ଭାଷା ମାଫିଆଙ୍କ ଚାଲ୍

ଭାଷା ମାଫିଆଙ୍କ ଚାଲ୍

Share :

ସୁଭାଷ ଚନ୍ଦ୍ର ପଟ୍ଟନାୟକ   ଭାଷା ଆନ୍ଦୋଳନର କଳପତାକା ଲହର ଓିଆ ଭାଷା ପ୍ରତି ସରକାରୀ ଅବଜ୍ଞାର ଅବସାନ ପାଇଁ ଆବଶ୍ୟକ ବାତାବରଣ ତିଆରି କରିଥିବା ବେଳେ କେତେକ ଭାଷା ମାଫିଆ ମାତି ଉଠିଛନ୍ତି ଏହି ଆନ୍ଦୋଳନରୁ ନିଜ ଭାଷା-ବେପାର ପାଇଁ ମୁନାଫା ହାସଲ କରିବାକୁ ଓ ତାହା ଓଡ଼ିଶାର ପ୍ରତିଷ୍ଠିତ ଭାଷା ସଂସ୍ଥାଗୁଡ଼ିକ ପ୍ରତି ବିପଦ ସୃଷ୍ଟି କରିବାକୁ ଯାଉଛି।   ଦୈନିକ ସମାଜର ୨୫.୬.୨୦୧୬ ସଂସ୍କରଣରେ ଓଡ଼ିଆ ବିଶ୍ବବିଦ୍ୟାଳୟ କାହିଁକି ଆବଶ୍ୟକ? ଶୀର୍ଷକ ଏକ ପ୍ରତିବେଦନ ରଖି ଡଃ ଦେବୀ ପ୍ରସନ୍ନ ପଟ୍ଟନାୟକ ନିଜକୁ ଓ ନିଜ ଗୋଷ୍ଠୀକୁ ଭାଷାପ୍ରେମୀ ବୋଲି ଦେଖେଇ ହେବା ପାଇଁ ଅନ୍ୟ ସମସ୍ତଙ୍କୁ ଭାଷାବିରୋଧୀ ବୋଲି ଆକ୍ଷେପ କରିଛନ୍ତି। ଏ ଭାଷାବିରୋଧୀ କିଏ?- ଏହା କହିବାକୁ ଯାଇ ସେ ଲେଖିଛନ୍ତି, ଏଥିରେ ଦୁଇ ପ୍ରକାର ଲୋକ ଅଛନ୍ତି। ପ୍ରଥମ, ଯେଉଁ ସମସ୍ତେ ପ୍ରଚଳିତ ଆଞ୍ଚଳିକ ଭାଷାକୁ ଜ୍ଞାନର ଭାଷା ଓ ବିକାଶର ଭାଷା ଭାବରେ ଗଢ଼ିବାକୁ ଚାହାନ୍ତି ନାହିଁ। ସେମାନଙ୍କ ମତରେ ଇଂରାଜୀ ଏକମାତ୍ର ଜ୍ଞାନ ଓ ବିଜ୍ଞାନର ଭାଷା। ଦ୍ବିିତୀୟ, ଯେଉଁମାନଙ୍କର ବଦ୍ଧମୂଳ ଧାରଣା ଯେ, ଆଞ୍ଚଳିକ ଭାଷାଗୁଡ଼ିକ ରୋଜଗାରର ଭାଷା ନୁହନ୍ତି। ଏକମାତ୍ର ଇଂରାଜୀ ଭାଷା ରୋଜଗାରର ଭାଷା।   ଏକଥା କହି, ଓଡ଼ିଆରେ ଓଡ଼ିଶାର ଶାସନ ପାଇଁ ଯେଉଁମାନେ ଭାଷା ଆନ୍ଦୋଳନ କରୁଛନ୍ତି, ସେମାନେ ମଧ୍ୟ ଭାଷା ବିରୋଧୀ ବୋଲି ସେ କହିଛନ୍ତି। ସେ ଲେଖିଛନ୍ତି, ଆଉ ଏକ ପ୍ରକାର ବିରୋଧୀ ଅଛନ୍ତି, ଯିଏ ନାଁ କାଙ୍ଗଳ। ସେମାନେ ସବୁ କାମରେ ଆପଣା ନାଁ ଯୋଡିବାକୁ ଚାହାନ୍ତି। ଗଣମାଧ୍ୟମରେ ପ୍ରତିଦିନ ଆପଣା ଛବି