କିଟ୍‌ରେ ବିଶ୍ୱ ଜୁନିଅର ଚେସ୍‌

କିଟ୍‌ରେ ବିଶ୍ୱ ଜୁନିଅର ଚେସ୍‌

Share :

  କିଟ‌୍‍ ବିଶ୍ୱବିଦ୍ୟାଳୟଠାରେ ଅଗଷ୍ଟ ୭ରୁ ୨୨ ତାରିଖ ପର୍ଯ୍ୟନ୍ତ ଫିଡେ ବିଶ୍ୱ ଜୁନିଅର ଚେସ‌୍‍ ଚାମ୍ପିଅନ‌୍‍ସିପ‌୍‍-୨୦୧୬ (୨୦ ବର୍ଷରୁ କମ‌୍‍ ବାଳକ ଓ ବାଳିକା ବର୍ଗ) ଅନୁଷ୍ଠିତ ହେବ। ସର୍ବଭାରତୀୟ ଚେସ‌୍‍ ମହାସଂଘ ଓ ଫିଡେର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତଥା ନିଖିଳ ଓଡିଶା ଚେସ‌୍‍ ଆସୋସିଏସନ‌୍‍ ସହଯୋଗରେ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋବାକୁ ଯାଉଛି। ପ୍ରଥମ ଥର ଲାଗି ପୂର୍ବଭାରତ ତଥା ଓଡ଼ିଶାରେ ଏହି ଚମ୍ପିଆନ‌୍‍ସିପ‌୍‍ ଅନୁଷ୍ଠିତ ହେଉଛି।   ଅଗଷ୍ଟ ୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଚାମ୍ପିଅନ‌୍‍ସିପ‌୍‍କୁ ଉଦ‌୍‍ଘାଟନ କରିବାର କାର୍ଯ୍ୟକ୍ରମ ରହିଥିବାବେଳେ ବିଶ୍ୱ ଚେସ‌୍‍ ଫେଡେ଼ରେସନ‌୍‍ର ଉପସଭାପତି ଡ଼ି.ଭି. ସୁନ୍ଦରଙ୍କ ସମେତ ଅଖିଳ ଭାରତୀୟ ଚେସ‌୍‍ ଫେଡେ଼ରେସନ‌୍‍ ଓ ଅଖିଳ ଓଡ଼ିଶା ଚେସ‌୍‍ ଆସୋସିଏସନ‌୍‍ର କର୍ମକର୍ତ୍ତାଗଣ ଏଥିରେ ଯୋଗଦେବେ। ସେହିପରି ଅଗଷ୍ଟ ୨୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଉଦ‌୍‍ଯାପନୀ ଉତ୍ସବରେ ରାଜ୍ୟପାଳ ଡ଼. ଏସ‌୍‍.ସି. ଜମିର‌୍‍ ମୁଖ୍ୟ ଅତିଥିଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଏକ ସାମ୍ୱାଦିକ ସମ୍ମିଳନୀରେ କିଟ‍୍‌ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପି ପି ମାଥୁର, ମୁଖ୍ୟ ଆର୍ବିଟର ପ୍ରଫେସର ଅନନ୍ତରମଣ, ଟୁର୍ଣ୍ଣାମେଣ୍ଟ ନିଦ୍ଦେର୍ଶକ ଶେଖର ଚନ୍ଦ୍ର ସାହୁ (ଆଇଏମ‍୍‌), କିଟ‍୍‌ ବିଶ୍ୱବିଦ୍ୟାଳୟର କ୍ରୀଡ଼ା ନିଦ୍ଦେର୍ଶକ ଡ. ଗଗନେନ୍ଦୁ ଦାଶ, ନିଖିଳ ଉତ୍କଳ ଚେସ‍୍‌ ଆସୋସିଏସନ‍୍‌ ଉପସଭାପତି ରଞ୍ଜନ ମହାନ୍ତି ପ୍ରମୁଖ ସୂଚନା ଦେଇଛନ୍ତି।   