ବୁଦ୍ଧିଆକୁ ମାରିଦେଲେ ସରକାର!

ବୁଦ୍ଧିଆକୁ ମାରିଦେଲେ ସରକାର!

Share :

‘ଏଇଟା ଗୋଟେ ସ୍ପୋର୍ଟସ ହଷ୍ଟେଲ..ଜେଲ୍ ନୁହେଁ। ଯଦି କାହାର ଇଚ୍ଛା ହେବ ସେ ଏଠାରେ ନରହି ବାହାରେ ରହି ଏଠି କୋଚିଂ ନେବ ତେବେ ନେବ!’   ଠିକ ଏଇ ଭାଷାରେ ଫୋଫାଡ଼ିଲା ଭଳିଆ ପ୍ରତିକ୍ରିୟା ପ୍ରକାଶ କରିଥିଲେ କ୍ରୀଡ଼ା ସଚିବ ଶାଶ୍ବତ ମିଶ୍ର। ବେଦାନ୍ତ ଓ ଆହୁରି ବହୁ ବିବାଦରେ ଜଡ଼ିତ ଶାଶ୍ବତ ମିଶ୍ରଙ୍କ ହାକିମିଗିରି ବିସ୍ମୟ ବାଳକ ବୁଦ୍ଧିଆ ସିଂହଙ୍କୁ ନେଇ ଏବେ ପୁଣି ଥରେ ବିବାଦ ଭିତରକୁ ଆସିଯାଇଛି। ତାଙ୍କର ଏପରି ନିରାସକ୍ତ ତଥା ନିଷ୍ଠୁର ଅଭିବ୍ୟକ୍ତିରୁ ବୁଦ୍ଧିଆ ସିଂହ ପ୍ରତି ତାଙ୍କର ଏବଂ ତାଙ୍କ ବିଭାଗର ଆଭିମୁଖ୍ୟ କ’ଣ ତାହା ସ୍ପଷ୍ଟ ହୋଇଯାଇଛି।   ଏକଦା ମାତ୍ର ୪ ବର୍ଷ ବୟସରେ ସମଗ୍ର ବିଶ୍ବରେ ଚହଳ ସୃଷ୍ଟି କରିଥିବା ବୁଦ୍ଧିଆ ସରକାରୀ ସ୍ପୋର୍ଟସ ହଷ୍ଟେଲରୁ ମାସାଧିକ କାଳ ନିରୁଦ୍ଦିଷ୍ଟ ହୋଇଗଲେଣି। ତାଙ୍କୁ ଖୋଜିବା ଛାଡ଼ି କ୍ରୀଡ଼ ସଚିବ ଯେଉଁ ମନ୍ତବ୍ୟ ଦେଇଛନ୍ତି ସେଥିରୁ ବୁଝାପଡ଼ୁଛି ସେ ବୋଧହୁଏ ଚାହୁଁଛନ୍ତି, ଯାଉ ପିଲାଟା ହଜିଯାଉ, ସେଥିରେ ସରକାରଙ୍କର କି ଯାଏଆସେ? ବୁଦ୍ଧିଆ ବାବଦରେ ଓଡ଼ିଶା କ୍ରୀଡ଼ା ବିଭାଗରର ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ମୁହଁ ଏଯାଏଁ ଖୋଲିନି।   ବିସ୍ମୟ ଧାବକ ବୁଦ୍ଧିଆ ସିଂହ ଗଲା କୁଆଡେ? କୋଉଠି ଅଛି? କ’ଣ କରୁଛି? ଏଭଳି ପ୍ରଶ୍ନ ଶିଶୁ ଓ କ୍ରୀଡ଼ାପ୍ରେମୀଙ୍କ ମନକୁ ଆନ୍ଦୋଳିତ କରୁଥିବାବେଳେ ତାକୁ ଖୋଜିବାକୁ ସରକାରୀ ସ୍ତରରେ ଆଦଔ ଉଦ୍ୟମ ହେଉ ନାହିଁ। ବୁଦ୍ଦିଆର ନିଖୋଜ ନେଇ ନାନା