ଟଙ୍କା ଖାଇବାକୁ ସରକାର ମାଓବାଦୀ!

ଟଙ୍କା ଖାଇବାକୁ ସରକାର ମାଓବାଦୀ!

Share :

  ଟଙ୍କା ଆସିଥିଲା ମାଓବାଦୀ ଉପଦ୍ରୁତ ଅଂଚଳର ବିକାଶ ପାଇଁ। ସାଧାରଣତଃ ଆଦିବାସୀ ଅଧ୍ୟୁସିତ ଦୁର୍ଗମ ଅଂଚଳରେ ବିକାଶ ପ୍ରକ୍ରିୟାକୁ ତ୍ବରାନ୍ବିତ କରି ଲୋକମାନଙ୍କୁ ଶାସନ ଓ ପ୍ରଶାସନ ସହିତ ଯୋଡ଼ିବା ସହିତ ମାଓବାଦୀଙ୍କୁ ଦୁର୍ବଳ ଓ ଦୂରେଇବା ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ କେନ୍ଦ୍ର ସରକାର ସମନ୍ବିତ କ୍ରିୟାନୁଷ୍ଠାନ ଯୋଜନା ବା ଆଇଏପି କାର୍ଯ୍ୟକ୍ରମ ହାତକୁ ନେଇଥିଲେ। ଏହି କାର୍ଯ୍ୟକ୍ରମ ଜରିଆରେ ମାଓବାଦୀ ଉପଦ୍ରୁତ ଅଂଚଳର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରତି ବର୍ଷ କୋଟିକୋଟି ଟଙ୍କା ଯୋଗାଇ ଦିଆଯାଇଛି। କିନ୍ତୁ ଯାଜପୁର ଜିଲ୍ଲାକୁ ମିଳିଥିବା ଏହି ଅର୍ଥ ମାଓବାଦୀ ଅଧ୍ୟୁସିତ ସୁକିନ୍ଦା ଓ ଦାନଗଦୀ ବ୍ଲକ ବାହାରେ ଅନ୍ୟ ୮ଟି ବ୍ଲକରେ ମଧ୍ୟ ଖର୍ଚ୍ଚ ହୋଇଛି। ରାଜ୍ୟ ଶାସନ ଓ ପ୍ରଶାସନର ଏହିପରି ଯୋଜନା ହଡ଼ପ ନୀତି ଯୋଗୁଁ ସୁକିନ୍ଦାର ନଗଡ଼ା ଭଳି ଦୁର୍ଗମ ଅଂଚଳ ଏବେ ବି ଅପହଂଚ ରହିଯାଇଛି।   ସରକାରୀ ଅବହେଳା ପାଇଁ ନଗଡ଼ା ଏବେ ଶିଶୁ ଅପମୃତ୍ୟୁ ଓ ସଭ୍ୟତାଠାରୁ ପଛରେ ପଡ଼ିଛି ବୋଲି ବିରୋଧୀ ଦଳଗୁଡ଼ିକ ଯେଉଁ ଅଭିଯୋଗ ବାଢ଼ିଛନ୍ତି ତାହା ପ୍ରମାଣିତ ହୋଇଛି। ୨୦୧୧ ମସିହାରୁ ୨୦୧୫ ମସିହା ପର୍ଯ୍ୟନ୍ତ ମାଓବାଦୀ ଉଗ୍ରବାଦ କାର୍ଯ୍ୟକଳାପ ବୃଦ୍ଧି ପାଇଥିବା ଆଦିବାସୀ ଅଧ୍ୟୁସିତ ଅଂଚଳଗୁଡ଼ିକର ସାମଗ୍ରିକ ବିକାଶ ପାଇଁ ଯୋଜନା କମିଶନଙ୍କ କେନ୍ଦ୍ରୀୟ ଯୋଜନା ଇଣ୍ଟିଗ୍ରେଟେଡ଼ ଆକ୍ସନ ପ୍ଲାନ‌୍‍ (ଆଇ.ଏ.ପି)ରେ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି। ଏହି କ୍ରମରେ ଯାଜପୁର ଜିଲାର ସୁକିନ୍ଦା ଅଂଚଳରେ କଳିଙ୍ଗନଗର ମାଓବାଦୀ ଡ଼ିଭିଜନ ନାମରେ ଏକ ସଂଗଠନ ଥିବା କାରଣରୁ ଏହି ଅଂଚଳର ଆଦିବାସୀଙ୍କ ବିକାଶ ନିମନ୍ତେ ୪ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଯାଜପୁର ଜିଲା ପ୍ରଶାସନକୁ ୧୧୭ କୋଟି ୨୮ ଲକ୍ଷ ୨୩ ହଜାର ଟଙ୍କା ଅନୁଦାନ ଯୋଗାଇଛନ୍ତି। ଏହି ଅନୁଦାନରୁ ୬୫ ପ୍ରତିଶତ କେବଳ ମାଓବାଦୀ ପ୍ରଭାବିତ ଅଂଚଳରେ ଖର୍ଚ ହେବା କଥା।   