ଏହି ଚାମ୍ପିଅନସିପ‌୍‍ରେ ୬୦ଟି ଦେଶର ୧୫୦ ଜଣ ଖେଳାଳି ଭାଗନେବେ। ଏହି ଟୁର୍ଣ୍ଣାମେଣ୍ଟ‌୍‍ ସୁଇସ‌୍‍ ଲିଗ‌୍‍ ଫର୍ମାଟ‌୍‍ରେ ୧୩ ରାଉଣ୍ଡ‌୍‍ରେ ଖେଳାଯିବାକୁ ଥିବାବେଳେ ପ୍ରତ୍ୟେକ ଦିନ ଗୋଟିଏ ଲେଖାଏଁ ରାଉଣ୍ଡ‌୍‍ ଖେଳାଯିବ। ଉଭୟ ବାଳକ ଓ ବାଳିକା ବର୍ଗରେ ବିଜେତା ମାନଙ୍କୁ ଗ୍ରାଣ୍ଡ‌୍‍ ମାଷ୍ଟର (ଜିଏମ‌୍‍) ଓ ମହିଳା ଗ୍ରାଣ୍ଡ‌୍‍ ମାଷ୍ଟର (ଡ଼ବ୍ଲ୍ୟୁ ଜିଏମ‌୍‍) ଘୋଷଣା କରାଯିବ। ଫଳରେ ବିଜେତା ଖେଳାଳିମାନେ ଆଗାମୀ ଚେସ‌୍‍ ବିଶ୍ୱକପ‌୍‍ରେ ଭାଗ ନେବା ପାଇଁ ଯୋଗ୍ୟତା ଅର୍ଜନ କରିପାରିବେ। ଏହା ଛଡ଼ା ଏହି ଟୁର୍ଣ୍ଣାମେଣ୍ଟ‌୍‍ରେ ଭାଗ ନେଉଥିବା ଖେଳାଳୀମାନେ ସେମାନଙ୍କର ପ୍ରଦର୍ଶନକୁ ଭିତ୍ତିକରି ମଧ୍ୟ ଗ୍ରାଣ୍ଡ‌୍‍ ମାଷ୍ଟର (ଜିଏମ‌୍‍), ଇଣ୍ଟରନ୍ୟାସ‌୍‍ନାଲ‌୍‍ ମାଷ୍ଟର (ଆଇଏମ‌୍‍), ମହିଳା ଗ୍ରାଣ୍ଡ‌୍‍ ମାଷ୍ଟର (ଡ଼ବ୍ଲ୍ୟୁ ଜିଏମ‌୍‍), ମହିଳା ଆନ୍ତର୍ଜାତୀୟ ମାଷ୍ଟର (ଡ଼ବ୍ଲ୍ୟୁ ଆଇଏମ‌୍‍) ମାନ୍ୟତା ହାସଲ କରିପାରିବେ।   ଏହା କିଟ‌୍‍ ତଥା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ। କିଟ‌୍‍ ଗୁଣାତ୍ମକ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ବେଳେ କ୍ରୀଡ଼ାକୁ ମଧ୍ୟ ପ୍ରୋତ୍ସାହିତ କରିଆସୁଛି। ୨୦୧୪ ପରେ ୨୦୧୬ରେ ପୁଣି ଥରେ ଭାରତରେ ଚତୁର୍ଥ ଥର ପାଇଁ ପୂର୍ବାଞ୍ଚଳରେ ତଥା ଓଡ଼ିଶାରେ ପ୍ରଥମ ଥର ଏହି ଚାମ୍ପିଅନ‍୍‌ସିପ ଆୟୋଜନ ହେଉଛି। ପୂର୍ବରୁ ଚେନ୍ନାଇ, ପୁନେ ଓ କାଲିକଟଠାରେ ଏହି ଚମ୍ପିଆନ‍୍‌ସିପ‍୍‌ ଆୟୋଜିତ ହୋଇଥିଲା। ଇଣ୍ଟରନେଟ‌୍‍ ମାଧ୍ୟମରେ ସମଗ୍ର ବିଶ୍ୱରେ ଏହି ଟୁର୍ଣ୍ଣାମେଣ୍ଟ‌୍‍ର ସିଧା ପ୍ରସାରଣ କରାଯିବାର ବ୍ୟବସ୍ଥା ହୋଇଛି।   ଏଠାରେ ସୂଚନାଯୋଗ୍ୟ କି ଏହି ଚାମ୍ପିଅନ‍୍‌ସିପ ଆୟୋଜନ ପାଇଁ ୨୦୧୫ରେ ବିଡ୍ ହୋଇଥିଲା। ଏଥିରେ ଚେନ୍ନାଇ, ଦିଲ୍ଲୀ, ବାଙ୍ଗାଲୋର, ପୁନେ ଓ ଭୁବନେଶ୍ୱର ଆଦି ସହର  ଅଂଶଗ୍ରହଣ କରିଥିଲେ। ମାତ୍ର ପୂର୍ବରୁ କିଟ‍୍‌ ବହୁବାର ଜିଏମ‍୍‌ ଚେସ‍୍‌ ଚାମ୍ପିଅନ‍୍‌ସିପ‍୍‌ ଆୟୋଜନ କରି ସଫଳ ହୋଇଥିବାରୁ ଫିଡେ, ଭାରତୀୟ ଚେସ‍୍‌ ଆସୋସିଏସନ‍୍‌ ଓ ଓଡ଼ିଶା ଚେସ‍୍‌ ଆସୋସିଏସନ‍୍‌ କିଟ‍୍‌ରେ ଏହି ଚାମ୍ପିଅନ‍୍‌ସିପ ଆୟୋଜନ କରିବା ପାଇଁ ସହଯୋଗ କରିଥିଲେ। ଫଳରେ ଓଡ଼ିଶା ଚେସ‍୍‌ ଆସୋସିଏସନ‍୍‌ ସହଯୋଗରେ କିଟ‍୍‌ ଓ କିସ‍୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏହି ଚାମ୍ପିଅନ‍୍‌ସିପ‍୍‌ ଆୟୋଜନ ପାଇଁ ଆବଶ୍ୟକ ବିଡ୍ ଅର୍ଥ ଦେଇ ଭାରତ ପାଇଁ ଏହି ବିଡ୍ କିଣିଥିଲେ।   ପ୍ରଥମ ଥର ଲାଗି ପୂର୍ବଭାରତରେ ଏବଂ ଓଡ଼ିଶାରେ ଏଭଳି ବିଶ୍ୱସ୍ତରୀୟ ଚାମ୍ପିଅନସିପ ଆୟୋଜିତ ହେଉଥିବା ବେଳେ ଏହା ଦ୍ୱାରା ବିଶ୍ୱ ଓଡ଼ିଶାର ପରିଚୟ ପାଇପାରିବ। ଅଚ୍ୟୁତ ସାମନ୍ତ ଶିକ୍ଷା ସହ କ୍ରୀଡ଼ାକୁ ଗୁରୁତ୍ୱ ଦେଇଥାନ୍ତି। ଶ୍ରୀ ସାମନ୍ତଙ୍କ ଚେଷ୍ଟାରେ ଏହି ଚାମ୍ପିଅନ‍୍‌ସିପ‍୍‌ ଓଡ଼ିଶାକୁ ଆସିପାରିଛି। ସମସ୍ତ ଖେଳାଳିଙ୍କ ରହିବା ଓ ଖାଇବା ସୁବିଧା ତଥା ସ୍ଥାନୀୟ ଦର୍ଶନୀୟ ସ୍ଥାନ ଭ୍ରମଣ ବ୍ୟବସ୍ଥା କିଟ‍୍‌ ପକ୍ଷରୁ ବହନ କରାଯାଇଛି। ଏହି ଅବସରରେ ସମସ୍ତ ଖେଳାଳିଙ୍କୁ ସହଯୋଗ ଯୋଗାଇ ଦେବାକୁ ଶ୍ରୀ ସାମନ୍ତ ଓଡ଼ିଶା ସରକାର ତଥା ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

Share :