ଲୋକ ନାନା କଥା କହୁଛନ୍ତି। ପରିବାର ଲୋକେ, କ୍ରୀଡା ସଚିବ କହୁଛନ୍ତି ବୁଦ୍ଧିଆ ନୟାଗଡରେ ଅଛି। ହେଲେ ନୟାଗଡର କେଉଁ ସ୍ଥାନରେ ଅଛି ସେ କଥା ସେମାନେ କହିପାରୁ ନାହାନ୍ତି। ମିଳିଥିବା ସୂଚନା ଅନୁଯାୟୀ ବୁଦ୍ଧିଆର ମାମୁଁଘର ନୟାଗଡରେ ନୁହେଁ କି ସେଠାରେ ତା’ର କେହି ସଂପର୍କୀୟ ରହନ୍ତିନି।   ବୁଦ୍ଧିଆକୁ ନେଇ ନିର୍ମାଣ ହୋଇଥିବା ସିନେମା ‘ବୁଦ୍ଧିଆ ସିଂହ: ବର୍ଣ୍ଣ ଟୁ ରନ୍‌’ର ନିର୍ଦ୍ଦେଶକ ସୌମେନ୍ଦ୍ର ପାଢୀ ଚଳଚ୍ଚିତ୍ରର ପ୍ରଚାରପ୍ରସାର କରିବା ପାଇଁ ତାକୁ ମୁମ୍ବାଇରେ ରଖିଥିବା ନେଇ ଯେଉଁ ଚର୍ଚ୍ଚା ହୋଇଥିଲା ତାହାର ମଧ୍ୟ ଅବସାନ ଘଟିଛି। ସେମାନେ ସିନେମାର ପ୍ରମୋଶନ କରିବା ପାଇଁ ବୁଦ୍ଧିଆକୁ ମୁମ୍ବାଇ ଡାକି ନାହାନ୍ତି କି ବୁଦ୍ଧିଆ ନିଖୋଜ ହେବା ପଛରେ ତାଙ୍କର ହାତ ନାହିଁ ବୋଲି ସୌମେନ୍ଦ୍ର ତାଙ୍କ ପ୍ରତିକ୍ରିୟା କହିଛନ୍ତି।   ଗତ ଖରା ଛୁଟିରେ ବୁଦ୍ଧିଆ ଘରକୁ ଆସିଥିଲା। ସ୍ପୋର୍ଟ୍ସ ହଷ୍ଟେଲରେ ତାକୁ ଠିକ୍ ଭାବେ ପ୍ରଶିକ୍ଷଣ ଦିଆଯାଉ ନାହିଁ ବୋଲି ସେ ଅଭିଯୋଗ କରିଥିଲା। ସେ ପଢୁଥିବା ଡିଏଭି ସ୍କୁଲରେ ସେ ମାସେ ପାଇଁ ଛୁଟିରେ ଯାଉଛି ବୋଲି ଦରଖାସ୍ତ ମଧ୍ୟ ଦେଇଛି। ବୁଦ୍ଧିଆ ମାତ୍ର ୪ ବର୍ଷ ବୟସରେ ଭୁବନେଶ୍ବରରୁ ପୁରୀ ୬୫ କିଲୋମିଟର ରାସ୍ତାକୁ ମାତ୍ର ୭ ଘଣ୍ଟା ମଧ୍ୟରେ ଦୌଡ଼ି ରେକର୍ଡ଼ କରିଥିଲା। ସେତେବେଳେ ତା’ର ହାସଲ ଲିମ୍‌କା ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଥିଲା।   