ଖୋଲିନି ଡାକ୍ତରଖାନା, ଭଙ୍ଗିଲାଣି

ଖୋଲିନି ଡାକ୍ତରଖାନା, ଭଙ୍ଗିଲାଣି

Share :

  ଜୁଲାଇ ୨୦ ତାରିଖ ମଙ୍ଗଳବାର ବିଳମ୍ୱିତ ରାତିରେ କୌଣସି ଦୁର୍ବୃତ୍ତ ୩୦ ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ମଙ୍ଗଳ ଡାକ୍ତରଖାନାର ମୁଖ୍ୟ ଦ୍ୱାରରେ ଲାଗିଥିବା କାଚ କବାଟକୁ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି। କୋଣାର୍କ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର(ନୂତନ)କୁ ଅପଗ୍ରେଡସନ କରାଯାଇ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ୫ କୋଟି ୫ ଲକ୍ଷ ୫୦ ହଜାର ୨୧୩ ଟଙ୍କାର ଆର୍ଥିକ ସହାୟତାରେ ୩୦ ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ମଙ୍ଗଳ ଡାକ୍ତରଖାନା ନିର୍ମାଣ କରାଯାଇଛି। ଏହି ଆଂଚଳିକ ଡାକ୍ତରଖାନାଟି ଉଦଘାଟିତ ହେଇ ନ ଥିବା ବେଳେ ଏଠାରେ ଗତ ଜୁନ ମାସ ୩୦ ତାରିଖରୁ ସରକାରଙ୍କ ୫ ଟଙ୍କିଆ ଆହାର ଯୋଜନା ଏବଂ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜୁନ ମାସଠାରୁ କୋଣାର୍କ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର(ନୂତନ)ରେ ରୋଗୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି।   ବୁଧବାର ସକାଳୁ ଡାକ୍ତରଖାନାର କର୍ମଚାରୀମାନେ ଆସି ଦେଖନ୍ତିତ କାଚ କବାଟକୁ କୌଣସି ଦୁର୍ବୃତ୍ତ ଭାଙ୍ଗି ଦେଇଛି। ଏନେଇ ଡାକ୍ତରଖାନାରେ କାର୍ଯ୍ୟରତ ଆୟୁଷ ଡାକ୍ତର ବିଧୁଭୂଷଣ ନାୟକ କୋଣାର୍କ ଥାନରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି କୋଣାର୍କ ଥାନା ପକ୍ଷରୁ ଘଟଣାସ୍ଥଳ ଅନୁଧ୍ୟାନ କରାଯାଇଥିଲେ ମଧ୍ୟ କାହାରିକୁ ଗିରଫ କରାଯାଇ ପାରି ନାହିଁ।   ୨୦୧୫ ମସିହାରେ ମହା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବକଳେବର ଓ ରଥଯାତ୍ରକୁ ଦୃଷ୍ଟିରେ ରଖି ଏହି ଡାକ୍ତରଖାନା ନିର୍ମାଣ କରାଯାଇଥିଲେ। ଡାକ୍ତରଖାନା କାମ ୨୦୧୪ ମସିହା ଫେବୃୟାରୀ ମାସ ୨୬ ତାରିଖରୁ ଆରମ୍ଭ ହୋଇ ୨୦୧୫ ମସିହା ଫେବୃଆରୀ ମାସ ୨୫ ତାରିଖ ନିର୍ଦ୍ଧାରିତ ସମୟରେ ସାରିବା କଥା। କିନ୍ତୁ ଏହି ଡାକ୍ତରଖାନାର ଗୃହ ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟ ପୂର୍ବରୁ ନ ସରିବାରୁ ଏହି ସ୍ୱାସ୍ଥ୍ୟ କେନ୍ଦ୍ରଟି ନବକଳେବର ପୂର୍ବରୁ ଉଦଘାଟିତ ହୋଇ ପାରି ନ ଥିଲା। ୨୦୧୫ ମସିହା ଜୁଲାଇ ମାସ ୧୬ ତାରିଖରେ ସ୍ୱାସ୍ଥ୍ୟ ସଚିବ ଡଃ ଆରତୀ ଆହୂଜା ଡାକ୍ତରଖାନା ବୁଲି ଦେଖିଥିବା ସହ ନିମ୍ନମାନର କାର୍ଯ୍ୟ ଦେଖି ଅସନ୍ତୋଷ ବ୍ୟକ୍ତ କରିଥିଲେ। ସ୍ୱାସ୍ଥ୍ୟ ସଚିବ ଶ୍ରୀମତୀ ଆହୁଜା ଡାକ୍ତର ଖାନାର ବିଭିନ୍ନ କୋଠରିଗୁଡିକ ପରିଦର୍ଶନ କରୁଥିବା ବେଳେ କେତେକ କୋଠରୀ କାନ୍ଥରେ ଫାଟ ସୃଷ୍ଟି ହୋଇଥିବା ଏବଂ ଲିଫ୍ଟ୍ଟ କାର୍ଯ୍ୟ ଶେଷ ହୋଇନଥିବା ଓ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ବିଭିନ୍ନ ଯନ୍ତ୍ରାଂଶ ଫିଟିଙ୍ଗ ହୋଇ ନ ଥିବାରୁ ବିରକ୍ତି ପ୍ରକାଶ କରିଥିଲେ।   ଉଦଘାଟନ ପୂର୍ବରୁ ଡାକ୍ତରଖାନାର ସମସ୍ତ କୋଠରୀରେ ଆଲୋକ, ଜଳ, ଅନ୍ୟାନ୍ୟ ସମସ୍ତ ବ୍ୟବସ୍ଥା ଓ ଆନୁସାଙ୍ଗିକ କାର୍ଯ୍ୟ ଶେଷ କରିବା ପାଇଁ ଡାକ୍ତର ଶ୍ରମତୀ ଆହୂଜା ନିର୍ଦ୍ଦେଶ ଦେଇଥିଲେ। ଲିଫ୍ଟ କାମକୁ ଛାଡ଼ି ଡାକ୍ତରଖାନାର ସମସ୍ତ କାର୍ଯ୍ୟ ଏବେ ସଂପୂର୍ଣ୍ଣ ହୋଇଥିଲେ ମଧ୍ୟ ଏହା କେବେ ଉଦଘାଟିତ ହେବ ତାହା ଜଣା ପଡି ନାହିଁ। ଏ ସଂପର୍କରେ ଜିଲ୍ଳା ମୁଖ୍ୟ ଚିକିତ୍ସାଧିକାରୀ ଜଗତକୃଷ୍ଣ ସାମନ୍ତରାୟଙ୍କୁ ପଚାରିବାରୁ ସେ କହିଥିଲେ ଏ ନିଷ୍ପତ୍ତି ସରକାରଙ୍କର, ମୋର କିଛି ବି କରିବାର କ୍ଷମତା ନାହିଁ। ସରକାର ତୁରନ୍ତ ସର୍ବସାଧାରଣଙ୍କ ପାଇଁ ଏହି ଡାକ୍ତରଖାନାକୁ କାର୍ଯ୍ୟକ୍ଷମ କରାଇ ସବୁ ବିଭାଗର ଅଭିଜ୍ଞ ଡାକ୍ତର ନିଯୁକ୍ତି କଲେ ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଆସୁଥିବା ଦେଶ ବିଦେଶର ପର୍ଯ୍ୟଟକଙ୍କ ସମେତ କୋଣାର୍କ ଏନଏସି, ଗୋପ, କାକଟପୁର ଓ ଅସ୍ତରଙ୍ଗ ବ୍ଲକର ଲକ୍ଷାଧିକ ଲୋକ ଉପକୃତ ହୋଇପାରିବେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Share :