ବୁଦ୍ଧିଆ- ବର୍ଣ୍ଣ ଟୁ ରନ‍୍‌

ବୁଦ୍ଧିଆ- ବର୍ଣ୍ଣ ଟୁ ରନ‍୍‌

Share :

  ବଣ ମଲ୍ଲୀ ବଣରେ ଫୁଟେ, କେବେ ସେ ଚିନ୍ତା କରିନି ତା’ ସୁଗନ୍ଧ ବାସ୍ନାରେ ସମାଜକୁ ବିମୋହିତ କରିବ। ପାହାଡ, ପର୍ବତ ଓ ଘଞ୍ଚ ଜଙ୍ଗଲରେ ଫୁଟିଥିବା ଫୁଲଟି ସଦାବେଳେ ସମାଜର ଆଢୁଆଳରେ ରହିଯାଏ। ଏମିତି କେତେ ଫୁଲ ଫୁଟେ ସେହି ବଣରେ ମଉଳିଯାଏ। କାହିଁକି କେଜାଣି ସେହି ମଲ୍ଲୀ ଦିନେ ବଣରେ ଫୁଟି ବାସ ଚହଟାଏ। ତା’ର ବାସ୍ନାରେ ବାଣ୍ଟିଚାଲେ ଯୁବପୀଢିଙ୍କୁ ସୁନ୍ଦର ବାସ୍ନା। ଏପରି ଏକ ଉଦାହରଣ ସୃଷ୍ଟି କରିଥିଲା ଓଡ଼ିଶାର ସର୍ବବୃହତ ସାଲିଆ ସାହି ବସ୍ତିର ବିସ୍ମୟ ଧାବକ ବୁଦ୍ଧିଆ ସିଂହ। ବୁଦ୍ଧିଆ ମଲ୍ଲୀ ଫୁଲଟିଏ ପରି ବଣରେ ଫୁଟି ସାରା ବିଶ୍ୱକୁ ଚକିତ କରିଛି। ତା’ ଚରିତ୍ରକୁ ନେଇ ବଲିଉଡ‌୍‍ ଓ ହଲିଉଡ‌୍‍ ଜଗତରେ ଗୋଟିଏ ପରେ ଗୋଟିଏ ଫିଲ୍ମ ନିର୍ମାଣ ହେବାରେ ଲାଗିଛି।   ବୁଦ୍ଧିଆର କାହାଣୀ ଉପରେ ନିର୍ମିତ ବର୍ଣ୍ଣ ଟୁ ରନ‌୍‍ ଅଗଷ୍ଟ ୫ ତାରିଖରେ ମୁକ୍ତିଲାଭ କରିଛି। ବିସ୍ମୟ ଧାବକ ବୁଦ୍ଧିଆ ସିଂହର ମାରାଥନ ଚରିତ୍ରକୁ ନେଇ ଏହି ଫିଲ୍ମଟି ନିର୍ମାଣ କରାଯାଇଛି। ଓଡ଼ିଆ ପୁଅ ସୌମେନ୍ଦ୍ର ପାଢୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ହୋଇଛି ଏହି ଫିଲ୍ମ। ଭାଇକମ‌୍‍ ୧୮ ମୋସନ‌୍‍ ପିକ‌୍‍ର୍ଚରସ‌୍‍ର ଫିଲ୍ମ ବ୍ୟାନରରେ ଫିଲ୍ମଟ ପ୍ରଯୋଜିତ ହୋଇଛି। ନିର୍ଦ୍ଦେଶନା ଓ ଚିତ୍ରନାଟ୍ୟ ସୌମେନ୍ଦ୍ର ପାଢୀ ଦେଇଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବଲିଉଡ଼ର ଖ୍ୟାତି ସଂପନ୍ନ ସଙ୍ଗୀତ ନିର୍ଦ୍ଦେଶକ ସିଦ୍ଧାନ୍ତ ମାଥୁର ଓ ଈଶାନ ଛାବ୍ରା। ଚଳଚିତ୍ରକୁ ସମ୍ପାଦନା କରିଛନ୍ତି ଶିବକୁମାର ଭି. ପନିକକେର। ଫିଲ୍ମରେ ଓଡ଼ିଆ ଭାଷା ମଧ୍ୟ ବ୍ୟବହାର କରାଯାଇଛି। ପୁଣି ଏଥିରେ ଓଡ଼ିଶାର ଗାୟକ ଋତୁରାଜ ମହାନ୍ତିଙ୍କୁ ସୁନାପୁଅ ତୁ ଦୌଡ ଦୌଡ ଗୀତରେ ଶୁଣିବାକୁ ମିଳୁଛି। ଓଡିଆ ଭାଷା ଓ ବୁଦ୍ଧିଆର ଚରିତ୍ରକୁ ଜାତୀୟ ଓ ଅନ୍ତଜାର୍ତୀୟ ସ୍ତରରେ ଫିଲ୍ମ ମାଧ୍ୟମରେ ସୌମେନ୍ଦ୍ର ପହଂଚାଇ ପାରିଛନ୍ତି। ଫିଲ୍ମରେ ଦୁଇଟି ସଙ୍ଗୀତ ପରିବେଷଣ କରାଯାଇଛି। ପ୍ରଥମ ସଙ୍ଗୀତଟି ଆରହାନ‌୍‍ ଖାନ‌୍‍ ଓ ସିଦ୍ଧାର୍ଥ ମହାଦେବନ‌୍‍ ମିଶି ୨ ମିନିଟ  ୩୧ ସେକେଣ୍ଡ ଧରି ଗାଇଛନ୍ତି। ଦ୍ୱିତୀୟ ସଙ୍ଗୀତଟି ସୁନାପୁଅ ତୁ ଦୌଡ ଦୌଡ ଗୋପାଳ ଦ ଲେଖିଥିବା ବେଳେ ଏହାକୁ ଋତୁରାଜ ୨ ମିନିଟ ୧୨ ସେକେଣ୍ଡରେ ଗାଇଛନ୍ତି। ସମୁଦାୟ ଫିଲ୍ମଟିରେ ୪ ମିନିଟ‌୍‍ ୪୩ ସେକେଣ୍ଡର ସଙ୍ଗୀତ ପରିବେଷଣ କରାଯାଇଛି।   ଫିଲ୍ମରେ ବୁଦ୍ଧିଆ ସିଂହ ଚରିତ୍ରରେ  ଶିଶୁ କଳାକାର ମୟୁର ପଟେଲ  ଅତି ଚମତ୍କାର ଅଭିନୟ କରିଛନ୍ତି। ବୁଦ୍ଧିଆ କୋଚ ବିରଞ୍ଛି ଦାଶ ଭୂମିକାରେ  ମନୋଜ ବାଜପେୟୀ, ବୁଦ୍ଧିଆର ମା’ ସୁକାନ୍ତି ଭୂମିକାରେ ତିଳୋତ୍ତମା ସୋମେ ଅଭିନୟ କରିଛନ୍ତି। ସେହିପରି ଅନ୍ୟ ଚରିତ୍ରଗୁଡିକରେ ଗୀତା, ରଞ୍ଜନ ଭିସେ, ଗଜରାଜ ରାଓ, ଗୋପାଲ ସିଂହ, ଛାୟା କାଦମ, ଶ୍ରୁତି ମାରଥେ ଅଭିନୟ ପାଇଛନ୍ତି।  ପୁଣି ଫିଲ୍ମରେ ଦୁଇଜଣ ସାମ୍ୱାଦିକଙ୍କ ଭୂମିକା ଦେଖିବାକୁ ମିଳିଛି। ସାମ୍ୱାଦିକ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ପୁଷ୍କରାଜ ଚିପ୍ରୁଟକର ଓ ସୟଲେ ପଥାକ। ଫିଲ୍ମର ଟାଇଟେଲ ସଙ୍ଗୀତ ସହ ବୁଦ୍ଧିଆ ଚରିତ୍ରରେ ଅଭିନୟ କରିବାକୁ ନିର୍ଦ୍ଦେଶକ ସୌମେନ୍ଦ୍ର ପାଢୀ ଓଡ଼ିଶା, ଛତିଶଗଡ, ପୁନେ, ଦିଲ୍ଲୀ ଓ ମୁମ୍ୱାଇ ସହରରୁ ପ୍ରାୟ ୧୨୦୦ ଶିଶୁଙ୍କୁ ଖୋଜିଥିଲେ। ସେମାନଙ୍କ ମଧ୍ୟରୁ ସେ ମୟୂର ପଟେଲଙ୍କୁ  ବୁଦ୍ଧିଆ ଚରିତ୍ର ପାଇଁ ମନୋନୀତ କରିଥିଲେ।   