ଖଣିକୁ ସଡ଼କ, ଗାଁ’କୁ ନୁହେଁ!

ଖଣିକୁ ସଡ଼କ, ଗାଁ’କୁ ନୁହେଁ!

Share :

  ନଗଡା ଶିଶୁ ମୃତ୍ୟୁ ଘଟଣା ଲୋକ ଲୋଚନକୁ ଆସିବା ପରେ ଏବେ ସରକାର ଏହି ଗ୍ରାମର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ପ୍ରାଥମିକ ସ୍ତରରେ ଗାଁକୁ ମୁଖ୍ୟ ସଡକ, ସହିତ ସଂଯୋଗ କରିବା, ପାନୀୟ ଜଳ, ସ୍ୱାସ୍ଥ୍ୟ ଏବଂ ବିଜୁଳି ଯୋଗାଇ ଦେବାକୁ ପଦକ୍ଷେପ ନିଆଯିବାକୁ ସରକାର ଏକ ଟାକ୍ସଫୋର୍ସ ଗଠନ ମଧ୍ୟ କରିଛନ୍ତି। ତେବେ ୧୦ କି.ମି ପାହାଡ ଉପରେ ନଗଡା ଗ୍ରାମ ଅବସ୍ଥିତ ଥିବାରୁ ଗମନାଗମନାର ବିକାଶର ଚିନ୍ତା ରଖି ସରକାର ଯେଉଁ ରାସ୍ତା ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛନ୍ତି ସେଥିରେ ବନବିଭାଗ ସହଯୋଗ କରିବ କି ବୋଲି ଏବେ ପ୍ରଶ୍ନ ଉଠିଛି। ସୁକିନ୍ଦାର ପୂର୍ବତନ ବିଧାୟକ ପ୍ରଫୁଲ ଚନ୍ଦ୍ର ଘଡାଇ ଏଭଳି ପ୍ରଶ୍ନ ଉଠାଇ ଏହା ପଛର କାରଣ ମଧ୍ୟ ରଖିଛନ୍ତି।   ଶ୍ରୀ ଘଡ଼ାଇ ରଖିଥିବା ମତ ଅନୁଯାୟୀ ନଗଡାର ପାଦ ଦେଶରେ ଅବସ୍ଥିତ କାଳିଆପାଣି-ଅଶୋକଝର ୬ କି.ମି ଦୀର୍ଘ ରାସ୍ତା ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ୨ କୋଟି ୪୩ ଲକ୍ଷ ଏବଂ ଦେଓଗାଁରୁ ଅଶୋକଝର ପର୍ଯ୍ୟନ୍ତ ଆଇଏପି ପାଣ୍ଠିରୁ କୋଟିଏରୁ ଅଧିକ ଟଙ୍କା ମଂଜୁର ହୋଇଥିଲେ ମଧ୍ୟ ଜଙ୍ଗଲ ବିଭାଗ ଏହି ରାସ୍ତା ନିର୍ମାଣ କାର୍ଯ୍ୟକୁ ବନ୍ଦ କରିଦେଇଛି। ଆବଶ୍ୟକ ଅନୁମତି ପାଇଁ ଏବେକାର ବିଧାୟକ ପ୍ରୀତିରଂଜନ ଘଡାଇ ଏବଂ ଜିଲା ପ୍ରଶାସନ କଟକ ଡିଏଫଓଙ୍କୁ ବାରମ୍ୱାର ଅନୁରୋଧ କରିଥିଲେ ମଧ୍ୟ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇନି।   ତେବେ ନଗଡା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବାବେଳେ ଏହାର ବିକାଶ ପାଇଁ ସରକାର ଉଦ୍ୟମ କରୁଥିବାରୁ ଏଥିରେ ବନବିଭାଗ ଯେ ବାଧକ ନସାଜିବ ତାହା କହିହେଉନି। ତେବେ ବନ ବିଭାଗ ଲଗାଇଥିବା ପ୍ରତିବନ୍ଧକକୁ ଉଠାଇ ରାସ୍ତା ନିର୍ମାଣ କାର୍ଯ୍ୟରେ ସହଯୋଗ କରିବାକୁ ସେ ଦାବି କରିଛନ୍ତି।    ନଗଡ଼ାକୁ ରାସ୍ତା ନାହିଁ ବୋଲି ସେଠାରେ ସରକାରୀ କଲ୍ୟାଣମୂଳକ କାର୍ଯ୍ୟକ୍ରମ ପହଂଚିପାରୁନି ବୋଲି କହିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଉଷା ଦେବୀ। ତେଣୁ ଲୋକମାନେ ପାହାଡ଼ରୁ ତଳକୁ ଓହ୍ଲାଇ ଆସିଲେ ସରକାର ସବୁ କିଛି କରିବେ ବୋଲି ସେ କହିଛନ୍ତି। ତାଙ୍କର ଏପରି ମନ୍ତବ୍ୟ ପରେ ପାହାଡ଼କୁ ରାସ୍ତା ତିଆରି କରିବା କାହାର କାର୍ଯ୍ୟ ବୋଲି ପ୍ରଶ୍ନ ଉଠିଛି।   