ଶ୍ରୀବାଣୀକ୍ଷେତ୍ରରେ ରଥଯାତ୍ରା

ଶ୍ରୀବାଣୀକ୍ଷେତ୍ରରେ ରଥଯାତ୍ରା

Share :

  ଦୀର୍ଘ ନବଦିନ ବ୍ୟାପୀ ରଥଯାତ୍ରାରେ ବାହାରିଥିବା ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମା ସୁଭଦ୍ରା ବାହୁଡ଼ା ଦଶମୀରେ ଶ୍ରୀବାଣୀ କ୍ଷେତ୍ରକୁ ବାହୁଡ଼ିଛନ୍ତି। ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା ଆଡ଼ମ୍ୱରପୂର୍ଣ୍ଣ ଭାବେ ଶେଷ ହୋଇଛି। ପୂର୍ବାହ୍ନରେ ମଙ୍ଗଳ ଆରତୀ, ମଇଲମ, ତଡ଼ପଲାଗି, ରୋଷ ହୋମ, ଅବକାଶ, ସୂର୍ଯ୍ୟପୂଜା ଓ ରଥପୂଜା ଆଦି କାର୍ଯ୍ୟକ୍ରମ ନୀତିକାନ୍ତି ସଂପନ୍ନ ହେବା ପରେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ଅପରାହ୍ନ ୪ଟାରେ ଛେରାପହଁରା କାର୍ଯ୍ୟ ସଂପାଦିତ ହୋଇଥିଲା।   ଅପରାହ୍ନ ୫ଟାରେ ଭକ୍ତମାନେ ମହାପ୍ରଭୁ ଜଗନ୍ନାଥ ଓ ବଳଭଦ୍ରଙ୍କ ରଥକୁ ଟାଣିଥିଲେ। ତିନି ରଥଙ୍କୁ ଶିଖରଚଣ୍ଡି ମନ୍ଦିର ପାଦଦେଶରେ ନିର୍ମିତ ଅସ୍ଥାୟୀ ଗୁଣ୍ଡିଚା ମନ୍ଦିରରୁ ଶ୍ରୀବାଣୀକ୍ଷେତ୍ର ପର୍ଯ୍ୟନ୍ତ ଟଣାଯାଇଥିଲା। ଶ୍ରୀବାଣୀକ୍ଷେତ୍ରର ରଥ ଯାତ୍ରାର ଏକ ବିଶେଷତ୍ୱ ହେଉଛି ଏଠାରେ ମା’ ସୁଭଦ୍ରାଙ୍କ ରଥକୁ ମହିଳାମାନେ ଟାଣିଥାନ୍ତି। ପାଗ ଅନୁକୂଳ ଥିବାରୁ ଘୋଷଯାତ୍ରା ଦେଖିବା ଲାଗି ସ୍ଥାନୀୟ ଅଞ୍ଚଳରୁ ଅନ୍ୟୁନ ୩୦ ହଜାରରୁ ଊର୍ଦ୍ଧ୍ୱ ଭକ୍ତ ସମାଗମ ହୋଇ ସୁସଜ୍ଜିତ ନନ୍ଦିଘୋଷ, ତାଳଧ୍ୱଜ ଓ ଦେବଦଳନ ରଥକୁ ଟାଣିବା ସହ ଦୈବୀକୃପା ଲାଭ କରିଥିଲେ। ଘଣ୍ଟ, ମର୍ଦ୍ଦଳ ଧ୍ୱନୀ ଓ ହୁଳହୁଳିରେ ରଥଦାଣ୍ଡ କମ୍ପିଥିଲା।   ଜୁଲାଇ ୧୬ ତାରିଖ ଏକାଦଶୀ ଅବସରରେ ଶ୍ରୀଜୀଉମାନଙ୍କର ସୁନାବେଶ ଅନୁଷ୍ଠିତ ହେବ। ଭକ୍ତମାନେ ଯେପରି ସୁଚାରୁ ରୂପେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିପାରିବେ ସେଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

Share :