ମହିଳାଙ୍କ ହୃଦରୋଗ

ମହିଳାଙ୍କ ହୃଦରୋଗ

Share :

ଡା. ରମାରମଣ ଷଡ଼ଙ୍ଗୀ   ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରତିବର୍ଷ ପ୍ରାୟ ଅଢ଼େଇ ଲକ୍ଷ ମହିଳା କରୋନାରୀ ଧମନୀଜନିତ ହୃଦରୋଗ ବା ହୃଦଘାତ ଯୋଗୁଁ ମୃତ୍ୟୁଯବରଣ କରିଥାନ୍ତି। ସେହିଭଳି ଭାରତରେ ମଧ୍ୟ ଅନେକ ମହିଳା ହୃଦଘାତର ଶିକାର ହୋଇ ମୃତ୍ୟୁବରଣ କରିଥାନ୍ତି। ଏହି ମୃତ୍ୟୁହାର କର୍କଟ ରୋଗଠାରୁ ମଧ୍ୟ ଅଧିକ। ଏହା ସତ୍ତ୍ବେ ଅନେକେ ହୃଦଘାତକୁ ପୁରୁଷମାନଙ୍କର ରୋଗ ବୋଲି କହିିଥାନ୍ତି। ତେଣୁ ମହିଳାମାଙ୍କ୍ତଙ୍କ ହୃଦରୋଗର ଚିହ୍ନଟ ଓ ଚିକିତ୍ସା କରିବାରେ ହେଳା କରିଦିଅନ୍ତି।   ନାରୀ ଓ ପୁରୁଷ ଉଭୟ ମାନସିକ ଓ ଶାରୀରିକ ଦୃଷ୍ଟିକୋଣରୁ ଭିନ୍ନ। ସେମାନଙ୍କର ଦୈନିକ ଚାଲିଚଲଣ, ଦୈହିକ ଓ ମାନସିକ ବର୍ଦ୍ଧନ ଯେପରି ସ୍ବତନ୍ତ୍ର ଠିକ୍ ସେହିପରି ରୋଗରେ ଆକ୍ରାନ୍ତ ହେବାର ଏବଂ ରୋଗ ଲକ୍ଷଣ ପରିସ୍ଫୁଟନ ମଧ୍ୟ ସ୍ବତନ୍ତ୍ର। ସେହିଭଳି ମହିଳା ଓ ପୁରୁଷ ଉଭୟଙ୍କର ହୃଦଘାତର କାରଣ, ଲକ୍ଷଣ ଓ ଚିହ୍ନଟରେ କେତୋଟି ପାର୍ଥକ୍ୟ ପରିଲକ୍ଷିତ ହୋଇଥାଏ : କ.         ରୋଗର ଲକ୍ଷଣରେ ପାର୍ଥକ୍ୟ, ଖ.         ହୃଦଘାତ ପାଇଁ ହେଉଥିବା ପରୀକ୍ଷାର ଫଳାଫଳରେ ପାର୍ଥକ୍ୟ, ଗ.         ରିସ୍କଫେକ୍ଟରରେ ପାର୍ଥକ୍ୟ, ଘ.         ଅନ୍ତଃସ୍ରାବୀ ରସ ବା ହର୍ମୋନର ପ୍ରଭାବରେ ପାର୍ଥକ୍ୟ, ଙ.         ହୃଦରୋଗର ଯତ୍ନରେ ଲିଙ୍ଗଗତ ପାର୍ଥକ୍ୟ, ଚ.         ମହିଳାମାନଙ୍କ ହୃଦରୋଗ ଜଟିଳତାକୁ ବିଶେଷ ଗୁରୁତ୍ବ ନ ଦେବା ଇତ୍ୟାଦି।   