ଦେଖିବାକୁ ଚାହାନ୍ତି। ଏଥିପାଇଁ ଦରକାର ହେଲେ ସେମାନେ ମିଛ କହିବାକୁ ପଛାନ୍ତି ନାହିଁ। ତାଙ୍କ ମତରେ ଓଡ଼ିଆ ବିଶ୍ବବିଦ୍ୟାଳୟ ଦାବି ଓଡ଼ିଆ ରାଜଭାଷା ଆନ୍ଦୋଳନର ବିରୋଧୀ। ଏହି ଭାଷାବିରୋଧୀମାନଙ୍କ ନାମ ଓ ସେମାନେ କିପରି ନାମ କାଙ୍ଗାଳ ତାହା ସ୍ପଷ୍ଟତଃ କହିଥିଲେ ଦେବୀବାବୁ ତାଙ୍କ ଆକ୍ଷେପର ଶିକାରମାନଙ୍କୁ ପ୍ରାକୃତିକ ନ୍ୟାୟ ଦେବା ସଙ୍ଗେସଙ୍ଗେ ଓଡ଼ିଆ ଭାଷାର ଏହି ଅସ୍ତିତ୍ବ ସଂଘର୍ଷରେ ନିଜ ସ୍ବାର୍ଥ ପାଇଁ ବାଉଳା ବ୍ୟବହାର କରିବା ପରି ଦୋଷରୁ ମୁକ୍ତ ରହିପାରିଥାନ୍ତେ। କିନ୍ତୁ ସେ ତାହା କରିନାହାନ୍ତି।   ଯାହାହେଉ, ତାଙ୍କ ପ୍ରତିବେଦନରୁ ଜଣାଯାଏ, ଓଡ଼ିଆ ବିଶ୍ବବିଦ୍ୟାଳୟ ପାଇଁ ବହୁଦିନୁଁ ସେ ଦାବି କରି ଆସୁଛନ୍ତି। ଓଡ଼ିଆ ଭାଷା ଓ ଗବେଷଣା ସଂସ୍ଥା ଏକ ଘରୋଇ ଭାଷା-ବେପାରୀ ସଂସ୍ଥା, ଯାହାର ସେ ସଭାପତି ଅଛନ୍ତି। ସେ ଲେଖିଛନ୍ତି, ଗୋଟିଏ ଓଡ଼ିଆ ବିଶ୍ବବିଦ୍ୟାଳୟ ପାଇଁ ଏହି ସଂସ୍ଥା ଗତ ଚଉଦ ବର୍ଷ ଧରି ନିରବଛିନ୍ନ ଦାବି କରିଆସୁଛି। ଭାଷାକୁ ଘେନି ସାଂପ୍ରତିକ ଜନ ଆନ୍ଦୋଳନକୁ ବିଚାର କରି ଶେଷକୁ ନବୀନ ପଟ୍ଟନାୟକଙ୍କ ସରକାର ଏ ଦିଗରେ କର୍ମପନ୍ଥା ଗ୍ରହଣ କରିଥିବାରୁ ଏଥିପାଇଁ ଶ୍ରେୟର ଭାଗୀ। ଏଥିରୁ ଏହାହିଁ ସ୍ପଷ୍ଟ ଯେ, ଓଡ଼ିଆ ବିଶ୍ବବିଦ୍ୟାଳୟ ପାଇଁ ଗତ ଚଉଦ ବର୍ଷ ହେଲା ଦେବୀବାବୁଙ୍କ ଘରୋଇ ଭାଷା-ବେପାରୀ ସଂସ୍ଥା ଯେଉଁ ଉଦ୍ୟମ ଚଳାଇଥିଲା ତାହା ବନ୍ଧ୍ୟା ହୋଇ ପଡ଼ି ରହିଥିଲା ବେଳେ ସଂପ୍ରତି ଚାଲିଥିବା ଭାଷା ଆନ୍ଦୋଳନରୁ ସୁଯୋଗ ସଂଗ୍ରହ କରି ସେ ତାହାକୁ ଫଳବତୀ କରିବାକୁ ଯାଉଛନ୍ତି।   