ବଫଲାମାଳିରେ ବିର୍ଲା ସରକାର!

ବଫଲାମାଳିରେ ବିର୍ଲା ସରକାର!

Share :

ସ୍ନେହେଲତା ମିଶ୍ର   ଓଡ଼ିଶାର କେବିକେ ଜିଲ୍ଲା ଅଧୀନସ୍ଥ କଳାହାଣ୍ଡି ଜିଲ୍ଲାର ଏକ ଦୁର୍ଗମ ବ୍ଳକ୍ ହେଉଛି ଥୁଆମୂଳ- ରାମପୁର। ପ୍ରାକୃତିକ ଜଙ୍ଗଲ, ପାହାଡ଼ ଖଣିଜ ସମ୍ପଦ ଓ ନଦନଦୀରେ ଭରପୂର ଏହି ରତ୍ନଗର୍ଭା ବ୍ଲକଟି ସ୍ବାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ଅପହଞ୍ଚ ହୋଇ ରହିଛି। ଏଠାରେ ସରକାରୀ ଯୋଜନା ଏବେ ବି ଅପହଂଚ। ସରକାର ବିନିଯୋଗ କରୁଥିବା ବହୁ ଯୋଜନାର ପାଣ୍ଠି ଅସାଧୁ କର୍ମଚାରୀ, ନେତା, ଦଲାଲ ଓ ଟାଉଟରଙ୍କ ପ୍ରଭାବରେ ହଡ଼ପ ହେଉଥିବାବେଳେ ନିର୍ବାଚିତ ଜନ ପ୍ରତିନିଧିଙ୍କ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଯୋଜନ ଯୋଜନ ଦୂରରେ ଅଟକି ଯାଇଛି ବିକାଶ।   ଏଠାକାର ନଦନଦୀ ଓ ଖଣିଜ ସମ୍ପଦ ଏକ ପ୍ରକାର ଅଭିଶାପ ପାଲଟିଛି ଏହି ଅଂଚଳର ଆଦିମ ଅଧିବାସୀମାନଙ୍କ ପାଇଁ।   ଥୁଆମୂଳ ରାମପୁର ବ୍ଲକର ମର୍ଡିଗୁଡ଼ାରୁ ବାହାରିଥିବା ଇନ୍ଦ୍ରାବତୀ ନଦୀକୁ ଅାଧାର କରି ନିର୍ମିତ ହୋଇଛି ଇନ୍ଦ୍ରାବତୀ ବହୁମୁଖୀ ଜଳବିଦ୍ୟୁତ ପ୍ରକଳ୍ପ। ଏହି ପ୍ରକଳ୍ପ ଯୋଗୁଁ ବୃଦ୍ଧି ପାଇଛି ଓଡ଼ିଶା ଓ ଭାରତର ରାଜସ୍ବ। କଳାହାଣ୍ଡି ଓ ପଡ଼ୋଶୀ ଜିଲ୍ଲାର ମୁଷ୍ଟିମେୟ ଲୋକଙ୍କ ଜମିକୁ ମଧ୍ୟ ଶସ୍ୟ ଶ୍ୟାମଳା କରି ସେମାନଙ୍କ ଆର୍ଥିକ ଓ ସାମାଜିକ ଜୀବନ ଧାରଣ ମାନର ଅଭିବୃଦ୍ଧିରେ ମୁଖ୍ୟ ସହାୟକ ହୋଇଛି। କିନ୍ତୁ ଏହି ଯୋଜନାର ସଫଳ ରୂପାୟନ ନିମନ୍ତେ ଯେଉଁମାନେ ନିଜର ପୂର୍ବପୁରୁଷର ଭିଟାମାଟି, ଜମିବାଡ଼ି ଓ ଦେବାଦେବୀ ସ୍ଥାନ ଅାଦି ତ୍ୟାଗ କରି ସର୍ବହରା ହୋଇଛନ୍ତି ଉଜୁଡ଼ିଯାଇଛି ସେମାନଙ୍କର ଆର୍ଥିକ ଓ ସାମାଜିକ ମାନଦଣ୍ଡ। ବାସ୍ତୁହରା ହୋଇ ଇତସ୍ତତଃ ଓ ବିକ୍ଷିପ୍ତ ହୋଇଯାଇଛି ସେମାନଙ୍କର ପରିବାର। ସେମାନଙ୍କ ତ୍ୟାଗ ଓ ବଳିଦାନର ମହତ୍ବ ଏବେ ବୁଝୁଛି କିଏ?   