ବୁଦ୍ଧିଆର ଏହି ବିରଳ ସଫଳତା ପରେ ଅନେକ ଚର୍ଚ୍ଚା ହୋଇଥିଲା ଏବଂ ସେ ବନିଥିଲା ବିଶ୍ବର କନିଷ୍ଠ ମାରାଥନ୍ ରନର। ବୁଦ୍ଧିଆର ଏହି ସଫଳତା ପଛରେ ହାତ ଥିବା କୋଚ ବିରଞ୍ଚି ଦାସଙ୍କୁ ନାନା ମାମଲାରେ ଛନ୍ଦା ଯିବା ପରେ ତାଙ୍କୁ ହତ୍ୟା କରାଗଲା। ଜଣେ ଶିଶୁକୁ ପାଠ ନପଢ଼ାଇ ଦୌଡ଼ାଦୌଡ଼ି କରାଉଥିବା ଅଭିଯୋଗରେ ବିଜୁ ଜନତା ଦଳ ସରକାର ତା’କୁ କୋଚ ପାଖରୁ ଅଲଗା କରିଆଣି ସରକାରୀ ସ୍ପୋର୍ଟସ ହଷ୍ଟେଲ୍‌ରେ ରଖିଥିଲେ। ସେଠାରେ ପଢ଼ିବ ଓ ଦୌଡ଼ିବ ବୋଲି ସରକାର ଘୋଷଣା କରିଥିଲେ। କିନ୍ତୁ ସ୍ପୋର୍ଟସ ହଷ୍ଟେଲ୍‌ରେ ବିସ୍ମୟ ଧାବକ ବୁଦ୍ଧିଆ ଧୀରେ ଧୀରେ ହଜିବାକୁ ଲାଗିଲା। ବିସ୍ମୟ ବୁଦ୍ଧିଆଙ୍କ ଏହି ନିଖୋଜ ଖବର ରାଜ୍ୟର ଲକ୍ଷ ଲକ୍ଷ କ୍ରୀଡ଼ାପ୍ରେମୀଙ୍କୁ ଆନ୍ଦୋଳିତ କରିଥିବାବେଳେ ସରକାର ତାଙ୍କୁ ଖୋଜିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ ନକରିବା ଅଧିକା ବେଦନାଦାୟକ ହୋଇଛି।   ଅଗଷ୍ଟ ୫ ତାରିଖରେ ସିନେମା ହଲ‍୍‌ରେ ମୁକ୍ତିଲାଭ କରିବ ବୁଦ୍ଧିଆ ସିଂହଙ୍କ ଜୀବନୀ ଉପରେ ଆଧାରିତ ‘ବର୍ଣ୍ଣ ଟୁ ରନ‍୍‌’। ଏହାକୁ ନେଇ ବେଶ‍୍‌ ଉତ୍ସୁକତା ପରିଲକ୍ଷିତ ହୋଇଥିବାବେଳେ ଖରାଦିନ ଛୁଟି ପରେ ବୁଦ୍ଧିଆ ଆଉ କଳିଙ୍ଗ ଷ୍ଟାଡ଼ିୟମ‍୍‌ ସ୍ପୋର୍ଟସ‍୍‌ ହଷ୍ଟେଲକୁ ନଫେରିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କୁଆଡେ଼ ଗଲେ ବୁଦ୍ଧିଆ? କାହିଁକି ଫେରିଲେନି କଳିଙ୍ଗ ଷ୍ଟାଡ଼ିୟମ‍୍‌? ମା’ଙ୍କ ସହ କାର୍ଯ୍ୟ ଅନ୍ୱେଷଣରେ କିମ୍ବା ନୂଆ କୋଚ‍୍‌ ସନ୍ଧାନରେ ବୁଦ୍ଧିଆ କୁଆଡେ଼ ଚାଲିଯାଇଛନ୍ତି? ଏମିତି ଅନେକ ଅନୁତ୍ତରିତ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି। ପ୍ରତିଭାବାନ ବାଳକର ପ୍ରତିଭା କିପରି ସରକାରୀ କଳରେ ପେଷି ହୋଇଯାଏ ତାହାର ନିଚ୍ଛକ ଉଦାହରଣ ହୋଇଯାଇଛି ବୁଦ୍ଧିଆ।   