ସେ ଲେଖିଛନ୍ତି, ଆମେ ଯେଉଁମାନେ ଏଥିପାଇଁ କାମ କରୁଛୁଁ, ରାଜନୈତିକ ନେତାଙ୍କୁ ବୁଝାଇଶୁଝାଇ ସବୁ ଦଳର ନିର୍ବାଚନ ଇସ୍ତାହାରରେ ଓଡ଼ିଆ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠାକୁ ଭର୍ତ୍ତି କରାଇଦେଲୁ। ଯେତେବେଳେ ବିଜେଡ଼ି ନିର୍ବାଚନ ଜିତିଲା, ସେତେବେଳେ ନିର୍ବାଚିତ ପ୍ରତିନିଧିଙ୍କ ପ୍ରଥମ ସଭାରେ ମୁଖ୍ୟମନ୍ତ୍ରୀ ଏହାକୁ ପ୍ରାଥମିକତା ପାଇବା କାର୍ଯ୍ୟକ୍ରମ ତାଲିକାରେ ରଖିଲେ। କିନ୍ତୁ ଦେଖାଗଲା, ତହିଁପରେ ସେ ଏହାକୁ ଗୁରୁତ୍ବ ଦେଲେ ନାହିଁ। ସୁତରାଂ ଚଉଦ ବର୍ଷ ଧରି ଦେବୀବାବୁଙ୍କ ଘରୋଇ ଭାଷା-ବେପାରୀ ସଂସ୍ଥା ଓଡ଼ିଆ ବିଶ୍ବବିଦ୍ୟାଳୟ ପାଇଁ ଚଳାଇଥିବା ରାଜନୈତିକ ଲବି ଅକାମୀ ହୋଇପିଥିଲା। ଗଜାନନ ବାବୁଙ୍କ ଅନଶନ ପ୍ରେକ୍ଷାପଟରେ ଓଡ଼ିଆ ଭାଷାର ପ୍ରାଥମିକତା ଓ ଅପରିହାର୍ଯ୍ୟତା ସ୍ଥିରିକୃତ କରିବାକୁ ଏକ ମନ୍ତ୍ରୀସ୍ତରୀୟ କମିଟି ଗଠିତ ହେଲା ପରେ ତାହା ପୁନଶ୍ଚ ଗଜେଇଲା।   ଦେବୀବାବୁ ସଭାପତି ଥିବା ଏହି ଘରୋଇ ଭାଷା-ବେପାରୀ ସଂସ୍ଥାର ସଂପାଦକ ଅଛନ୍ତି ସୁବ୍ରତ କୁମାର ପୃଷ୍ଟି। ଏହା ସଂପ୍ରତି ଓଡ଼ିଆ ଭାଷାରେ ପ୍ରଶାସନିକ ସେବା ପାଇଁ ପରୀକ୍ଷା ଦେବା କାର୍ଯ୍ୟକ୍ରମ ଉପରେ ଏକ କୋଚିଂ ବ୍ୟବସାୟ ଚଳାଇଛି। ଅଧ୍ୟାପକ ନଟବର ଶତପଥୀ ଏଠାରେ ମୁତୟନ ଅଛନ୍ତି। ସରକାରଙ୍କ ସହ ଏକ ବୁଝାମଣପାତ୍ର ବି ସଂପାଦନ କରିଛି ଏହି ବ୍ୟବସାୟୀ ସଂସ୍ଥା। ଏପରି ବ୍ୟବସାୟିକ ସ୍ବାର୍ଥ ଥିବାବେଳେ ତାହାକୁ ସଂଗୋପିତ ରଖି ଏହି ତିନି ଜଣ ବ୍ୟକ୍ତି କାଇଦା କଟକଣା କରି ଗଜାନନ ବାବୁଙ୍କ ଦାବି କାର୍ଯ୍ୟକାରୀ କରିବାକୁ ଗଢ଼ା ହୋଇଥିବା ମନ୍ତ୍ରୀସ୍ତରୀୟ କମିଟିରେ ଭାଷା ପରାମର୍ଶଦାତା ଓ ସଦସ୍ୟ ହୋଇଛନ୍ତି। ଦେବୀବାବୁ ଯେଉଁ ଭାଷାନୀତି ଦେଇଛନ୍ତି ତାହା ଏହି ବ୍ୟବସାୟୀ ସଂସ୍ଥାର ଅଭିସନ୍ଧି ଅନୁରୂପ। ଏପରି ନୀତିଗର୍ହିତ ଆଚରଣ କରିଥିବା ବ୍ୟକ୍ତି ଓଡ଼ିଆରେ ଓଡ଼ିଶା ଶାସନ ପାଇଁ ନୀତିନିଷ୍ଠ ଭାଷା ଆନ୍ଦୋଳନ କରୁଥିବା ଭାଷାସଂଗ୍ରାମୀମାନଙ୍କୁ ଭାଷାବିରୋଧୀ ଆଖ୍ୟା ଦେବା ଚନ୍ଦ୍ରକୁ ଚୋର ଭର୍ତ୍ସନା କରିବା ସହ ସମାନ।   