ଲକ୍ଷଣଗତ ପାର୍ଥକ୍ୟ : ୪୫ ବର୍ଷ ବୟସ ପୂର୍ବରୁ ପୁରୁଷମାନେ ହୃଦଘାତର ଶିକାର ବେଶୀ ପରିମାଣରେ ହେଉଥିବା ବେଳେ ମାସିକ ଋତୁସ୍ରାବର ବିରତି ପରେ ମହିଳାମାନେ ସମାନ ପରିମାଣରେ ହୃଦରୋଗର ଶିକାର ହୋଇଥାନ୍ତି। ଥରେ ମହିଳାମାନଙ୍କୁ ହୃଦଘାତ ହେଲେ ସେମାନେ ପ୍ରାୟ ମୃତ୍ୟୁମୁଖରେ ପଡ଼ିଥାନ୍ତି। ପୁରୁଷମାନଙ୍କ କ୍ଷେତ୍ରରେ ସାଧାରଣତଃ ହୃଦଘାତରେ ଛାତିବ୍ୟଥା ହୃତପିଣ୍ଡ ସ୍ଥାନରେ ହୋଇଥାଏ। ପରିଶ୍ରମ କଲେ ଏହା ବେଶୀ ହୋଇଥାଏ ଓ ବିଶ୍ରାମ ନେଲେ କମିଯାଇଥାଏ, କିନ୍ତୁ ମହିଳାମାନଙ୍କର ଛାତିବ୍ୟଥା ବିଶ୍ରାମ ସମୟରେ, ଶୋଇବା ସମୟରେ କିମ୍ବା ମାନସିକ ଚିନ୍ତା ସମୟରେ ବେଶୀ ପରିମାଣରେ ହୋଇଥାଏ। କେତେକ ମହିଳାଙ୍କର ହୃଦଘାତ ସମୟରେ ତଳ ପେଟ ବ୍ୟଥା, କାନ୍ଧବ୍ୟଥା, ବାନ୍ତି, କ୍ଳାନ୍ତ ଲାଗିବା ତଥା ଅଣନିଶ୍ବାସୀ ଲାଗିବା ଭଳି ଲକ୍ଷଣମାନ ପ୍ରକାଶ ପାଇଥାଏ।   ହୃଦଘାତ ପାଇଁ ପରୀକ୍ଷାର ଫଳାଫଳରେ ପାର୍ଥକ୍ୟ : ମହିଳାମାନଙ୍କର ହୃଦଘାତ ରୋକିବା ପାଇଁ ପ୍ରଥମ ପଦକ୍ଷେପ ହେଉଛି ରୋଗର ଅବ୍ୟର୍ଥ ଚିହ୍ନଟ। ତେଣୁ ମହିଳାମାନଙ୍କର ଇଲେକ୍ଟ୍ରୋ କାର୍ଡ଼ିଓଗ୍ରାଫ୍ (ଇସିଜି), ଏକ୍ସରସାଇଜ୍ (ଇସିଜି)ରେ ଯେତିକି ରୋଗ ଥାଏ ତା’ଠାରୁ କମ୍ ସେନ୍ସିଟିଭ୍ ଓ ସ୍ପେସିଫିକ୍ ଜଣାପଡ଼ିଥାଏ। ତେବେ ଇସିଜି ସହ କଲର୍ ଡପଲର୍ ଇକୋକାର୍ଡ଼ିଓଗ୍ରାଫି ଓ ଷ୍ଟ୍ରେସ୍ ଇକୋକାର୍ଡ଼ିଓଗ୍ରାଫି ଦ୍ବାରା ମହିଳାମାନଙ୍କର ହୃଦଘାତକୁ ଚିହ୍ନଟ କରିହୁଏ।   