ହଁ, ମୁଁ ସମର୍ଥ...

ହଁ, ମୁଁ ସମର୍ଥ...

Share :

ପ୍ରଶାନ୍ତ କୁମାର ଭୂୟାଁ   (ନିଶାମୁକ୍ତି ସଚେତନତା ଅଭିଯାନ ସମୟରେ ଲେଖା ହୋଇଥିବା ଜଣେ ନିଶାସେବନକାରୀର ସ୍ୱୀକାରୋକ୍ତି)   ମୁଁ ସମର୍ଥ...!   ମୁଁ ନିଶା ସେବନ କରୁଥିଲି। ଢ଼ୋକ ପରେ ଢୋକ ଅତି ସ୍ଥିର ଚିତ୍ତରେ ଢ଼ୁକୁଥାଏ। ଏପଟେ ରାଗଦିଆ ମସଲା ଝୋଳ ସହ ପୋଡ଼ାମାଂସ ପୁଳାଏ ଆଉ ସେପଟେ ଚୁରୁଟ୍‌ରୁ ଭକ୍‌ଭକ୍‌ ଧୂଆଁ ଛାଡ଼ିଲା ବେଳେ ମୋତେ ଯେଉଁ ଆତ୍ମତୃପ୍ତି ହେଉଥିଲା ତାହା ବର୍ଣ୍ଣନାତୀତ। ସେତେବେଳେ ମନେ ହେଉଥିଲା ଯେପରି ମୁଁ ହିଁ ମୁଁ। ଏଇ ସକଳ ବିଶ୍ୱର ଅଧୀଶ୍ୱର। ଯଦି ଅମୃତ ବୋଲି କିଛି ଥାଏ ତେବେ ଏଇ ସୁରା ହିଁ ତାହା; ଯଦି ମୋ ଜୀବନର ସୁବର୍ଣ୍ଣ ମୁହୂର୍ତ୍ତ କ’ଣ ବୋଲି କେହି ପଚାରେ ତେବେ ତାହା ଏଇ ନିଶାସକ୍ତ ସମୟ ହିଁ ଆଉ ଯଦି ମୋର କେହି ଉତ୍ତମ ସାଥୀ ଥାଏ ତେବେ ତାହା ଏଇ ପିଆଲା; କେବଳ ଏଇୟା ହିଁ ସତ୍ୟ ପ୍ରତ୍ୟୟ ହେଉଥିଲା। ଯୁବାବସ୍ଥାରେ ଆରମ୍ଭ ହୋଇଥିଲା ଆମ୍ବିଳା ଖଜୁରି ରସରୁ, ହେଲେ ଆଜି ସୁରା ନୁହଁ ଅଫିମ ଗୁଳା, ଅରଖ ଧୂଆଁ, ଆପୁ, ପ୍ରଭୃତିରେ ଅଭ୍ୟସ୍ତ ମୁଁ। ଏଣୁ ଯେ ନିଶା ପରିତ୍ୟାଗ କରିବାକୁ ମୋତେ ବୁଝାଏ ମୁଁ ତାକୁ ଭର୍ତ୍ସନା କରେ ଆଉ କହେ, ‘ଶଳା...ଯିଏ ନ ପିଉଛି ମଦ; ତା’ର ବଉଁଶ ଯାକ ଗଧ।’     ନିଶା ସେବନ ମୋତେ ନିଜକୁ ଅନେକ ରାଜକୀୟ ଠାଣୀ ଦେଇଥିଲା। ଏଇ ଦୁଇ ଆଙ୍ଗୁଠି ମଝିରେ ସିଗାରେଟ୍‌ ରଖି ଶୋଷିବା; ପିଆଲାକୁ ପାପୁଲିରେ ନଚାଇ ସେଇ ମଧୁର ରସକୁ ଆସ୍ୱାଦନ କରିବା ଆଉ ମଧୁଶାଳାର ସେଇ ରଙ୍ଗୀନ ପରିବେଶରେ ହିଁ ସଂସାର ଥିଲା। ନିଶାର ନିଶାରେ ନିଶା ପିଉଥିଲି; ଅନୁଭୂତ ହେଉଥିଲା