ସେହିଭଳି ପୁଣି ଏକ ଘଟଣାର ପୁନରାବୃତ୍ତି ଘଟୁଛି କଳାହାଣ୍ଡିରେ, ଖଣିଜ ସମ୍ପଦ ଯୋଗୁଁ। ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ନିମନ୍ତେ ସରକାରୀ ନୀତି ନିୟମକୁ ଉପେକ୍ଷା କରି ନିରୀହ ଅାଦିବାସୀ ଜନଜାତି, ହରିଜନଙ୍କ ଜମି ଜବରଦଖଲ ଥୁ. ରାମପୁର ବ୍ଲକ୍ ପାଇଁ ଏକ ନିୟମିତ ଘଟଣା ହୋଇଥିବାବେଳେ ସରକାରଙ୍କ ଦୋମୁହାଁ ନୀତି ବିପଦରେ ପକାଇଛି ଏଠାକାର ଅଧିବାସୀଙ୍କୁ। ଏଭଳି ଏକ ନିଚ୍ଛକ ଉଦାହରଣ ଦେଖିବାକୁ ମିଳେ ବଫଳାମାଳି ନୂଅାପଡ଼ା ପାର୍ବ୍ୟତ୍ୟ ଅଞ୍ଚଳରେ। ସରକାରୀ ଛତ୍ରଛାୟା ତଳେ ସୁରକ୍ଷିତ ଆଦିତ୍ୟ ବିର୍ଲା ଗୋଷ୍ଠୀର ଉତ୍କଳ ଅାଲୁମିନା କମ୍ପାନୀ ଏଠାରେ ବ୍ରିଟିଶ୍ ରାଜ ଚଳାଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଅଧିବାସୀ। ଏହି ଗୋଷ୍ଠୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳକୁ ୮ କୋଟି ଟଙ୍କା ଚାନ୍ଦା ଦେଇଥିବା କଥା କିଛି ଦିନ ତଳେ ଚର୍ଚ୍ଚାକୁ ଆସିଥିଲା।   କର୍ଲାପାଟ ଜମିଦାରଙ୍କ ପୁରାତନ ଜମିଦାରି ଅଞ୍ଚଳ ଅନ୍ତର୍ଗତ ବଫଲାମାଳିର ନୂଅାପଡ଼ା ପାବଁତ୍ୟ ଅଞ୍ଚଳର ଦୁରମୁସି, କନକପାସ, ସୂର୍ଯ୍ୟଗଡ଼ରେ ଅାବାହମାନ କାଳରୁ ରହି ଅାସୁଥିବା ଅଧିବାସୀ ଜନଜାତିମାନଙ୍କୁ ତତ୍କାଳୀନ ଜମିଦାର ରୟତ ସୂତ୍ରରେ ତମ୍ବାପତ୍ର ସନନ୍ଦ ପଟ୍ଟା ପ୍ରଦାନ କରିଥିଲେ। ପରବର୍ତ୍ତୀ ସମୟରେ 1962 ମସିହାରେ ସଂପୃକ୍ତ ରୟତଙ୍କ ସମେତ ଅନ୍ୟମାନଙ୍କୁ ଜଙ୍ଗଲ ଜମି ଖସଡ଼ା କିସମ ପଟ୍ଟା ମିଳିଥିଲା ଯାହାକୁ ସେମାନେ ପୁରୁଷାନୁକ୍ରମେ ଭୋଗଦଖଲ କରି ଅାସୁଥିଲେ। ତେବେ ପୁରୁଷାନୁକ୍ରମେ ଭୋଗଦଖଲ ସତ୍ତ୍ବେ ରାଜସ୍ବ ଆଇନ ସହ ପରିଚିତ ନଥିବା କିଛି ଲୋକ ପଟ୍ଟା ପାଇପାରି ନଥିଲେ। ଅତୀତରେ ଗୋପାଳପୁରଠାରେ ବିଜୁ ଜନତା ଦଳ ତରଫରୁ ଅାୟୋଜିତ ଏକ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 134 ଜଣଙ୍କୁ ଭୂ-ବନ୍ଦୋବସ୍ତ ଅଧୀନରେ ଡଙ୍ଗରଖସଡ଼ା (ବନ୍ଦୋବସ୍ତ ପଟ୍ଟା) ଏବଂ 56 ଜଣଙ୍କୁ ଘରଡିହ ପଟ୍ଟା ପ୍ରଦାନ କରିଥିଲେ। ମୋଟାମୋଟି ଭାବରେ ଭାରତ ସ୍ବାଧୀନତା ପୂର୍ବରୁ ପୁରୁଷାନୁକ୍ରମେ କୃଷିକୁ ମୁଖ୍ୟ ଜୀବିକା କରି ବଞ୍ଚି ଅାସୁଛନ୍ତି ଏଠାକାର ଅଧିବାସୀମାନେ।   ଥୁଆମୂଳ ରାମପୁର ଅଞ୍ଚଳର ସୂର୍ଯ୍ୟଗଡ଼ର 160 ଘର, ଦୁରମୁସି ଗ୍ରାମର 65 ଘର ଓ କନକଫାସ ଗ୍ରାମର 44 ଘରର ପରିବାରର ଲୋକେ ବଫଳାମାଳିର ଭୂର୍ଷୁଣ୍ଡି (ନୂଅାପଡ଼ା) ଠାରେ ବହୁ ବର୍ଷ ହେଲା ବସବାସ କରି ଅାସୁଛନ୍ତି। 1962 ମସିହାରେ ଭୂ-ବନ୍ଦୋବସ୍ତ ଅଧୀନରେ ଡଙ୍ଗରଖସଡ଼ା (ବନ୍ଦୋବସ୍ତ ପଟ୍ଟା) ପାଇଥିବାବେଳେ ତତ୍କାଳୀନ ମହୁଲପାଟଣା ଜମିଦାରଙ୍କ ଦ୍ବାରା ପ୍ରଦତ୍ତ 1929 ମସିହାର ନିସ୍ତାରପାସ (ପଟ୍ଟା)  ମଧ୍ୟ ଏମାନଙ୍କ ପାଖରେ ଅଛି। କିନ୍ତୁ ଏବେ ଉତ୍କଳ ଆଲୁମିନା କମ୍ପାନୀ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ରହିଥିବା ଅସାଧୁ ସଂପର୍କ ଯୋଗୁଁ ଏହି ନିରୀହ ଆଦିବାସୀମାନଙ୍କ ଜୀବନ ଓ ଜୀବିକା ପ୍ରତି ବିପଦ ସୃଷ୍ଟି ହୋଇଛି। ସେମାନଙ୍କ ଅଧିକାର ଛଡ଼େଇ ନେଇ ସରକାର ତାହାକୁ କମ୍ପାନୀ ହାତରେ ଟେକି ଦେଇଛନ୍ତି।   ଓଡ଼ିଶାର ତତ୍କାଳୀନ ସରକାର ଭୂମି ଅଧିଗ୍ରହଣ ନିୟମକୁ ଜଳାଞ୍ଜଳି ଦେଇ ଏହି କମ୍ପାନୀକୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରି ଖଣି ଲିଜ୍ ଦେବା ଯୋଗୁଁ ପ୍ରବଳ ଜନ ଅାନ୍ଦୋଳନ ହୋଇଥିଲା। ଏହି ଅାନ୍ଦୋଳନକୁ ଦମନ କରିବା ନିମନ୍ତେ ମାଇକଞ୍ଚଠାରେ ସରକାର ଗୁଳି ପ୍ରୟୋଗ କରିଥିଲେ ଓ ସେଥିରେ ୩ ନିରୀହ ଲୋକଙ୍କ ଜୀବନ ଯାଇଥିଲା। ତଥାପି ଅାନ୍ଦୋଳନ ଦମନ କରିବାର ଶତ ଚେଷ୍ଟା ସତ୍ତ୍ବେ ଏହାପୁଣି ଉଗ୍ର ରୂପ ନେଇଥିଲା। ମାଇକଞ୍ଚ ଗୁଳିକାଣ୍ଡ ପରେ ନରମି ଯାଇଥିଲା କମ୍ପାନୀର ସ୍ବର ଏବଂ କାରଖାନା ନେଇଥିଲା ଼କଚ୍ଛପ ଗତି। କିନ୍ତୁ ସରକାର ବଦଳିବା ପରେ ନୂଆ ସରକାରର ନୂଆ ନେତା ଓ ପ୍ରଶାସନର ଛତ୍ରଛାୟା ତଳେ ପୁଣି ଥରେ କାୟା ବିସ୍ତାର କରିଚାଲିଛି କମ୍ପାନୀର ଜନ ବିରୋଧୀ ସାମ୍ରାଜ୍ୟବାଦୀ ସଂପ୍ରସାରଣ। ଏଥିଯୋଗୁଁ ଅଣନିଃଶ୍ବାସୀ ହୋଇ ପଡ଼ୁଛନ୍ତି ଏହି ଅଞ୍ଚଳବାସୀ। ସେମାନଙ୍କର ଜୀବନ ଓ ଜୀବିକା ଅାଶା ଓ ଅାଶଙ୍କା ମଧ୍ୟରେ ଛନ୍ଦି ହୋଇଯାଇଛି। ଜୀବିକା ହରାଇବା ଅାଶଙ୍କାରେ ଅାତଙ୍କିତ ଥିବା ଏହି ଗ୍ରାମବାସୀମାନେ ନିଜର ଜୀବନ ପ୍ରତି ମଧ୍ୟ ବିପଦ ମଣୁଛନ୍ତି। ଉଭୟ ଧନ ଓ ଜୀବନ ଦୋଡ଼ଛକିରେ ପଡ଼ିଯାଇଛି।   ପ୍ରାୟ ପନ୍ଦର ଦିନ ହେବ କମ୍ପାନୀର କର୍ମଚାରୀମାନେ ବିଭିନ୍ନ ସ୍ଥାନରେ ଡ୍ରିଲିଂ କରୁଛନ୍ତି, ଶକ୍ତିଶାଳୀ ବିସ୍ଫୋରଣ ଘଟାଇ ମାଟି ଖୋଳୁଛନ୍ତି। ଏହି ଭୟଙ୍କର ବିସ୍ଫୋରଣ ଯୋଗୁଁ ଏହାର ପାଖ ଅାଖ ଧୂଳି ଓ ଧୂଅାଁରେ ପରିପୂର୍ଣ୍ଣ ହେବା ସହ ସ୍ଥାନୀୟ ଜନବସତି ଉପରେ ଗୋଡ଼ି ମାଟି ଓ ଧୂଳି ଅଜାଡ଼ି ହୋଇପଡ଼ୁଛି। ଛୁଅାପିଲା, ବୁଢ଼ାବୁଢ଼ୀ ସମସ୍ତେ ଅାତଙ୍କିତ ଅବସ୍ଥାରେ କାଳାତିପାତ କରୁଛନ୍ତି। ପ୍ରତିଦିନ ସକାଳ ପ୍ରାୟ 7ଟାରୁ 11ଟା ପର୍ଯ୍ୟନ୍ତ ବାରମ୍ବାର ଶକ୍ତିଶାଳୀ ବିସ୍ଫୋରଣ ଲୋକଙ୍କ କଲିଜା ଥରାଇ ଦେଉଛି। ପନ୍ଦର ଦିନ ମଧ୍ୟରେ ଅତିକମରେ 800 ରୁ ଅଧିକ ବିସ୍ଫୋରଣ କରାଯାଇଥିବା ସ୍ଥାନୀୟ ଲୋକେ ଦାବି କରିଛନ୍ତି। ସରକାରୀ ଧାର୍ଯ୍ୟମାନରୁ ଅଧିକ ଶକ୍ତିଶାଳୀ ବିସ୍ଫୋରଣ ହେଉଥିବା ଯୋଗୁଁ ଘରର କାନ୍ଥଗୁଡ଼ିକ ଦୋହଲି ଯାଉଛି, ପରିବେଶ ସମ୍ପୂର୍ଣ୍ଣ ଧୂଳି ଧୂଅାଁମୟ ହେବା ଯୋଗୁଁ ନିଃଶ୍ବାସ ପ୍ରଶ୍ବାସ ନେବା ମଧ୍ୟ କଷ୍ଟକର ହୋଇପଡ଼ୁଛି। ବିସ୍ଫୋରଣ ସମୟରେ କ’ଣ ହେବ କିଛି ବୁଝି ପାରୁ ନଥବା ଲୋକମାନେ ଭୟରେ ମାଟି ଉପରେ ଶୋଇପଡ଼ୁଛନ୍ତି। ଏ ସମ୍ପର୍କରେ ପ୍ରତିବାଦ କଲେ କମ୍ପାନୀ କର୍ତ୍ତୃପକ୍ଷ ସରକାରୀ ଅାଦେଶ ବଳରେ କାମ ହେଉଛି ବୋଲି ସେଫଇ ଦେବା ସହିତ ଗ୍ରାମବାସୀଙ୍କୁ ଗ୍ରାମଛାଡ଼ି ଚାଲିଯାଅ ବୋଲି ଓଲଟା ତାଗିଦ କରୁଛନ୍ତି।   କମ୍ପାନୀର ଏପରି ତାଗିଦ କରିବାର ସାହସ ଦେଖି ବୁଝାପଡ଼ୁଛି ଏହା ପଛରେ ସରକାରଙ୍କ ଭୂମିକା ରହିଛି। ପୁରୁଷାନୁକ୍ରମେ ଭୋଗଦଖଲ କରିଅାସୁଥିବା ଏହି ରୟତ ଜମିଗୁଡ଼ିକୁ ଆଇନଗତ ଅଧିଗ୍ରହଣ ବିନା କମ୍ପାନୀ ହାତକୁ ଗଲା କେମିତି? ସରକାର ନେତା ଓ ବାବୁମାନେ ସେଥିପାଇଁ କେତେ ଟଙ୍କା ଚାନ୍ଦା ନେଇଛନ୍ତି? ଏହି ଜମି କମ୍ପାନୀକୁ ଯଦି ଲିଜ୍ ଦିଅାଯାଇଥିଲା ତା’ହେଲେ ସେହି ବିପଦପୂର୍ଣ୍ଣ ସ୍ଥାନରେ ଖୋଦ ଓଡ଼ିଶା ସରକାର ଲୋକଙ୍କୁ ଘରଡିହ ଓ ଜମି ପଟ୍ଟା ଦେଲେ କିପରି? କି ଉଦ୍ଦେଶ୍ୟରେ? ଏଠାକାର ଅଧିବାସୀଙ୍କୁ 1962 ମସିହାରୁ ପଟ୍ଟା ପ୍ରଦାନ ଦିଆଯାଇଥିବାବେଳେ ପୁଣି ତାହାକୁ କିଭଳି ଉତ୍କଳ ଅାଲୁମିନାକୁ ଲିଜରେ ଦିଅାଗଲା? ଏସବୁ ପ୍ରଶ୍ନ ସରକାରଙ୍କ ସ୍ବଚ୍ଛତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ସରକାରଙ୍କ ଜନ ବିରୋଧୀ ଚରିତ୍ରକୁ ପୁଣି ଥରେ ପଦାରେ ପକାଇଛି।   