ଠକଙ୍କ ବେପାର ଉଜ୍ଜ୍ବଳା ଯୋଜନା!

ଠକଙ୍କ ବେପାର ଉଜ୍ଜ୍ବଳା ଯୋଜନା!

Share :

ଗତ କିଛି ଦିନ ତଳେ ପ୍ରଧାନମନ୍ରୀ ନରେନ୍ଦ୍ର ମୋଦୀ ଦେଶର ଗରିବଙ୍କ ପାଇଁ ସରକାରଙ୍କ ଉଦ୍ଦିଷ୍ଟ ଯୋଜନା ଓ ତୃଣମୁଳ ସ୍ତରରେ କାର୍ଯ୍ୟକାରିତା ମଧ୍ୟରେ ରହୁଥିବା ଦୁର୍ନୀତିକୁ ନେଇ ଚିନ୍ତା ବ୍ୟକ୍ତ କରିଥିଲେ। ବର୍ତମାନ ଏହି ବାସ୍ତବିକତା କେନ୍ଦ୍ର  ସରକାରଙ୍କ ମହତ୍ୱକାଙ୍‌କ୍ଷୀ ଯୋଜନା ଗରିବ ପରିବାରକୁ ରିହାତି ମୁଲ୍ୟରେ ଗ୍ୟାସ ଯୋଗାଣ ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାକୁ କଳାହାଣ୍ଡି ଜିଲ୍ଲାରେ ବାଟବଣା କରିଛି। ଏହି ଯୋଜନାରେ ବିପିଏଲ ପରିବାରଗୁଡ଼ିକୁ ଠକେଇର ମାଧ୍ୟମ କରାଯାଇଛି।   କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ମତୁଆଲଗୁଡା ଗାଁର ଦିନ ମଜୁରିଆ ଛାୟାକାନ୍ତି ଛର୍ତିଆ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ମହତ୍ୱକାଙ୍‌କ୍ଷୀ ଯୋଜନା ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ମାଧ୍ୟମରେ ଗ୍ୟାସ ପାଇବାକୁ ଭୋଟ ପରିଚୟ ପତ୍ର, ଆଧାର କାର୍ଡ ଦେଇ ଇଣ୍ଡିଆନ ଗ୍ୟାସ କାର୍ଡ, ଗ୍ୟାସ ଭର୍ତ୍ତି ଟାଙ୍କି ସହ ଚୁଲା ପାଇଥିଲେ। ହେଲେ ବର୍ତମାନ ଗ୍ୟାସ ଶେଷ ହେବା ପରେ ସରକାରଙ୍କ ରିହାତି ମୁଲ୍ୟରେ ସିଲିଣ୍ଡର ପାଇଁ ଏଜେନ୍ସି  ପାଖକୁ ଗଲାବେଳେ ଜାଣି ପାରିଛନ୍ତି ମିଳିଥିବା ଗ୍ୟାସ କାର୍ଡ ଜାଲ। ଏଣୁ ଉଜ୍ୱଳା ଯୋଜନାରେ କ୍ରୟ କରିଥିବା ସାମଗ୍ରୀକୁ ଗୋଟିଏ ପଟରେ ରଖି କାଠ ଚୁଲା ହଁି ବ୍ୟବହାର କରୁଛନ୍ତି।   କେବଳ ଛାୟାକାନ୍ତି ନୁହନ୍ତି ଖଲିଆଭଟା ଗାଁର ଦସମୀ ଛର୍ତିଆ ସରକାରଙ୍କ ରିହାତି ମୁଲ୍ୟରେ ଗ୍ୟାସ ଯୋଗାଣ ଯୋଜନାରେ ୩ ହଜାର ଟଙ୍କା ଦେବାକୁ ଘରର ଗହଣା ବନ୍ଧା ରଖି ଗ୍ୟାସ ଆଣି ଥିଲେ। ହେଲେ ବର୍ତ୍ତମାନ ସେ ଜାଣିବାକୁ ପାଇଛନ୍ତି ଗ୍ୟାସ କାର୍ଡ ନକଲି। ଡିଲର କହୁଛି ଖୋଲା ବଜାରରୁ ୮୦୦ ଟଙ୍କା ଦେଇ ସିଲିଣ୍ଡର କିଣିବାକୁ ହେବ। ଏଣୁ ଗ୍ୟାସକୁ ଗୋଟିଏ ପଟେ ରଖି ପାରମ୍ପରିକ କାଠ ଚୁଲାରେ ରୋଷେଇ କରିବାକୁ ବାଧ୍ୟ ହେଉଛନ୍ତି ଦସମୀ ଛର୍ତିଆ।   