ମହିଳାମାନଙ୍କ ରିସ୍କ ଫେକ୍ଟର୍   ଧୂମପାନ: ଧୂମପାନ ହୃଦଘାତର ଏକ ମୁଖ୍ୟ କାରଣ ା ଅବଶ୍ୟ ମହିଳାମାନଙ୍କ ଅପେକ୍ଷା ପୁରୁଷମାନେ ବେଶୀ ଧୂମପାନ କରନ୍ତି। କିନ୍ତୁ ଆଜିକାଲି ଅଳ୍ପବୟସର ମହିଳାମାନେ ବେଶୀ ଧୂମପାନ କରୁଛନ୍ତି। ମାସିକ ଋତୁସ୍ରାବର ବିରତି ପୂର୍ବରୁ ଯଥା 44 ବର୍ଷ ବୟସ ମଧ୍ୟରେ ଧୂମପାନ କରୁଥିବା ମହିଳାମାନେ ବେଶୀ ହୃଦଘାତର ଶିକାର ହୋଇଥାନ୍ତି। ୧-୪ଟି ସିଗାରେଟ୍ ପାନ କରୁଥିବା ମହିଳାମାନେ ପ୍ରାୟ ୨ ଗୁଣ ବେଶୀ ହୃଦଘାତର ଶିକାର ହୋଇଥାନ୍ତି, ଧୂମପାନ ବନ୍ଦ କରିବାର ୨ ବର୍ଷ ପରେ ହୃଦଘାତର ବିପଦ ମଧ୍ୟ କମିଯାଇଥାଏ।   କୋଲେଷ୍ଟରୋଲ୍ ବା ରକ୍ତରେ ଚର୍ବି ଅଂଶ: ବୟସ ଅନୁପାତରେ ପୁରୁଷ ଓ ମହିଳାଙ୍କର ରକ୍ତରେ ଚର୍ବି ଅଂଶ ବିଭିନ୍ନ ଅନୁପାତରେ ଥାଏ। ୨0 ବର୍ଷ ଭିତରେ ମହିଳା ଓ ପୁରୁଷଙ୍କ ରକ୍ତରେ ଚର୍ବି ଅଂଶ ସମାନ ଥାଏ। କିନ୍ତୁ ୨୦ରୁ ୫୫ ବର୍ଷ ବୟସ ମଧ୍ୟରେ ମହିଳାଙ୍କଠାରୁ ପୁରୁଷଙ୍କ ରକ୍ତରେ କୋଲେଷ୍ଟରୋଲ୍ ଅଂଶ ବେଶୀ ଥାଏ। ୫୫ ବର୍ଷ ପୂର୍ବରୁ ମହିଳାମାନଙ୍କ ରକ୍ତରେ ଭଲ ଚର୍ବି ବା ହାଇଡ଼େନ୍ସିଟି ଲାଇପୋପ୍ରୋଟିନ ବେଶୀ ଥାଏ ଏବଂ ପରେ ପୁରୁଷ ମହିଳାଙ୍କର ହାଇଡେନ୍ସିଟି ପ୍ରୋଟିନ ଲେଭେଲ୍ ସମାନ ଥାଏ। ରକ୍ତରେ କୋଲେଷ୍ଟରୋଲ୍ ପରିମାଣ ମହିଳାମାନଙ୍କର ଅନ୍ତଃସ୍ରାବୀ ରସ ଇଷ୍ଟ୍ରୋଜେନ ଉପରେ ନିର୍ଭର କରିଥାଏ।   ଉଚ୍ଚ ରକ୍ତଚାପ: ୨୦ରୁ ୪୫ ବର୍ଷ ବୟସ ମଧ୍ୟରେ ପୁରୁଷମାନେ ବେଶୀ ଉଚ୍ଚରକ୍ତଚାପର ଶିକାର ହେବାବେଳେ ମାସିକ ଋତୁସ୍ରାବର ବିରତି ପରେ ମହିଳାମାନେ ବେଶୀ ପରିମାଣରେ ଉଚ୍ଚ ରକ୍ତଚାପ ଭୋଗିଥାନ୍ତି। ୭୫ ବର୍ଷରୁ ଊର୍ଦ୍ଧ୍ବ ବୟସର ଶତକଡ଼ା ୮୦ ଭାଗ ମହିଳା ଉଚ୍ଚ ରକ୍ତଚାପ ଭୋଗିଥାନ୍ତି। ସମସ୍ତେ ଜାଣନ୍ତି ଯେ, ଉଚ୍ଚ ରକ୍ତଚାପ ମସ୍ତିଷ୍କ ଘାତ ବା’ ଷ୍ଟ୍ରୋକ୍‌ର ମୁଖ୍ୟ କାରଣ, କିନ୍ତୁ ଏହା ମଧ୍ୟ ହୃଦଘାତ ଓ ହାର୍ଟ ଫେଲିଓରର ଅନ୍ୟତମ କାରଣ। ଫ୍ରେମିଙ୍ଗ୍ ହାର୍ଟ ଷ୍ଟଡ଼ି ଅନୁଯାୟୀ ମହିଳାମାନଙ୍କ ପାଇଁ ଉଚ୍ଚ ରକ୍ତଚାପ, ଭବିଷ୍ୟତରେ ହାର୍ଟ ଫେଲିଓର୍ ପାଇଁ ମୁଖ୍ୟତଃ ଦାୟୀ ହୋଇଥିବା ବେଳେ ପୁରୁଷଙ୍କ କ୍ଷେତ୍ରରେ ହୃଦଘାତ କରିଥାଏ। ମହିଳାମାନଙ୍କର ଉଚ୍ଚ ରକ୍ତଚାପ ଏତେ ଶୀଘ୍ର ନିୟନ୍ତ୍ରିତ ହୋଇପାରେ ନାହିଁ। ଯେଉଁ ମହିଳାମାନେ ଗର୍ଭ ନିରୋଧକ ବଟିକା ଖାଉଥାନ୍ତି, ସେମାନଙ୍କର ଉଚ୍ଚ ରକ୍ତଚାପ ବେଶୀ ପରିମାଣରେ ହୋଇଥାଏ।   ମଧୁମେହ ରୋଗ : ମହିଳା ମଧୁମେହ ରୋଗୀମାନେ ପୁରୁଷ ମଧୁମେହ ରୋଗୀଙ୍କଠାରୁ ବେଶୀ ପରିମାଣରେ ହୃଦଘାତରେ ଆକ୍ରାନ୍ତ ହୁଅନ୍ତି। ପୁରୁଷ ମଧୁମେହ ରୋଗୀଙ୍କର ହୃଦଘାତ ଭୋଗିବାର ବିପଦ ଅଢ଼େଇ ଗୁଣ ବେଶୀ ଥିବାବେଳେ ମହିଳା ମଧୁମେହ ରୋଗୀମାନଙ୍କର ସାଢ଼େ ପାଞ୍ଚଗୁଣ ଅଧିକ ହୃଦଘାତ ଭୋଗିବାର ବିପଦ ଥାଏ। ସାରା ପୃଥିବୀରେ ଏବେ କର୍କଟ ଓ ଏଡସ୍ ରୋଗ ଭଳି ହୃଦଘାତ ସବୁଠୁ ବଡ଼ ସଂହାରକାରୀ ରୋଗ ରୂପରେ ପରିଗଣିତ ହେଉଛି। ହୃଦରୋଗର ସବୁଠାରୁ ବଡ଼ ରିସ୍କ ଫ୍ୟାକ୍ଟର୍ ହେଉଛି ମଧୁମେହ ରୋଗ।   ମଧୁମେହ ରୋଗୀଙ୍କର ମୃତ୍ୟୁର ମୁଖ୍ୟ କାରଣ ହେଉଛି ହୃଦଘାତ। ଅଧିକାଂଶ ମଧୁମେହ ରୋଗୀଙ୍କର ଉଚ୍ଚ ରକ୍ତଚାପ, ପୃଥୁଳତା ତଥା ରକ୍ତରେ ଚର୍ବି ଆଧିକ୍ୟ ଯୋଗୁଁ ଖୁବଶୀଘ୍ର ହୃଦରୋଗର ଶିକାର ହୋଇଥାନ୍ତି। ଓଜନ ନିୟନ୍ତ୍ରଣ, ସୁଷମ ଖାଦ୍ୟ ତଥା ବ୍ୟାୟାମ ଓ ଜୀବନଶୈଳୀରେ ପରିବର୍ତ୍ତନ ମଧୁମେହ ରୋଗୀଙ୍କର ହୃଦଘାତ କମାଇବାରେ ସାହାଯ୍ୟ କରିବ। ଏହାଛଡ଼ା ରକ୍ତରେ ଶର୍କରା (ବ୍ଲଡ୍ ଗ୍ଳୁକୋଜ୍) ଓ ଗ୍ଳାଇକୋସିଲେଡ୍ ହିମୋଗ୍ଲୋବିନ ନିୟନ୍ତ୍ରଣ ମଧ୍ୟ ହୃଦରୋଗର ନିରାକରଣ ପାଇଁ ଜରୁରୀ। ମଧୁମେହ ରୋଗ ହୃତପିଣ୍ଡରେ ଥିବା ବୃହତ୍ତଧମନୀ (କରୋନାରୀ ଧମନୀ, ଯାହାକି ହୃତପିଣ୍ଡର ମାଂସପେଶୀକୁ ରକ୍ତ ଯୋଗାଇଥାଏ) ତଥା କ୍ଷୁଦ୍ର ଧମନୀରେ ଜଟିଳତା ସୃଷ୍ଟି କରିଥାଏ। ବୃହତ୍ତଧମନୀ ଜଟିଳତାରେ କରୋନାରୀ ଧମନୀ ଅଣଓସାରିଆ ହୋଇଯାଏ, ତେଣୁ ହୃଦଘାତ ଓ ମସ୍ତିଷ୍କରେ ମସ୍ତିଷ୍କଘାତ (ଅଭିଘାତ ବା ଷ୍ଟ୍ରୋକ୍) ହୋଇଥାଏ। କିନ୍ତୁ କ୍ଷୁଦ୍ରଧମନୀରେ ଜଟିଳତା ଯୋଗୁଁ ଡାଏବେଟିକ୍ ନେଫ୍ରୋପାଥି (ବୃକ୍କ ବା କିଡ଼ନିର ଜଟିଳତା), ଡାଏବେଟିକ୍ ରେଟିନୋପାଥି (ଆଖିରେ  ଜଟିଳତା) ତଥା କାର୍ଡ଼ିଓମାୟୋପାଧି (ହୃତପିଣ୍ଡରେ ଜଟିଳତା) ହୋଇଥାଏ ା ହୃଦଗାତ, ଛାତିବ୍ୟଥା (ଆଞ୍ଜାଇନ) ଓ ହଠାତ୍ ମୃତ୍ୟୁ (ସଡନ ଡେଥସିଣ୍ଡ୍ରୋମ୍) ସାଧାରଣ ବ୍ୟକ୍ତିଙ୍କଠାରୁ ମଧୁମେହ ରୋଗୀଠାରେ ଦୁଇଗୁଣ ବେଶୀ ଦେଖାଯାଏ। ବୟସ୍କ ପୁରୁଷ ମଧୁମେହ ରୋଗୀଙ୍କଠାରେ ଏହା ଦ୍ବିଗୁଣ ଅଧିକ ଦେଖାଯାଏ। ବୟସ୍କ ପୁରୁଷ ମଧୁମେହ ରୋଗୀଙ୍କ ଅପେକ୍ଷା ବୟସ୍କା ମହିଳା ମଧୁମେହ ରୋଗୀଙ୍କଠାରେ ଏହି ଅସୁବିଧା ଅଧିକ ଦେଖାଯାଏ, ଏହାଛଡ଼ା ଏହି ରୋଗୀମାଙ୍କ୍ତଙ୍କର ହାର୍ଟ ଫେଲିଓର୍ ହୋଇଥାଏ। ମଧୁମେହ ରୋଗୀଙ୍କର ପରିଶ୍ରାରେ ମାଇକ୍ରୋଆଲ୍ବୁମିନ ଗଲେ ହୃଦରୋଗ ବଢ଼ିଥାଏ। ଏହାଛଡ଼ା ଓଜନ ବୃଦ୍ଧି, ରକ୍ତରେ ଚର୍ବି ଅଂଶ ବୃଦ୍ଧି, କୋଆଗୁଲେସନ ଫେଲିଓର୍, ପ୍ଲେଟଲେଟ୍ ଜମାଟ ବାନ୍ଧିବା ଆଦି ହୃଦଘାତର ଆଶଙ୍କା ବଢ଼ାଇଦିଏ।   