ଏଇ କ’ଣ ଶିକ୍ଷା ଅଧିକାର?

ଏଇ କ’ଣ ଶିକ୍ଷା ଅଧିକାର?

Share :

ସ୍ନେହଲତା ମିଶ୍ର   ପ୍ରାଥମିକ ଶିକ୍ଷାକୁ ସାର୍ବଜନୀନ କରିବା ସହ ୬ରୁ ୧୪ ବର୍ଷ ବୟସର ସମସ୍ତ ଶିଶୁଙ୍କୁ ଶିକ୍ଷାଦାନ କରିବାକୁ ଶିକ୍ଷା ଅଧିକାର ଆଇନରେ ବ୍ୟବସ୍ଥା କରାଯାଇଛି। ସୁସ୍ଥ ବାତାବରଣରେ ଆବଶ୍ୟକ ଶିକ୍ଷକ ନିୟୋଜିତ କରାଯାଇ ଶିକ୍ଷାଦାନର ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଏହି ଆଇନରେ ଉଲ୍ଲେଖ ରହିଛି। ଏହା ସହ ଶିଶୁ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏପରିକି ବିଦ୍ୟାଳୟ ପରିସରରେ ବିଶୁଦ୍ଧ ପିଇବା ପାଣି ସମେତ ସ୍ୱଚ୍ଛ ପରିବେଶ ପାଇଁ ଆବଶ୍ୟକ ପଦକ୍ଷେପ ସ୍ୱରୁପ ଶୌଚାଳୟ ଓ ପରିସ୍ରାଗାର ନିର୍ମାଣର ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଆଇନରେ ଉଲ୍ଲେଖ ରହିଛି। ଏଥିସହ ଜନ ବସତିରୁ ମାତ୍ର ୧ କି.ମି ଦୂରତା ମଧ୍ୟରେ ବିଦ୍ୟାଳୟ ବ୍ୟବସ୍ଥା, ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ପାଇଁ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଉପରେ ମଧ୍ୟ ଆଇନରେ ଗୁରୁତ୍ୱ ଦିଆଯାଇଛି।   କିନ୍ତୁ ଦୁଃଖ ଓ ପରିତାପର ବିଷୟ କେନ୍ଦ୍ର ସରକାର ଏଭଳି ଭିତ୍ତିଭୂମି ପ୍ରସ୍ତୁତି ପାଇଁ ବିଭିନ୍ନ ଯୋଜନା ଦ୍ୱାରା କୋଟି କୋଟି ଟଙ୍କା ଖର୍ଚ୍ଚ କରିଚାଲିଥିଲେ ମଧ୍ୟ ୨୦୦୭ ଶିକ୍ଷା ବର୍ଷରେ ସ୍ଥାପିତ ହେଇଥିବା କଲମପୁର ବ୍ଲକ ଅନ୍ତର୍ଗତ ମଣ୍ଡଳ ପଂଚାୟତ ଅଧୀନସ୍ଥ ସର୍ଦ୍ଦାପଡା ନୂତନ ପ୍ରାଥମିକ ବିଦ୍ୟାଳୟ ପାଇଁ ବିଦ୍ୟାଳୟ କୋଠାଟିଏ ନିର୍ମାଣ କରି ପାରି ନାହାଁନ୍ତି। ଯେଉଁଥିପାଇଁ ଦୀର୍ଘ ୯ ବର୍ଷ ହେବ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ଅସୁରକ୍ଷିତ ଅବସ୍ଥାରେ ଏକ ବରଗଛ ମୂଳେ ଶିକ୍ଷା ଗ୍ରହଣ କରୁଛନ୍ତି। ବର୍ଷା ହେଲେ କୌଣସି ଏକ ଘର ବାରଣ୍ଡାରେ ବସି ଶିକ୍ଷା ଗ୍ରହଣ କରୁଛନ୍ତି। ଏମାନଙ୍କ ପାଇଁ ନାହିଁି କୌଣସି ଶୌଚାଳୟ ଅଥବା ପିଇବା ପାଇଁ ଶୁଦ୍ଧ ପାଣିର ବ୍ୟାବସ୍ଥା। ନଳକୂପର