ଇନ୍ଦ୍ରାବତୀ ଜଳସ୍ତର ବଢ଼ିଲା

ଇନ୍ଦ୍ରାବତୀ ଜଳସ୍ତର ବଢ଼ିଲା

Share :

  ଗତ ବର୍ଷ ବର୍ଷା ଅଭାବ କାରଣରୁ ପ୍ରଭାବିତ ହେଇଥିଲା ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର। ଚଳିତ ବର୍ଷ ମଧ୍ୟ ବର୍ଷା ଆରମ୍ଭରୁ ଚାଷୀ ଅନିୟମିତତା ବର୍ଷା କାରଣରୁ ହତାଶ ହେଇ ପଡିଥିଲେ। ଜୁଲାଇ ମାସରେ ନୈରାଶ୍ୟଜନକ ସ୍ଥିତି ସୃଷ୍ଟି ହେଇଥିଲା। ଶ୍ରାବଣର ଅଧା ଦିନ ବିତିବା ପରେ ହଠାତ‌୍‍ ଲଘୁ ଚାପ ସୃଷ୍ଟି ହେବାରୁ ମୌସୁମୀ ପୁଣି ସକ୍ରିୟ ହେଲା। ବର୍ତ୍ତମାନ ଇନ୍ଦ୍ରାବତୀ ଉପର ମୁଣ୍ଡରେ ବର୍ଷାର ପ୍ରଭାବ କାରଣରୁ ଇନ୍ଦ୍ରାବତୀ ଜଳ ଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବା କଳାହାଣ୍ଡି ଧର୍ମଗଡ ଉପଖଣ୍ଡର ଚାଷୀଙ୍କ ପାଇଁ ଖୁସିର ଖବର ଆଣି ଦେଇଛି।   ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ପ୍ରାୟ ୪ ମିଟର ଜଳସ୍ତର ବୃଦ୍ଧି ପାଇଛି। ଜଳବିଦ୍ୟୁତ‌୍‍ ପ୍ରକଳ୍ପ ମୁଖିଗୁଡାଠାରୁ ପ୍ରାପ୍ତ ସୂଚନା ଅନୁସାରେ ଗତ ୬.୮.୨୦୧୫ ଦିନ ଇନ୍ଦ୍ରାବତୀ ଜଳ ଭଣ୍ଡାରର ଜଳସ୍ତର ୬୨୯.୯୮ ମିଟର ଥିବା ବେଳେ ଚଳିତ ବର୍ଷ ଏହି ତାରିଖରେ ୬୩୪.୪୩ ରହିଛି। ଏହାସହ ଜଳ ବିଦ୍ୟୁତ‌୍‍ ଉତ୍ପାଦନ ମଧ୍ୟ ସ୍ୱାଭାବିକ ରହିଛି। ଅଗଷ୍ଟ ୫ ତାରିଖରୁ ୭ ତାରିଖ ଭିତରେ ୨୪ ଘଣ୍ଟା ମଧ୍ୟରେ ୪ ଟି ୟୁନିଟକୁ କାର୍ଯ୍ୟକ୍ଷମ କରାଯାଇ ଘଣ୍ଟା ପ୍ରତି ୧୪୦.୭୫ ମେଗାୱାଟ ହାରରେ ବିଦ୍ୟୁତ‌୍‍ ଉତ୍ପାଦନ କରାଯାଇଥିବା ବେଳେ ୬୯.୮୦୬ କ୍ୟୁମେକ୍ସ ପାଣି ବ୍ୟବହାର କାରାଯାଇଥିଲା।   ଏହି ପାଣିଦ୍ୱାରା ମଙ୍ଗଳପୁର ହାତୀ ବ୍ୟାରେଜର ଜଳସ୍ତରରେ ମଧ୍ୟ ବୃଦ୍ଧି ଘଟିଛି। ସର୍ବୋଚ୍ଚ ୨୬୫ ମିଟର ଜଳଧାରଣ କ୍ଷମତା ଥିବା ଏହି ବ୍ୟାରେଜର ଜଳସ୍ତର ୨୬୪.୮୦ ମିଟରରେ ପହଂଚିଛି। ଏହି ବ୍ୟାରେଜରୁ ବାମ ମୁଖ୍ୟ କେନାଲ ମାଧ୍ୟମରେ ୨୬.୯୬ କ୍ୟୁମେକ୍ସ ପାଣି ଜଳ ସେଚନ ପାଇଁ ଛଡାଯାଇଥିବା ବେଳେ ଦକ୍ଷିଣ ମୁଖ୍ୟ କେନାଲ ମାଧ୍ୟମରେ ୦୨.୯୭ କ୍ୟୁମେକ୍ସ ପାଣି ଛଡାଯାଇଛି। ଏହାସହ ବଳକା ୧୮୭.୦୩ କ୍ୟୁମେକ୍ସ ପାଣି ହାତି ନଦୀରେ ନିଷ୍କାସିତ କରାଯାଉଛି। ଜଳ ବିଦ୍ୟୁତ‌୍‍ ଉତ୍ପାଦନ ଓ ଜଳ ପରିଚାଳନା ଯଦି ଠିକ‌୍‍ ରହେ ତେବେ ଆଗାମୀ ଦିନରେ ରବି ଫସଲ ପାଇଁ ଜଳ ଅଭାବ ଦେଖା ଦେବ ନାହଁି। ଏଥି ପାଇଁ ଉଭୟ ବିଭାଗ ମଧ୍ୟରେ ସମନ୍ୱୟ ରହିଲେ ଚାଷୀ ଉପକୃତ ହେଇ ପାରିବେ।

Share :