ରୋଗୀ ୪୮୯, ଶଯ୍ୟା ୧୬୫, ବାକି ବାରଣ୍ଡାରେ

ରୋଗୀ ୪୮୯, ଶଯ୍ୟା ୧୬୫, ବାକି ବାରଣ୍ଡାରେ

Share :

ଭବାନୀପାଟଣାଠାରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଭିନ୍ନ ୱାର୍ଡରେ ସମୁଦାୟ ୧୬୫ଟି ଶଯ୍ୟା ରହିଛି। ଜିଲ୍ଲାର ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକରୁ ପ୍ରତିଦିନ ରେଫର ହୋଇ ଶତାଧିକ ରୋଗୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆସୁଛନ୍ତି। ସରକାରଙ୍କ ମାଗଣା ଆମ୍ୱୁଲାନ୍ସ ସୁବିଧା ଉପଲବ୍ଧ ହେଉଥିବାରୁ ପ୍ରତିଦିନ ବହୁ ସଂଖ୍ୟାରେ ରୋଗୀ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆସୁଛନ୍ତି। କିନ୍ତୁ ମୁଖ୍ୟ ଡାକ୍ତରଖାନାରେ ଶଯ୍ୟା ସଂଖ୍ୟା କୁଳଉ ନାହିଁ। ତେଣୁ ଅନେକ ରୋଗୀ ବାରଣ୍ଡାରେ ପଡ଼ି ରହୁଥିବା ଦେଖାଯାଉଛି।   ଜିଲ୍ଲାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଆବଶ୍ୟକ ସଂଖ୍ୟକ ଡାକ୍ତର ଓ ବିଶେଷଜ୍ଞ ନଥିବାରୁ ସାଧାରଣତଃ ଏହି ସ୍ୱାସ୍ଥ୍ୟକେନ୍ଦ୍ରଗୁଡିକରୁ ଗୁରୁତର ରୋଗୀମାନଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ରେଫର କରାଯାଉଛି। ଜୁଲାଇ ୧୪ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ୧୮୯ ଜଣ ନୂତନ ରୋଗୀ ବିଭିନ୍ନ ୱାର୍ଡରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିଲେ। ଜୁଲାଇ ୧୫ ତାରିଖ ପୁଣି ୩୦୦ ରୋଗୀ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଛନ୍ତି। ଅଥଚ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଶଯ୍ୟା ସଂଖ୍ୟା ହେଉଛି ୧୬୫। ତେଣୁ ପୁରୁଷ ଭେଷଜ ୱାର୍ଡ, ମହିଳା ଭେଷଜ ୱାର୍ଡ, ଶିଶୁ ୱାର୍ଡ, ଶଲ୍ୟ ୱାର୍ଡର ବାରଣ୍ଡାଗୁଡିକରେ ରୋଗୀମାନଙ୍କୁ ଶୁଆଇ ଚିକିତ୍ସା କରିବାକୁ ପଡୁଛି। ଏପରିକି ଅନେକ ରୋଗୀଙ୍କ ପାଇଁ ଡାକ୍ତରଖାନାର ଗଦି ମଧ୍ୟ ଉପଲବ୍ଧ ହେଉନଥିବାରୁ ରୋଗୀମାନେ ବାରଣ୍ଡାରେ ନିଜ ନିଜର ମଶିଣା କିମ୍ୱା ଚଦର ପକାଇ ଚିକିତ୍ସିତ ହେଉଛନ୍ତି।   କଳାହାଣ୍ଡି ଜିଲ୍ଲାରେ ଜନସଂଖ୍ୟା ୧୫ ଲକ୍ଷରୁ ଉର୍ଦ୍ଧ୍ୱ ହୋଇଥିବା ବେଳେ ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ ଡାକ୍ତରଙ୍କର ଘୋର ଅଭାବ ରହିଛି। ଫଳରେ ଜିଲ୍ଲାର ରୋଗୀମାନେ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଉପରେ ନିର୍ଭର କରୁଛନ୍ତି। ବର୍ଷ ତମାମ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପ୍ରତିଦିନ ୨୫୦ରୁ ଉର୍ଦ୍ଧ୍ୱ ରୋଗୀ ଚିକିତ୍ସା ନିମନ୍ତେ ଭର୍ତ୍ତି ହେଉଥିବା ବେଳେ ଶଯ୍ୟା ଅଭାବରୁ ରୋଗୀମାନଙ୍କୁ ବାରଣ୍ଡାରେ ତଳେ ଶୁଆଇ ଚିକିତ୍ସା କରିବାକୁ ବାଧ୍ୟ ହେଉଛୁ ବୋଲି ଏଡିଏମ‌୍‍ଓ ମେଡିକାଲ ଜଗୁଲାଲ ଅଗ୍ରୱାଲ ପ୍ରକାଶ କରିଛନ୍ତି।   ଏବେ ବର୍ଷାଋତୁ ଲାଗି ରହିଥିବାରୁ ରୋଗୀଙ୍କ ସଂଖ୍ୟା ମଧ୍ୟ ଆଶାତୀତ ଭାବେ ବୃଦ୍ଧି ପାଉଛି। ବିଭିନ୍ନ ସମୟରେ ଜିଲ୍ଲାର ଏକମାତ୍ର ଭରସାଯୋଗ୍ୟ ଏବଂ ରେଫରାଲ ଡାକ୍ତରଖାନା ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଶଯ୍ୟା ସଂଖ୍ୟା ବୃଦ୍ଧି କରିବା ପାଇଁ ଦାବି ହୋଇଆସୁଥିଲେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ଏ ଦିଗରେ କୌଣସି ପଦକ୍ଷେପ ନେଉନାହାନ୍ତି। ଫଳରେ ରୋଗୀମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ସ୍ୱାସ୍ଥ୍ୟ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଶଯ୍ୟା ସଂଖ୍ୟା ବୃଦ୍ଧି କରିବା ପାଇଁ ସାଧାରଣରେ ଦାବି ହେଉଛି।

Share :