ବୋଲବମ ବାଜେ ଖର୍ଚ୍ଚ!

ବୋଲବମ ବାଜେ ଖର୍ଚ୍ଚ!

Share :

ଉଦୟନାଥ ସାହୁ   ପ୍ରତିବର୍ଷ ଶ୍ରାବଣ ମାସରେ ହଜାର ହଜାର ସଂଖ୍ୟାରେ ଭାଇ ଓ ଭଉଣୀମାନେ ବିଶେଷ କରି ଯୁବପୀଢ଼ି ନିଜର ମାନସିକ ପୂରଣ ନିମନ୍ତେ ନବବସ୍ତ୍ର ପରିଧାନ କରି ନଦୀରୁ ଜଳ ଉଠାଇ ଜଳ କଳସୀକୁ ସୁସଜ୍ଜିତ ଭାରରେ କାନ୍ଧରେ ବହନ କରି ଖାଲି ପାଦରେ ଚାଲି ଚାଲି ବିଭିନ୍ନ ଶିବ ମନ୍ଦିରରେ ଜଳ ଲାଗି କରିବାକୁ ଯାଇଥାନ୍ତି। ଏମାନଙ୍କୁ ଓଡ଼ିଶାରେ ବୋଲବମ ଯାତ୍ରୀ ବା କାଉଡ଼ିଆ ବୋଲି ଆମେ କହିଥାଉ। ରାସ୍ତାରେ ଗଲା ବେଳେ ସମ ଓ ଉଚ୍ଚ ସ୍ୱରରେ ସେମାନେ ଶିବଙ୍କ ବିଭିନ୍ନ ନାମ ଜପି ଜପି ଯାଉଥିବା ଦେଖାଯାଇଥାଏ। ଏବେ ତ ପୁଣି ମାଇକ ଓ ଅତ୍ୟାଧୁନିକ ଡ଼ି.ଜେ.ରେ ହିନ୍ଦୀ ଓ ଆଧୁନିକ ସ୍ୱରରେ କାଉଡ଼ିଆଙ୍କ ଉଦ୍ଦେଶ୍ୟରେ ସଂପାଦିତ ସଂଗୀତକୁ କାନଫଟା ଶଦ୍ଦରେ ଲୋକଙ୍କୁ ଶୁଣାଇ ଶୁଣାଇ ଯାଉଥିବା ଦେଖାଯାଏ। ଏହାକୁ ନେଇ ଏବେ ସାଧାରଣରେ କାଉଡ଼ିଆ ବା ବୋଲବମ ଯାତ୍ରୀଙ୍କ ପ୍ରତି ବେଶ‌୍‍ ନକରାତ୍ମକ ମତ ପ୍ରକାଶ ପାଇଲାଣି। ପୁଣି କେତେକ କାଉଡ଼ିଆ ଗଞ୍ଜେଇ ଓ ବିଦେଶୀ ପାନୀୟ ଟିକେ ସେବନ ନ କଲେ ଚଳୁନାହିଁ।   ସବୁଠାରୁ ତାତ୍ପର୍ଯ୍ୟପୂର୍ଣ୍ଣ କଥା ହେଲା ପୂର୍ବରୁ ଯେଉଁ କାଉଡ଼ିଆମାନେ ପାଣିଭାର ନେଇ ଯାଉଥିଲେ ସେମାନେ ଏହି ଜଳକୁ ନିର୍ବିଘ୍ନରେ ବିଭିନ୍ନ ମନ୍ଦିରରେ ଥିବା ଶିବଲିଙ୍ଗ ଉପରେ ଜଳ ଲାଗି କରୁଥିଲେ। କିନ୍ତୁ ଗତ କିଛି ବର୍ଷ ହେଲା ପ୍ରାୟ ସବୁ ବଡ଼ ବଡ଼ ମନ୍ଦିରରେ ଅସଲି ଶିବଲିଙ୍ଗ ଉପରେ ଜଳ ଲାଗି କରିବାକୁ ବାରଣ କରାଯାଇଛି। କାଉଡ଼ିଆମାନେ ମନ୍ଦିର ପରିସରରେ ସାମୟିକ ଭାବେ ସ୍ଥାପିତ ଏକ ନକଲି ଶିବଲିଙ୍ଗ ଉପରେ ଜଲଲାଗି କରୁଥିବା ଦେଖିବାକୁ ମିଳୁଛି। ଏ କଥାକୁ ବିଚାର କଲେ ପ୍ରଶ୍ନ ଉଠୁଛି ଯେ ଯେଉଁ ଶ୍ରଦ୍ଧାଳୁ ମାନେ ଏତେ ପରିଶ୍ରମ କରି ଓ ଏହି ବୋଲବମ ଯାତ୍ରା ନିମନ୍ତେ ହଜାର ହଜାର ଟଙ୍କା ଖର୍ଚ୍ଚ କରି ନିଜର ମାନସିକ ପୂରଣ ଉଦ୍ଦେଶ୍ୟରେ ଶ୍ରାବଣର ଢ଼ୁ ଢ଼ୁ ବର୍ଷା ମାଡ଼ ଖାଇ ବିପଦ ସଂକୁଳ ଯାତ୍ରା କରୁଛନ୍ତି ଏହା ଦ୍ୱାରା ସତରେ କ’ଣ ସେମାନଙ୍କର ମାନସିକ ପୂରଣ ହେଉଛି? ନା ସେମାନେ କିଛି ଧର୍ମ ଅର୍ଜନ କରୁଥିବା ପ୍ରାମାଣିତ ହେଉଛି? ଏହାକୁ ଏକ ଭ୍ରମ ବା ବର୍ଷରେ ଥରେ ବିନା କୌଣସି ବାଧାରେ ସଉକ କରିବାର ଯାତ୍ରା କହିଲେ ଅତ୍ୟୁକ୍ତି ହେବ କି?              ଯେତେ କାଉଡ଼ିଆ ପାଣିଭାର ନେଇ ଯାଇଥାନ୍ତି ପ୍ରତ୍ୟେକେ ସର୍ବନିମ୍ନ ଦୁଇ ହଜାର ଟଙ୍କାରେ ନୂତନ ବସ୍ତ୍ର, ପାଣିଭାର ପାଇଁ ବାହୁଙ୍ଗୀ, କଳସୀ ଓ ଅନ୍ୟାନ୍ୟ ସାଜ ସରଞ୍ଜାମ ଏବଂ ଗୋଷ୍ଠୀଗତ ଖର୍ଚ୍ଚ ବାବଦରେ ଖର୍ଚ୍ଚ କରିଥାନ୍ତି। ଏମିତି ଦେଖିଲେ ସମଗ୍ର ଓଡ଼ିଶାରେ ପ୍ରାୟ ୫ ଲକ୍ଷ ଶ୍ରଦ୍ଧାଳୁ ପ୍ରତି ବର୍ଷ ଶ୍ରାବଣ ମାସରେ କାଉଡ଼ିଆ ସାଜିଥାନ୍ତି। ଏହି ଖର୍ଚ୍ଚକୁ ହିସାବ କଲେ ଓଡ଼ିଶାର ସମସ୍ତ ବୋଲବମ ଭାଇଭଉଣୀ ଗୋଟିଏ ଧର୍ମ ମାସରେ ସର୍ବନିମ୍ନ ୧୦୦ କୋଟି ଟଙ୍କାର ‘ବାଜେ ଖର୍ଚ୍ଚ’ କରୁ ନାହାଁନ୍ତି କି? ପ୍ରତିବର୍ଷ ବୋଲବମ ଯାତ୍ରୀଙ୍କ ସଂଖ୍ୟା ଯେମିତି ବୃଦ୍ଧି ପାଇବାରେ ଲାଗିଛି ଏଭଳି ବାଜେ ଖର୍ଚ୍ଚ ଏହି ହିସାବଠାରୁ ଯଥେଷ୍ଟ ଅଧିକ ହୋଇପାରେ ଏଥିରେ ଦ୍ୱିମତ ହେବାର ନାହିଁ। ଲେଖକ ଏହି ଲେଖା ମାଧ୍ୟମରେ କାହାରି ମନରେ ତାଙ୍କ ଧାର୍ମିକ ଭାବନାକୁ ଆଘାତ ଦେବାକୁ ଚାହେଁ ନାହିଁ। ବରଂ ଏକ ବାସ୍ତବତାକୁ ବର୍ଣ୍ଣନା କରି ସମସ୍ତଙ୍କ ମଧ୍ୟରେ ଏକ ସଚେତନା ସୃଷ୍ଟି କରିବାର ଏକ ପ୍ରୟାସ କରିବାକୁ ଚାହିଁଛି।   