ପୁଲିସର ଲୋଭ କନ୍ଧନାରୀଙ୍କ ଫୁଙ୍ଗୁଳା ଦେହ!

ପୁଲିସର ଲୋଭ କନ୍ଧନାରୀଙ୍କ ଫୁଙ୍ଗୁଳା ଦେହ!

Share :

  କେନ୍ଦ୍ର ଓ ରାଜ୍ୟର ପୁଲିସ ବାହିନୀ ଯୋଗୁଁ ନିୟମଗିରିରେ କାଳକାଳ ଧରି ରହି ଆସୁଥିବା କନ୍ଧ ମହିଳାମାନଙ୍କର ମର୍ଯ୍ୟାଦାର ଉଲ୍ଲଙ୍ଘନ ହେଉଛି। ଏହି ଦୁଇ ପ୍ରକାର ପୁଲିସଙ୍କ ଯୋଗୁଁ କନ୍ଧ ମା’ ଓ ଭଉଣୀମାନଙ୍କର ଇଜ୍ଜତହାନୀ ଘଟୁଛି। ସେମାନଙ୍କ ପ୍ରତି ସିଆରପିଏଫ ଓ ଏସଓଜି ଯବାନମାନେ କାମୁକ ନୟନରେ ଚାହୁଁ ଥିବାରୁ କନ୍ଧ ମହିଳାମାନେ ଏକଲା ପଦାକୁ ବାହାରିବାକୁ ଭୟ କଲେଣି।   ମାଓବାଦୀ ମୁକାବିଲା ନାଁରେ ନିୟମଗିରି ପର୍ବତ ଉପରେ ସିଆରପିଏଫ ଏବଂ ଏସ‌୍‍ଓଜି ଯବାନମାନେ ଘନ ଘନ ବିଭିନ୍ନ ଗାଁରେ କଂମ୍ୱି ଅପରେସନ ଜାରି ରଖିଥିବା ବେଳେ ଯବାନ ଅଶାଳୀନ ବ୍ୟବହାର ଯୋଗଁୁ ନିୟମଗିରିରେ ବସବାସ କରୁଥିବା ଡଙ୍ଗରିଆ ଆଦିବାସୀ ମହିଳାମାନଙ୍କୁ ଘରୁ ବାହାରିବା ମୁସକିଲ ହୋଇପଡିଛି।   ସାଧାରଣତଃ ପାହାଡ ଉପରେ ବସବାସ କରୁଥିବା ଡଙ୍ଗରିଆ ମହିଳାମାନେ ଅନ୍ତଃବସ୍ତ୍ର ପିନ୍ଧନ୍ତି ନାହଁି। ସେମାନଙ୍କ ବ୍ରା ଓ ବ୍ଲାଉଜ ହୀନ ଦେହ ଦେଖି ଯବାନମାନେ ସେମାନଙ୍କୁ କମେଣ୍ଟ ମାରୁଛନ୍ତି। ସେମାନଙ୍କୁ କାମୁକ ନଜରରେ ଦେଖୁଛନ୍ତି। କନ୍ଧ ମହିଳା ଓ ଯୁବତୀମାନେ ଝରଣା ଓ ନାଳରେ ଗାଧୋଉଥିବା ବେଳେ ଯବାନମାନେ ଲୁଚି ଲୁଚି ସେମାନଙ୍କୁ ଦେଖିବା ସହ ମୋବାଇଲରେ ମଧ୍ୟ ଫଟୋ ଉଠାଉଛନ୍ତି।   ଏହାକୁ ଆଦିବାସୀମାନେ ବିରୋଧ କଲେ ସେମାନଙ୍କୁ ମାଓବାଦୀ ଆଖ୍ୟାଦେଇ ଜେଲରେ ପୂରାଇ ଦିଆଯାଉଛି ବୋଲି ଡଙ୍ଗରିଆ କନ୍ଧମାନେ ଅଭିଯୋଗ କରିଛନ୍ତି। ଆଦିବାସୀଙ୍କ ଅଭିଯୋଗ ଅନୁଯାୟୀ ବିଗତ ଦିନରେ ଲାଞ୍ଜିଗଡ ବ୍ଲକ ତ୍ରିଲୋଚନପୁର ଗାଁ ଏବଂ କର୍ଲାପାଟର ଦୁଇ ଜଣ ମହିଳାଙ୍କୁ ଦୁଷ୍କର୍ମ କରାଯାଇଛି। ଜାମଚୁଆଁ ଗାଁରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ବେଳେ ପ୍ରତିବାଦ କରିବାରୁ ଅନ୍ୟ ଜଣେ ଗର୍ଭବତୀ ମହିଳାଙ୍କୁ ମାଡ଼ ମରାଯାଇଛି। ଶିବପଦର ଗ୍ରାମରେ ଆଦିବାସୀ ମହିଳାମାନେ ଗାଧୋଉଥିବା ବେଳେ ସେମାନଙ୍କ ଫୁଙ୍ଗୁଳା ଦେହର ଫଟୋ ଉଠାଯାଇଛି। ମାଓବାଦୀ ମୁକାବିଲା ଆଳରେ ନିୟମଗିରି ଅଂଚଳରେ ମୁତୟନ ହୋଇଥିବା ଯବାନମାନେ ଏହି ପରି ନୀଚ କାମ କରୁଛନ୍ତି। ସେମାନଙ୍କ ଯୋଗୁଁ ମା’ର ସମ୍ମାନ ଭୂଲୁଣ୍ଠିତ ହୋଇଛି।   ଏଭଳି ଘଟଣା ପାହାଡିଆ ଅଞ୍ଚଳର ମହିଳାମାନଙ୍କୁ ଭୟଭୀତ କରିଛି। ଯାହା ଫଳରେ ଡଙ୍ଗରିଆ କନ୍ଧ ମହିଳାମାନେ ଘରୁ ବାହାରି ପାରୁନାହାନ୍ତି। ସତୀତ୍ବ ଓ ମର୍ଯ୍ୟାଦା ହାନୀ ହେବା ଆଶଙ୍କାରେ ସେମାନେ ଆଉ କାମକୁ ବାହାରିପାରୁ ନଥିବାରୁ ସେମାନଙ୍କ ଜୀବନ ଜିବିକା ସଂକଟରେ ପଡିଛି। ଯବାନଙ୍କ ଭୟରେ ମହିଳାମାନେ ପାରଂପାରିକ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରିପାରୁନାହାନ୍ତି।   ନିୟମଗିରିର ଆଦିବାସୀମାନେ ହିଂସ୍ର ମାଓବାଦୀଙ୍କୁ ଡରିବା ଅପେକ୍ଷା ଏଭଳି ଯବାନଙ୍କୁ ଅଧିକ ଭୟ କରୁଛନ୍ତି। ଆଦିବାସୀ ମହିଳାମାନଙ୍କର ମାନ ଓ ମର୍ଯ୍ୟାଦାହାନୀ କରୁଥିବା ପୁଲିସ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଏବଂ ଆଦିବାସୀମାନଙ୍କ ସ୍ୱାର୍ଥର ସୁରକ୍ଷା ପ୍ରତି ଦୃଷ୍ଟି ଦିଆ ନଗଲେ ଆଗାମୀ ଦିନରେ ଭୟଙ୍କର ଆନ୍ଦୋଳନ କରାଯିବ ବୋଲି ନିୟମଗିରି ସୁରକ୍ଷା ସମିତିର ଆବାହକ ସତ୍ୟ ମାହାର, ଲିଙ୍ଗରାଜ ଆଜାଦ, ସିକୋକା ଲଦୋ, କୁମୁଟି ମାଝି, ପୁସିକା ଦଧି ପ୍ରମୁଖ ଚେତାବନୀ ଦେଇଛନ୍ତି।

Share :