କେବଳ ଛାୟାକାନ୍ତି ଅବା ଦସମୀ ନୁହନ୍ତି ଏ ଭଳି ହଜାର ହଜାର ଗ୍ରାମୀଣ ବିପିଏଲ ପରିବାର ଜାଲ ଗ୍ୟାସ କାର୍ଡ ଠକେଇ ଶିକାର ହୋଇଛନ୍ତି।   ଦେଶର ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରଗୁଡ଼ିକୁ ରିହାତି ମୁଲ୍ୟ ମାତ୍ର ୧୬୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର, ଚୁଲା ଓ ବର୍ଷକୁ ରିହାତି ମୁଲ୍ୟରେ ଗ୍ୟାସ ଯୋଗାଣ ପାଇଁ ଆରମ୍ଭ ହୋଇଥିଲା ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନା। ଉଦ୍ଦେଶ୍ୟ ଥିଲା ଗରିବ ପରିବାର ପାଇଁ ଧୁଆଁମୁକ୍ତ ସ୍ୱଚ୍ଛ ଇନ୍ଧନ ଓ ସୁଖୀ ଜୀବନ। ହେଲେ କଳାହାଣ୍ଡି ଜିଲ୍ଲାରେ ଏ ନେଇ ଯୋଜନା ଘୋଷଣା ପରେ ଗାଁ ଗାଁରୁ ବିପିଏଲ ପରିବାରଙ୍କ ଠାରୁ ଭୋଟ ପରିଚୟ ପତ୍ର, ଆଧାର କାର୍ଡ ସଂଗ୍ରହ କରାଗଲା।  ଏପ୍ରିଲ ପହିଲାରୁ ଇଣ୍ଡାନେ ଗ୍ୟାସ କାର୍ଡ, ଗ୍ୟାସ ଭର୍ତ୍ତି ସିଲିଣ୍ଡର ସମେତ ଚୁଲ୍ଲା ଓ ରେଗୁଲେଟର ପରିବାର ପିଛା ୩ ହଜାର ଟଙ୍କା ଆଦାୟରେ ଦଲାଲଙ୍କ ମାଧ୍ୟମରେ ବଣ୍ଟନ କରାଗଲା। ହେଲେ ବର୍ତ୍ତମାନ ଗ୍ୟାସ ଶେଷ ହେବା ପରେ ରିହାତି ମୁଲ୍ୟରେ ଗ୍ୟାସ ଭର୍ତ୍ତି ପାଇଁ କାର୍ଡଧାରୀ ଏଜେନ୍ସି ପାଖକୁ ଯିବାବେଳେ ଇଣ୍ଡାନେ ଗ୍ୟାସ କାର୍ଡ ଜାଲ ବୋଲି ଜଣାପଡୁଛି।   ଏହି ପରି ଭାବରେ ଜୟପାଟଣା ବ୍ଲକ ମତୁଆଲଗୁଡା ଗାଁରୁ ୧୪୦ ଜଣ ବିପିଏଲ ପରିବାରଠାରୁ ୩ ହଜାର ଲେଖାଁଏ ମୋଟ ୪ ଲକ୍ଷ ୨୦ ହଜାର ଟଙ୍କା ଠକେଇ ହୋଇଛି। ଗାଁର  ସମସ୍ତଙ୍କୁ ଯୋଗାଇ ଦିଆଯାଇଥିବା ଇଣ୍ଡାନେ ଗ୍ୟାସ କାର୍ଡର କଂଜ୍ୟୁମର ନମ୍ୱର ଗୋଟିଏ। ଏହି ନମ୍ୱର ହେଲା ୭୧୦୦୫୧୦୦। କାର୍ଡରେ କେବଳ ନାଁ ଲେଖା ରହିଛି ଅଲଗା ଅଲଗା।   