ବ୍ୟବସ୍ଥା ନଥିବାରୁ ମଧ୍ୟାହ୍ନ ଭୋଜନ ଖାଇସାରିବା ପରେ କୋମଳମତି ଛାତ୍ରଛାତ୍ରୀ ଅସୁରକ୍ଷିତ ଅବସ୍ଥାରେ ମାତ୍ର ୧୫୦ ମିଟର ଦୂରରେ ପ୍ରବାହିତ ମଣ୍ଡଳଜୋରର ପାଣିରେ ନିଜର ଅଇଁଠା ବାସନ ମାଜୁଛନ୍ତି। ବର୍ଷା ଦିନେ ଏହି ଜୋରରେ ପ୍ରଖର ବେଗରେ ପାଣି ପ୍ରବାହିତ ହେଉଥିବାରୁ ଛାତ୍ରଛାତ୍ରୀଙ୍କ ଗୋଡ ଖସି ପାଣି ସ୍ରୋତରେ ଭାସିଯିବାର ଆଶଙ୍କା ରହିଛି। ଅନେକ ସମୟରେ ପାଣି ଭିତରେ ପଡି ଛାତ୍ରଛାତ୍ରୀଙ୍କ ପୋଷାକ ଭିଜିଯାଉଥିବା ଦେଖାଯାଉଛି।   ଏହି ଗଛ ନିକଟରେ ରହିଛି ଚାଷ ଜମି। ଯେଉଁଠି ରହନ୍ତି ବିଭିନ୍ନ ପ୍ରଜାତିର ସରିସୃପ। ଏମାନଙ୍କ ଦ୍ୱାରା କୌଣସି ଅଘଟଣ ଘଟିଲେ ଦାୟୀ ରହିବ କିଏ? ଏହାସହ ବିଦ୍ୟାଳୟର କାଗଜାତ ଅସୁରକ୍ଷିତ। ମଧ୍ୟାହ୍ନ ଭୋଜନ ସାମଗ୍ରୀ ଅନ୍ୟ ଜଣକ ଘରେ ସାଇତି ରଖାଯାଉଥିବା ବେଳେ ମଧ୍ୟାହ୍ନ ଭୋଜନରେ ବ୍ୟବହୃତ ଆସବାବ ପତ୍ର ପାଚିକାଙ୍କ ଜିମାରେ। ସୂଚନାଯୋଗ୍ୟ ଯେ, ସରକାରଙ୍କ ପ୍ରାଥମିକ ଶିକ୍ଷା ପ୍ରକଳ୍ପରୁ ଗତ ୨୦୦୦ ମସିହାରେ ନିଶ୍ଚିତ ଶିକ୍ଷା ଯୋଜନାରେ ଏହି ପଡାର କୋମଳମତି ଛାତ୍ର ଛାତ୍ରୀଙ୍କ ପ୍ରାଥମିକ ଶିକ୍ଷା ପାଇଁ ଇଜିଏସ କେନ୍ଦ୍ର ସ୍ଥାପନ କରାଯାଇଥିଲା। ଏହି ଯୋଜନାକୁ ବନ୍ଦ କରାଯିବା ପରେ ଏହି ଇଜିଏସ କେନ୍ଦ୍ରକୁ ଉନ୍ନିତ କରାଯାଇ ୨୦୦୭ ମସିହାରେ ନୂତନ ପ୍ରାଥମିକ ବିଦ୍ୟାଳୟର ମାନ୍ୟତା ଦିଆଯାଇଥିଲା। କିନ୍ତୁ ବିଦ୍ୟାଳୟର ମାନ୍ୟତା ଦେବା ପୂର୍ବରୁ ଉକ୍ତ ପଡାରେ ବିଦ୍ୟାଳୟ କୋଠା ନିର୍ମାଣ ପାଇଁ କୌଣସି ସରକାରୀ ଜମି ରହିଛି କି ନାହଁି ସେଥିପ୍ରତି ଗୁରତ୍ୱ ଦିଆଯାଇ ନଥିଲା। ଆବଶ୍ୟକ ସରକାରୀ ଜମି ନଥିବାରୁ ବିଦ୍ୟାଳୟ କୋଠା ନିର୍ମାଣ ହୋଇପାରୁ ନାହିଁ।   ବିଦ୍ୟାଳୟରେ ୧୨ ଜଣ ଆଦିବାସୀ ଓ ପଛୁଆ ବର୍ଗର ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ଆଗାମୀ ଦିନରେ ଛାତ୍ରଛାତ୍ରୀ ସଂଖ୍ୟା ବୃଦ୍ଧି ପାଇବାର ଯଥେଷ୍ଟ ସମ୍ଭାବନା ରହିଛି। କିନ୍ତୁ ବିଦ୍ୟାଳୟ ପାଇଁ କୋଠାଟିଏ ନଥିବା ବେଳେ ଛାତ୍ରଛାତ୍ରୀ କେମିତି ପଢିବେ? ବିଦ୍ୟାଳୟ ସ୍ଥାପନର ଆବଶ୍ୟକ ଭିତ୍ତିଭୂମି ନଥାଇ ବିଦ୍ୟାଳୟ ସ୍ଥାପନ ଭଳି ପଦକ୍ଷେପ ନେବା ଅତ୍ୟନ୍ତ ପରିତାପର ବିଷୟ। ଏଭଳି ସ୍ଥିତିରେ ନିଜ ପଡାର କୋମଳମତି ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ପାଇଁ ସୁମିତ୍ରା ଭୋଇ ନାମକ ବୃଦ୍ଧା ନିଜର କିଛି ଜମି ବିଦ୍ୟାଳୟ ସ୍ଥାପନ ପାଇଁ ଦାନ କରିବା ପାଇଁ ଇଛା ବ୍ୟକ୍ତ କରିଥିବା ବେଳେ ବୃଦ୍ଧା ଜଣକ ଆଦିବାସୀ ବର୍ଗର ହେଇଥିବାରୁ ଜମି ଦାନ ପାଇଁ ଆଇନ ବାଟ ଓଗାଳୁଛି।   ଜିଲା ପ୍ରଶାସନ ତଥା ଶିକ୍ଷା ବିଭାଗ ଏଥିପ୍ରତି ଗୁରୁତ୍ୱ ଦେଲେ ଆଗାମୀ ଦିନରେ ଏହି ପଡାର କୋମଳମତି ଛାତ୍ରଛାତ୍ରୀ ଉପକୃତ ହେଇ ପାରିବେ ବୋଲି ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଥବିର ବାଗ କହିଛନ୍ତି। ସେହିଭଳି ଅଭିଭାବକ କରୁଣାକର ଭୋଇ ଓ ପିତାମ୍ୱର ଭୋଇ ତୁରନ୍ତ ବିଦ୍ୟାଳୟ କୋଠା ସ୍ଥାପନ ଦିଗରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଦାବୀ ଜଣାଇଛନ୍ତି। ଏନେଇ ଜିଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗଙ୍କ ସହ ଯୋଗାଯୋଗ କରାଯାଇଥିଲା। ସେ କହିଛନ୍ତି ଯ ବୃଦ୍ଧାଙ୍କ ବିଦ୍ୟାଳୟ କୋଠା ନିର୍ମାଣ ପାଇଁ ଜମି ଦାନ କରିବା ମହାନ କାମ। କିନ୍ତୁ ସରକାରୀ ନିୟମକାନୁନକୁ ସମ୍ମାନ ଜଣାଇ ଆବଶ୍ୟକ ପଦକ୍ଷେପ ନିଆଯିବ।   ଏହିପରି ଅନ୍ୟ ଏକ ବିଦ୍ୟାଳୟ ହେଉଛି ବିଶ୍ୱନାଥ ବିଦ୍ୟାପୀଠ। ଶିକ୍ଷାଦାନ ମହତ‌୍‍ ଦାନ। ଶିକ୍ଷାଦାନ ପାଇଁ ଆବଶ୍ୟକ ଉଚିତ ଭିତିଭୂମି। କିନ୍ତୁ ଉଚିତ ଭିତ୍ତିଭୂମି ଅଭାବରୁ ଛାତ୍ରଛାତ୍ରୀଙ୍କ ଆଗାମୀ ଭବିଷ୍ୟତ ଏବେ ଅନ୍ଧକାର ଦିଗକୁ ଠେଲି ହେଇଯାଉଛି। ଭିତ୍ତିଭୂମି ପ୍ରତିଷ୍ଠା ଦିଗରେ ସରକାର ନେଉଛନ୍ତି ଅନେକ ପଦକ୍ଷେପ। କିନ୍ତୁ ପ୍ରଶାସନର ଅବହେଳା କାରଣରୁ ଭିତ୍ତିଭୂମି ପ୍ରତିଷ୍ଠା ବର୍ଷ ବର୍ଷ ଧରି ଅସମ୍ପୂର୍ଣ୍ଣ ହେଇ ପଡି ରହୁଛି। ଯାହାଦ୍ୱାରା ପ୍ରଭାବିତ ହେଉଛନ୍ତି ଛାତ୍ରଛାତ୍ରୀ। ବିଦ୍ୟାଳୟରେ ବସିବା ପାଇଁ ନାହଁି ଆବଶ୍ୟକ କୋଠରୀ, ପାଠ୍ୟଦାନ ପାଇଁ ନାହାଁନ୍ତି ଆବଶ୍ୟକ ଶିକ୍ଷକ ନିୟୋଜନର ବ୍ୟବସ୍ଥା। ଛାତ୍ରୀଙ୍କ ପାଇଁ ନାହଁି ଆବଶ୍ୟକ ସଂଖ୍ୟକ ପରିଶ୍ରାଗାର। ପୁଣି ନାହଁି ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ପାଇଁ ସୁରକ୍ଷିତ ରୋଷେଇ ଘର।    