ମେକ୍ ଅପ‍୍‌ ହେବେ କେମିତି?

ମେକ୍ ଅପ‍୍‌ ହେବେ କେମିତି?

Share :

  ନିଜ ବ୍ୟକ୍ତିତ୍ବକୁ ଆକର୍ଷଣୀୟ ଓ ଦୃଷ୍ଟିକୁ ଗ୍ଲାମରସ‍୍‌ କରିବା ପାଇଁ ଦୈନନ୍ଦିନ ମେକ୍ ଅପ୍ ନେବା ଉପରେ ଗୁରୁତ୍ବ ଦିଅନ୍ତୁ। ମନେରଖନ୍ତୁ, ମେକ୍ ଅପ୍ ଏକ କଳା। ଠିକ୍ ଢଙ୍ଗରେ ମେକ୍ ଅପ୍ ନେଉଥିଲେ, ଆପଣଙ୍କ ବ୍ୟକ୍ତିତ୍ବ ପୂର୍ବାପେକ୍ଷା ଅଧିକ ଚମକି ଉଠିବ। ବ୍ୟସ୍ତତାରେ ବିଭିନ୍ନ ପ୍ରକାର ସୌନ୍ଦର୍ଯ୍ୟ ପ୍ରସାଧନ ତ୍ବଚାରେ ଲଗାଇ ଦେଲେ, ତାହାକୁ ମେକ୍ ଅପ କୁହାଯାଇ ପାରିବନାହିଁ। ଏହା ଆପଣଙ୍କୁ ଅନାକର୍ଷଣୀୟ କରିଦେଇପାରେ। ଦୈନନ୍ଦିନ ମେକ୍ ଅପ ନେବାବେଳେ ଆପଣ ସହଜ ଓ ସ୍ବାଭାବିକ ମେକ୍ ଅପ ନିଅନ୍ତୁ। ଅଧିକ ଗାଢ଼ ମେକ୍ ଅପ, ଆପଣଙ୍କ ଚେହେରାକୁ ଅସ୍ବାଭାବିକ ଲାଗିପାରେ। ସେଥିପ୍ରତି ଦୃଷ୍ଟି ଦିଅନ୍ତୁ। ଉଚିତ ଓ ସୌମ୍ୟ ମେକ୍ ଅପ୍ ଚେହେରା ଉପରେ ସୁପ୍ରଭାବ ପକାଇଥାଏ, ଯାହା ଆପଣଙ୍କଠାରେ ସୌନ୍ଦର୍ଯ୍ୟ ସଂପର୍କୀତ ଆତ୍ମବିଶ୍ବାସ ସୃଷ୍ଟି କରିଥାଏ।   ଦୈନନ୍ଦିନ ମେକ୍ ଅପ୍ ନେବା ପୂର୍ବରୁ ଆପଣ ନିଜର ଚେହେରା, ବେକ, ପିଠି, ହାତ ଓ ଗୋଡ଼ର ତ୍ବଚା ସଫା କରନ୍ତୁ। ବିଶେଷକରି ଫେସ‍୍‌ ୱାଶ‍୍‌ ବ୍ୟବହାର କରି ସଫା କଲେ ଭଲ। ମେକ୍ ଅପ୍ ନେବା ପୂର୍ବରୁ ତ୍ବଚାରେ ଛୋଟ ବରଫ ଖଣ୍ଡ ଘଷିଲେ ଭଲ। ଏହା ଫଳରେ ଆପଣଙ୍କ ଚେହେରାର ମେକ୍ ଅପ୍ ଅଧିକ ସମୟ ଅକ୍ଷୁଣ୍ଣ ରହିବ। ମେକ୍ ଅପ୍ ନେବା ସମୟରେ ଯେଉଁ ସ୍ଥାନକୁ ଆପଣଙ୍କର ଯିବାର ଅଛି, ତାହାର ପରିବେଶ ଓ ସମୟକୁ ଧ୍ୟାନରେ ରଖନ୍ତୁ। କାରଣ ରାତି ବେଳା ଗାଢ଼ ମେକ୍ ଅପ୍ ଏବଂ ଦିନବେଳା ହାଲୁକା ମେକ୍ ଅପ‍୍‌ ଆପଣଙ୍କୁ ବ୍ୟକ୍ତିତ୍ବ ପ୍ରଦାନ କରିଥାଏ। ସର୍ବଦା ଉଜ୍ଜ୍ବଳ ଆଲୋକରେ ମେକ୍ ଅପ୍ ନିଅନ୍ତୁ, ଫଳରେ ଆପଣ ମେକ୍ ଅପ୍‌ର ଉଚିତ ମାତ୍ରା ଜାଣିପାରିବେ।   