ଶିଳ୍ପସମୃଦ୍ଧ ଜିଲ୍ଲାରେ ଜଳ ସଂକଟ

ଶିଳ୍ପସମୃଦ୍ଧ ଜିଲ୍ଲାରେ ଜଳ ସଂକଟ

Share :

ସୁଧାକର ପାଣ୍ଡେ   ସୁନ୍ଦରଗଡ଼ ଜିଲ୍ଳାର ସହରଠୁଁ ଆରମ୍ଭ କରି ଗାଁ ଗହଳରେ ପାନୀୟ ଜଳ ସମସ୍ୟା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇ ସାରିଛି। ପାନୀୟ ଜଳର ଅଭାବ ଜନ ସାଧାରଣଙ୍କୁ ନାହିଁ ନ ଥିବା ସମସ୍ୟାରେ ପକାଇଥିବା ବେଳେ ଦୁର୍ଗମ ଓ ପାହାଡ଼ିଆ ଅଞ୍ଚଳରେ ଲୋକେ ପାଣି ମୁନ୍ଦିଏ ପାଇଁ ଡ଼ହଳ ବିକଳ ହେଉଛନ୍ତି। ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଂଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସକାଶେ କୋଟି କୋଟି ଟଙ୍କାର ଅନୁଦାନ ମଞ୍ଜୁର କରୁଥିବା ବେଳେ ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ଡ଼ିଭିଜନ ଅଧିକାରୀ ଓ କର୍ମଚାରୀଙ୍କ ଖାମଖିଆଲି ନୀତି ଯୋଗୁଁ ସ୍ଥାନୀୟ ଗାଁ ଗହଳର ଲୋକେ ଉତ୍କଟ ଜଳାଭାବର ସମ୍ମୁଖୀନ ହୋଇଛନ୍ତି। ସ୍ଥାନୀୟ ରାଜନୈତିକ ନେତାମାନଙ୍କ ଅପାରଗତା ଜନ ସମସ୍ୟା ପ୍ରତି ଉଦାସୀନତା ମଧ୍ୟ ଏଥିରୁ ସ୍ପଷ୍ଟ ହୋଇଯାଇଛି।   ସୁନ୍ଦରଗଡ଼ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ସଂପୂର୍ଣ୍ଣ ନିଷ୍କ୍ରିୟ ହୋଇ ପଡ଼ିଛି। ଏହି ଜିଲ୍ଳାକୁ ଆସୁଥିବା କୋଟି କୋଟି ଟଙ୍କାର ସରକାରୀ ଅନୁଦାନର ସଦବିନିଯୋଗ ହୋଇ ପାରୁନାହିଁ। ଶହ ଶହ ପାଇପ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହୋଇ ନ ପାରି ଖତ ଖାଉଛି। ଏ ଦିଗରେ ନା ପ୍ରଶାସନ ନା ଜନ ପ୍ରତିନିଧିଙ୍କ ଦୃଷ୍ଟି ପଡ଼ୁଛି। ଅନେକ ଦୁର୍ଗମ ଓ ଉପାନ୍ତ ଗାଁ ତଥା ପଡ଼ା ଗ୍ରାମମାନଙ୍କରେ ସ୍ୱାଧୀନତାର ଦୀର୍ଘ ଛଅ ଦଶନ୍ଧି ପରେ ମଧ୍ୟ ନଳକୂଅ କିମ୍ୱା ସାନିଟାରୀ କୂଅଟିଏ ବସାଯାଇ ପାରିନାହିଁ। ଏବେ ବି ସେହି ଇଲାକାବାସୀ ଜଙ୍ଗଲି ନାଳର ପତ୍ରପଚା ପାଣି ବ୍ୟବହାର କରୁଛନ୍ତି।   