ବୁଦ୍ଧିଆ ସିଂହ ସମ୍ପର୍କରେ କଳିଙ୍ଗ ଷ୍ଟାଡ଼ିୟମ‍୍‌ ସ୍ପୋର୍ଟସ ହଷ୍ଟେଲର ଅଧିକାରୀ ରୁପାନ୍ୱିତା ପଣ୍ଡା କହିଛନ୍ତି ଯେ, ଖରାଦିନ ଛୁଟିରେ ବୁଦ୍ଧିଆ ଘରକୁ ଯାଇଥିଲା। ହେଲେ ଛୁଟି ସରିବା ପରେ ସେ ହଷ୍ଟେଲ‍୍‌କୁ ଫେରିନଥିଲା। ଫଳରେ ଗତ ଜୁନ‍୍‌ ୨୩ରେ ୭ ଦିନ ମଧ୍ୟରେ ସ୍ପୋର୍ଟସ‍୍‌ ହଷ୍ଟେଲକୁ ଆସିବା ପାଇଁ ସେ ବୁଦ୍ଧିଆ ସିଂହଙ୍କ ଘରକୁ ପତ୍ର ଲେଖିଥିଲେ। ହେଲେ ବୁଦ୍ଧିଆ ଆସି ନଥିଲେ। ଜୁନ‍୍‌ ୩୦ରେ ସେ ୪ ଜଣ କୋଚ‍୍‌ଙ୍କୁ ମଧ୍ୟ ତାଙ୍କ ଘରକୁ ପଠାଇଥିଲେ ମଧ୍ୟ ବୁଦ୍ଧିଆଙ୍କର ଦେଖାମିଳି ନଥିଲା। ପରେ ସେ ଏକ ଟିଭି ଚାନେଲକୁ କହିଛନ୍ତି ସ୍ପୋର୍ଟସ ହଷ୍ଟେଲ ଆସି ବୁଦ୍ଧିଆ ନଷ୍ଟ ହୋଇଗଲା। ତା’ କ୍ରୀଡ଼ା ପ୍ରତିଭା ହଜିଗଲା।   ବୁଦ୍ଧିଆ ସିଂହଙ୍କୁ ସ୍ପୋର୍ଟସ ହଷ୍ଟେଲରେ ଯେ ଆଦୌ ଗୁରୁତ୍ୱ ଦିଆଯାଉ ନଥିଲା ତାହା କ୍ରୀଡ଼ା ଛାତ୍ରାବାସ ପକ୍ଷରୁ ଜାରି ଚିଠିରୁ ସ୍ପଷ୍ଟ ଭାବେ ପରିଲକ୍ଷିତ ହୋଇଛି। ବୁଦ୍ଧିଆଙ୍କ ଅନୁପସ୍ଥିତି ନେଇ କ୍ରୀଡ଼ା ଛାତ୍ରାବାସ ପକ୍ଷରୁ ଜାରି ପତ୍ରରେ ଉଲ୍ଲେଖ କରାଯାଇଛି ଯେ,  ଗ୍ରୀଷ୍ମ ଅବକାଶ ଛୁଟି ପରେ ଜୁନ‍୍‌ ୬ରେ ତାଲିମ‍୍‌ ନିମନ୍ତେ ଯୋଗଦାନ କରିବା ପାଇଁ ବୁଦ୍ଧିଆ ସିଂହଙ୍କୁ ନୋଟିସ‍୍‌ ଦିଆଯାଇଥିଲା। ହେଲେ ବୁଦ୍ଧିଆ ଆସି ନଥିବାରୁ ଗତ ଜୁନ‍୍‌ ୨୨ରେ ଏନେଇ ତାଙ୍କ ଦାଦା ପ୍ରାଣକୃଷ୍ଣ ଖଟୁଆଙ୍କ ସହ ଫୋନ‍୍‌ରେ କଥା ହୋଇଥିଲେ ରୁପାନ୍ୱିତା ପଣ୍ଡା। ଏମିତିକି ଜୁନ‍୍‌ ୭ ସୁଦ୍ଧା ବୁଦ୍ଧିଆ ଛାତ୍ରାବାସରେ ଯୋଗନଦେଲେ ବା ବିଳମ୍ୱର କାରଣ ନଦର୍ଶାଇଲେ ସେ ଆଉ ଛାତ୍ରବାସରେ ରହିବା