ବୁଦ୍ଧିଆ ସିଂହ  ଜନ୍ମର ଦୁଇବର୍ଷରେ ତା’ ବାପା ମୃତ୍ୟୁ ବରଣ କରିଥିଲା। ମା’ ସୁକାନ୍ତି ଆର୍ଥିକ ଅନାଟନ ଭିତରେ ଗତି କରୁଥିବାରୁ ସେ ଶିଶୁର ଯତ୍ନ ନେଇ ପାରି ନଥିଲେ। ଅର୍ଥ ଅଭାବରୁ ସୁକାନ୍ତି ବୁଦ୍ଧିଆକୁ ମାତ୍ର ୪ ବର୍ଷ ବୟସରେ ୮୦୦ ଟଙ୍କାରେ ଜଣେ ମଦୁଆ ବ୍ୟକ୍ତିଙ୍କୁ ବିକ୍ରି କରିଥିଲେ। ଏ କଥା ଜାଣିବା ପରେ ଜୁଡୋ କୋଚ ବିରଞ୍ଛି ଦାଶ ଶିଶୁ ବୁଦ୍ଧିଆକୁ ଉଦ୍ଧାର କରିଥିଲେ।   ବୁଦ୍ଧିଆ ଚରିତ୍ରକୁ ନେଇ ନିର୍ମାଣ ହୋଇଥିବା ଫିଲ୍ମ ବର୍ଣ୍ଣ ଟୁ ରନ‌୍‍ ଦେଶର ସମସ୍ତ ଫିଲ୍ମ ହଲରେ ମୁକ୍ତିଲାଭ କରିଛି। ତେବେ ଫିଲ୍ମଟି ବିସ୍ମୟ ଧାବକ ବୁଦ୍ଧିଆର ଭିନ୍ନ ଏକ କାହାଣୀକୁ ନେଇ ହୋଇଥିବାରୁ  ଫିଲ୍ମଟିକୁ ଦେଖିବା ପାଇଁ ବୁଦ୍ଧିଆ ଫ୍ୟାନ ଓ ଯୁବବର୍ଗ ଆଗ୍ରହ ପ୍ରକାଶ କରୁଛନ୍ତି। ବର୍ଣ୍ଣ ଟୁ ରନ‌୍‍ ବହୁଦିନ ପର୍ଯ୍ୟନ୍ତ ସମସ୍ତ ଫିଲ୍ମ ହଲରେ ଚାଲିବ ବୋଲି ଅନୁମାନ କରାଯାଉଛି। ଭୁବନେଶ୍ୱରର ରହିଥିବା ସମସ୍ତ ଫିଲ୍ମହଲରେ ବର୍ଣ୍ଣ ଟୁ ରନ‌୍‍ ମୁକ୍ତିଲାଭ କରିଛି।    ଦୂରନ୍ତ - ମାରାଥନ ବାଳକ ବୁଦ୍ଧିଆ ସିଂହ ଚରିତ୍ରକୁ ନେଇ ପ୍ରଥମେ ସୌମେନ୍ଦ୍ର ଦୂରନ୍ତ ନାମକ ଫିଲ୍ମ ନିର୍ମାଣ କରିଥିଲେ। ଫିଲ୍ମରେ ବୁଦ୍ଧିଆ ସିଂହର ଚରିତ୍ର ସହିତ କୋଚ ବିରଞ୍ଛି ଦାଶର ଭୂମିକାକୁ ଗୁରୁତ୍ୱ ଦିଆଯାଇଥିଲା। ଚଳଚିତ୍ରଟି ୨୦୧୫ ମସିହାରେ ଜାତୀୟ ଫିଲ୍ମ ପୁରସ୍କାର ପାଇଥିଲା। ଫିଲ୍ମରେ ଅମିତାଭ ବଚ୍ଚନ ଓ କଙ୍ଗନା ରାଣାୱତ ଅଭିନୟ କରିଥିଲେ। ଏହି ଫିଲ୍ମରେ ତାଙ୍କର ଅଭିନୟ ସୁପର ହୋଇଥିଲା। ୨୦୧୫ ପାଇଁ ଅମିତାଭ ଓ କଙ୍ଗନା ବେଷ୍ଟ ଆକ୍ଟର ଏବଂ ଆକ୍ଟରେସ‌୍‍ ଭାବେ ଜାତୀୟ ପୁରସ୍କାର ରାଷ୍ଟ୍ରପତିଙ୍କଠାରୁ ୨୦୧୫ ମସିହାରେ ଗ୍ରହଣ କରିଥିଲେ। ବୁଦ୍ଧିଆର ମାରାଥନ ଚରିତ୍ର ଉପରେ ଦୂରନ୍ତ ଫିଲ୍ମଟି ଜାତୀୟ ପୁରସ୍କାର ପାଇବାରୁ ସୌମେନ୍ଦ୍ର ଆତ୍ମବଳ ବୃଦ୍ଧି ପାଇଥିଲା। ପୁଣି  ବୁଦ୍ଧିଆର ଚରିତ୍ରକୁ ନେଇ ବର୍ଣ୍ଣ ଟୁ ରନ‌୍‍ ନିର୍ମାଣ କରିଛନ୍ତି। ଜୁନ ମାସରୁ ବର୍ଣ୍ଣ ଟୁ ରନ‌୍‍  ଫିଲ୍ମ ନିର୍ମାଣ କାମ ଆରମ୍ଭ କରିଥିଲେ। ମାତ୍ର ଦୁଇ ମାସ ଭିତରେ ଫିଲ୍ମଟିକୁ ସମାପ୍ତ କରି ଦର୍ଶକଙ୍କ ପାଖକୁ ଆଣିଛନ୍ତି। ଦୂରନ୍ତ ଫିଲ୍ମ ଜାତୀୟ ପୁରସ୍କାର ପାଇଥିବାରୁ ଲୋକପ୍ରିୟତା ଅର୍ଜନ କରିଥିଲା। ଫିଲ୍ମଟି  ମୁକ୍ତିଲାଭ କରିବା ପରେ ଜାତୀୟ ଓ ଅନ୍ତର୍ଜାତୀୟ ଫିଲ୍ମ ହଲଗୁଡିକରେ ବହୁଳ ମାତ୍ରାରେ ଚାଲିଥିଲା।   ନିର୍ଦ୍ଦେଶକ ସୌମେନ୍ଦ୍ର ପାଢୀ- ମାରାଥନ ବୟ ବୁଦ୍ଧିଆ ସିଂହ ଚରିତ୍ରକୁ ନେଇ ନିଦ୍ଦେର୍ଶକ ସୌମେନ୍ଦ୍ର ପାଢୀ  ଦୂରନ୍ତ ଓ ବର୍ଣ୍ଣ ଟୁ ରନ‌୍‍ ଦୁଇଟି ଫିଲ୍ମ ନିର୍ମାଣ କରିଛନ୍ତି। ତେବେ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିବା ପୂର୍ବରୁ ହାଇଦ୍ରାବାଦର ଏକ ସପ୍ଟୱୟାର କମ୍ପାନୀରେ ଆନିମେସନ ଇଞ୍ଜିନିୟର ଭାବେ ଚାକିରି କରିଥିଲେ। ୨୦୦୬ ମସିହାରେ ମୁମ୍ୱାଇର କୋର୍ଡ ରେଡ‌୍‍ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅତିରିକ୍ତ ନିଦ୍ଦେର୍ଶକ ଭାବେ କାମ ପାଇଥିଲେ। ବୁଦ୍ଧିଆ ଚରିତ୍ରକୁ ନେଇ ୨୦୦୬ ମସିହାରୁ ଦୂରନ୍ତ ନାମରେ ଗୋଟିଏ ଡକୁମେଣ୍ଣରୀ ପ୍ରସ୍ତୁତ କରି ସଂଳାପ ଲେଖିଥିଲେ। ବୁଦ୍ଧିଆ ସିଂହ ମାତ୍ର ୪ ବର୍ଷ ବୟସରେ ପୁରୀରୁ ଭୁବନେଶ୍ୱର ୭ ଘଣ୍ଟା ୨ ମିନିଟ‌୍‍ ସମୟରେ ୬୫ କିଲୋମିଟର ଦୌଡିଥିଲେ। ବୁଦ୍ଧିଆ ୨୦୦୬ରେ ଜାତୀୟ ଓ ଅନ୍ତର୍ଜାତୀୟ ଆଲୋଚନାର ପରିସର ଭିତରକୁ ଆସିଥିଲେ। 

Share :