ଏଭଳି ଏକ ନାହିଁ ନାହିଁର ପରିବେଷ୍ଟନୀ ଭିତରେ ଚାଲିଛି ଗତ ୬୦ ଦଶକରେ ସ୍ଥାପିତ ହେଇଥିବା କଲମପୁର ବ୍ଲକ ଅନ୍ତର୍ଗତ ମଣ୍ଡଳ ବିଶ୍ୱନାଥ ବିଦ୍ୟାପୀଠ। ବର୍ତ୍ତମାନ ଏହି ବିଦ୍ୟାଳୟର ଷଷ୍ଠରୁ ଦଶମ ଶ୍ରେଣୀରେ ୫୪୪ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ମାତ୍ର ୮ ଜଣ ଶିକ୍ଷକ ନିୟୋଜିତ ହୋଇଛନ୍ତି। ସରକାରଙ୍କ ଶିକ୍ଷାନୀତି ଅନୁସାରେ ୩୫ ଜଣ ଛାତ୍ରଛାତ୍ରୀ ପାଇଁ ଜଣେ ଶିକ୍ଷକ ରହିବା କଥା। ଏହି ଅନୁପାତରେ ଏହି ବିଦ୍ୟାଳୟ ପାଇଁ ୧୪ ଜଣ ଶିକ୍ଷକ ଆବଶ୍ୟକ ଥିବା ବେଳେ ମାତ୍ର ୮ ଜଣରେ କାମଚଳା ଶିକ୍ଷାଦାନ କରିବା ପରିତାପର ବିଷୟ।   ଗତ ୩ ବର୍ଷ ହେବ ସ୍ଥାୟୀ ପ୍ରଧାନ ଶିକ୍ଷକ ନଥିବା ବେଳେ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀର ବିଜ୍ଞାନ ଓ ଗଣିତ ଭଳି ଗୁରୁତ୍ବପୂର୍ଣ୍ଣ ବିଷୟରେ ପାଠ୍ୟଦାନ ପାଇଁ ବିଷୟ ଭିତ୍ତିକ ଶିକ୍ଷକ ନାହାନ୍ତି। ବିଜ୍ଞାନ ଓ ଗଣିତ ବିଷୟ ପ୍ରତି ସବୁକ୍ଷେତ୍ରରେ ଗୁରୁତ୍ୱ ଦିଆଯାଉଥିବା ବେଳେ ଏଠାରେ ଉଭୟ ବିଷୟର ଶିକ୍ଷକ ଅଭାବ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନେଇ ଆଶଙ୍କା ସୃଷ୍ଟି କରିଛି। ସେହିଭଳି ଶାରୀରିକ ଶିକ୍ଷା ଶିକ୍ଷକଙ୍କ ଅଭାବ ଛାତ୍ରଛାତ୍ରୀଙ୍କ ଶାରିରୀକ ବିକାଶରେ ପ୍ରତିବନ୍ଧକ ସାଜିଛି। ଏହି ବିଦ୍ୟାଳୟ ପାଇଁ ଆବଶ୍ୟକ କୋଠରୀର ଅଭାବ ଥିବା ବେଳେ ଗତ ୨୦୦୯/୧୦ରେ ସର୍ବ ଶିକ୍ଷା ଯୋଜନାର ଅନୁଦାନରେ ନିର୍ମାଣାଧୀନ ଏକ କୋଠରୀ ଅଦ୍ୟାବଧି ଅସମ୍ପୂର୍ଣ୍ଣ ରହିଛି। ଏହି ଅସମ୍ପୁର୍ଣ୍ଣ ତଥା ଅସୁରକ୍ଷିତ କୋଠରୀରେ ୧୦ମ ଶ୍ରେଣୀର ୧୨୮ ଜଣ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରାଯାଉଛି। ଏହି କୋଠରୀରେ କିଛି ତୃଟୀ ଥିବାର ଅନୁମାନ କରାଯାଉଥିଲେ ମଧ୍ୟ ନିର୍ମାଣ ଦାୟିତ୍ୱରେ ଥିବା ଯନ୍ତ୍ରୀ କୌଣସି ଅସୁବିଧାର ଆଶଙ୍କା ନଥିବା ମତପ୍ରକାଶ କରୁଥିବା ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ନରସିଂହ ପଣ୍ଡା ମତବ୍ୟକ୍ତ କରିଛନ୍ତି।   