ବଞ୍ଚୁଥିଲି ବୋଲି, ଯଦ୍ୟପି ନିଶାର ନିଶାରେ ନିଶା ମୋତେ ପିଉଥିଲା; ଆଉ ବଞ୍ଚୁଥିଲା ସେ। ମୁଁ ଯେତେ ଧୀରସ୍ଥିରରେ ତାକୁ ପିଇବାରେ ଲାଗୁଥିଲି ସେ ସେତେ ଚଞ୍ଚଳତାର ସହ ମୋତେ ମୋହାଚ୍ଛନ୍ନ କରୁଥିଲା। ସେତେବେଳେ ସାମାଜିକ ଚେତନା, ସାଂସରିକ ଦାୟିତ୍ୱ ଆଉ ଭାଇ-ବନ୍ଧୁ-କୁଟୁମ୍ବଙ୍କ ନିମନ୍ତେ ମୋର ସ୍ନେହ ସରାଗ ସବୁ ମିଳେଇ ଯାଇଥିଲା। ମୁଁ, ମଦ ଆଉ ମଧୁଶାଳା ହିଁ ସତ୍ୟ ଥିଲା; ଆଉ ସେଇୟା ହିଁ ଥିଲା ମୋ ପାଇଁ ଐଶ୍ୱରୀୟ। ଏଇଟା ସବୁ ନିଶାଗ୍ରସ୍ତ ବ୍ୟକ୍ତିର ଅଙ୍ଗେ ନିଭେଇବା ତତ୍ତ୍ୱ।   ମୋତେ ଯେତେବେଳେ କେହି ଐଶ୍ୱରୀୟବାଦୀ ମଦ ଛାଡ଼ିବାକୁ ମନାଇବାକୁ ଆସନ୍ତି ମୁଁ ତାଙ୍କୁ ମୋକ୍ଷ ଛାଡ଼ିବାକୁ ଖୋସାମତ କରୁଥିଲି। ମୋତେ କେହି ଶାକାହାର କରିବାର ଯଥାର୍ଥତା ବୁଝାଇବାରେ ଲାଗନ୍ତି ମୁଁ ସେତେବେଳେ ମାଂସାହାରର ଉପାଦେୟତା ଆଉ ସ୍ୱାଦିଷ୍ଟତା ବିଷୟରେ ଅତି ଉତ୍ସାହରେ ବୁଝାଉଥିଲି। ମୋର ଦୁନିଆ ଆଉ ମୋ ବଞ୍ଚିବାର ଢଙ୍ଗ ସବୁ ସେଇ ନିଶାସେବନ ଆଉ ତା’ ସହ ବଞ୍ଚିବାରେ ହିଁ ଥିଲା। ନିଶାକୁ ଯେତେବେଳେ କେହି ନିନ୍ଦା କରୁଥିଲା ସେତେବେଳେ ମୋ ସର୍ବାଙ୍ଗରେ ରକ୍ତର ଜୁଆର ଉଠୁଥିଲା। ମୁଁ ନିଶାସେବନର ସାରା ଦୋଷ ମୋ କାନ୍ଧରେ ଉଠାଇ ଚାଲୁଥିଲି ହେଲେ ନିଶାକୁ କେହି ଆଙ୍ଗୁଳି ଦେଖାଉ ଏହା ମୁଁ ବରଦାସ୍ତ କରି ପାରୁନଥିଲି। କାହା ପାଇଁ ଈଶ୍ୱର ପୂଜାର୍ଚ୍ଚନା ମୁକ୍ତିର ନିଶା ଥିଲା, କାହା ପାଇଁ ପ୍ରେମ ବଞ୍ଚିବାର ନିଶା ଥିଲା; କାହା ପାଇଁ କ’ଣ ଥିଲା ହେଲେ ମୋ ପାଇଁ ଏଇ ଧୂଆଁପାଣି ସବୁ ହିଁ ଥିଲା ଆନନ୍ଦମୟ ନିଶା। ଏଥିରେ ଅନ୍ୟମାନଙ୍କର ଅହେତୁକ ଦଖଲ ମୋର ବୁଝାମଣାର ବାହାରେ ଥିଲା। ମୁଁ ମୋ ସହ ତର୍କ ବିତର୍କ ଆରମ୍ଭ କରି ଦେଉଥିଲି।   