ଏଭଳି ଠକେଇ ଜିଲ୍ଲାର ଜୟପାଟଣା, ଜୁନାଗଡ, ଧର୍ମଗଡ, କୋକସରା ପ୍ରମୁଖ ବ୍ଲକର ୭୦ରୁ ଉର୍ଦ୍ଧ ଗାଁରେ ହୋଇଥିବା ଜଣାପଡିଛି। ଏସବୁ ଜିଲ୍ଲାରୁ ଏହି ଯୋଜନାରେ ୩୦ ଲକ୍ଷରୁ ଅଧିକ ଟଙ୍କା ଠକି ନିଆଯାଇଛି।   ଗ୍ୟାସ କାର୍ଡରେ ବିଭିନ୍ନ ଗାଁରେ ବିଭିନ୍ନ ଏଜେନ୍ସି ନା ଉଲ୍ଲେଖ ରହିଛି। ହେଲେ ପ୍ରଶ୍ନ ଉଠେ ଏହି ଠକେଇ ପଛର କାରଣ କ’ଣ? ସରକାରଙ୍କ ରିହାତି ମୁଲ୍ୟ ୧୬୦୦ ଟଙ୍କାରେ ସାମଗ୍ରୀ ଯୋଗାଣ ନାଁରେ ୧୪୦୦ ଟଙ୍କା ଲୁଟ ନା ସରକାରଙ୍କ ରିହାତି ଗ୍ୟାସକୁ ଖୋଲା ବଜାରରେ ବିକ୍ରି ପାଇଁ ଚକ୍ରାନ୍ତ? କେନ୍ଦ୍ର ଗ୍ୟାସ ଓ ପେଟ୍ରୋଲିୟମ ମନ୍ତ୍ରଣାଳୟର ଘୋଷଣା ଅନୁଯାୟୀ ଏହି ଯୋଜନାରେ ସରକାର ବିପିଏଲ କାର୍ଡଧାରୀଙ୍କୁ ବର୍ଷକୁ ୧୪.୨ କେଜିର ସିଲିଣ୍ଡର ୧୨ ଗୋଟି ଅଥବା ୫ କେଜିର ସିଲିଣ୍ଡର ୩୪ ଗୋଟି ଯୋଗାଇଦେବେ। ଯାହାକୁ ଏହି ବିପିଏଲ ପରିବାରଙ୍କ ନାଁରେ ଖୋଲା ବଜାରରେ ବିକ୍ରି ସଙ୍ଗେ ସରକାରଙ୍କ ରିହାତିକୁ ହଡପ କରାଯାଉଥିବା ସନ୍ଦେହ ହୋଉଛି। କାରଣ ଜିଲ୍ଲାରେ ଏକା ସମୟରେ ଏତେଗୁଡିଏ ଗ୍ୟାସ ସିଲିଣ୍ଡର ଓ ଗ୍ୟାସ କାର୍ଡ ଯୋଗାଣ ଗ୍ୟାସ ଏଜେନ୍ସିଙ୍କ ସହାୟତା ବିନା ଅସମ୍ଭବ।   ଏଣୁ ଏହାର ବିଧିବଦ୍ଧ ତଦନ୍ତର ଆବଶ୍ୟକତା ରହିଛି।  ଏ ନେଇ କଳାହାଣ୍ଡି ଜିଲ୍ଲାପାଳ ବୃନ୍ଦା ଡି ଠକେଇର ଶିକାର ହିତାଧିକାରୀ ଲିଖିତ ଅଭିଯୋଗ କରିବାକୁ ପରାମର୍ଶ ଦେଇଥିବା ବେଳେ ଅଭିଯୋଗକୁ ଗୁରୁତ୍ୱର ସହ ପ୍ରଶାସନ ନେବ ବୋଲି ପ୍ରକାଶ କରିଛନ୍ତି। ଜିଲ୍ଲାରେ ଇଣ୍ଡାନେ ଗ୍ୟାସ ଦାଇତ୍ୱରେ ଥିବା ଅଧିକାରୀ ମହେଶ୍ୱର ସେଠୀଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିବା େବେଳ ସମୟ ଅଭାବ ଦର୍ଶାଇ ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି।

Share :