ସାହସୀ ହୁଅନ୍ତୁ ଯୁବପିଢ଼ି-ଦେବୀ

ସାହସୀ ହୁଅନ୍ତୁ ଯୁବପିଢ଼ି-ଦେବୀ

Share :

  କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ଓ ଜାତୀୟ ସେବା ଯୋଜନା(ଏନ‌୍‍ଏସ‌୍‍ଏସ‌୍‍) ଆଞ୍ଚଳିକ ନିଦ୍ଦେର୍ଶାଳୟଙ୍କ ମିଳିତ ସହଯୋଗରେ କିଟ‌୍‍ ବିଶ୍ୱବିଦ୍ୟାଳୟ ପରିସରରେ ଦୀର୍ଘ ୭ ଦିନ ଧରି ଚାଲିଥିବା ଜାତୀୟ ସଂହତି ଶିବିର ଉଦ‌୍‍ଯାପିତ ହୋଇଯାଇଛି। ଉଦ‌୍‍ଯାପନ ଉତ୍ସବରେ ମୁଖ୍ୟଅତିଥି ଭାବେ ଓଡିଶା ଉଚ୍ଚଶିକ୍ଷା ଓ ଶିଳ୍ପ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଯୋଗଦେଇ ଦେଶ ବିକାଶରେ ଯୁବବର୍ଗର ଭୂମିକା ଉପରେ ଆଲୋକପାତ କରିଥିଲେ।   ସମଗ୍ର ବିଶ୍ୱରେ ଭାରତ ଏବେ ଏକ ପ୍ରମୁଖ ଶକ୍ତି ଭାବେ ଉଭା ହୋଇଛି। ଭାରତକୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ କରିବା ପାଇଁ ଯୁବ ନେତୃତ୍ୱର ଆବଶ୍ୟକ ରହିଛି ବୋଲି ଶ୍ରୀ ମିଶ୍ର କହିଥିଲେ। ଯୁବକମାନଙ୍କଠାରେ କିଛି ନୂଆକରି ଦେଖାଇବାର ଦକ୍ଷତା ରହିଛି। ଯୁବକମାନେ ସାହାସୀ ଓ ଆତ୍ମବିଶ୍ୱାସୀ ହେବା ଆବଶ୍ୟକ। ଯୁବକମାନେ ପରିବର୍ତ୍ତନକୁ ତ୍ୱରାନିତ କରିପାରିବେ ବୋଲି ମନ୍ତ୍ରୀ ଶ୍ରୀ ମିଶ୍ର ଉପସ୍ଥିତ ଛାତ୍ର ଛାତ୍ରୀଙ୍କ ଉଦ୍ଦେଶ୍ୟରେ କହିଥିଲେ। ଏନଏସ‌୍‍ଏସ‌୍‍ େସ୍ୱଚ୍ଛାସେବୀମାନେ ସମାଜରେ ରହିଥିବା ଅନ୍ଧବିଶ୍ୱାସକୁ ଦୂର କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିବା ସହ ଦେଶ ଗଠନରେ ବ୍ରତୀ ହେବାକୁ ସେ ପରାମର୍ଶ ଦେଇଥିଲେ।   ଅନ୍ୟତମ ଅତିଥି ଭାବେ ଯୋଗଦେଇ କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ସଚିବ ରାଜୀବ ଗୁପ୍ତା କହିଲେ, ଜାତୀୟ ସଂହତି ଶିବିର ଆୟୋଜନ କରିବାରେ କିଟ‌୍‍ ଓ କିସ‌୍‍ ହେଉଛି ଭାରତର ସର୍ବୋତ୍କୃଷ୍ଟ ସ୍ଥାନ। ଆମ ଦେଶର ଜନସଂଖ୍ୟାର ପ୍ରମୁଖ ଅଂଶ ହେଉଛି ଯୁବବର୍ଗ। ଏନ‌୍‍ଏସ‌୍‍ଏସ‌୍‍ ମାଧ୍ୟମରେ କଲେଜ ଓ ବିଶ୍ୱବିଦ୍ୟାଳୟ ଛାତ୍ର