କେବଳ ଠିକାଦାର ଓ ଅଫିସରଙ୍କୁ ପୋଷିବା ପାଇଁ ପାଇପ ଜଳ ଯୋଗାଣ ପ୍ରକଳ୍ପ ପାଇଁ ଟଙ୍କା ମଂଜୁର ହଉଛି। ଏକ ବିଭାଗୀୟ ରିପୋର୍ଟ ଅନୁସାରେ ସୁନ୍ଦରଗଡ଼ ଆରଡ଼ବ୍ଲ୍ୟୁଏସଏସ ଡ଼ିଭିଜନର ନଅ ଗୋଟି ବ୍ଲକ‌୍‍ରେ ୧୩୬ ଗ୍ରାମପଂଚାୟତ ରହିଥିବା ବେଳେ ୭୨୭ ରାଜସ୍ୱ ଗ୍ରାମ ଏବଂ ୪୦୬୧ ଜନବସତି ରହିଛି। ସେହିସବୁ ଇଲାକାରେ ସରକାରୀ ହିସାବରେ ୧୧,୮୮୩ ଟି ନଳକୂଅ, ୧୦୬  ସାନିଟାରୀ କୂଅ ଏବଂ ୨୬୨ ଟି ପାଇପ ଜଳ ଯୋଗାଣ ପ୍ରକଳ୍ପ ରହିଛି। ଏହି ପରିସଂଖ୍ୟାନ କହୁଛି ଯେ ଜିଲ୍ଲାରେ ପାନୀୟ ଜଳ ସମସ୍ୟା ଆଦୌ ରହିବା କଥା ନୁହେଁ। କାରଣ ୭୨୭ ଗାଁ ଓ ୪ ହଜାର ଜନବସତିକୁ ୧୨ ହଜାର ଉପରେ କୂଅ, ନଳକୂଅ ଓ ପାଇପ ପାଣି ପ୍ରକଳ୍ପ ତିଆରି ହୋଇଛି। ଏହା ଆବଶ୍ୟକତାରୁ ଯଥେଷ୍ଟ ଅଧିକ। କିନ୍ତୁ ଏ ୧୨ ହଜାର ଜଳଉତ୍ସରୁ କେତେ ଅଚଳ ଏବଂ କେତେ ବାସ୍ତବରେ ସଚଳ ତାହା କେହି ସମୀକ୍ଷା କରୁ ନାହାନ୍ତି। କେବଳ କାଗଜ ପତ୍ରରେ ହିଁ ସବୁ କିଛି ଚାଲିଛି।   ସୁନ୍ଦରଗଡ଼ ସବ‌୍‍ଡ଼ିଭିଜନରେ ଥିବା ପାଇପ ଜଳ ଯୋଗାଣ ପ୍ରକଳ୍ପ ମଧ୍ୟରୁ ନାମକୁ ମାତ୍ର କେତୋଟି କାର୍ଯ୍ୟକାରୀ ହେଉଥିବା ବେଳେ ପ୍ରାୟତଃ ଅଚଳ ପଡ଼ିଛି। କେଉଁଠି କାମ ବର୍ଷ ବର୍ଷ ଧରି ଅଧାପନ୍ତରିଆ ପଡ଼ିରହିଛି। ପୁଣି କେଉଁଠି ମଟର ପୋଡ଼ି ତ’ କେଉଁଠି ଟ୍ରାନ୍ସଫର୍ମର ପୋଡ଼ି ଥିବାରୁ ପ୍ରକଳ୍ପ ପରିଚାଳନାରେ ବିଭ୍ରାଟ ଦେଖା ଦେଉଛି। କେଉଁଠି ପାଇପ‌୍‍ ଫାଟିଛି ତ କେଉଁଠି ବିଦ୍ୟୁତ ଦେୟ ପଇଠରେ ଖିଲାପି ଯୋଗୁଁ ବିଦ୍ୟୁତ ସଂଯୋଗ କାଟି ଦିଆଯାଇଛି। କେଉଁଠି ପାଣି ଉତ୍ସ ଫେଲ‌୍‍ ମାରିଛି ତ’ କେଉଁଠି ବୋରିଂ କୋଲାପ୍ସ କରି ଯାଇଛି। ପୁଣି କେଉଁଠି ଷ୍ଟାଣ୍ଡପୋଷ୍ଟ ଭୁଶୁଡ଼ି ପଡ଼ିଛି। ଡିଭିଜନ ସାରା ଏଇଭଳି ସ୍ଥିତି।   ଠିକ‌୍‍ ସେହିଭଳି ରାଉରକେଲା ଡ଼ିଭିଜନରେ ୮ଟି ବ୍ଲକ‌୍‍  ଓ ୧୨୪ ଟି ପଞ୍ଚାୟତ ରହିଥିବା ସ୍ଥଳେ ୯୪୦ ଟି ରାଜସ୍ୱ ଗ୍ରାମ ଏବଂ ୫,୭୫୪ଟି ଜନବସତି ରହିଛି। ସେସବୁ ଗାଁରେ ୧୧,୧୬୩ଟି ନଳକୂଅ ଏବଂ ୯୮୬ଟି ସାନିଟାରୀ କୂଅ ରହିଥିବାର ସରକାରୀ ରିପୋର୍ଟରେ ଦର୍ଶାଯାଉଥିବା ବେଳେ ୧୯୩ଟି ପାଇପ ପ୍ରକଳ୍ପ ରହିଥିବା ଜଣାପଡ଼ିଛି। ହେଲେ ବାହାରୁଛି କ୍ବଚିତ। ଖାତାପତ୍ରରେ ନଳକୂପାଦି ରହିଛି। ଲୋକଙ୍କ ପାଇଁ ସବୁ ଅଚଳ। ଫଳରେ ଗାଁ ଗହଳର ଲୋକେ ପାରମ୍ପାରିକ ପ୍ରଦୂଷିତ ଉତ୍ସରୁ ପାନୀୟ ଜଳ ସଂଗ୍ରହ କରୁଛନ୍ତି।   