ମେଟାବୋଲିକ୍ ସିଣ୍ଡ୍ରୋମ: ନେସନାଲ୍ କୋଲେଷ୍ଟରୋଲ୍ ଏଜୁକେସନ ପ୍ରୋଗ୍ରାମ ଅନୁଯାୟୀ ଯେଉଁ ମହିଳାଙ୍କର ନିମ୍ନଲିଖିତ 5ଟି ଜିନିଷ ମଧ୍ୟରୁ 3ଟି ଅସୁବିଧା ଥାଏ, ସେମାନଙ୍କର ହୃଦଘାତ ହୁଏ।   କ. ଯେଉଁ ମହିଳାମାନଙ୍କର ଅଣ୍ଟାର ମାପ ୮୮ସେ.ମି.ରୁ ଅଧିକ ଥାଏ। ଖ. ଯେଉଁ ମହିଳାମାନଙ୍କର ରକ୍ତର ଚର୍ବି ବା କୋଲେଷ୍ଟରୋଲ୍ ଅଂଶ ୧୫୦ ମି.ଗ୍ରାରୁ ବେଶୀ ଏବଂ ରକ୍ତରେ କୋଲେଷ୍ଟରୋଲ୍ ଅଂଶ ୫୦ ମି.ଗ୍ରାରୁ କମ୍ ଥାଏ। ଗ. ଯାହାର ରକ୍ତଚାପ ୧୩୦/୩୫ରୁ ବେଶୀ ଏବଂ ରକ୍ତରେ ଗ୍ଲୁକୋଜ୍ ପରିମାଣ ୧୧୦ ଗ୍ରା/ଡେସି ମିଲି ବେଶୀ ଥାଏ।   ଆଳସ୍ୟ ଓ ଅତିରିକ୍ତ ଓଜନ ବୃଦ୍ଧି ମେଟାବଲିକ୍ ସିଣ୍ଡ୍ରୋମର ମୂଳକାରଣ। ତେଣୁ ଉପଯୁକ୍ତ ବ୍ୟାୟାମ କରି ଓଜନ କମାଇଦେଲେ ହୃଦଘାତର ବିପଦ କମିଯାଏ।   ବଂଶଗତ ଇତିହାସ : ଯେଉଁ ବଂଶରେ ଅଳ୍ପ ବୟସରେ ହୃଦଘାତ ଓ କରୋନାରୀ ଧମନୀ ଜନିତ ରୋଗ ଓ ମୃତ୍ୟୁର ଇତିହାସ ଥାଏ, ସେଠାରେ ମହିଳାମାନଙ୍କର ଅଳ୍ପବୟସରେ ହୃଦଘାତ ବିପଦ ଶତକଡ଼ା 97 ଭାଗ ବଢ଼ିଯାଏ।   ମେଦ ବୃଦ୍ଧି : ଫ୍ରେମିଙ୍ଗହାମ ହାର୍ଟଷ୍ଟଡ଼ି ଅନୁଯାୟୀ ମୋଟା ମହିଳାମାନଙ୍କର ହୃଦଘାତର ବିପଦ ଦୁଇଗୁଣ ହୋଇଥାଏ। ବିଶେଷ କରି ଯେଉଁ ମହିଳାମାନଙ୍କର ଅଣ୍ଟା ଚାରିପଟେ ବେଶୀ ମେଦ ବହୁଳତା ଓ ଚର୍ବି ଥାଏ, ସେମାନେ ହୃଦଗାତରେ ବେଶୀ ଆକ୍ରାନ୍ତ ହୋଇଥାନ୍ତି।   