ହିନ୍ଦୁ ଧର୍ମର ବିଚାରରେ ‘ସକଳ ଘଟେ ନାରାୟଣ’ ବିରାଜମାନ କରୁଥିବା କଥା କାଉଡ଼ିଆ ଯାତ୍ରା ମାଧ୍ୟମରେ ଧର୍ମ ଅର୍ଜନ କରିବାକୁ ଆଗ୍ରହ ରଖୁଥିବା ସମସ୍ତ ଶ୍ରଦ୍ଧାଳୁ ନିଶ୍ଚୟ ଜ୍ଞାତ ଥିବେ। ‘ନର ସେବା ହିଁ ନାରାୟଣ ସେବା’ ବିଚାର ମଧ୍ୟ ଆଦି ଅନାଦୀ କାଳରୁ ଆମ ସମାଜରେ ପ୍ରଚଳିତ। ମାତ୍ର ଆମେ ଏଭଳି ବିଚାରକୁ ଏଡ଼ାଇ ଯାଇ ଏକ ମିଥ୍ୟା ଓ ଅସମ୍ଭବ ପ୍ରାପ୍ତି ନିଶାରେ କାହିଁକି ଯେ ମାତି ଯାଇଛେ ଏହା ବୁଝା ପଡ଼ୁନାହିଁ। ବୋଲବମ ଯାତ୍ରା ମାଧ୍ୟମରେ ‘ଧର୍ମ ଅର୍ଜନ’ କିମ୍ୱା ‘ମାନସିକ ପୂରଣ’ ଏକ ଅସମ୍ଭବ ଓ ଅଯଥା ପ୍ରୟାସ କି ନୁହେଁ ବୋଲବମ ଶ୍ରଦ୍ଧାଳୁ ବିଚାର କରିବା ଆବଶ୍ୟକ।   ଓଡ଼ିଶାରେ ପ୍ରତିବର୍ଷ ହଜାର ହଜାର ଲୋକ ମଦ୍ୟପାନ ଜନିତ ରୋଗରେ ପୀଡ଼ିତ ହୋଇ ଅକାଳରେ ମୃତ୍ୟୁବରଣ କରି ଚାଲିଛନ୍ତି ଓ ଏଥିପାଇଁ ଅନେକ ପରିବାର ଅଶାନ୍ତିରେ ଦିନ କାଟୁଛନ୍ତି। ଅବଶ୍ୟ ରାଜ୍ୟ ସରକାର ରାଜସ୍ୱ ଅବିବୃଦ୍ଧି ପାଇଁ ଗାଁଗଣ୍ଡାରେ ସରକାରୀ ସ୍ୱୀକୃତି ପ୍ରାପ୍ତ ଦେଶୀ ଓ ବିଦେଶୀ ମଦ ଦୋକାନ ଖୋଲି ଦେବା କାରଣରୁ ମଦ୍ୟ ପିପାସୁମାନଙ୍କୁ ଅନାୟସରେ ଏହା ଉପଲବ୍ଧ ହେବା ମଦ୍ୟପଙ୍କ ସଂଖ୍ୟା ବୃଦ୍ଧିର ଏକ ବଡ଼ କାରଣ କୁହା ଯାଇପାରେ। ତେବେ ଓଡ଼ିଶାକୁ ମଦମୁକ୍ତ କରିବା ନେଇ ବିଭିନ୍ନ ସ୍ଥାନରେ ସମଭାବରେ ନିଶା ନିବାରଣ ଓ ମଦ ବିରୋଧୀ ଆନ୍ଦୋଳନ ମାନ ହେଉଥିବା ଓ ଏହା ଦିନକୁ ଦିନ ବୃଦ୍ଧି ପାଉଥିବା ମଧ୍ୟ ପରିଲକ୍ଷିତ ହୋଇଛି। ଏଭଳି ଆନ୍ଦୋଳନ ନିଶ୍ଚିତ ଭାବେ ସ୍ୱାଗତ ଯୋଗ୍ୟ।   ଲେଖକ ଏହି ପରିପ୍ରେକ୍ଷୀରେ ସମସ୍ତ ବୋଲବମ ଯାତ୍ରୀଙ୍କୁ ଏହି ଲେଖା ମାଧ୍ୟମରେ ଏକ ପରାମର୍ଶ ଦେବାକୁ ଚାହେଁ, ଆପଣମାନେ ଯେଭଳି ମାଇକ ଓ ଡି.ଜେ. ବଜାଇ କାନ୍ଧରେ ଜଳଭାର ନେଇ ଦିନ ଦିନ ଲମ୍ୱା ରାସ୍ତା ଖାଲିପାଦରେ ଚାଲି ଚାଲି ଶିବ ନାମ ଜପି ଜପି ଯାଉଛନ୍ତି ଯଦି ତାହା ନକରି ସେହି ମାଇକ ଓ ଡି.