ଅପୂର୍ବ ରଂଜନ ପ୍ରଥମେ ଗୋଡ଼ ବାନ୍ଧି ଦେଲି। ପରେ ହାତ ବାନ୍ଧି ଦେଲି। ତା’ ପରେ ଦୁଇ ପଟକୁ ଅନେଇଲି... ଘର କୋଣରେ ଗୋଟେ ଶାବଳ ଥିଲା ..ସେଇ ଶାବଳରେ ପିଟି ପିଟି ମାରିଦେଲି..ତା ପରେ ୫ ଘଣ୍ଟା ଅକ୍ଳାନ୍ତ ପରିଶ୍ରମ କରି ଗୋଟେ ଗାତ କଲି ଆଉ ସେଥିରେ ପିଟି ପିଟି ମାରିଥିବା ମୋ ସ୍ବାମୀକୁ ପୋତି ଦେଲି। ପଥର ଭାବରେ ଗଣମାଧ୍ୟମ ଆଗରେ ନିଜ ସ୍ବାମୀକୁ ସେ କିପରି ମାରିଥିଲା ତାହା କହୁଥିଲା ମମତା। ନା ଆଖିରେ ଥିଲା ସାମାନ୍ୟ ଲୁହ ନା ମନରେ ଥିଲା ତିଳେ ମାତ୍ର ଅନୁତାପର କୋହ। ଟିଭିରେ ବଡ଼ ବଡ଼ ଅକ୍ଷରରେ ବ୍ରେକିଂ ବାଜୁଥିଲା ‘ସ୍ବାମୀକୁ ହତ୍ୟା କରି ସ୍ତ୍ରୀ ଗିରଫ’। ଆଉ ଟିଭି ସାମ୍ନାରେ ଏ ନ୍ୟୁଜକୁ ଦେଖୁଥିବା ଲୋକମାନେ ମମତାକୁ ଘୃଣା କରିବା ଆରମ୍ଭ କରିଦେଲେ। କେହି କେହି ମମତାକୁ ସ୍ତ୍ରୀ ନାଁରେ କଳଙ୍କ ବୋଲି ମଧ୍ୟ କହିଲେ। ମମତା ପାଲଟି ଯାଇଥିଲା ଏହି କଥିତ ସଭ୍ୟ ସମାଜ ପାଇଁ ଜଣେ ସ୍ବାମୀହନ୍ତା ନାରୀ । ୨୦୦୭ ଅକ୍ଟୋବର ୪ ତାରିଖ ବୈଦିକ ରୀତିରେ ନିଜ ଝିଅକୁ ବାହା ଦେଇ ବିଦା କରୁଥିଲେ ତା ବାପା-ମା । ମମତା ବିଦାୟ ବେଳେ ତା କାନେ କାନେ ମା’ କହୁଥିଲେ, ‘ଝିଅ ଲୋ ବାହାଘର ଭାରି ଜଟିଳ ଅଙ୍କ, କଷି ପାରିଲେ ଭାରି ସରଳ ନ ହେଲେ ସାରା ଜୀବନ ଅବୁଝା ହୋଇ ରହିଯିବ, ଶାଶୂ ଶ୍ବଶୁରଙ୍କ ଯତ୍ନ ନେବୁ, ସ୍ବାମୀ ଦେବତା ତୁଲ୍ୟ, ମା’ ଲୋ ସ୍ବାମୀ ଦେବତା ତୁଲ୍ୟ।’ ପୋଲିସ ମମତାକୁ ଗାଡ଼ିରେ ବସାଇ ନେବା ବେଳେ ଏହି ଗୋଟିଏ କଥା ତା କାନରେ ବାରମ୍ବାର ପଡୁଥିଲା। ‘ମାଆ ଲୋ ସ୍ବାମୀ ଦେବତା ତୁଲ୍ୟ... ମାଆ ଲୋ ସ୍ବାମୀ ଦେବତା ତୁଲ୍ୟ।’ ଦେବତାମାନେ କ’ଣ ମଦ ପିଇ ରାତି ଅଧରେ ନିଜ ସ୍ତ୍ରୀକୁ ମାରି ନିଜର ପୁରୁଷତ୍ବ ଦେଖାଇବା? ଦେବତାମାନେ କ’ଣ ନିଜ ସ୍ତ୍ରୀକୁ କାମନା ଚରିତାର୍ଥ କରିବାର ବସ୍ତୁ ଭାବନ୍ତି? ଦେବତାମାନେ କ’ଣ ମଦ ପାଇଁ ନିଜ ସ୍ତ୍ରୀକୁ ପଇସା ମାଗନ୍ତି ଆଉ ନ ପାଇଲେ ମାରନ୍ତି? ମଦ ନିଶାରେ ନିