ରୁଚି ପାଇଁ ଗ୍ରାହକ ସ୍ୱାର୍ଥ ଗୁରୁତ୍ବପୂର୍ଣ୍ଣ

ରୁଚି ପାଇଁ ଗ୍ରାହକ ସ୍ୱାର୍ଥ ଗୁରୁତ୍ବପୂର୍ଣ୍ଣ

Share :

  ବ୍ୟାବସାୟିକ ଅଭିବୃଦ୍ଧି ସହିତ ଗ୍ରାହକଙ୍କ ସ୍ୱାର୍ଥ ଏବଂ ସୁରକ୍ଷା ପ୍ରତି ଧ୍ୟାନ ଦେବା ପ୍ରତ୍ୟେକ ଉଦ୍ୟୋଗର କର୍ତ୍ତବ୍ୟ ହେବା ଉଚିତ। ଦୀର୍ଘ ୪୧ ବର୍ଷ ଧରି ରୁଚି କମ୍ପାନୀ ଏହି ନୀତି ଓ ଆଦର୍ଶ ପାଳନ କରିଆସୁଥିବାରୁ ତାହା ଆଜି ଓଡ଼ିଶାର ଘରେ ଘରେ ଗୋଟେ ପରିଚିତ ହେବା ସହିତ ସମସ୍ତଙ୍କ ପ୍ରିୟ ଓ ଭରସାଯୋଗ୍ୟ ହୋଇପାରିଛି ବୋଲି ରୁଚି କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଶରତ କୁମାର ସାହୁ ମତବ୍ୟକ୍ତ କରିଛନ୍ତି। ରୁଚି ମସଲା କମ୍ପାନୀ ତରଫରୁ ୪୧ ତମ ବର୍ଷ ପୂର୍ତ୍ତି ପାଳନ ଅବସରରେ ଜୟପୁରର ହୋଟେଲ ମଧୁମତୀଠାରେ ଆୟୋଜିତ ରୁଚି ଡିଲର‌୍‍-ହୋଲ‌୍‍ସେଲର‌୍‍ ବନ୍ଧୁ ସମାବେଶରେ ଉଦବୋଧନ ଦେଇ ସେ ଏହି କଥା କହିଛନ୍ତି।   ଏହି ସମାବେଶରେ ଜୟପୁର, ମାଲକାନଗିରି, କୋରାପୁଟ ଓ ସେମିଳିଗୁଡ଼ାର ଅଧିକୃତ ବିକ୍ରେତା ଓ ସେମାନଙ୍କ ଅଧୀନରେ କାର୍ଯ୍ୟ କରୁଥିବା ହୋଲ‌୍‍ସେଲରମାନେ ଯୋଗ ଦେଇଥିଲେ। ପ୍ରତିଯୋଗିତାପୂର୍ଣ୍ଣ ବଜାରରେ ଅଭିବୃଦ୍ଧି ଉଦ୍ଦେଶ୍ୟରେ ଡିଲର, ହୋଲ‌୍‍ସେଲର‌୍‍ ଏବଂ ରିଟେଲର ବନ୍ଧୁମାନଙ୍କୁ ସାମିଲ କରି ସେମାନଙ୍କୁ ଉପଯୁକ୍ତ ମାର୍ଗଦର୍ଶନ କରାଇବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।   ଆଗାମୀ ବର୍ଷମାନଙ୍କରେ କମ୍ପାନୀ ତରଫରୁ ଏହିସବୁ ଅଞ୍ଚଳର ଅଧିକୃତ ବିକ୍ରେତାମାନେ କିଭଳି ଭାବେ ସେମାନଙ୍କ ବ୍ୟାବସାୟିକ ଲକ୍ଷ୍ୟ ହାସଲ କରିପାରିବେ ସେ ସଂପର୍କରେ ଆଲୋକପାତ କରିଥିଲେ। କିଛି ଅସାଧୁ ବ୍ୟବସାୟୀଙ୍କ ଦ୍ୱାରା ଖାଦ୍ୟ ଅପମିଶ୍ରଣ ଜନିତ ସମସ୍ୟା ରାଜ୍ୟରେ ବୃଦ୍ଧି ପାଉଥିବାରୁ ସେ ଆଶଙ୍କା ପ୍ରକାଶ କରିଥିଲେ। ବ୍ୟବସାୟରେ ସାଧୁତା ଅବଲମ୍ୱନ ନିହାତି ଆବଶ୍ୟକ ଏବଂ ଗ୍ରାହକଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ଦିଗରେ ରୁଚିର ଦ୍ରବ୍ୟ ଯେଉଁସବୁ ମାନକ ନୀତିକୁ ଗ୍ରହଣ କରିଛି, ସେସବୁ ବିଶ୍ୱ ଶ୍ରେଣୀୟ ବୋଲି ସେ ମତବ୍ୟକ୍ତ କରିଥିଲେ। ରୁଚିର ନିଜସ୍ୱ ଗବେଷଣା ଓ ଉନ୍ନୟନ ବିଭାଗ ସର୍ବଦା ସାମ୍ପ୍ରତିକ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖିଆସିଛି। ନୂଆ ନୂଆ ଉତ୍ପାଦ ଉଦ୍ଭାବନ, ବିଦେଶରୁ ଏ ସଂପର୍କିତ ଯାନ୍ତ୍ରିକ କୌଶଳର ଆମଦାନୀ ତା’ ସହିତ ପ୍ୟାକେଜିଂ ଟେକ୍ନୋଲୋଜିକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ରୁଚିର ଏହି ମାନ ଓ ସ୍ୱାଦ ବଜାୟ ରଖିବା ପାଇଁ କାର୍ଯ୍ୟ କରିଚାଲିବାକୁ ଶ୍ରୀ ସାହୁ ଆହ୍ୱାନ ଦେଇଥିଲେ।   