ମେକ୍ ଅପ୍ ନେବା ପୂର୍ବରୁ ତ୍ବଚାରେ ଥିବା ଛୋଟ ଛୋଟ ଦାଗଗୁଡ଼ିକୁ ଲୁଚାଇବା ପାଇଁ ଆପଣଙ୍କ ତ୍ବଚା ଅନୁରୂପ ହାଲୁକା କନ୍ସିଲର ଓ ଫାଉଣ୍ଡେସନ୍ ଲଗାନ୍ତୁ। ଫାଉଣ୍ଡେସନ୍‌ରେ ହାଲୁକା ମଏଶ୍ଚର ମିଶାନ୍ତୁ, ଯାହାଦ୍ବାରା ତ୍ବଚାରେ ଭଲଭାବେ ଫାଉଣ୍ଡେସନ୍ ମିଶିବା ସହ ମେକ୍ ଅପ୍ ଅଧିକ ସମୟ ରହିବ। ତ୍ବଚାର ରଙ୍ଗ ଯେମିତି ସ୍ବାଭାବିକ ରହିବ, ସେଥିପାଇଁ ହାଲୁକା କମ୍ପାକ୍ଟ ପାଉଡର ଲଗାନ୍ତୁ। ପଫ୍ ଦ୍ବାରା ଏହାକୁ ତ୍ବଚାରେ ଭଲଭାବେ ମିଶାଇ ଦିଅନ୍ତୁ। ତ୍ବଚାରେ ଗୋଲାପୀ ସ୍ପର୍ଶ ପାଇଁ ଗୋଲାପୀ ରଙ୍ଗର ବ୍ଲଶର‍୍‌ ଅବଶ୍ୟ ଲଗାନ୍ତୁ।   ଆଖିର ମେକ୍ ଅପ୍ ନେବା ସମୟରେ ପରିଧାନର ରଙ୍ଗ ଅନୁଯାୟୀ ଆଇସେଡୋ ଲଗାନ୍ତୁ। ଭ୍ରୁଲତାକୁ ଆକର୍ଷଣୀୟ କରିବା ପାଇଁ ଆଇବ୍ରୋ ପେନ୍ସିଲ୍‌ କିମ୍ବା ଆଇବ୍ରୋ ବ୍ରଶ୍‌ରେ ଏହାକୁ ସୁନ୍ଦର ସେପ‍୍‌ ଦିଅନ୍ତୁ। ଆଖିକୁ ଆକର୍ଷଣୀୟ ତଥା ବଡ଼ ସେପ‍୍‌ ଦେବାର ଇଚ୍ଛା ଥିଲେ ଆଇ ଲାଇନର୍ ବ୍ୟବହାର କରନ୍ତୁ। ସେମିତି ଆଖିପତା ଗାଢ଼ା କରିବାକୁ ଚାହୁଁଥିଲେ ମସ‍୍‌କରା ବ୍ୟବହାର କରିପାରନ୍ତି।   ଓଠର ମେକ୍ ଅପ୍ ନେବା ସମୟରେ ଏହା ଉପରେ ହାଲୁକା ଟେଲ୍କମ‍୍‌ ପାଉଡର, କ୍ରୀମ‍୍‌ ବା ଫାଉଣ୍ଡେସନ୍ ଲଗାନ୍ତୁ। ପୁଣି ଲିପ‍୍‌ ପେନ୍ସିଲ‍୍‌ରେ ଦୁଇ ଓଠର ଆଉଟ‍୍‌ଲାଇନ୍ ବନାନ୍ତୁ। ଏହପାରେ ଲିପ‍୍‌ ବ୍ରଶ‍୍‌ରେ ଲିପ‍୍‌ଷ୍ଟିକ‍୍‌ ଲଗାନ୍ତୁ। ଦିନରେ ହାଲ୍‌କା ରଙ୍ଗର ଲିପଷ୍ଟିକ୍ ଲଗାନ୍ତୁ। ଅତିରିକ୍ତ ଲିପ‍୍‌ଷ୍ଟିକ୍ ସଫା କରିବା ପାଇଁ ଦୁଇ ଓଠ ମଝିରେ ଖଣ୍ଡେ ଟିସୁ ପେପର୍ ରଖି ହାଲ୍‌କା ଭାବେ ଓଠ ଦବାନ୍ତୁ। ଏହପାରେ ଓଠରେ ହାଲ୍‌କା ଲିପ‍୍‌ଗ୍ଲାସ‍୍‌ ଲଗାନ୍ତୁ, ଫଳରେ ଓଠରେ ଚମକ୍ ଆସିଯିବ।   