ଖରାଦିନେ ଜିଲ୍ଳାରେ ଅନୁଭୂତ ହେଉଥିବା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ନାର୍ହି ନ ଥିବା ପରିସ୍ଥିତି ସୃଷ୍ଟି କରୁଥିବା ବେଳେ ପାହାଡ଼ିଆ ଇଲାକାରେ ପାଣି ପାଇଁ ଲୋକେ ଡହଳ ବିକଳ ହେଉଛନ୍ତି। ପ୍ରଚଣ୍ଡ ଗରମ ଯୋଗୁଁ ସ୍ଥାନୀୟ ଜଳଉତ୍ସ କ୍ରମଶଃ ନିମ୍ନଗାମୀ ହୋଇ ଚାଲିଥିବା ବେଳେ ଗ୍ରାମାଞ୍ଚଳରେ ଥିବା ନଈ, ନାଳ, ବନ୍ଧବାଡ଼, କୂଅ, ପୋଖରୀ ଶୁଖିଯାଉଛି। ସୁନ୍ଦରଗଡ଼ ଶୁଷ୍କାଚଂଳ ହୋଇଥିବାରୁ ବିଶେଷ କରି ଏହି ଦୁର୍ଗମ ପାହାଡ଼ିଆ ଅଂଚଳରେ ହା-ହାକାର ପରିସ୍ଥିତି ସୃଷ୍ଟି ହୋଇଥାଏ। ଗାଈଗୋରୁ ଆଦି ଗୃହପାଳିତ ପଶୁମାନେ ମଧ୍ୟ ପାଣି ଟୋପାଏ ପାଇଁ ଡ଼ହଳବିକଳ ହୋଇଥାନ୍ତି। ବିଭିନ୍ନ ଗ୍ରାମବାସୀ ଓ ପଂଚାୟତ ପକ୍ଷରୁ କେତେକ ସ୍ଥାନରେ ନଈନାଳ ଗୁଡ଼ିକରେ ବନ୍ଧ ବାନ୍ଧି ଓ ଚହଲା ଖନନ କରି ଲୋକେ ପାଣି ଟୋପେ ପାଇଥାନ୍ତି। ଏବେ ବର୍ଷା ଋତୁ। ତେଣୁ ଚାରି ଆଡ଼େ ପାଣି। ତେବେ ଏସବୁ ପାଣି ପିଇବା ଯୋଗ୍ୟ ନୁହେଁ। ଶିଳ୍ପ, ସହର ଓ ଖଣି ପାଇଁ ଜିଲ୍ଲାର ଅଧିକାଂଶ ପାରମ୍ପାରିକ ପାନୀୟ ଜଳ ଉତ୍ସ ପ୍ରଦୂଷିତ ହୋଇସାରିଛି। ଏ ଦିନେ ପୁଣି ନଈନାଳ, କୂଅ ଓ ପୋଖରୀ ପଚି ପାଣି ବ୍ୟବହାର ଉପଯୋଗୀ ହୋଇ ରହିନାହିଁ। ଜିଲ୍ଳା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ଗ୍ରାମାଞ୍ଚଳରେ ପାଇପ ଜଳ ଯୋଗାଣ ପ୍ରକଳ୍ପ ଏବଂ ନୂତନ ନଳକୂପ ଖନନ, ମରାମତି ଆଦି ହାତକୁ ନିଆଯାଇଥିଲେ ସୁଦ୍ଧା ଠିକାଦାର ଓ କାର୍ଯ୍ୟନିବାର୍ହୀମାନଙ୍କ ଉଦାସୀନତା ଯୋଗୁଁ ପ୍ରକଳ୍ପଗୁଡ଼ିକର ନିର୍ମାଣ କାର୍ଯ୍ୟ ଅସଂପୂର୍ଣ୍ଣ ହୋଇ ପଡ଼ିଛି।   ବର୍ଷକୁ ବର୍ଷ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇ ଭୟାନକ ପରିସ୍ଥିତି ସୃଷ୍ଟି କରୁଥିବା ବେଳେ ଜଳସ୍ତର ନିମ୍ନଗାମୀ ହେଉଛି। କ୍ରମାଗତ ଭାବେ ଏଠାରେ ବର୍ଷାଭାବ ଏବଂ ଶିଳ୍ପାନୁଷ୍ଠାନ ସ୍ଥାପନ, ଖଣିଖାଦାନ ସଂଖ୍ୟା ବୃଦ୍ଧି ହେଉଥିବା ସ୍ଥଳେ ଏହା ଯୋଗୁଁ ନଈ, ନାଳ, କୂଅ, ପୋଖରୀଗୁଡ଼ିକରେ ପାଣି ଗଚ୍ଛିତ ରହୁନାହିଁ। ରାଉରକେଲା, ରାଜଗାଙ୍ଗପୁର ଓ ସୁନ୍ଦରଗଡ଼ ମ୍ୟୁନିସିପାଲଟିରେ ମଧ୍ୟ ଜଳାଭାବ ଦେଖାଦେଇଛି।

Share :