କିଟ୍‌ରେ ବିଶ୍ୱ ଜୁନିଅର ଚେସ‌୍‍ ଉଦ‍୍‌ଘାଟିତ

କିଟ୍‌ରେ ବିଶ୍ୱ ଜୁନିଅର ଚେସ‌୍‍ ଉଦ‍୍‌ଘାଟିତ

Share :

  କିଟ‌୍‍ ବିଶ୍ୱବିଦ୍ୟାଳୟ ପରିସରରେ ରବିବାର ଫିଡେ ବିଶ୍ୱ ଜୁନିଅର ଚେସ‌୍‍ ଚାମ୍ପିଅନ‌୍‍ସିପ‌୍‍-୨୦୧୬ (୨୦ ବର୍ଷରୁ କମ‌୍‍ ବାଳକ ଓ ବାଳିକା ବର୍ଗ) ଉଦ‍୍‌ଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ‍୍‌ଘାଟନ କରି କହିଲେ, ଓଡ଼ିଶା ସରକାର କ୍ରୀଡ଼ାବିତ୍ ଓ କ୍ରୀଡ଼ା ଭିତ୍ତିଭୂମିର ବିକାଶକୁ ଗୁରୁତ୍ୱ ପ୍ରଦାନ କରିଆସୁଛନ୍ତି। ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ସଫଳ କ୍ରୀଡ଼ାବିତଙ୍କୁ ସିଧାସଳଖ ଭାବେ ସରକାରୀ ଚାକିରିରେ ନିଯୁକ୍ତି ପ୍ରଦାନ କରାଯାଉଛି। ଏହା ଛଡ଼ା ସେମାନଙ୍କ ପ୍ରୋତ୍ସାହନ ରାଶି ମଧ୍ୟ ବୃଦ୍ଧି କରାଯାଇଛି। ଓଡ଼ିଶାରେ ବିଶେଷ କରି କିଟ‍୍‌ ବିଶ୍ୱବିଦ୍ୟାଳୟରେ ଏକ ବିଶ୍ୱସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବାରୁ ସେ କିଟ‍୍‌ କର୍ତ୍ତୃପକ୍ଷଙ୍କୁ ସାଧୁବାଦ ଜଣାଇଥିଲେ।   କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ଡ. ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଆନ୍ତର୍ଜାତୀୟ ଚେସ‍୍‌ ସଂଗଠନ- ଫିଡେର ଉପସଭାପତି ଡି. ଭି. ସୁନ୍ଦର, ଟୁର୍ଣ୍ଣାମେଣ୍ଟ ନିଦ୍ଦେର୍ଶକ ଶେଖର ଚନ୍ଦ୍ର ସାହୁ (ଆଇଏମ‍୍‌), ଏସିଆନ‍୍‌ ଚେସ‍୍‌ ଆସୋସିଏସନ‍୍‌ର ଅଧ୍ୟକ୍ଷ ଭରତ ସିଂହ ଚୌହାନ, କିଟ‍୍‌ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପି ପି ମାଥୁର ଓ କୁଳସଚିବ ଡ. ସସ୍ମିତାରାଣୀ ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଥମ ଥର ଲାଗି ପୂର୍ବଭାରତ ତଥା ଓଡ଼ିଶାର କିଟ‍୍‌ରେ ସର୍ବଭାରତୀୟ ଚେସ‌୍‍ ମହାସଂଘ ଓ ଫିଡେର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତଥା ନିଖିଳ ଓଡ଼ିଶା ଚେସ‌୍‍ ଆସୋସିଏସନ‌୍‍ ସହଯୋଗରେ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଉଛି। ୧୫ ଦିନ ଧରି ଚାଲିବାକୁ ଥିବା ଏହି ଚାମ୍ପିଅନ‍୍‌ସିପ‍୍‌ରେ ୫୫ଟି ଦେଶରୁ ୨୦୦ରୁ ଊର୍ଦ୍ଧ୍ୱ ଖେଳାଳି ଓ ଅଫିସିଆଲ‍୍‌ ଯୋଗଦେଇଛନ୍ତି। ୨୧ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଉଦ‌୍‍ଯାପନୀ ଉତ୍ସବରେ ରାଜ୍ୟପାଳ ଡ଼. ଏସ‌୍‍.ସି. ଜମିର‌୍‍ ମୁଖ୍ୟ ଅତିଥିଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।   ଏହି ଟୁର୍ଣ୍ଣାମେଣ୍ଟ‌୍‍ ସୁଇସ‌୍‍ ଲିଗ‌୍‍ ଫର୍ମାଟ‌୍‍ରେ ୧୩ ରାଉଣ୍ଡ‌୍‍ରେ ଖେଳାଯିବାକୁ ଥିବାବେଳେ ପ୍ରତ୍ୟେକ ଦିନ ଗୋଟିଏ ଲେଖାଏଁ ରାଉଣ୍ଡ‌୍‍ ଖେଳାଯିବ। ଉଭୟ ବାଳକ ଓ ବାଳିକା ବର୍ଗରେ ବିଜେତା ମାନଙ୍କୁ ଗ୍ରାଣ୍ଡ‌୍‍ ମାଷ୍ଟର (ଜିଏମ‌୍‍) ଓ ମହିଳା ଗ୍ରାଣ୍ଡ‌୍‍ ମାଷ୍ଟର (ଡ଼ବ୍ଲ୍ୟୁ ଜିଏମ‌୍‍) ଘୋଷଣା କରାଯିବ। ଫଳରେ ବିଜେତା ଖେଳାଳିମାନେ ଆଗାମୀ ଚେସ‌୍‍ ବିଶ୍ୱକପ‌୍‍ରେ ଭାଗ ନେବା ପାଇଁ ଯୋଗ୍ୟତା ଅର୍ଜନ କରିପାରିବେ। ଏହା ଛଡ଼ା ଏହି ଟୁର୍ଣ୍ଣାମେଣ୍ଟ‌୍‍ରେ ଭାଗ ନେଉଥିବା ଖେଳାଳିମାନେ ସେମାନଙ୍କର ପ୍ରଦର୍ଶନକୁ ଭିତ୍ତିକରି ମଧ୍ୟ ଗ୍ରାଣ୍ଡ‌୍‍ ମାଷ୍ଟର (ଜିଏମ‌୍‍), ଇଣ୍ଟରନ୍ୟାସ‌୍‍ନାଲ‌୍‍ ମାଷ୍ଟର (ଆଇଏମ‌୍‍), ମହିଳା ଗ୍ରାଣ୍ଡ‌୍‍ ମାଷ୍ଟର (ଡ଼ବ୍ଲ୍ୟୁ ଜିଏମ‌୍‍), ମହିଳା ଆନ୍ତର୍ଜାତୀୟ ମାଷ୍ଟର (ଡ଼ବ୍ଲ୍ୟୁ ଆଇଏମ‌୍‍) ମାନ୍ୟତା ହାସଲ କରିପାରିବେ। ଏହା କିଟ‌୍‍ ତଥା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ।   ୨୦୧୪ ପରେ ୨୦୧୬ରେ ପୁଣି ଥରେ ଭାରତରେ ଚତୁର୍ଥ ଥର ପାଇଁ ପୂର୍ବାଞ୍ଚଳରେ ତଥା ଓଡ଼ିଶାରେ ପ୍ରଥମ ଥର ଏହି ଚାମ୍ପିଅନ‍୍‌ସିପ ଆୟୋଜନ ହେଉଛି। ପୂର୍ବରୁ ଚେନ୍ନାଇ, ପୁନେ ଓ କାଲିକଟଠାରେ ଏହି ଚମ୍ପିଆନ‍୍‌ସିପ‍୍‌ ଆୟୋଜିତ ହୋଇଥିଲା। ଇଣ୍ଟରନେଟ‌୍‍ ମାଧ୍ୟମରେ ସମଗ୍ର ବିଶ୍ୱରେ ଏହି ଟୁର୍ଣ୍ଣାମେଣ୍ଟ‌୍‍ର ସିଧା ପ୍ରସାରଣ କରାଯିବାର ବ୍ୟବସ୍ଥା ହୋଇଛି।

Share :