ଜିଲ୍ଲାପାଳ ଏହି ଆଇଏପି ଯୋଜନା କମିଟିର ମୁଖ୍ୟ ଥିବାବେଳେ ଏଥିରେ ଜିଲ୍ଲାର ଏସ‌୍‍.ପି. ଓ ଡ଼ି.ଏଫ‌୍‍.ଓ. ସଦସ୍ୟ ରହିଛନ୍ତି। ମାତ୍ର ଏହି କମିଟି ଯାଜପୁର ଜିଲାର ବିଧାୟକମାନଙ୍କ ଚାପରେ ସୁକିନ୍ଦା ଓ ଦାନଗଦୀ ବ୍ଲକ ବାହାରେ ବଡ଼ଚଣା, ଧର୍ମଶାଳା, ବରୀ, ରସୁଲପୁର, କୋରାଇ, ଦଶରଥପୁର, ବିଞ୍ଝାରପୁର ଓ ଯାଜପୁର ବ୍ଲକରେ କୋଟି କୋଟି ଟଙ୍କା ବିନିଯୋଗ କରିଥିବା ଜିଲା ଯୋଜନା କାର୍ଯ୍ୟାଳୟର ତଥ୍ୟରୁ ଜଣାପଡ଼ିଛି।  ଏହି ୪ ବର୍ଷ ମଧ୍ୟରେ ସୁକିନ୍ଦା ବ୍ଲକରେ ସର୍ବାଧିକ ୨୬ କୋଟି ୪ ଲକ୍ଷ ୫ ହଜାର ବିନିଯୋଗ ହୋଇଥିବା ବେଳେ ଦାନଗଦୀ ବ୍ଲକରେ ୧୯ କୋଟି ୪ ଲକ୍ଷ ୨୧ ହଜାର, ବଡ଼ଚଣା ବ୍ଲକରେ ୭ କୋଟି ୭ ଲକ୍ଷ ୩୨ହଜାର, ଧର୍ମଶାଳାରେ ୭ କୋଟି ୪୬ ଲକ୍ଷ ୩ ହଜାର, ବରୀରେ ୭ କୋଟି ୪୦ ଲକ୍ଷ ୮୬ ହଜାର, ବିଞ୍ଝାରପୁରରେ ୭ କୋଟି ୪୬ ଲକ୍ଷ ୫୦ ହଜାର, ଦଶରଥପୁର ବ୍ଲକରେ ୭ କୋଟି ୫୭ ଲକ୍ଷ ୮୦ ହଜାର, କୋରାଇ ବ୍ଲକରେ ୭ କୋଟି ୮ ଲକ୍ଷ ୬୪ ହଜାର, ରସୁଲପୁର ବ୍ଲକରେ ୭ କୋଟି ୨୮ ଲକ୍ଷ ୨୮ ହଜାର ଓ ଯାଜପୁର ବ୍ଲକରେ ୭ କୋଟି ୯୭ ଲକ୍ଷ ୯୬ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ଅନୁରୂପ ଭାବେ ୧୭ଟି ବିଭାଗ ମାଧ୍ୟମରେ ମଧ୍ୟ ୧୨ କୋଟି ୮୬ ଲକ୍ଷ ୫୮ ହଜାର ଟଙ୍କା ବ୍ୟୟ କରାଯାଇଥିବା ସୂଚନା ମିଳିଛି।   ୨୦୦୬ ଜାନୁଆରୀ ୨ ତାରିଖେର ରାଜ୍ୟ ପୁଲିସ ଦ୍ବାରା ସଂଘଟିତ ହାଇଥିବା କଳିଙ୍ଗନଗର ଗଣହତ୍ୟା ଯୋଗୁଁ ଯାଜପୁରର ଜିଲ୍ଲାର ସୁକିନ୍ଦା ଓ ଦାନଗଦୀ ବ୍ଲକରେ ମାଓବାଦୀ ସଂଗଠନ ବିସ୍ତାର ଲାଭ କରିଥିଲା। ଟାଟା ଓ ସରକାରଙ୍କ ବିରୋଧ କରି ମାଓବାଦୀମାନେ ଏହି ଦୁଇ ବ୍ଲକରେ ସଂଗଠନକୁ ସୁଦୃଢ଼ କରିବା ସହିତ ଶିଳ୍ପ ବିରୋଧୀ କାର୍ଯ୍ୟକ୍ରମ ଗ୍ରହଣ କରିଥିଲେ। ତେଣୁ କେନ୍ଦ୍ର ସରକାର ମାଓବାଦୀ ଅଧ୍ୟୁସିତ ଅଂଚଳର ବିକାଶ ପାଇଁ ଯାଜପୁର ଜିଲ୍ଲାକୁ ପଠାଇଥିବା ସମସ୍ତ ଅର୍ଥ ଏହି ଦୁଇ ବ୍ଲକରେ ଖର୍ଚ୍ଚ ହେବା କଥା। ମାତ୍ର, ଶାସକ ଦଳ ନେତାଙ୍କ ଚାପ ଓ ଅଫିସରଙ୍କ ଅର୍ଥ ହଡ଼ପ ସ୍ବାର୍ଥ ଯୋଗୁଁ ଜିଲ୍ଲାର ଯାଜପୁର, ଦଶରଥପୁର, ବିଞ୍ଝାରପୁର, ବରୀ, ରସୁଲପୁର ଓ କୋରେଇ ଆଦି ଅଣ-ମାଓବାଦୀ ବ୍ଲକରେ ମଧ୍ୟ ଏହି ଯୋଜନାର ବିପୁଳ ଅର୍ଥ ଖର୍ଚ୍ଚ କରାଯାଇଛି। କମିଶନ ଖାଇବା ପାଇଁ ଯୋଜନା ପାଣ୍ଠିକୁ ଏପରି ଅଯୋଗ୍ୟ ବ୍ଲକକୁ ଡାଇଭର୍ଟ କରାଯାଇଥିବା ଅଭିଯୋଗ ହୋଇଛି।   କଳିଙ୍ଗ ନଗରରେ ମାଓବାଦର ମୁକାବିଲା କରିବା ଓ ଆଦିବାସୀଙ୍କ  ବିକାଶ ପାଇଁ ପ୍ରଶାସନ କି ପ୍ରକାର ଅବହେଳା ପ୍ରଦର୍ଶନ କରିଥିଲେ ଏହା ତା’ର ନଗ୍ନ ନମୁନା। ଯଦି ସୁକିନ୍ଦା ଅଞ୍ଚଳର ଆଦିବାସୀଙ୍କ ଉନ୍ନତି ପାଇଁ ଏହି ଅର୍ଥ ବିନିଯୋଗ ହୋଇଥାନ୍ତା ତେବେ ବିକାଶର ଛାପ ନଗଡ଼ା ଯାଏ ପହଞ୍ଚି ପାରିଥାନ୍ତା ବୋଲି ବିଜେପିର ରାଜ୍ୟ ପରିଷଦ ସଦସ୍ୟ ଆଇନଜୀବୀ ଉଦୟନାଥ ସାହୁ ଅଭିଯୋଗ କରିଛନ୍ତି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଅତିତରେ ନଗଡ଼ା ମାଓବାଦୀ ନେତା ଆନ୍ନା ରେଡିର ଆଡ୍ଡା ସ୍ଥଳି ଥିଲା। ଏହି ଅଂଚଳର ବିକାଶ ହୋଇଥିଲେ ହୁଏତ ଆଜି ଏଠାରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇନଥାନ୍ତା। ବିଗତ ୩ ମାସ ମଧ୍ୟରେ ୧୯ ଜଣ ଶିଶୁ ଅପପୃଷ୍ଟିରେ ଏଠାରେ ଅକାଳରେ ମୃତ୍ୟୁବରଣ କରିନଥାନ୍ତେ। ଯାଜପୁର ଆଜି ବିଶ୍ୱ ଦରବାରରେ ନିନ୍ଦିତ ହୋଇ ନ ଥାନ୍ତା। ଏହି ଯୋଜନାର ଅପବ୍ୟବହାର କରାଯାଇ ଯୋଜନାର ଲକ୍ଷ୍ୟକୁ ଜିଲ୍ଲା ପ୍ରଶାସନ ଦିଗହରା କରିଥିବା ଅଭିଯୋଗ କରି  ଏହାର ସିବିଆଇ ତଦନ୍ତ ପାଇଁ ଶ୍ରୀ ସାହୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ନିକଟରେ ଦାବୀ କରିଛନ୍ତି।

Share :