କମ୍ପାନୀର ମାର୍କେଟିଂ ବିଭାଗର ବରିଷ୍ଠ ପ୍ରବନ୍ଧକ ବିଜୟ ସ୍ୱାଇଁ କହିଥିଲେ ଯେ ଦୀର୍ଘ ୪୧ ବର୍ଷ ଧରି ରୁଚି କମ୍ପାନୀ ଜଣେ ଅନୁଭବୀ ଉଦ୍ୟୋଗପତି ଶରତ କୁମାର ସାହୁଙ୍କ ଉଦ୍ୟମରେ ସାରା ବିଶ୍ୱରେ ଓଡ଼ିଶାର ନାମକୁ ସଗର୍ବେ ପରିଚିତ କରାଇପାରିଛି। ଆଗାମୀ ବର୍ଷମାନଙ୍କରେ କମ୍ପାନୀ ଉତ୍ପାଦିତ ଦ୍ରବ୍ୟର ସୁଗମ ବିପଣନ ଏବଂ ଅଧିକରୁ ଅଧିକ ଗ୍ରାହକଙ୍କ ନିକଟରେ କମ୍ପାନୀର ଦ୍ରବ୍ୟ କିଭଳି ଭାବରେ ପହଞ୍ଚିବ ସେ ସଂପର୍କରେ ସୁଚିନ୍ତିତ ମତ ପ୍ରଦାନ କରିଥିଲେ। ସମ୍ପାନିତ ଅତିଥି ଭାବରେ ଜୟପୁରର ଅଧିକୃତ ବିକ୍ରେତା ରାଜକିଶୋର ଆଚାର୍ଯ୍ୟ, ମାଲକାନଗିରିର ପ୍ରସନ୍ନ କୁମାର ସାହୁ, କୋରାପୁଟର ହୃଷିକେଶ ଜେନା ଓ ସେମିଳିଗୁଡ଼ାର ବି.ବି. ନାୟକ ଏବଂ ବି.ପି. ପଣ୍ଡା ପ୍ରମୁଖ କମ୍ପାନୀର ବ୍ୟାବସାୟିକ ଅଭିବୃଦ୍ଧି ଓ ସମୃଦ୍ଧି କ୍ଷେତ୍ରରେ ସେମାନଙ୍କର ନିଷ୍ଠା ସର୍ବଦା ରହିବ ବୋଲି ମତବ୍ୟକ୍ତ କରିଥିଲେ।   ଏହି ଅବସରରେ କମ୍ପାନୀର ଅଧିକୃତ ବିକ୍ରେତାମାନଙ୍କୁ ସମ୍ମାନିତ କରାଯାଇଥିଲା ଏବଂ ଅଧିକୃତ ବିକ୍ରେତାଙ୍କ ଅଧୀନସ୍ଥ ପ୍ରାୟ ୩୫ ଜଣ ସଫଳ ହୋଲ‌୍‍ସେଲ‌୍‍ର ବନ୍ଧୁଙ୍କୁ ବ୍ୟବସାୟିକ ସଫଳତା ପାଇଁ ପ୍ରଶଂସାପତ୍ର ଏବଂ ଉପହାର ପ୍ରଦାନ କରାଯାଇଥିଲା। ଅତିଥି ପରିଚୟ ପ୍ରଦାନ କରିଥିଲେ କମ୍ପାନୀର ବରିଷ୍ଠ ସୂଚନା ଅଧିକାରୀ ଡଃ ନିହାର ରଂଜନ ସାହୁ। ନୂଆ ପ୍ରଡକ୍ଟ, କର୍ପୋରେଟ‌୍‍ ଫିଲ୍ମ ମାଧ୍ୟମରେ କମ୍ପାନୀର ଆଭିମୁଖ୍ୟ ଓ ଆଗାମୀ ଧାର୍ଯ୍ୟ ଲକ୍ଷ୍ୟ, ଖାଦ୍ୟ ଅପମିଶ୍ରଣ ଜନିତ ସମସ୍ୟା ସଂପର୍କରେ ଦୃଶ୍ୟଶ୍ରାବ୍ୟ ମାଧ୍ୟମରେ ଉପସ୍ଥାପିତ କରାଇଥିଲେ କମ୍ପାନୀର ପ୍ରବନ୍ଧକ ସୁଧାଂଶୁ ଦାଶ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ କମ୍ପାନୀର ବରିଷ୍ଠ ବିକ୍ରୟ ଅଧିକାରୀ ଅରବିନ୍ଦ ଦାସ। ଅନ୍ୟମାନଙ୍କ ମଧ୍ୟରେ କମ୍ପାନୀର ସ୍ଥାନୀୟ ବିକ୍ରୟ ପ୍ରତିନିଧି ସୁଶାନ୍ତ କୁମାର ସାହୁ, ଅରବିନ୍ଦ ମାଣିକ, ଡମ୍ୱରୁଧର ପଲାଇ, ପ୍ରଦୀପ ପ୍ରଧାନ, ପ୍ରଫୁଲ୍ଲ ଜେନା, ଲୋକନାଥ ପରିଡ଼ା, ବିଶ୍ୱଜିତ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Share :