2012 ମସିହାରେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଅଦାଲତରେ ଦରଜ ହୋଇଥିବା ମୋକଦ୍ଦମା ନଂ - ଡବ୍ଲୁ୍ପି (ସି) 31664/11 ଏବଂ 31665/11ର ରାୟ ଅନୁଯାୟୀ ଏହି ବିବାଦୀୟ ସ୍ଥାନ ଉପରେ ସ୍ଥିତାବସ୍ଥା ବା ଷ୍ଟାଟସ୍କୋ ବଜାୟ ରହିବା କଥା। କିନ୍ତୁ କମ୍ପାନୀ କର୍ତ୍ତୃପକ୍ଷ ଏହା ମାନୁ ନାହାନ୍ତି କି ସେଥିପାଇଁ ସରକାର କମ୍ପାନୀକୁ ବାଧ୍ୟ କରୁ ନାହାନ୍ତି। ବରଂ କମ୍ପାନୀର ଏତାଦୃଶ ଆଇନ ଓ ନ୍ୟାୟ ବିରୋଧୀ କାର୍ଯ୍ୟକୁ ସରକାର ନୀରବରେ ସମର୍ଥନ କରୁଥିବା ଜଣାପଡ଼ୁଛି। ଏହି ପରିସ୍ଥିତିର ସଂପୃକ୍ତ ଅଞ୍ଚଳର ପ୍ରଭାବିତ ଗ୍ରାମବାସୀମାନେ ମାନ୍ୟବର ଅଦାଲତଙ୍କ ପରବର୍ତ୍ତୀ ଅାଦେଶ ଯାଏଁ କିମ୍ବା ସରକାରୀ ଅାଇନ ଅନୁଯାୟୀ ଭୂମି ଅଧିଗ୍ରହଣ ଏବଂ କ୍ଷତିଗ୍ରସ୍ତଙ୍କୁ ଥଇଥାନ କରାଯିବା ପର୍ଯ୍ୟନ୍ତ ବିସ୍ଫୋରଣ ଏବଂ ଖଣି ଖନନ କାର୍ଯ୍ୟ ସ୍ଥଗିତ ରଖିବା ନିମନ୍ତେ ସରକାରଙ୍କୁ ଲିଖିତ ଭାବରେ ଆବେଦନ କରିଛନ୍ତି। ଅଞ୍ଚଳବାସୀଙ୍କ ତରଫରୁ ବୁଧୁ ମାଝୀ, ସାନବାରୁ ମାଝୀ, ନନ୍ଦ ନାଏକ, ସବା ମାଝୀ, ରାଇସିଂ ମାଝୀ, ଭରତ ନାଏକ, ମୁନା ନାଏକ ପ୍ରମୁଖ ଏହି ଲିଖିତ ଦରଖାସ୍ତ କରିଛନ୍ତି। ଅନ୍ୟଥା ବିସ୍ଫୋରଣଜନିତ କୌଣସି କ୍ଷୟକ୍ଷତି କିମ୍ବା ଧନଜନ ହାନୀ ହେଲେ ଜିଲ୍ଲା ପ୍ରଶାସନ ଓ ସରକାର ସମ୍ପୂର୍ଣ୍ଣ ଉତ୍ତରଦାୟୀ ରହିବେ ବୋଲି ଦରଖାସ୍ତରେ ଉଲ୍ଲେଖ କରିଛନ୍ତି।   ଜିଲ୍ଲାର ମନ୍ତ୍ରୀ ଓ ସମସ୍ତ ବିଧାୟକ ଶାସକ ବିଜୁ ଜନତା ଦଳର ସଦସ୍ୟ। ଥୁ. ରାମପୁର ବ୍ଲକଟି ଲାଞ୍ଜିଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସାମିଲ ହୋଇଛି। ଏଠାକାର ବିଧାୟକ ନିଜେ ଜନଜାତି ସମ୍ପ୍ରଦାୟର।ା ଖୋଦ ମୁଖ୍ଯମନ୍ତ୍ରୀଙ୍କ ଦ୍ବାରା ପ୍ରଦତ୍ତ ପଟ୍ଟାକୁ କମ୍ପାନୀ କର୍ତ୍ତୃପକ୍ଷ ବେଖାତିର କରୁଥିବାବେଳେ ତାଙ୍କରି ଅନୁଗତ ବିଧାୟକମାନେ ସବୁ ଜାଣି ଚୁପ୍ ରହିବା ମୁଖ୍ୟମନ୍ତ୍ରୀଙ୍କ ଭୂମିକାକୁ ସନ୍ଦେହ ଘେରକୁ ଟାଣି ନେଇଛି। ବୁଝାପଡ଼ୁଛି ଯେମିତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହମତିରେ ର୍ହି ଉତ୍କଳ ଆଲୁମିନା ଏହିପରି ଭାବ ଲୋକଙ୍କ ସଂପତ୍ତି ହଡ଼ପ କରୁଛି। ସେହିପରି କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ନିୟମଗିରି ଅଂଶ ଉପରେ ବସବାସ କରୁଥିବା ଅାଦିମ ଜନଜାତିଙ୍କ ସ୍ବାର୍ଥ ନିମନ୍ତେ କୁମ୍ଭୀର କାନ୍ଦଣା କାନ୍ଦୁଥିବା ବିରୋଧୀ ଜାତୀୟ ଦଳର ନେତାଙ୍କ ତୁଣ୍ଡ ମଧ୍ୟ ରହସ୍ୟଜନକ ଭାବେ ବନ୍ଦ। ନିୟମଗିରିକୁ ନେଇ ଗଠିତ ହୋଇଥିବା ଗ୍ରୀନ୍ କଳାହାଣ୍ଡି ସଂଗଠନର ନେତା ବେଦାନ୍ତକୁ ନିୟମଗିରି ବଦଳରେ ସିରଜୁମାଲି, ସମାମାଲି ଭଳି ଖଣି ଦେବାକୁ ପ୍ରସ୍ତାବ ଦେଇଥିଲେ ହେଁ କଳାହାଣ୍ଡି ଜନସାଧାରଣଙ୍କ ପ୍ରବଳ ବିରୋଧ ଯୋଗୁଁ ପୂରଣ ହୋଇପାରି ନଥିଲା। ସଂପୃକ୍ତ ନେତା ଏବେ ଦେଶର ଏକ ପ୍ରମୁଖ ବିରୋଧୀ ଦଳର ମୁଖପାତ୍ର ଅଛନ୍ତି। ଏହି ନେତା ଜଣକ କିପରି ଏହି ପୀଡ଼ିତ ଅଞ୍ଚଳର ଅଧିବାସୀଙ୍କ ଦୁର୍ଦ୍ଦଶାକୁ ହୃଦୟଙ୍ଗମ କରିପାରୁ ନାହାନ୍ତି ତାହା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।   ଅାଦିମ ଜନଜାତି ଓ ଡଙ୍ଗରିଅା କନ୍ଧ ଭଳି ଅଧିବାସୀଙ୍କ ସ୍ବାର୍ଥ ରକ୍ଷା ନିମନ୍ତେ କାର୍ଯ୍ୟ କରୁଥିବା ଓଡ଼ିଶାର କୌଣସି ସଂସ୍ଥା ମଧ୍ୟ ଏଯାବତ ଏହି ଲୋକମାନଙ୍କର ପୀଡ଼ା ଓ ଯନ୍ତ୍ରଣା ବିଷୟରେ ମୁଣ୍ଡ ପୂରେଇ ନାହାନ୍ତି। ସ୍ଥାନୀୟ ଅଂଚଳର କିଛି କୁଳି ନେତା, ଟାଉଟର ଓ ସରକାରୀ ଅଧିକାରୀଙ୍କୁ ହାତ କରି କମ୍ପାନୀ ଜୋର ଯା’ର ମୂଲକ ତା’ର ନୀତି ଚଳାଇଛି। ଅାତଙ୍କର ବାତାବରଣ ମଧ୍ୟରେ ଦବି ଯାଉଛି ନିରୀହ ପୀଡ଼ିତଙ୍କ ସ୍ବର। ଘଟଣାର ଏକ ଭିନ୍ନ ମୋଡ଼ ନେବା ପୂର୍ବରୁ ପ୍ରଶାସନ ଏବଂ ସରକାର ବିଧି ମୁତାବକ ବ୍ୟବସ୍ଥା ଗ୍ରହଣ କରିବାକୁ ସାଧାରଣ ପ୍ରଜା ଦାବି କରିଛନ୍ତି।

Share :