ନିମନ୍ତେ ଇଚ୍ଛୁକ ନୁହଁନ୍ତି ବୋଲି ଧରି ନିଆଯାଇ ନିୟମାନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ଚେତାବନୀ ଦେଇଛି କ୍ରୀଡ଼ା ଛାତ୍ରାବାସ। ତେବେ ମାସକରୁ ଅଧିକ ସମୟ ଧରି ବୁଦ୍ଧିଆ ନିଖୋଜ ଥିଲେ ମଧ୍ୟ ସ୍ପୋର୍ଟସ ହଷ୍ଟେଲ ପକ୍ଷରୁ କାହିଁକି ଉଚ୍ଚପଦସ୍ଥ ଅଧିକାରୀ ଓ ପୁଲିସ‍୍‌କୁ ସୂଚନା ଦିଆଯାଇ ନାହିଁ ସେନେଇ କ୍ରୀଡ଼ାପ୍ରେମୀମାନେ ଉଦ‍୍‌ବେଗ ପ୍ରକାଶ କରିଛନ୍ତି।   ସୂଚନାଯୋଗ୍ୟ ଯେ, ସ୍ୱର୍ଗତ ଜୁଡ଼ୋ କୋଚ‍୍‌ ବିରଞ୍ଚି ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମାତ୍ର ୫ ବର୍ଷ ବୟସରେ ବୁଦ୍ଧିଆ ସିଂହ ୪୮ ଥର ମାରାଥନ ଦୌଡ଼ିଥିଲେ । ପୁରୀରୁ ଭୁବନେଶ୍ୱର ପର୍ଯ୍ୟନ୍ତ ୬୫ କିଲୋମିଟର ଦୂରତା ଅତିକ୍ରମ କରି ସେ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ସୃଷ୍ଟି କରିଥିବାବେଳେ ଲିମ‍୍‌କା ବୁକ୍ ଅଫ ରେକର୍ଡ଼ସରେ ମଧ୍ୟ ସ୍ଥାନ ପାଇଥିଲେ। ପିଲାଟିକୁ ଏତେ ବାଟ ଦୌଡ଼ାଇବା ଶିଶୁ ସୁରକ୍ଷା ଆଇନ‍୍‌ର ବିରୋଧାଚରଣ ବୋଲି କହି ରାଜ୍ୟ ସରକାର ବୁଦ୍ଧିଆଙ୍କୁ କୋଚ‍୍‌ ବିରଞ୍ଚିଙ୍କଠାରୁ ନେଇ ଆସିଥିଲେ। ୨୦୦୭ ମସିହାରୁ ସେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମ‍୍‌ ସ୍ପୋର୍ଟସ ହଷ୍ଟେଲରେ ରହି କୋଚିଂ ନେଇ ଆସୁଛନ୍ତି। ଅନ୍ୟ ଆଥଲେଟଙ୍କ ଭଳି ତାଙ୍କୁ ସମାନ କୋଚିଂ ଦିଆଯାଉଥିବାରୁ ସେ ପୂର୍ବ ପ୍ରତିଭା ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ। ଯାହାକୁ ନେଇ ବୁଦ୍ଧିଆ ଓ ତାଙ୍କ ମା’ ମଧ୍ୟ ପୂର୍ବରୁ ଅସନ୍ତୋଷ ପ୍ରକାଶ କରିଛନ୍ତି।

Share :