କାହାର ଥିଲା ବ୍ଲାକ୍ ରୋଜ?

କାହାର ଥିଲା ବ୍ଲାକ୍ ରୋଜ?

Share :

ପାରାଦୀପ ଟ୍ରଷ୍ଟ ବୋର୍ଡରେ ଉଠିଛି ବହୁ ଚର୍ଚ୍ଚିତ ବ୍ଳାକ୍ ରୋଜ ଜାହାଜ ବୁଡ଼ି ପ୍ରସଙ୍ଗ। ପାରାଦୀପ ବନ୍ଦରରେ ବ୍ଲାକ ରୋଜ ଜାହାଜ ବୁଡ଼ି ଘଟଣାକୁ ଆଉ ଏକ ମାସ ପରେ ୭ ବର୍ଷ ପୂରିବ। କିନ୍ତୁ ଏଯାଏଁ ଜଣାପଡ଼ି ନାହିଁ କିଏ ଏହି ଜାହାଜରେ କେତେ ଲୁହା ପଥର କାହାଠାରୁ କିଣି କାହା ନିକଟକୁ ପଠାଉଥିଲା? ସେଥିପାଇଁ କିଏ ଅନୁମତି ଦେଇଥିଲା। ଜାହାଜ କେଉଁ କମ୍ପାନୀ ପାଇଁ କାମ କରୁଥିଲା? ଏସବୁ ଜାଣିବା ପାଇଁ ଆରମ୍ଭ ହୋଇଥିବା ତଦନ୍ତରେ ଅନେକ ଦିନ ତଳୁ ଗଣ୍ଠି ପଡ଼ିଯାଇଛି।   ଏ ନେଇ ବନ୍ଦର ଟ୍ରଷ୍ଟ ବୋର୍ଡ଼ ବୈଠକରେ ଯୁକ୍ତିତର୍କ ହୋଇଥିଲା। କ’ଣ ପାଇଁ ତଦନ୍ତରେ ଶିଥିଳତା ଦେଖାଦେଇଛି ଓ ଏନେଇ ତତ୍କାଳୀନ ବନ୍ଦର ଅଧିକାରୀମାନଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ବୋଲି ପ୍ରଶ୍ନ କରିଥିଲେ ବନ୍ଦରର ଦୁଇ ଟ୍ରଷ୍ଟି ପ୍ରତାପ କୁମାର ମିଶ୍ର ଓ ଭୁବନ ମୋହନ ଜେନା। ଏନେଇ ବନ୍ଦର ଅଧ୍ୟକ୍ଷକଙ୍କୁ ଦୁଇ ଟ୍ରଷ୍ଟି ଏକ ୩ ପୃଷ୍ଠା ସମ୍ୱଳିତ ଦାବି ପତ୍ର ପ୍ରଦାନ କରିବା ସହିତ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରଣାଳୟକୁ ମଧ୍ୟ ଅବଗତ କରାଇଛନ୍ତି। ତେବେ ବନ୍ଦରର ବର୍ତ୍ତମାନ ଅଧ୍ୟକ୍ଷ ରିଙ୍କେଶ ରାୟ କହିଛନ୍ତି ଯେ ଏହି ମାମଲା ଏବେ ବିଚାରାଧୀନ ରହିଛି ଓ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଖୁବ‌୍‍ ଶୀଘ୍ର ସାମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରାଯାଉଛି।   ଆଉ ମାତ୍ର କିଛି ଦିନ ପରେ ପାରାଦୀପ ଉପକୂଳରେ ବ୍ଳାକ୍ ରୋଜ ଜାହାଜ ବୁଡି ଘଟଣାକୁ ୭ ବର୍ଷ ପୂରିବ। କିନ୍ତୁ ଏହାର ଯଥେଷ୍ଟ ପୂର୍ବରୁ ନବଗଠିତ ବନ୍ଦର ଟ୍ରଷ୍ଟ ବୋର୍ଡର ପ୍ରଥମ ବୈଠକରେ ଦୁଇ ଟ୍ରଷ୍ଟି ଏ ପ୍ରସଙ୍ଗ ଉଠାଇଛନ୍ତି। ସଂପୂର୍ଣ୍ଣ ଜାଲ କାଗଜପତ୍ରରେ ଆସିଥିବା ୩୨ ବର୍ଷର ଏହି ପୁରୁଣା ଜାହାଜକୁ ସେତେବେଳେ କିପରି ବନ୍ଦର ମଧ୍ୟକୁ ପ୍ରବେଶ କରିବା ପାଇଁ ଅନୁମତି ଦିଆଗଲା, କିଏ ଦେଲା, କାହା ଚାପରେ ଦେଲା ଆଦି