ନିଶାସେବନରେ ଏତେ ମଜ୍ଜିଗଲି ଯେ ମୋ ଅସ୍ଥିମଜ୍ଜା ରକ୍ତସ୍ୱେଦ ସବୁ କେବଳ ସେଇ ନିଶାରେ ହିଁ ଜୀବନ୍ତ ହୋଇ ଉଠୁଥିଲେ। ମୋର ସ୍ନାୟବିକ ଚେତନା ହୁଏତ ପ୍ରଥମେ ଏଇ ନିଶାରୁ ନିଜକୁ ମୁକୁଳାଇ ପାରିଲା ଆଉ ସେତେବେଳେ ଯାଇ ନିଶାକୁ ମୁଁ ବୁଝିଲି; ଅତି ବିଳମ୍ବରେ ହେଉ ପଛେ ହେଲେ ବୁଝିଲି ନିଶାର ନିଶା। ଆମ ଭଳି ମଣିଷକୁ ତା କବଳରେ ରଖିବାର ନିଶା। ନିଶାର ଦୁଆରରେ ସବୁ ଆଗନ୍ତୁକଙ୍କ ଆଦର ସତ୍କାର ହୁଏ; ସେଇ ସଂସାରରେ ଥରେ ପହଞ୍ଚି ଗଲେ ମୁକ୍ତିର ପଥ କିଏ ଖୋଜିବାକୁ ଚାହେଁନି; ତେଣୁ ତ ସେ ଅତି ସହଜରେ କବଳ କରିନିଏ ଆମ ଜ୍ଞାନ, ଚୈତନ୍ୟ ଆଉ ସବୁ ଦିବ୍ୟଭାବ। ଏକ ଭୂତାଣୁ ପ୍ରାୟେକ ସେ ଆମକୁ ତା ରଙ୍ଗରେ ରଙ୍ଗାଏ। ତାର ପରଶ ଅତି ଅମୃତମୟ ବୋଧହୁଏ। ହେଲେ ନିଜକୁ ଅର୍ପଣ କରି ସାରିଲା ପରେ ଆମର ଆଉ କ’ଣ ବା ଥାଏ ଫେରିବାକୁ?   ସେତେବେଳେ ଏଇ ଭାଇ-ବନ୍ଧୁ-କୁଟୁମ୍ବର ସଂସାର ସେନେହ ସରାଗର ଏକ କ୍ଷୁଦ୍ରତନ୍ତ୍ରୀ ଆମର ଚୈତନ୍ୟକୁ ଆଉଁସି ଦିଏ। ସେଇ ଅବଚେତନରୁ ଜାଗ୍ରତ କରାଏ। ସେତେବେଳେ ଫେରିବାକୁ ହୁଏ ଘରସଂସାରକୁ। ସେତେବେଳେ ଠିକ୍‌ ବୁଝାପଡ଼େ ଏଇ ଅଢ଼େଇ ପଦର ପ୍ରେମକୁ ଆଉ ଦୁଇ ଦିନିଆ ତେଲଲୁଣର ସଂସାରକୁ। ସେତେବେଳେ ପିତାମାତା ଦେବବୋଧ ହୁଅନ୍ତି। ସ୍ତ୍ରୀର ମୁହଁଟା ପଣତ ତଳୁ ଆହୁରି ତେଜୀୟାନ ହୋଇ ଦିଶେ। କୁନୀ ହେଉ ବା ମୁନା; ଯେତେବେଳେ ବାହୁ ପ୍ରସାରୀ ଆଗେଇ ଆସନ୍ତି ସେତେବେଳେ ମନେହୁଏ ଯେ ଜୀବନ ଆଗେଇ ଆସୁଛି କୋଳେଇବା ପାଇଁ। ଆଉ ସବୁ ଭାଇ-ବନ୍ଧୁ-କୁଟୁମ୍ବ ହିଁ ପରମାତ୍ମା ବୋଧ ହୁଅନ୍ତି।   