ଅନ୍ୟ ପାଇଁ ବୁଡ଼ି ମରୁଛନ୍ତି ଆଦିବାସୀ

ଅନ୍ୟ ପାଇଁ ବୁଡ଼ି ମରୁଛନ୍ତି ଆଦିବାସୀ

Share :

  କଳାହାଣ୍ଡି ଜିଲ୍ଲାର ଜୀବନ ରେଖା ବୋଲାଉଥିବା ଇନ୍ଦ୍ରାବତୀ ପାଲଟିଛି ବୁଡି ଅଞ୍ଚଳବାସୀଙ୍କ ଦୁଃଖ। ଇନ୍ଦ୍ରାବତୀ ପାଇଁ ଏମାନଙ୍କ ଜମି ଗଲା, ଜଙ୍ଗଲ ଗଲା ଏବଂ ଜୀବିକା ବି ଗଲା। ଏବେ ଯାଉଛି ସେମାନଙ୍କ ଜୀବନ। ଦୁଇ ଦଶନ୍ଧିରେ ମଲେଣି ୨୫୭ ଜଣ। ଦୀର୍ଘ ଦିନର ଦାବି ଜଳଭଂଡ଼ାରର କେନ୍ଦୁଗୁଡ଼ା ଘାଟରେ ଝୁଲା ପୋଲ ନିର୍ମାଣ ପାଇଁ ଟଙ୍କା ମଂଜୁର ହୋଇଥିଲେ ବି କାର୍ଯ୍ୟ ଆରମ୍ଭ ହୋଇ ପାରିନାହିଁ। ତେଣୁ ଦେଶୀ ଡ଼ଙ୍ଗା ହିଁ ବୁଡ଼ି ଅଂଚଳର ସାହାଭରସା।   କଳାହାଣ୍ଡି ଜିଲ୍ଲାର ବୃହତ ସ୍ୱାର୍ଥ ଲାଗି ବହୁମୁଖୀ ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ନିର୍ମିତ ହୋଇଥିଲା ବୋଲି ପ୍ରଚାର ହେଲା। ଏହି ପ୍ରକଳ୍ପ ହେବା ଯୋଗୁଁ ୬୦୦ ମେଗାୱାଟ ବିଦ୍ୟୁତ ଉତ‌୍‍ପାଦନ ହେବା ସହ ଚିର ମରୁଡି ପ୍ରପୀଡିତ କଳାହାଣ୍ଡି ଶସ୍ୟ ଶ୍ୟାମଳା ହେବ ବୋଲି କୁହାଗଲା। କିନ୍ତୁ ଏଥିପାଇଁ ବିସ୍ଥାପିତ ହେଲେ କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଳକର ୬ଟି ପଞ୍ଚାୟତର ୪୩ଟି ଗାଁର ୩୨୦୦ ପରିବାର। ସେମାନଙ୍କୁ ପ୍ରକଳ୍ପ ତରଫରୁ ମିଳିଳା ନାନା ପ୍ରତିଶ୍ରୁତି। ହେଲେ ପ୍ରକଳ୍ପ ନିର୍ମାଣର ଅନେକ ଦିନ ବିତିଯାଇଥିଲେ ହେଁ  ପ୍ରତିଶ୍ରୁତି ପ୍ରତିଶ୍ରୁତିରେ ରହିଯାଇଛି। ଏବେ ସେମାନେ ଜଳବନ୍ଦୀ ଜୀବନ ବିତାଉଛନ୍ତି। ଏପରିକି ନିତିଦିନିଆ ଚଳଣି ପାଇଁ ଦରକାର ହେଉଥିବା ତେଲଲୁଣ ଲାଗି ମଧ୍ୟ ସେମାନଙ୍କୁ ଅକାତକାତ ପାଣିରେ ମାଇଲ ମାଇଲ ଦୂର ଦେଶୀ ଡଙ୍ଗାରେ ଯିବାକୁ ପଡ଼ୁଛି। ଦୁର୍ଘଟଣାରେ ଜୀବନ ଯାଉଛି।   କଣାସୁକଲି, ଗୁଞ୍ଜମାଳି, କେନ୍ଦୁଗୁଡା, ମୁଖିଜାଲ, ବଡବଫଲା କୁଟ୍ରୁଖାଳ, ପାଡେପଦର, ତଳନାଗି, ଅଞ୍ଚଳର ଲୋକ ଦୈନନ୍ଦିନ ଜୀବନ ଜୀବୀକା ପାଇଁ ବେଣାଖମାର, ଖାତିଗୁଡା ଆଦି ଅଞ୍ଚଳକୁ ଡଙ୍ଗାରେ ଯା’ଆସ କରନ୍ତି। ଇତିମଧ୍ୟରେ ଇନ୍ଦ୍ରାବତୀ ଜଳଭଣ୍ଡାରରେ ୩୦ ଥର ଡଙ୍ଗାବୁଡି ଘଟଣା ଘଟିସାରିଛି। ଏଥିରେ ସରକାରୀ ଭାବେ ଏହି ଗାଁ ଗୁଡିକର ୨୫୭ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିବାବେଳେ ବେସରକାରୀ ଭାବେ ବହୁ ଅଧିକ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। କିନ୍ତୁ ଏମାନଙ୍କୁ କେବେ ମଧ୍ୟ ସରକାରୀ ସହାୟତା ମିଳିନାହିଁ। କେବଳ ଘଟଣା ଘଟିବାପରେ ପ୍ରଶାସନ, ନେତା, ବିଧାୟକମାନେ ଆସି ମିଥ୍ୟା ଆଶ୍ୱସନା ଦେଇ ପରେ ଭୁଲି ଯାଇଛନ୍ତ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଦୁର୍ଘଟଣାର ପୁନରାବୃତ୍ତି ଘଟିଲେ ପୁଣି ସେଇ କଥା ଦୋହରାଇଥାନ୍ତି ନେତାମାନେ।   ରୋଗରେ ପଡିଲେ ଏମାନଙ୍କୁ ଚିକିତ୍ସା ସେବା ଯୋଗାଇବା କା୦ିକରେ ପା୦ ହୋଇଥିବା ଡ଼ାକ୍ତର କହନ୍ତି। ଇନ୍ଦ୍ରାବତୀ ଜଳ ଭଣ୍ଡାର ମଧ୍ୟରେ ତଳନେଗୀ, ଗୋପୀନାଥପୁର, ଅଡରୀ, ପାଡେପଦର, ମାଳିଗାଁ ପଞ୍ଚାୟତର ବହୁ ଗାଁ ରହିଥିବା ବେଳେ ବ୍ଲକ ହେଡକ୍ୱାର୍ଟର ଥୁଆମୁଳ ରାମପୁର ଏବଂ ଜୟପାଟଣାକୁ ଯୋଗାଯୋଗ କରିବା ପାଇଁ ୫୪ କୋଟି ଟଙ୍କା ବ୍ୟୟରେ କେନ୍ଦୁଗୁଡ଼ା ଘାଟଠାରେ ଏକ ପୋଲ ନିର୍ମାଣ ପାଇଁ ଟଙ୍କା ମଂଜୁର ହୋଇ ଥିଲେ ବି ବିଭାଗୀୟ ଅବହେଳା ଯୋଗଁୁ ପୋଲ ନିର୍ମାଣ ହୋଇପାରୁ ନାହିଁ। ଫଳରେ ଏମାନେ ଡଙ୍ଗା ଉପରେ ଭରସା କରିଥାନ୍ତି। ପ୍ରଶାସନ ଏମାନଙ୍କ ସ୍ୱାସ୍ଥ୍ୟ ସୁବିଧା ପାଇଁ କେନ୍ଦୁଗୁଡ଼ା, ତଲନାଗି ଆଦି ଗାଁକୁ ୩ଟି ସରକାରୀ ଡଙ୍ଗା ଦିଆଯାଇଥିବା ବେଳେ ଏହି ଡଙ୍ଗାରେ ଯାତାୟତ ସମ୍ଭବପର ନହେବା ହେତୁ ସେମାନେ ଦେଶୀ ଡଙ୍ଗା ଉପରେ ନିର୍ଭର କରୁଛନ୍ତି।   ଖୁବ ଶୀଘ୍ର କାମ ଆରମ୍ଭ ହେବ ବୋଲି ବିଧାୟକ କହିଥିବା ବେଳେ ବର୍ତ୍ତମାନ କାମ ଦାୟିତ୍ୱ ଜିଲ୍ଲା ପ୍ରଶାସନର ବୋଲି ଓଡିଶା ଜଳ ବିଦ୍ୟୁତ ନିଗମର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଯେଉଁ ଲୋକଙ୍କ ତ୍ୟାଗ ପାଇଁ ଇନ୍ଦ୍ରାବତୀ ପ୍ରକଳ୍ପ ସମ୍ଭବ ହେଲା ସେମାନଙ୍କ ପ୍ରତି ଜିଲ୍ଲାବାସୀ ଓ ସରକାରଙ୍କର ଏପରି ଉପରଠାଉରିଆ ଓ ଉଦାସୀନ ଆଭିମୁଖ୍ୟ ବାସ୍ତବରେ ନିନ୍ଦନୀୟ। ବିସ୍ଥାପିତଙ୍କ ନାଁରେ ଖର୍ଚ୍ଚ ହେଉଛି କୋଟିକୋଟି ଟଙ୍କା। ହେଲେ କେବେ ଇନ୍ଦ୍ରାବତୀର ବୁଡ଼ି ଅଂଚଳର ଲୋକଙ୍କୁ ସୁବିଧା ସୁଯୋଗ ମିଳିବ ତାହା ଦେଖିବାକୁ ବାକି ରହିଲା।

Share :