ଦେବୀବାବୁ ଲେଖିଛନ୍ତି, ଓଡ଼ିଆ ବିଶ୍ବବିଦ୍ୟାଳୟ ପାଇଁ ସିପ୍ରା ମଲ୍ଲିକଙ୍କ ଘରୋଇ ବିଲ୍ ବିଧାନସଭାରେ ଆଗତ କରିବାଠାରୁ ସରକାରଙ୍କୁ ଏଥିପାଇଁ ପ୍ରବର୍ତ୍ତାଇବା ଦିଗରେ ଓଡ଼ିଆ ଅଧ୍ୟୟନ ଓ ଗବେଷାଣା ସଂସ୍ଥା କାର୍ଯ୍ୟ କରି ଆସିଛି। ଉଲ୍ଲେଖନୀୟ ଯେ, ଗତ ବିଧାନସଭାର ସଦସ୍ୟା ଥିବାବେଳେ ଶ୍ରୀମତୀ ମଲ୍ଲିକ ଯେଉଁ ସରକାରୀ ବାସଗୃହ ପାଇଥିଲେ, ଦେବୀବାବୁଙ୍କ ଏହି ଭାଷା-ବେପାରୀ ସଂସ୍ଥାର ଅନୌପଚାରିକ କାର୍ଯ୍ୟାଳୟ ସେହିଠାରେ ହିଁ ଚାଲିଥିଲା ଓ ବିଧାୟିକାଙ୍କୁ ମିଳୁଥିବା ସମସ୍ତ ଆବାସିକ ସୁବିଧା ସୁଯୋଗ ଉପଭୋଗ କରୁଥିଲା। ସେହି ସମୟରେ ସିପ୍ରାଙ୍କୁ ଧରି ସେ ଯେଉଁ ଘରୋଇ ବିଲ୍ ଆଗତ କରାଇଥିଲେ, ତାହା ସରକାରୀ ବିଲ୍ ଆଗତ ହେବା ସର୍ତ୍ତରେ ପ୍ରତ୍ୟାହୃତ ହୋଇଥିଲା। କେବଳ ଏହି ରାଜନୈତିକ ଗୋଟି ଚାଳନାରେ ସୀମିତ ନଥିଲା ଏହି ଭାଷା-ବେପାରୀ ସଂସ୍ଥା, ପ୍ରଶାସନିକ କଳକୁ ମଧ୍ୟ ଏହା ପ୍ରଭାବିତ କରିବାକୁ ଚେଷ୍ଟା କରିଥିଲା। ଦେବୀବାବୁ ଲେଖିଛନ୍ତି, ଏହା ତରଫରୁ ମୁଁ ଏକ ଗବେଷଣା ଭିତ୍ତିକ ଓଡ଼ିଆ ବିଶ୍ବବିଦ୍ୟାଳୟର ପ୍ରାରୂପ ପ୍ରସ୍ତୁତ କରି ଚିଫ ସେକ୍ରେଟାରୀ ଯୁଗଳ କିଶୋର ମହପାାତ୍ର, ଗୋକୁଳଚନ୍ଦ୍ର ପତି ଓ ମୁଖ୍ୟମନ୍ତ୍ରୀଙ୍କ ଶାସନ ସଚିବଙ୍କୁ ଦେଇଛି। ଆଶା କରୁଛି ଯେ, ସେଗୁଡ଼ିକ ବର୍ତ୍ତମାନ କାର୍ଯ୍ୟରେ ଲାଗିବ।   