ପ୍ରଶ୍ନ ଏବେ ବି ଅନୁତ୍ତରିତ ରହିଛି। ଏଥିରେ ବନ୍ଦରର କେତେକ ତତ୍କାଳୀନ ଅଧିକାରୀ ସଂପୃକ୍ତ ଥିବା ନିଶ୍ଚିତ। ସେମାନଙ୍କ ବିରୋଧରେ ଏପର୍ଯ୍ୟନ୍ତ କାହିଁକି ବିଭାଗୀୟ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ସେନେଇ ଏକ ୩ ପୃଷ୍ଠା ସମ୍ୱଳିତ ଦାବିପତ୍ର ବନ୍ଦର ଅଧ୍ୟକ୍ଷଙ୍କୁ ପ୍ରଦାନ କରାଯାଇଛି।   ଏହି ବୁଡି ଯାଇଥିବା ଜାହାଜ ବର୍ତ୍ତମାନ ଯେଉଁ ଅବସ୍ଥାରେ ପଡି ରହିଛି ତାହା ଆଗାମୀ ଦିନରେ ନିଶ୍ଚିନ୍ତ ବିପଦ ସୃଷ୍ଟି କରିବ ବୋଲି ଟ୍ରଷ୍ଟି ପ୍ରତାପ ମିଶ୍ର ଦୃଢତାର ସହ କହିଛନ୍ତି। ଯଦି କୌଣସି ପ୍ରାକୃତିକ ବିପର୍ଯ୍ୟୟ ଘଟେ ତାହେଲେ ଏହି ଜାହାଜ ସମଗ୍ର ଉପକୂଳ ଉପରେ ବିପଦ ହୋଇ ମାଡି ଆସିବ। ତା’ଛଡା ସମୁଦ୍ର ମଧ୍ୟକୁ ଯାଉଥିବା ମତ୍ସ୍ୟଜୀବୀ ଦିଗହରା ହୋଇ ସେହି ସ୍ଥାନକୁ ଭୁଲବଶତଃ ଚାଲିଗଲେ ଦୁର୍ଘଟଣା ଘଟିବାର ଆଶଙ୍କା ମଧ୍ୟ ରହୁଛି। ବିଶେଷ କରି ବୁଡିଥିବା ଜାହାଜରେ ଯେଉଁ ଲୁହା ପଥର ଗୁଣ୍ଡ ରହିଛି ତାହା ନିଶ୍ଚିନ୍ତ ଭାବେ ଜଳ ପ୍ରଦୂଷଣ କରୁଛି ଯେଉଁଥିପାଇଁ ପାରାଦୀପ ଉପକୂଳରେ ଜଳଜୀବମାନେ ସଙ୍କଟରେ ପଡ଼ିଛନ୍ତି ବୋଲି ପରିବେଶବିତ‌୍‍ ଅୟସକାନ୍ତ ରାୟ ଅଭିଯୋଗ କରିଛନ୍ତି।   ୨୦୦୯ ସେପ୍ଟେମ୍ବର ୯ ତାରିଖ ବା ୦୯.୦୯.୦୯ରେ ବୁଡିଥିବା ବ୍ଳାକ୍ ରୋଜ ପାରାଦୀପ ବନ୍ଦର ଇତିହାସରେ ଏକ କଳଙ୍କିତ ଅଧ୍ୟୟ ସୃଷ୍ଟି କରିଛି। ଅତ୍ୟଧିକ ଓଦା ହୋଇଥିବା କାଦୁଆ ଲୁହାଗୁଣ୍ଡ ପରିବହନ କରି ଏହି ଜାହାଜ ବନ୍ଦର ଆଙ୍କରେଜ ଏରିଆରେ ଦୁର୍ଘଟଣାଗ୍ରସ୍ତ ହୋଇ ବୁଡି ଯାଇଥିଲା। ଏହି ଦୁର୍ଘଟଣାରେ ଜାହାଜର ମୁଖ୍ୟ ଯନ୍ତ୍ରୀ ମୃତ୍ୟୁବରଣ କରିଥିବା ବେଳେ ୨୬ ଜଣ ନାବିକ ଉଦ୍ଧାର ପାଇଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଏହି ଜାହଜରୁ ତେଲ ଲିକ‌୍‍ ହୋଇ ପ୍ରଚୁର ମାତ୍ରାରେ ଜଳଜୀବ ମୃତ୍ୟୁ ମୁଖରେ ପଡିଥିଲେ। ସେଥିପାଇଁ ବନ୍ଦର କତ୍ତୃର୍ପକ୍ଷ ପ୍ରାୟ ୧୭.