ଶେଷରେ ଫେସ‍୍‌ ପାଉଡର ଓ ବ୍ଲଶରର ଏକ କୋଟ‍୍‌ ଲଗାଇ ପୁଣିଥରେ ମେକ୍ଅପରେ ଶେଷ ସ୍ପର୍ଶ ଦିଅନ୍ତୁ। ପୋଷାକ ସହ ମେଳ ଖାଉଥିବା ଲିକୁଇଡ୍ କିମ୍ବା ଭେଲ୍‌ଭେଟ‍୍‌ ବିନ୍ଦି ମୁଣ୍ଡରେ ଲଗାନ୍ତୁ। ମେକ୍ଅପ ପରେ ହାତଗୋଡ଼ରେ ବଡିଲୋସନ୍ କିମ୍ବା ସନସ୍କ୍ରିନ୍ ଲୋସନ୍ ଲଗାନ୍ତୁ। ବେକ ଓ ପିଠିରେ ଟେଲ୍କମ‍୍‌ ପାଉଡର କିମ୍ବା ଫାଉଣ୍ଡେସନ୍ ଲଗାନ୍ତୁ। ବାହାରକୁ ବାହାରିବା ସମୟରେ ହାଲ୍‌କା ପର୍ଫ୍ୟୁମ‍୍‌ କିମ୍ବା ଡିଓଡରାଣ୍ଟ ଲଗାଇବାକୁ ଯେମିତି ନ ଭୁଲନ୍ତି। ତ୍ବଚାକୁ ଚମକ୍ଦାର ଓ ସଫା ରଖିବା ପାଇଁ ମାସରେ ଥରଟିଏ ଫେସିଆଲ୍‌ ଏବଂ ବ୍ଲିଚ୍ କରନ୍ତୁ। ପନ୍ଦର ଦିନ ବ୍ୟବଧାନରେ ହାତଗୋଡ଼ରେ ମେନିକିଓର, ମେଡିକିଓର ତଥା ଭେକ୍ସିଙ୍ଗ, ନିଶ୍ଚିତ କରନ୍ତୁ। ସପ୍ତାହରେ ଥରଟିଏ ତ୍ବଚାରେ ଫେସ‍୍‌ ପ୍ୟାକ୍ କିମ୍ବା ସ୍କ୍ରବ ନିଶ୍ଚିତ ଲଗାନ୍ତୁ।   ଭଲ କମ୍ପାନୀର ସୌନ୍ଦର୍ଯ୍ୟ ପ୍ରସାଧନ ବ୍ୟବହାର ଉପରେ ସର୍ବଦା ଗୁରୁତ୍ବ ଦିଅନ୍ତୁ। ଏକ୍ସପାରୀ ତାରିଖ ପରେ ସୌନ୍ଦର୍ଯ୍ୟ ପ୍ରସାଧନ ବ୍ୟବହାର କରନ୍ତୁ ନାହିଁ। ନିଜର ଆବଶ୍ୟକ ଅନୁଯାୟୀ ସୌନ୍ଦର୍ଯ୍ୟ ସାମଗ୍ରୀ କିଣନ୍ତୁ। ପର୍ସରେ ସର୍ବଦା ଲିପ‍୍‌ଷ୍ଟିକ୍, ବିନ୍ଦି, କମ୍ପାକ୍ଟ ପାଉଡର, ଫେସ‍୍‌ ୱାଶ‍୍‌ ଆଦି ରଖନ୍ତୁ। ଦିନରେ ପାଉଡର ଯୁକ୍ତ ମେକ୍ଅପ ନିଅନ୍ତୁ। କାରଣ କ୍ରୀମଯୁକ୍ତ ମେକ୍ଅପ ଝାଳରେ ବୋହି ଯାଏ।   ମେକ୍ଅପ‍୍‌ ବ୍ୟତୀତ ନିଜର କେଶବିନ୍ୟାସ ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ। କେଶ ବିନ୍ୟାସକୁ ଅଧିକ ଆକର୍ଷଣୀୟ କରିବା ପାଇଁ କେଶ ସବୁବେଳେ ସଫା ରଖନ୍ତୁ। ନିଜ ଚେହେରା ଅନୁରୂପ କେଶ ବିନ୍ୟାସ କରନ୍ତୁ। କେଶ ବିନ୍ୟାସରେ ବିବିଧତା ଆଣନ୍ତୁ। ସେଇପରି ନିଜର ଚେହେରା ଅନୁ&ରୂପ ପୋଷାକ ପିନ୍ଧନ୍ତୁ। ସୁବିଧାନୁସାରେ ଜୋତା ପିନ୍ଧନ୍ତୁ। ସୁନ୍ଦର ପୋଷାକ, ମେକ୍ଅପ ସମେତ ଅବସର ସମୟ ଦେଖି ଆବଶ୍ୟକ ଗହଣା ପିନ୍ଧନ୍ତୁ।

Share :