ପରିବର୍ତ୍ତନରେ ଗଣମାଧ୍ୟମ ଗୁରୁତ୍ୱପୂର୍ଣ୍ଣ

ପରିବର୍ତ୍ତନରେ ଗଣମାଧ୍ୟମ ଗୁରୁତ୍ୱପୂର୍ଣ୍ଣ

Share :

  ପରିବର୍ତ୍ତନ ଧାରାରେ ଲୋକଙ୍କୁ ସାମିଲ କରିବାରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଜୁଲାଇ ୩୧ ରବିବାର କଳିଙ୍ଗ ଟିଭିର ବର୍ଷ ପୂର୍ତ୍ତି ପରିପ୍ରେକ୍ଷୀରେ କଳିଙ୍ଗ ଟିଭି ଓ କିଟ‌୍‍ ଫିଲ୍ମ ଆଣ୍ଡ ମେଡିଆ ସାଇନ‌୍‍ସେସ‌୍‍ ସ୍କୁଲ‌୍‍ ସହଯୋଗରେ ଆୟୋଜିତ କଲୋକିଓମ‌୍‍କୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଲେ, ବର୍ତ୍ତମାନ ସମୟରେ ଗଣତନ୍ତ୍ରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାମ ହେଉଛି ପରିବର୍ତ୍ତନ ଧାରାରେ ଲୋକଙ୍କୁ ସାମିଲ କରିବା। ଏଥିରେ ଗଣମାଧ୍ୟମର ବଡ଼ ଭୂମିକା ରହିଛି। ସ୍ୱାଧୀନତାର ୭୦ ବର୍ଷ ଭିତରେ ଏବେ ବି ଗଣମାଧ୍ୟମ  ଜୀବନ୍ତ ମାଧ୍ୟମ ଭାବେ ସୁନାମ ଅର୍ଜନ କରିଛି। ଗଣତନ୍ତ୍ରର ମୌଳିକ ମୂଲ୍ୟବୋଧକୁ ବଜାୟ ରଖିବାରେ ଗଣମାଧ୍ୟମ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।   ସେ କହିଥିଲେ ଯେ ବର୍ତ୍ତମାନ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଯୁଗରେ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ ଛଡ଼ା ସୋସିଆଲ‌୍‍ ମେଡିଆ ଜନତାର ସ୍ୱରକୁ ଉପସ୍ଥାପନ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଗଣମାଧ୍ୟମକୁ ଆହୁରି ଲୋକଙ୍କ ନିକଟତର କରିବା ଲାଗି ଗଣମାଧ୍ୟମଗୁଡ଼ିକ ନୂଆ ନୂଆ ପଦ୍ଧତି ଆପଣାଇବା ଆବଶ୍ୟକ ବୋଲି ସେ କହିଥିଲେ। ଓଡ଼ିଶାର ବିକାଶ ଯାତ୍ରାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସମସ୍ତ ଗଣମାଧ୍ୟମକୁ ସହଯୋଗ ପାଇଁ ଆହ୍ୱାନ ଦେଇଥିଲେ।   ସ୍ୱାଗତ ଅଭିଭାଷଣ ପ୍ରଦାନ କରି କଳିଙ୍ଗ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ, କଳିଙ୍ଗ ଟିଭି ବର୍ଷକ ମଧ୍ୟରେ ଓଡ଼ିଶା ଓ ଓଡ଼ିଶା ବାହାରେ ଥିବା ଅଗଣିତ ଓଡ଼ିଆ ଦର୍ଶକଙ୍କ ପ୍ରିୟ ହୋଇପାରିଛି। କଳିଙ୍ଗ ଟିଭି ସମ୍ୱେଦନଶୀଳ ସମ୍ୱାଦ ପରିବେଷଣ କରି ହଟଚମଟ ସୃଷ୍ଟି କରିବା ଅପେକ୍ଷା ତଥ୍ୟ ଓ ସତ୍ୟ ଉପରେ ପର୍ଯ୍ୟବସିତ ଘଟଣାକୁ ଲୋକଲୋଚନକୁ ଆଣିବାରେ ସବୁଠାରୁ ଆଗରେ ରହିଛି। କଳିଙ୍ଗ ଟିଭି ତାର ଲକ୍ଷ୍ୟ ଗଠନମୂଳକ, ସକାରାମିକ ଓ ବାସ୍ତବଧର୍ମୀ ସମ୍ୱାଦ ପରିବେଷଣରୁ କେବେ ବିଚ୍ୟୁତ ହୋଇନାହିଁ ଏବଂ ଏହି ଲକ୍ଷ୍ୟ ଭବିଷ୍ୟତରେ ମଧ୍ୟ ଜାରି ରହିବ ବୋଲି ଶ୍ରୀ ସାମନ୍ତ କହିଥିଲେ। ଉଦଘାଟନୀ ଉତ୍ସବର ସମ୍ମାନୀତ ଅତିଥି ଟାଇମ‌୍‍ସ ଅଫ‌୍‍ ଇଣ୍ଡିଆ ନିର୍ଦ୍ଦେଶକ ବୋର୍ଡର ପ୍ରାକ୍ତନ ସଦସ୍ୟ ଏ. ପି. ପାରିଗି ଗଣମାଧ୍ୟମଗୁଡ଼ିକ ସମାଜର ବାସ୍ତବ ଚିତ୍ରକୁ ଲୋକଲୋଚନକୁ ଆଣିବା ଦରକାର। ଗଣମାଧ୍ୟମଗୁଡ଼ିକ ନିଷ୍ପକ୍ଷ ଭାବେ ସମ୍ୱାଦ ପରିବେଷଣ କରିବା ଉଚିତ ବୋଲି ସେ କହିଥିଲେ। କଳିଙ୍ଗ ଟିଭିର ମୁଖ୍ୟ ସଂପାଦକ ସୌମ୍ୟଜିତ ପଟ୍ଟନାୟକ କଳିଙ୍ଗ ଟିଭି ସର୍ବଦା ସାଧାରଣ ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ ଆସିଛି ବୋଲି କହିଥିଲେ। ନିପଟ ମଫସଲରେ ଘଟିଯାଉଥିବା ପ୍ରତ୍ୟେକ ଘଟଣା ଓ ସମସ୍ୟାକୁ ଉପସ୍ଥାପନା କରିବାରେ କଳିଙ୍ଗ ଟିଭି ସବୁଠାରୁ ଆଗରେ ବୋଲି ସେ କହିଥିଲେ।   ଉଦ‌୍‍ଘାଟନୀ ଉତ୍ସବ ପରେ କଲୋକିଓମ‌୍‍ର ବିଷୟବସ୍ତୁ ‘ଗଣମାଧ୍ୟମର ଭବିଷ୍ୟତ’- ଦି ଫ୍ୟୁଚର‌୍‍ ଅଫ‌୍‍ ମେଡିଆ ଉପରେ ପର୍ଯ୍ୟବସିତ  ‘ଦି ନିଉ ମେଡିଆ ମୋଗୁଲ‌୍‍ସ’, ‘ଭିଉ ଫ୍ରମ‌୍‍ ଦି ଗ୍ରାଉଣ୍ଡ’, ‘ଭାରତ ଆଣ୍ଡ ଇଣ୍ଡିଆ- ଦି ରିଚ‌୍‍ ଆଣ୍ଡ ଇମ୍ପାକ୍ଟ ଅଫ‌୍‍ ଲାଙ୍ଗୁଏଜ‌୍‍  ମେଡିଆ’ ଓ ‘ଟେଲିଭିଜନ‌୍‍ ଆଣ୍ଡ ଏଣ୍ଟରଟେନ‌୍‍ମେଣ୍ଟ ୱାଲ୍ଡ’ ଆଦି ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏହି ସବୁ ଅଧିବେଶନରେ ଟୁଇଟର‌୍‍ର ମିଡିଲ‌୍‍ ଇଷ୍ଟର ଉପସଭାପତି ରିଷି ଏସ‌୍‍ ଜେଟଲୀ, ୟୁଟ୍ୟୁବ‌୍‍, ଇଣ୍ଡିଆ/ଗୁଗଲ‌୍‍ର ଏଣ୍ଟରଟେନମେଣ୍ଟ ମୁଖ୍ୟ ସତ୍ୟନାରାୟଣ ରାଘବନ, ବାଙ୍ଗାଲୋରସ୍ଥିତ ଏନ‌୍‍ୱାଇୟୁଏସ‌୍‍ୟୁର ମୁଖ୍ୟ ସଂପାଦକ ଆର‌୍‍. ଶ୍ରୀଧରନ, ଇଟି ନାଓର ତନବୀର ଗିଲ, ସିଏନ‌୍‍ଏନ‌୍‍ ୧୮ର ଶ୍ରେୟା ଧୌନ୍ଦିଆଲ, ଟାଇମ‌୍‍ସ ନାଓର ପ୍ରେମା ଶ୍ରୀଦେବୀ, ସୁବର୍ଣ୍ଣ ନିଉଜ‌୍‍ର ବିଜୟଲକ୍ଷ୍ମୀ ଶିବାରୁରୁ, ଅମର ଉଜାଲାର ସୁମନ୍ତ ପାଲ ଓ ଅରବିନ୍ଦ ଯୋଶୀ, ଏବିପି ନ୍ୟୁଜ‌୍‍ର ଅବିନାଶ ପାଣ୍ଡେ, ଉଦୟବାଣୀର ରବି ହେଗଡେ, ରେଡିଓ ମିର୍ଚ୍ଚିର ପ୍ରଶାନ୍ତ ପାଣ୍ଡେ, ଯଶ ପଟ୍ଟନାୟକ, ସ୍ମୃତି ଚୌଧୁରୀ, ମେହକ ସାବତ ଏବଂ ହର୍ଷିତା ଗୌର ପ୍ରମୁଖ ଯୋଗ ଦେଇ ସୁଚିନ୍ତିତ ମତାମତ ରଖିଥିଲେ। ଶେଷରେ କଳିଙ୍ଗ ଟିଭିର ପରିଚାଳନା ନିର୍ଦ୍ଦେଶକ ହିମାଂଶୁ ଖଟୁଆ ଧନ୍ୟବାଦ ଅର୍ପଣ କରିଥିଲେ।

Share :