୫ କୋଟୀ ଟଙ୍କା ବିନିମୟରେ ଗ୍ଳୋବାଲ‌୍‍ ଟେଣ୍ଡର କରି ତେଲ ବାହାର କରିଥିଲେ। କିନ୍ତୁ ସେହି ଦିନଠାରୁ ଜାହାଜ ସେହିପରି ସେହି ସ୍ଥାନରେ ପଡି ରହିଛି। ତାହାର ଉପରାଂଶ କେତେକାଂଶରେ ସ୍କ୍ରାପ‌୍‍ ମାଫିଆ ଲୁଟ୍ କରିଛନ୍ତି ଓ ଆଉ କିଛି ଅଂଶ ଲୁଣି ପାଣିରେ କ୍ଷତିଗ୍ରସ୍ତ ହେବା ଫଳରେ କୂଳକୁ ଆଉ ଉପରିଭାଗ ଦୃଶ୍ୟମାନ ହେଉନାହିଁ।   ଏହି ଘଟଣା ପରେ ଏହାର ସିଙ୍ଗାପୁରସ୍ଥିତ ମାଲିକ କୁଆଡେ ଗାଏବ ହୋଇ ଯାଇଛନ୍ତି। ଜାଲ‌୍‍ କାଗଜପତ୍ର ନେଇ ଆଣିଥିବା ଏହି ଜାହାଜର ଏଜେଣ୍ଟ ସିଟ୍ରାନ‌୍‍ସ କମ୍ପାନୀ ମଧ୍ୟ ପାରାଦୀପ ଛାଡି ସାରିଛି। ଇତିମଧ୍ୟରେ ଏହାର ତଦନ୍ତର ଦାୟିତ୍ୱ କ୍ରାଇମ‌୍‍ ବ୍ରାଞ୍ଚ ଠାରୁ ଇଣ୍ଟରପୋଲ‌୍‍ ପର୍ଯ୍ୟନ୍ତ ଯାଇଛି। ସେହିପରି ଓଡିଶା ହାଇକୋର୍ଟ, କୋଲକତା ହାଇକୋର୍ଟ ଓ ସୁପ୍ରିମ‌୍‍ କୋର୍ଟରେ ମଧ୍ୟ ଏ ନେଇ ମକଦ୍ଦମା ଚାଲିଛି। କିନ୍ତୁ ଏ ରହସ୍ୟ ଉନ୍ମୋଚିତ ହୋଇନାହିଁ କିମ୍ବା ଅପରାଧୀ ଧରା ପଡ଼ି ନାହାନ୍ତି।   ଏ ପ୍ରସଙ୍ଗ ଟ୍ରଷ୍ଟ ବୋର୍ଡରେ ଉଠିବା ପରେ ବନ୍ଦର ପକ୍ଷରୁ ମଧ୍ୟ ତତ୍ପରତା ପ୍ରକାଶ ପାଇଛି। ତେବେ ପ୍ରାଥମିକ ପଦକ୍ଷେପ ସୂରୁପ ବୁଡି ଯାଇଥିବା ଜାହାଜରୁ ତେଲ ଅପସାରଣ ପାଇଁ ବିନିଯୋଗ ହୋଇଥିବା ଅର୍ଥ କିପରି ସିପିଙ୍ଗ ଏଜେଣ୍ଟ ସିଟ୍ରାନ‌୍‍ସ ଭରଣା କରାଯିବ ସେନେଇ ଉଦ୍ୟମ ଆରମ୍ଭ ହୋଇଛି। ଏହି ମାମଲା କୋଲକତା ହାଇକୋର୍ଟରୁ ଓଡିଶା ହାଇକୋଟକୁ ସ୍ଥାନାନ୍ତରଣ କରିବା ପାଇଁ ଆବେଦନ କରାଯାଇଛି। ଏସବୁ ପ୍ରକିୟା ପରେ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବନ୍ଦର ପ୍ରଶାସନ ପରବର୍ତ୍ତୀ ପଦକ୍ଷେପ ନେବ ବୋଲି ପାରାଦୀପ ବନ୍ଦରର ଅଧ୍ୟକ୍ଷ ରିଙ୍କେଶ ରାୟ କହିଛନ୍ତି।   ତେବେ ସମଗ୍ର ଘଟଣାରେ ଜିଲ୍ଲା ପ୍ରଶାସନର ଭୂମିକା ସନ୍ଦେହ ସୃଷ୍ଟି କରିଛି। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଜଗତସିଂହପୁର ଜିଲାପାଳ ସମୁଦ୍ରରୁ ଜାହାଜର ସମ୍ପୂର୍ଣ୍ଣ ଅପସାରଣ ପାଇଁ ରସିଭର ଦାୟିତ୍ୱ ନେଇଥିଲେ। କିନ୍ତୁ ପରିବର୍ତ୍ତୀ ପର୍ଯ୍ୟାୟରେ ସେଥିରେ ଅକ୍ଷମତା ଦର୍ଶାଇ ଜିଲ୍ଲା ପ୍ରଶାସନ ହାତ ଟେକି ଦେଇଥିଲେ। ଏବେ ଏହି ଜାହାଜ କିପରି ସମୁଦ୍ରରୁ ଅପସାରଣ କରାଯିବ ଓ ଏହାର ଅପସାରଣ ପାଇଁ ବିନିଯୋଗ ଅର୍ଥ କିଏ ବହନ କରିବ ତାହା ଏବେ ଅ୍ୟ ଏକ ବଡ ପ୍ରଶ୍ନ ?

Share :