ଅନ୍ତଃସ୍ରାବୀ ରସର ପ୍ରଭାବ ବା ହର୍ମୋନ ରିପ୍ଲେସମେଣ୍ଟ ଥେରାପି : ୧୫ରୁ ୪୫ ବର୍ଷ ମଧ୍ୟରେ ମହିଳାମାନଙ୍କ ଇଷ୍ଟ୍ରୋଜେନ ଏକ ଅନ୍ତସ୍ରାବୀ ରସ ହୃତପିଣ୍ଡକୁ ରକ୍ଷା କରିଥାଏ। କିନ୍ତୁ ମାସିକ ଋତୁସ୍ରାବର ବିରତି ପରେ ଇଷ୍ଟ୍ରୋଜେନ ଆଉ ଝରେନାହିଁ। ଫଳରେ ଏହା ଆଉ ରକ୍ଷା କବଚ ଭଳି କାମ କରେ ନାହିଁ। ସେଥିପାଇଁ ପାଶ୍ଚାତ୍ୟ ଦେଶରେ ବହୁଦିନ ଧରି ନିଜର ଯୌବନ ଅତୁଟ ରଖିବାକୁ ଇଷ୍ଟ୍ରୋଜେନ ଓ ପ୍ରୋଜେଷ୍ଟେରୋନ ଥିବା ବଟିକା ଖିଆଯାଏ ଓ ମଲମ ଲଗାଯାଏ। ଏହାକୁ ହର୍ମୋନ ରିପ୍ଲେସମେଣ୍ଟ ଥେରାପି କୁହାଯାଏ। ଏହା ହୃଦଘାତରୁ ରକ୍ଷା କରିଥାଏ। କିନ୍ତୁ ବେଳେ ବେଳେ ଏହି ହର୍ମୋନ ରିପ୍ଲେସମେଣ୍ଟ ଥେରାପି ଜରାୟୁ କର୍କଟ ରୋଗ କରିଥାଏ। ତେଣୁ ଆଜିକାଲି ସୋୟାବିନ ଥିବା ଖାଦ୍ୟ ବା ‘ଫାଇଟୋ ଇଷ୍ଟ୍ରୋଜେନ’ ଉପରେ ଗୁରୁତ୍ବ ଦିଆଯାଉଛି।   ହୃଦଘାତର ଚିକିତ୍ସାରେ ଲିଙ୍ଗଗତ ପାର୍ଥକ୍ୟ : ଥରେ ହୃଦରୋଗ ବା ହୃଦଘାତରେ ପୀଡ଼ିତ ହେବା ମାତ୍ରେ ପୁରୁଷମାନେ ଖୁବ୍ ଶୀଘ୍ର ଚିକିତ୍ସିତ ହେଲାବେଳେ, ମହିଳାମାନଙ୍କର ଚିକିତ୍ସା ପାଇଁ ବିଳମ୍ବ ହୋଇଥାଏ। କାରଣ ପରିବାରରେ ମହିଳାମାନେ ରୋଜଗାର କ୍ଷମ ହୋଇନଥିବାରୁ ସମସ୍ତେ ତାଙ୍କୁ ଅବହେଳା କରିଥାନ୍ତି। ଏହାଛଡ଼ା ମହିଳାମାନେ ନିଜର ଛାତିବ୍ୟଥା ହେଲେ କାହାକୁ କହି ନ ଥାନ୍ତି। ଫଳରେ ଚିକିତ୍ସା ପାଇଁ ବିଳମ୍ବ ହୋଇଯାଏ। ତା’ଛଡ଼ା ଅଧିକାଂଶ ମହିଳା ହୃଦରୋଗର ବିପଦ ଉପରେ ଗୁରୁତ୍ବ ଦେଇନଥାନ୍ତି। ତେଣୁ ରୋଗ ଚିହ୍ନଟ ହେବାରେ ବିଳମ୍ବ ହୋଇଯାଏ।   ହୃଦରୋଗର ନିରାକରଣ   ଆମେରିକାନ ହାର୍ଟ ଆସୋସିଏସନ ପ୍ରାଥମିକ ପ୍ରତିଷେଧକ ପାଇଁ କେତୋଟି ନିୟମ ପ୍ରଣୟନ କରିଛନ୍ତି।   