ରାସ୍ତା ନା ବିଲ! ଲୋକ ମାତିଲେ!

ରାସ୍ତା ନା ବିଲ! ଲୋକ ମାତିଲେ!

Share :

  କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅଧୀନସ୍ଥ ବଙ୍କାପଲା ପଦରପଡା ଖଲିଆ ରାସ୍ତା ପାଦରେ ଚାଲିବା ପାଇଁ ବି ଅଯୋଗ୍ୟ ହୋଇଯାଇଚି। ଏହି ରାସ୍ତାର ଉନ୍ନତିକରଣ ଦାବି ନେଇ ଗ୍ରାମବାସୀମାନେ ଜୁନାଗଡ କଲମପୁର ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ପାହାନ୍ତିଆରୁ ପଦରପଡାବାସୀ ରାସ୍ତା ଉପରେ ଟେଣ୍ଟ ଲଗାଇ ରାସ୍ତା ବନ୍ଦ କରିବାରୁ ପ୍ରଥମ କରି କଲମପୁରରୁ ଛାଡୁଥିବା ସୁପରକିଙ୍ଗ ବସଠାରୁ ଆରମ୍ଭ କରି ଯାନବାହାନ ଚଳାଚଳ ଠପ‌୍‍ ହୋଇଥିଲା।   ପଦରପଡା ୱାର୍ଡ ମେମ୍ୱର କର୍ଣ୍ଣ କଣ୍ଟାଙ୍କ ନେତୃତ୍ୱରେ ମମତା କଣ୍ଟା, ତରିଶ ବିହାର, ସବିତା କୁମାର, ଶଶୀ କୁମାର, ତିଳୋତ୍ତମା ବିହାର, ଜୈମନୀ କୁମାରଙ୍କ ସମେତ ଶତାଧିକ ମହିଳା ଓ ପୁରୁଷ ଏଥିରେ ସାମିଲ ହୋଇ ରାସ୍ତାରୋକ କରିଥିଲେ। ଏହି ରାସ୍ତାର ଉନ୍ନତିକରଣ ପାଇଁ ଜୁଲାଇ ମାସରେ କଲମପୁର ବି.ଡି.ଓ.ଙ୍କୁ ଅଭିଯୋଗ କରିଥିଲେ ହେଁ ସେ ଅଦ୍ୟାବଧି କୌଣସି ପଦକ୍ଷେପ ନେଲେ ନାହିଁ।   ଏବେ ପଦରପଡାଠାରୁ ମୁଖ୍ୟ ରାସ୍ତାକୁ ବାହାରିବାକୁ ହେଲେ ଆଣ୍ଠୁଏ କାଦୁଅରେ ପାର ହେବାକୁ ପଡୁଛି। ରାଜ୍ୟ ସରକାର ରାସ୍ତା ସଂଯୋଗର ଡିଣ୍ଡିମ ପିଟୁଥିଲେ ହେଁ ଏଠି କଲମପୁର ପ୍ରଶାସନ କାର୍ଯ୍ୟକାରୀ କରିବା ପରିବର୍ତ୍ତେ ଗ୍ରାମବାସୀଙ୍କୁ ନିରାଶ କରିଚାଲିଛନ୍ତି। ଏଣୁ ବାଧ୍ୟ ହୋଇ ଆମେ ରାସ୍ତାରୋକ କରିଛୁଁ ବୋଲି ଗ୍ରାମବାସୀ ପ୍ରକାଶ କରିଥିଲେ। ଏମାନଙ୍କୁ କଲମପୁର ବ୍ଲକ କଂଗ୍ରେସ ତରଫରୁ ସମର୍ଥନ ଜଣାଇ ସଭାପତି ବିପିନ ପ୍ରଧାନୀ, ଜିଲ୍ଲା ସଂପାଦକ ଚତୁର୍ଭୁଜ ପଣ୍ଡା,ଜଗନ୍ନାଥ ନାଏକ, ମୁକୁନ୍ଦ ତେଣ୍ଡକାରୀ, ଲଳିତ ବାଗ‌୍‍ ପ୍ରମୁଖ ଆନ୍ଦୋଳନରେ ଭାଗ ନେଇଥିଲେ।   ଘଟଣା ସ୍ଥଳରେ କଲମପୁର ବି.ଡି.ଓ ଲକ୍ଷ୍ମଣ ଅମାତ‌୍‍, ତହସିଲଦାର ଲରିମନ ଖର୍ସେଲ, ପୋଲିସ ଫାଣ୍ଡି ଅଧିକାରୀ ମଧୁସୁଦନ ଶର୍ମା ପହଂଚି ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ଓହରି ନଥିଲେ। ଶେଷରେ ୪୫ ଦିନ ମଧ୍ୟରେ ଏହି ରାସ୍ତାର ଉନ୍ନତିକରଣ କରାଯିବାର ଲିଖିତ ପ୍ରତିଶୃତି ଦେବାରୁ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ। ପ୍ରାୟ ୬ ଘଣ୍ଟା ଧରି ଏହି ରାସ୍ତା ବନ୍ଦ ହେବା ଫଳରେ ଅନେକ ଯାନବାହାନ ଅଟକି ଥିଲା। ଯାତ୍ରୀମାନଙ୍କୁ ହଇରାଣ ହେବାକୁ ପଡିଥିଲା।

Share :