହାର ନର୍ମଦା ବଂଚାଅ ଆନ୍ଦୋଳନ ଭାରତରେ ପରିପୋଷଣୀୟ ବିକାଶ ଚିନ୍ତା ପାଇଁ ପଥ ପ୍ରସ୍ତୁତ କରିଥିଲା। ଏହିସବୁ ଆନ୍ଦୋଳନର ଫଳଶ୍ରୁତି ହେଉଛି ୧୯୮୦ ମସିହାର ଜଙ୍ଗଲ ସଂରକ୍ଷଣ ଆଇନ, ୧୯୮୬ ମସିହାର ପରିବେଶ ସୁରକ୍ଷା ଆଇନ ଏବଂ ଏ ଦୁଇ ଆଇନରେ ହୋଇଥିବା ଅନେକ ଗୁରୁତ୍ବପୂର୍ଣ୍ଣ ସଂଶୋଧନ।     ଜମି ଅଧିକାର   ବିକାଶ ବନାମ ବିନାଶର ଏହି ସଂଘର୍ଷ ଭିତରେ ଓଡ଼ିଶାରେ ସୃଷ୍ଟି ହୋଇଥିବା ଅନ୍ୟ ଏକ ଆନ୍ଦୋଳନ ସମଗ୍ର ବିଶ୍ୱକୁ ଦିଗଦର୍ଶନ ଦେବାରେ ସଫଳ ହୋଇଛି। ଶିଳ୍ପ ପାଇଁ ବାଛବିଚାରହୀନ ଜମି ଅଧିଗ୍ରହଣ ବିରୋଧରେ ଯାଜପୁରର କଳିଙ୍ଗନଗରରେ ସଂଘଟିତ ହୋଇଥିବା ଆନ୍ଦୋଳନରେ ୨୦୦୬ ଜାନୁଆରୀରେ ୧୪ ଜଣ ଆଦିବାସୀ ପୁଲିସ ଗୁଳିରେ ପ୍ରାଣ ହରାଇବା ପରେ ବଦଳି ଯାଇଥିଲା ଭାରତର ଜମି ଅଧିଗ୍ରହଣ ଆଇନ ଓ ପ୍ରଣୀତ ହୋଇଥିଲା ଜଙ୍ଗଲ ଜମି ଅଧିକାର ଆଇନ। ଏ ଦୁଇଟି ଆଇନର ପ୍ରଭାବ ଅତ୍ୟନ୍ତ ସୁଦୂର ପ୍ରସାରୀ। କଳିଙ୍ଗନଗର ଜମି ଅଧିଗ୍ରହଣ ବିରୋଧରେ ଆନ

Share :