ଜେ. ମାଧ୍ୟମରେ ମଦ ବିରୋଧୀ ସ୍ଲୋଗାନ ଦେଇ କାନ୍ଧରେ ବାହୁଙ୍ଗୀ ବଦଳରେ ହାତରେ ମଦ ବିରୋଧୀ ପ୍ଲାକାର୍ଡ଼ ଧରି ସାମୂହିକ ଭାବେ ମାସେ ବ୍ୟାପୀ ବୋଲବମ ଯାତ୍ରା ଭଳି ରାଜ୍ୟ ସାରା ନିଶା ନିବାରଣ ଓ ରାଜ୍ୟକୁ ସଂପୂର୍ଣ୍ଣ ମଦମୁକ୍ତ ନିମନ୍ତେ ଯାତ୍ରା ଆରମ୍ଭ କରିବେ, ସରକାର ଭୟଭୀତ ହୋଇ ଗୋଟିଏ ଦିନରେ ହିଁ ରାଜ୍ୟରେ ମଦ ବନ୍ଦ କରିବାର ବିଜ୍ଞପ୍ତି ଜାରି କରିଦେବାକୁ ବାଧ୍ୟ ହେବେ।   ଏହାହେଲେ ଆଗାମୀ ଦିନରେ ମଦ୍ୟପାନ ଜନିତ ମୃତ୍ୟୁହାର ଲୋପ ପାଇଯିବ ଓ ଅନେକ ପରିବାରରେ ଆନନ୍ଦ ଓ ସମୃଦ୍ଧି ଫେରି ଆସିବ। ସେହି ଭଳି ବୋଲବମ ଯାତ୍ରା ନିମନ୍ତେ ଆବଶ୍ୟକ ଯେଉଁ ନୂତନ ବସ୍ତ୍ର ଓ ଜଳଭାର ପାଇଁ ସାଜ ସରଞ୍ଜାମ କିଣାରେ ଯେତିକି ଟଙ୍କା ପ୍ରତିବର୍ଷ ଖର୍ଚ୍ଚ କରୁଛନ୍ତି ତାହା ନକରି ଆପଣଙ୍କ ଜାଣତରେ ଥିବା କେହି ଜଣେ ଗରୀବ ମେଧାବୀ ଛାତ୍ରଛାତ୍ରୀ ଅର୍ଥାଭାବରୁ ଯଦି ଉଚ୍ଚଶିକ୍ଷାରୁ ବଞ୍ଚିତ ହେବାକୁ ଯାଉଛନ୍ତି, ଆପଣ ସେହି ଅର୍ଥକୁ ପ୍ରତିବର୍ଷ ସେ ପିଲାଟିକୁ ସାହଯ୍ୟ ଦେଇ ତାକୁ ଉଚ୍ଚ ଶିକ୍ଷିତ କରାନ୍ତୁ। ସେ ପିଲାଟି ଆପଣଙ୍କ ଅର୍ଥପ୍ରାପ୍ତି କରି ଯଦି ଭବିଷ୍ୟତରେ ପ୍ରତିଷ୍ଠା ଲାଭ କରେ ତେବେ ଆପଣଙ୍କୁ ସେଥିରୁ ଯେଉଁ ଆନନ୍ଦ ମିଳିବ ତାହା ଏଭଳି ବୋଲବମ ଯାତ୍ରାରୁ ଆପଣଙ୍କୁ କେବେ ପ୍ରାପ୍ତ ହେବାର ସମ୍ଭାବନା ନାହିଁ। ମଦ ମୁକ୍ତ ଓଡ଼ିଶା ଗଠନ ଆନ୍ଦୋଳନରେ ସାମିଲ ହେବା ଓ ଗରୀବ ମେଧାବୀକୁ ଆର୍ଥିକ ସାହାଯ୍ୟ ଦେଇ ଯେଉଁ ଆତ୍ମତୃପ୍ତି ପ୍ରାପ୍ତ ହେବ, ତାହା ଧର୍ମ ଅର୍ଜନ କରିବା ଓ ମାନସିକ ପୂରଣ ପାଇଁ ଏଭଳି ଅସଫଳ ବୋଲବମ ଯାତ୍ରାରୁ କେବେ ମିଳିପାରିବ ନାହିଁ। ଆଇନଜୀବୀ, ମୋ-୯୪୩୭୨୨୫୫୫୪

Share :