ସେହିଭଳି ମଧ୍ୟାହ୍ନ ଭୋଜନ ରନ୍ଧନ ପାଇଁ ସମସ୍ତ ବିଦ୍ୟାଳୟକୁ ସ୍ୱତନ୍ତ୍ର ଭାବେ ରୋଷେଇ ଘର ନିର୍ମାଣ ପାଇଁ ସରକାର ଅନୁଦାନ ଯୋଗାଉଥିଲେ ମଧ୍ୟ ଏହି ବିଦ୍ୟାଳୟ ପାଇଁ ରୋଷେଇ ଘରର ବ୍ୟବସ୍ଥା ଏଯାଏଁ ହୋଇନାହିଁ। ଯେଉଁଥିପାଇଁ ୧୯୬୦ ମସିହାରେ ନିର୍ମିତ ଏକ ମାଟିକାନ୍ଥର ଘରେ ଅସୁରକ୍ଷିତ ଭାବେ ଜାରି ରହିଛି ରନ୍ଧନ କାର୍ଯ୍ୟ ଓ ଏହି ଅସୁରକ୍ଷିତ ଅବସ୍ଥାରେ ଏଠାରେ ଛାତ୍ରଛାତ୍ରୀ ଭୋଜନ ଗ୍ରହଣ କରୁଛନ୍ତି। ଏହି ବିଦ୍ୟାଳୟରେ ଛାତ୍ରଙ୍କ ତୁଳନାରେ ଛାତ୍ରୀ ସଂଖ୍ୟା ଅଧିକ ଥିଲେ ମଧ୍ୟ ସେମାନଙ୍କ ପାଇଁ ଆବଶ୍ୟକ ସଂଖ୍ୟକ ଶୌଚାଳୟ ଓ ପରିଶ୍ରାଗାର ନଥିବାରୁ ଛାତ୍ରୀଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।   ସୂଚନାଯୋଗ୍ୟ ଯେ, ୬୦ ଦଶକରେ ତତ୍କାଳୀନ ଶିକ୍ଷାପ୍ରେମୀ ନିଜ ସନ୍ତାନ ସନ୍ତତିଙ୍କ ଶିକ୍ଷାଦାନ ପାଇଁ ବେସରକାରୀ ଭାବେ ବିଦ୍ୟାଳୟ ସ୍ଥାପନ କରିଥିଲେ। ନିଜ ନିଜ ଆୟରୁ କିଛି ଅର୍ଥ ବିଦ୍ୟାଳୟର ଉନ୍ନତି ପାଇଁ ଖର୍ଚ୍ଚ କରିଥିଲେ। ଆଶା କରିଥିଲେ ଆଜି ନହେଲେ ଆସନ୍ତାକାଲି ସରକାର ଏହି ବିଦ୍ୟାଳୟ ପରିଚାଳନା ହାତକୁ ନେ‍ଇ ଉଚିତ ଭିତ୍ତିଭୂମି ପ୍ରତିଷ୍ଠା କରିବେ। କିନ୍ତୁ ସେହି ମହାନ ବ୍ୟକ୍ତିଙ୍କ ଏହି ଆଶା ଆଶାରେ ରହିଯାଇଥିବା ଅନୁଭବ କରାଯାଉଛି। ଏନେଇ ଜିଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗଙ୍କ ସହ ଯୋଗାଯୋଗ କରାଯାଇଥିଲା। ବିଦ୍ୟାଳୟ କୋଠା ପାଇଁ ଗ୍ରାମ ଉନ୍ନୟନ ବିଭାଗ ମାଧ୍ୟମରେ ଅନୁଦାନ ଯୋଗାଇବା ସହ ଅସମ୍ପୂର୍ଣ୍ଣ କୋଠା ସମ୍ପୂର୍ଣ୍ଣ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ଓ ବିଜ୍ଞାନ ଶିକ୍ଷକ ନିଯୁକ୍ତି ପାଇଁ ତୁରନ୍ତ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସେ କହିଥିଲେ।

Share :