ଅନୁତାପ ହୁଏ; ହେଲେ ବହୁତ ବିଳମ୍ବ ହୋଇଯାଇଥାଏ। ମୋ ଭଳି ଅନେକ ଏଇ ଅନୁତାପରେ ଜୀବନର ଗ୍ଲାନିବୋଧ କରନ୍ତି। ଜୀବନ ହାରିଯାଏ ସେତେବେଳେ। ନିଶାସେବନ କେବଳ ଏକ ଅଭ୍ୟାସ; ଏହା ଅସ୍ଥିମଜ୍ଜାଗତ ଜୀବନଧାର ନୁହଁ। ଏଣୁ ଏହାକୁ ଛାଡ଼ିହେବ। ହୁଏତ ମୁହୂର୍ତ୍ତଟିଏ ହୋଇପାରେ ଅବା ହୋଇପାରେ ବର୍ଷଟିଏ। ହେଲେ ଏହାର ସମାଧାନ ଘୃଣା ଅବା ଅପମାନରେ ନୁହେଁ; ଏହା କେବଳ ବ୍ୟକ୍ତିଗତ ପ୍ରଚେଷ୍ଟା ଆଉ ସାମଜିକ ଜନସଚେତନତାରେ ସମ୍ଭବ।   ନିଶାରୁ ମୁକ୍ତି ହେବା ବେଳେବେଳେ ବ୍ୟକ୍ତିଗତ ପରିଧି ବାହାରକୁ ଚାଲି ଯାଇଥାଏ। ସେତେବେଳେ ସମାଜର ଦାୟିତ୍ୱ ଉକୁଟି ଆସିବାକୁ ପଡ଼ିବ। ଯେ କୌଣସି ବ୍ୟକ୍ତିବିଶେଷକୁ ବ୍ୟକ୍ତିଗତ ଅଧୋପତନରୁ ଉଦ୍ଧାର କରିବା ହିଁ ସମାଜର ଦାୟିତ୍ୱ ଆଉ ସମାନ ପ୍ରତିଷ୍ଠାର ଉଦ୍ଦେଶ୍ୟ। ଏଣୁ ସମାଜ ହିଁ ସମସ୍ତ ମାନବଜାତିର ତ୍ରାଣକର୍ତ୍ତା ହେଉ। ମୋର ସ୍ୱଳ୍ପ ବ୍ୟକ୍ତିଗତ ପ୍ରଚେଷ୍ଟା ଆଉ ସମାଜର ପ୍ରବଳ ସଚେତନତା ହିଁ ଆଜି ମୋତେ ପୁଣିଥରେ ମୋ ଆଗରେ ଠିଆ କରିବାର ସାମର୍ଥ୍ୟ ଦେଇଛି। ଆଜି ଉଦାତ୍ତ କଣ୍ଠରେ ମୁଁ କହିବି ଯେ ମୁଁ ନିଶାମୁକ୍ତ; ମୁଁ ସମର୍ଥ; ମୁଁ ମଣିଷଟିଏ।   ଆଜି ଏଇଠି କହିବା ବାହୁଲ୍ୟ ଯେ ନିଶାସେବନ ନା ବିଳାସମୟ ଥିଲା ନା ଆନନ୍ଦମୟ; ନିଶାସେବନ ନା ଶରୀର ଓ ସ୍ୱାସ୍ଥ୍ୟ ନିମନ୍ତେ ହିତକାରକ ଥିଲା ନା ଦେଶ ସମାଜ ନିମନ୍ତେ; ନିଶାସେବନ କେବଳ ବର୍ତ୍ତମାନକୁ ଭୋଗ କରିବାର ଏକ ପ୍ରଲୁବ୍‌ଧତା ଥିଲା ଆଉ ସେଇୟା ହିଁ ନିଶାର ନିଶା। ଏଣୁ ଆଜି ଏଇ ସ୍ୱୀକାରୋକ୍ତିରେ କହିବି, ନିଶାସେବନ ସଉକରେ ବଞ୍ଚିବାର କେବଳ ଏକ ବାହାନା; ଯଦ୍ୟପି ନିଶାମୁକ୍ତି ସୁଖ-ଶାନ୍ତି-ସ୍ନେହରେ ବଞ୍ଚିବାର ଏକ ରାହା।

Share :