ଅର୍ଥାତ, ଦେବୀବାବୁଙ୍କ ଏହି ଭାଷା-ବେପାରୀ ସଂସ୍ଥା ଓଡ଼ିଆ ବିଶ୍ବବିଦ୍ୟାଳୟ ପାଇଁ ଗତ ଚଉଦ ବର୍ଷ ଧରି ଯେଉଁ ଗୋଟିଚାଳନା କରିଆସିଥିଲା, ତାହା ବ୍ୟର୍ଥ ହୋଇଯାଉଥିଲା ବେଳେ, ଆମ ଆନ୍ଦୋଳନର ପ୍ରଭାବରେ ତାହା ବର୍ତ୍ତମାନ କାର୍ଯ୍ୟରେ ଲାଗିବ ବୋଲି ସେ ଆଶା କରୁଛନ୍ତି। ଏହି ଆଶା ତାଙ୍କୁ ଏପରି ଉଲ୍ଲସିତ କରିଛି ଯେ, ସଂପ୍ରତି ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ପଦାଧିକାରୀମାନଙ୍କୁ ଭେଟି ଓଡ଼ିଆ ବିଶ୍ବବିଦ୍ୟାଳୟର ଆଇନ କ’ଣ ହେବ ତାହାକୁ ପ୍ରଭାବିତ କରିବାକୁ ସେ ଚେଷ୍ଟା କରିଛନ୍ତି। ଏ ବିଶ୍ବବିଦ୍ୟାଳୟ ଦ୍ବାରା ଓଡ଼ିଆ ଭାଷାର କିଛି ପ୍ରକୃତ ଉପକାର ନହେବ- ତା ନୁହେଁ। ଓଡ଼ିଶାରେ ଓଡ଼ିଆ ଭାଷାରେ ହିଁ ସମସ୍ତ ଦାପ୍ତରିକ କାର୍ଯ୍ୟ ପରିଚାଳନା ପାଇଁ ଆମେ ଯେଉଁ ଆନ୍ଦୋଳନ କରୁଛୁଁ, ତହିଁର ମଞ୍ଜ ଦାବି- ଭାଷା ଆଇନ ଉଲଂଘନକାରୀକୁ ଦଣ୍ଡବିଧାନ- ବ୍ୟବସ୍ଥାପିତ ନ କରି ଅଣଓଡ଼ିଆ ଆଧିପତ୍ୟ କାଏମ ରଖିବା ସତ୍ତ୍ବେ ଓଡ଼ିଶାର ଜନ ସାଧାରଣଙ୍କୁ ବିଭ୍ରାନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଏହି ଓଡ଼ିଆ ବିଶ୍ବବିଦ୍ୟାଳୟ ଘୋଷଣା କରିବାର ସମ୍ଭାବନା ଅଛି ଅଗଷ୍ଟ ୧୫ରେ।   ଏହା କାର୍ଯ୍ୟକାରୀ ହେଲେ ଓଡ଼ିଆ ଭାଷା କ୍ଷେତ୍ରରେ ଭାଷା ମାଫିଆଙ୍କ ପ୍ରାଦୁର୍ଭାବ ବିବ ଓ ପ୍ରତିଷ୍ଠିତ ସରକାରୀ ସଂସ୍ଥାଗୁଡ଼ିକ ଦୁର୍ବଳତର ହେବେ।   ତେଣୁ ଦେବୀବାବୁଙ୍କ ପ୍ରଦତ୍ତ ଯେଉଁ ଚିଠା ସରକାରଙ୍କ ଦ୍ବାରା ପ୍ରସ୍ତୁତ ଚିଠା ଭାବେ ବିଧାନସଭାକୁ ଯିବାକୁ ସଜ କରାହୋଇଛି, ତାହା ପ୍ରଥମେ ସର୍ବସମକ୍ଷରେ ରଖାଯାଉ ଓ ତଦ୍ବାରା ପ୍ରତିଷ୍ଠିତ ସରକାରୀ ସଂସ୍ଥାଗୁଡ଼ିକ କ୍ଷତିଗ୍ରସ୍ତ ହେବେ କି ନାହିଁ ତାହା ସବୁ ଓଡ଼ିଆ ସମଗ୍ରତଃ ଜାଣନ୍ତୁ। ଭାଷା ମାଫିଆଙ୍କ କବଳରେ ଆମ ମାତୃଭାଷା ନପଡୁ।   ଅଧ୍ୟକ୍ଷ, ଭାଷା ଆନ୍ଦୋଳନ, ଓଡ଼ିଶା

Share :