ପୂର୍ବତନ ଅର୍ଥମନ୍ତ୍ରୀ ଓ ସୁକିନ୍ଦାର ପୂର୍ବ ବିଧାୟକ ପ୍ରଫୁଲ୍ଲ ଘଡ଼ାଇ ରାସ୍ତା ନିର୍ମାଣ ନେଇ ବନ ବିଭାଗକୁ ପରୋକ୍ଷରେ ଦାୟୀ କରିବା ଘଟଣା ଅନ୍ୟ ଏକ ଦିଗ ପ୍ରତି ମଧ୍ୟ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ସର୍ବ ସାଧାରଣଙ୍କ ବ୍ୟବହା ପାଇଁ ଉଦ୍ଦିଷ୍ଟ ରାସ୍ତା ପାଇଁ ବନ ବିଭାଗ ଅନୁମତି ଦେଉ ନଥିବାବେଳେ ନିର୍ଦ୍ଦିଷ୍ଟ କେତେକ କମ୍ପାନୀଙ୍କ ଆର୍ଥିକ ଫାଇଦା ପାଇଁ ଖଣି ଖନନ ଓ ଖଣିଜ ପରିବହନ ପାଇଁ ରାସ୍ତା ନିର୍ମାଣକୁ କିପରି ଅନୁମତି ଦିଆଯାଇଛି? ସୁକିନ୍ଦାର ଖଣିସବୁ କ’ଣ ସମତଳ ଭୂମିରେ ସହରୀ ରାସ୍ତା କଡ଼ରେ ଅବସ୍ଥିତ କି?   ରାସ୍ତା ନଥିବାରୁ ଜୁଲାଇ ୧୯ ତାରିଖ ମଙ୍ଗଳବାର ମହିଳା କଂଗ୍ରେସର ଏକ ପ୍ରତିନିଧି ଦଳ ସୁକିନ୍ଦା ବ୍ଲକ ଚିଙ୍ଗୁଡ଼ିପାଳ ପଞ୍ଚାୟତର ଦୁର୍ଗମ ‘ନଗଡ଼ା’କୁ ଯାଇ ନପାରି ଦେଓଗାଁରେ ବସି ଫେରିଯାଇଥିଲା। ଜୁଲାଇ ୨୦ ତାରିଖ ବିରୋଧୀ ଦଳ ଉପନେତା ଚିରଞ୍ଜିବୀ ବିଶ୍ୱାଳଙ୍କ ନେତୃତ୍ୱରେ ଆସିଥିବା କଂଗ୍ରେସର ଏକ ପ୍ରତିନିଧି ଦଳ ନଗଡ଼ା ଯିବା ବଦଳରେ ଜିଲା ପ୍ରଶାସନ ସହ ଯାଜପୁର ଟାଉନ ସର୍କିଟ ହାଉସଠାରେ ଆଲୋଚନା କରି ଫେରିଥିଲା।   ଏହି ୨ ଘଣ୍ଟିଆ ବୈଠକରେ ପ୍ରତିନିଧି ଦଳରେ ସାମିଲ ଥିବା ବିଧାୟକ ଦେବେନ୍ଦ୍ର ନାଥ ଶର୍ମା, ପ୍ରକାଶ ବେହେରା ଓ ଅଂଶୁମାନ ମହାନ୍ତି। ସେମାନେ ଜିଲା ପ୍ରଶାସନ ଠାରୁ ନଗଡ଼ା ସମ୍ୱଦ୍ଧରେ ପଚାରି ବୁଝିଥିଲେ। ନଗଡ଼ାରେ କାହିଁକି ଶିଶୁ ମୃତ୍ୟୁ ଘଟିଲା, କ’ଣ ପାଇଁ ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯା ଉନଥିଲା ଇତ୍ୟାଦି ପଚାରି ବୁଝିଥିଲେ। ନଗଡ଼ାର ବର୍ତମାନର ସ୍ଥିତି ସହ ଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ପ୍ରଶାସନ ଠାରୁ ପଚାରି ବୁଝିଥିଲେ। ଜିଲାପାଳ ସତ୍ୟ କୁମାର ମଲିକ‌୍‍, ଏଡ଼ିଏମ ଶରତ ବିଶ୍ୱାଳ, ଏଡ଼ିଏମ କଳିଙ୍ଗନଗର, ଉପଜିଲାପାଳ ମହେଶ୍ୱର ପାଣିଗ୍ରାହୀ, ସିଡ଼ିବ୍ଲସି ନିରଂଜନ କର, ଜିଲାସ୍ୱାସ୍ଥ୍ୟ ଅଧିକାରୀ ପ୍ରମୂଖ ପ୍ରତିନିଧି ଦଳକୁ ସବିଶେଷ ବିବରଣୀ ପ୍ରଦାନ କରିଥିଲେ। ବିରୋଧୀ ଦଳ ଉପନେତା ଶ୍ରୀ ବିଶ୍ୱାଳ ‘ନଗଡ଼ା’ର ଶିଶୁ ମୃତ୍ୟୁ ଘଟଣା ପାଇଁ ସ୍ଥାନୀୟ ରାଜନେତା ଏବଂ ପ୍ରଶାସନକୁ ଦାୟୀ କରିଥିଲେ।

Share :