ଗୁଦ‌୍‍ଗୁଦା

ଗୁଦ‌୍‍ଗୁଦା

Share :

 ଗୁଦ‌୍‍ଗୁଦା ଜଳପ୍ରପାତ ଏକ ମନୋରମ ପର୍ଯ୍ୟସ୍ଥଳୀ। ଏହା ସମ୍ୱଲପୁର ଜିଲ୍ଳାର କୁଚିଣ୍ଡା ଉପଖଣ୍ଡରେ ଅବସ୍ଥିତ। ଏହି ଜଳପ୍ରପାତ ଘଂଚ ଜଙ୍ଗଲ ଓ ପାହାଡ଼ ମଧ୍ୟରେ ରହିଥିବା ବେଳେ ବନ୍ଧୁର ଶିଳା ଦେଇ କୁଳୁ କୁଳୁ ନାଦରେ ଝରିଯାଉଛି ପାଣିର ଧାର। ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ ତଥା ବଣଭୋଜି ସହିତ ମାଉନ‌୍‍ଟେନ‌୍‍ ଟ୍ରେକିଂର ମଜା ଏଠାରେ ମିଳେ।   କୁଚିଣ୍ଡାରୁ ପ୍ରାୟ ୧୫ କି.ମି ଦୂରରେ ଏହି ଜଳପ୍ରପାତ ରହିଛି। ଏଠାରୁ ଗୁଦ‌୍‍ଗୁଦାକୁ ସିଧା ରାସ୍ତା ରହିଛି। ପ୍ରାୟ ଗୋଟିଏ କି.ମି. ଜଙ୍ଗଲିଆ ଓ ଅଙ୍କାବଙ୍କା ରାସ୍ତା ପଡ଼ିଥାଏ। ଏହି ସ୍ଥାନ ଯିବା ବେଳେ ରାସ୍ତାର ଉଭୟ କଡ଼ରେ ଅନେକ ଲିଚୁ ଓ ଆମ୍ୱ ବଗିଚା ମାନ ଦେଖିବାକୁ ମିଳେ। ଆମ୍ୱ ଓ ଲିଚୁ ଅମଳ ସମୟରେ ଗଲେ ମନ ଇଚ୍ଛା ଏହି ସୁଆଦିଆ ଫଳ ପେଟପୂରା ଖାଇବାକୁ ମିଳିଥାଏ।   ଏକ ଉତ୍କୃଷ୍ଟ ପର୍ଯ୍ୟଟନସ୍ଥଳୀ ଓ ବଣଭୋଜି ସ୍ଥାନ ଭାବେ ଏହା ବେଶ‌୍‍ ପରିଚିତ। ନିୟମିତ ଭାବେ ସୁନ୍ଦରଗଡ଼, ସମ୍ୱଲପୁର, ଝାରସୁଗୁଡ଼ା, ଦେବଗଡ଼ ଆଦି ଜିଲ୍ଳାରୁ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ଏଠିକାର ଶାନ୍ତ ଶୀତଳ ସବୁଜିମା ପରିବେଶ କର୍ମକ୍ଲାନ୍ତ ମନକୁ ନିମିଷେ ମଧ୍ୟରେ ହାଲ‌୍‍କା କରି ଦିଏ। ଘଂଚ ଜଙ୍ଗଲ ଓ ଝରଣାର ମନୋରମ ଦୃଶ୍ୟରେ ଆଖି ଲାକିଯାଏ। ଗୁଦ‌୍‍ଗୁଦା ଜଳପ୍ରପାତ ନିକଟରେ ପହଂଚିବା ପୂର୍ବରୁ ଏକ ଛୋଟ ଜଳପ୍ରପାତକୁ ଅତିକ୍ରମ କରିବାକୁ ପଡ଼ିଥାଏ। ଜଳପ୍ରପାତଟି ପଥର ମାଧ୍ୟମରେ ତିନୋଟି ସୋପାନରେ ବିଭକ୍ତ ହୋଇଛି। ମାଉନ‌୍‍ଟେନ‌୍‍ ଟ୍ରେକିଂ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଏହା ହେଉଛି ଉପଯୁକ୍ତ ସ୍ଥାନ। ସାଙ୍ଗରେ ଟ୍ରେକିଂ ଜୋତା ନେବା ଉଚିତ‌୍‍। ଏହି ଜଳପ୍ରପାତର ପାଣି ବହୁତ ଥଣ୍ଡା ଲାଗିଥାଏ। ଯଦି ଭଲଭାବେ ପହଁରା ଏବଂ ଥଣ୍ଡା ସହିବାର ଶକ୍ତି ଥାଏ ତା’ହେଲେ ଏଠାରେ ସୁଇମିଂ କରି ମଜା ନେଇ ପାରିବେ।   ଝାରସୁଗୁଡ଼ା ଠାରୁ କୁଲାବିରା ରାସ୍ତାରେ କୁଚିଣ୍ଡା ଦେଇ ଏଠାକୁ ପହଂଚିବାକୁ ମାତ୍ର ୨ ଘଂଟା ସମୟ ଲାଗଥିବା ବେଳେ ରାଉରକେଲା ଠାରୁ ସୁନ୍ଦରଗଡ଼ ଆଡ଼କୁ ଆସି ବାମରା ଦେଇ ମଧ୍ୟ ଯିବାକୁ ଭଳ ରାସ୍ତା ରହିଛି।   ଏହା ଏକ ଉତ୍କୃଷ୍ଟ ଜଳପ୍ରପାତ ଓ ପର୍ଯ୍ୟଟନସ୍ଥଳୀ ହୋଇଥିଲେ ସୁଦ୍ଧା ରାଜ୍ୟ ପର୍ଯ୍ୟଟନ ବିଭାଗ ଏହାର ବିକାଶ ପ୍ରତି ସେତେଟା ଗୁରୁତ୍ୱ ଦେଉ ନାହାନ୍ତି।

Share :