ଛାତ୍ରୀମାନେ ସେମାନଙ୍କ ବ୍ୟକ୍ତିତ୍ୱ ବିକାଶ କରିବାର ସୁଯୋଗ ପାଇବା ସହ ନେତୃତ୍ୱ ନେବାର ତାଲିମ ପାଇଥାନ୍ତି। ଜାତୀୟ ସଂହତି ଶିବିରରେ ଯୋଗଦେଇଥିବା ବିଭିନ୍ନ ରାଜ୍ୟର ଛାତ୍ର ଛାତ୍ରୀମାନେ ପରସ୍ପରକୁ ଜାଣିବା ସହ ପରସ୍ପରର ସଂସ୍କୃତି, ପରମ୍ପରା ଓ ଭାଷା ଆଦି ଜାଣିବାର ସୁଯୋଗ ପାଇଥାନ୍ତି। ଛାତ୍ର ଛାତ୍ରୀମାନେ ନିଜକୁ ସମାଜସେବାରେ ବ୍ରତୀ କରାଇବା ସହ ଗଠନମୂଳକ କାର୍ଯ୍ୟରେ ନିୟୋଜିତ କରିପାରିଲେ ଏହା ସେମାନଙ୍କୁ ଆତ୍ମସନ୍ତୋଷ ଦେଇପାରିବ ବୋଲି ଶ୍ରୀ ଗୁପ୍ତା କହିଥିଲେ।   କିଟ‌୍‍ ଓ କିସ‌୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ୱାଗତ ଅଭିଭାଷଣ ପ୍ରଦାନକରି କିଟ‌୍‍ ଓ କିସ‌୍‍ ଯେଉଁ ସଂହତି ସୃଷ୍ଟି କରିଛନ୍ତି ତାହା ପୃଥିବୀରେ ବିରଳ ବୋଲି କହିଥିଲେ। କିଟ‌୍‍ ଓ କିସ‌୍‍ ମାଧ୍ୟମରେ ସ୍ୱଚ୍ଛଳବର୍ଗ ଓ ବଞ୍ଚିତ ଶ୍ରେଣୀ ମଧ୍ୟରେ ସଂହତି ପ୍ରତିଷ୍ଠା ହୋଇପାରିଛି, ଯାହାକି ବିଶ୍ୱରେ ବିରଳ ବୋଲି ଶ୍ରୀ ସାମନ୍ତ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ କିଟ‌୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପି.ପି.ମାଥୁର ଓ କୁଳସଚିବ ଡ.ସସ୍ମିତାରାଣୀ ସାମନ୍ତ ଓ ଏନ‌୍‍ଏସ‌୍‍ଏସ‌୍‍ ସଂଯୋଜକ ପ୍ରଫେସର ସୁଶାନ୍ତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଶିବିରରେ ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ବିହାର, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ଛତିଶଗଡ଼, ପଶ୍ଚିମବଙ୍ଗ ଓ ସିକିମ‍୍‌ ଆଦି ୧୧ଟି ରାଜ୍ୟ ଓ ଓଡ଼ିଶାର ୧୦ଟି ବିଶ୍ୱବିଦ୍ୟାଳୟରୁ ପ୍ରାୟ ୬୦୦ ପ୍ରତିନିଧି ଯୋଗ ଦେଇଥିଲେ। ସାତ ଦିନିଆ କାର୍ଯ୍ୟକ୍ରମ ମଧ୍ୟରେ ସେମାନେ ବିଭିନ୍ନ ବିଷୟ ଶିକ୍ଷା କରିବା ସହ କିଟ‍୍‌, କିସ‍୍‌, ଭୁବନେଶ୍ୱର ଓ ଏହାର ଆଖପାଖ ସ୍ଥାନ ବୁଲି ଦେଖିବାର ସୁଯୋଗ ପାଇଥିଲେ।

Share :