ହାଇରିସ୍କ ମହିଳା : ଯେଉଁମାନଙ୍କର ହୃଦଘାତ ହେବାର ବିପଦ ଶତକଡ଼ା 20 ଭାଗଠାରୁ ବେଶୀ ଥାଏ, ସେମାନେ ଧୂମପାନ ପରିହାର କରିବା ଉଚିତ। ନିୟମିତ ଶାରୀରିକ ଶ୍ରମ ବା ବ୍ୟାୟାମ କରିବା ଉଚିତ। ତେଲ, ଘିଅ ଓ ଛଣାଛଣି ଖାଦ୍ୟ ନ ଖାଇ ସଜ ତଟକା ପନିପରିବା ଓ ତନ୍ତୁଯୁକ୍ତ ଖାଦ୍ୟ ଖାଇବା ଉଚିତ। ନିଜର ଓଜନ ଓ ରକ୍ତଚାପ ନିୟନ୍ତ୍ରଣ, ରକ୍ତରେ କୋଲେଷ୍ଟେରୋଲ୍ ବା ଚର୍ବି ଅଂଶର ନିୟନ୍ତ୍ରଣ ଏବଂ ମଧୁମେହ ରୋଗୀଙ୍କର ରକ୍ତରେ ଶର୍କରାର ନିୟନ୍ତ୍ରଣ ରହିବା ଉଚିତ।   ସେହିଭଳି ଇଣ୍ଟର୍ମିଡ଼ିଏଟ୍ ରିସ୍କ ମହିଳାମାନେ ଧୂମପାନ ପରିହାର, ହୃତପିଣ୍ଡକୁ ସୁସ୍ଥ ରଖିବା ପାଇଁ ଖାଦ୍ୟ, ଓଜନ ଓ ରକ୍ତଚାପ ନିୟନ୍ତ୍ରଣ, ରକ୍ତରେ କୋଲେଷ୍ଟେରୋଲ୍ ନିୟନ୍ତ୍ରଣ କରିବା ଉଚିତ।   ଲୋ-ରିସ୍କ ମହିଳାମାନେ ଧୂମପାନ ପରିହାର, ଓଜନ ନିୟନ୍ତ୍ରଣ, ହୃତପିଣ୍ଡ ସୁସ୍ଥ ରଖିବା ପାଇଁ ଖାଦ୍ୟ ଗ୍ରହଣ ସହ ବ୍ୟାୟାମ କରିବା ଉଚିତ।   କର୍କଟ ରୋଗଠାରୁ ମଧ୍ୟ ହୃଦରୋଗ ଭୟଙ୍କର। ଆମେରିକା ଭଳି ବିକଶିତ ଓ ଭାରତ ଭଳି ଏକ ବିକାଶୋନ୍ମୁଖୀ ଦେଶରେ ଏହା ଏକ ମୁଖ୍ୟ ସଂହାରକାରୀ ରୋଗ ରୂପେ ପରିଗଣିତ ହେଉଛି। ହୃଦବକ୍ଷଶଲ୍ୟ ଚିକିତ୍ସା ଏବଂ ହୃଦରୋଗର ଭେଷଜ ଚିକିତ୍ସା କ୍ଷେତ୍ରରେ ବହୁ ଉନ୍ନତି ହେଲାଣି। ତଥାପି ଏହି ରୋଗର ପ୍ରାଥମିକ ପ୍ରତିଷେଧକ ବ୍ୟବସ୍ଥାମାନ ଗ୍ରହଣ କଲେ ହୃଦଘାତକୁ ଏଡ଼ାଇ ଦିଆଯାଇପାରିବ। ଏହାଛଡ଼ା ହୃଦଘାତର ଲକ୍ଷଣ ଚିହ୍ନଟ ଓ ଚିକିତ୍ସା ଶୀଘ୍ର ହୋଇପାରିଲେ, ହୃଦରୋଗ ଭଳି ମାରାତ୍ମକ ରୋଗରୁ ଜଣେ ରକ୍ଷା ପାଇ ଯାଇପାରିବ- ଏଥିରେ ସନ୍ଦେହ ନାହିଁ।   ଲିଙ୍କ ରୋଡ଼, କଟକ-୧୨

Share :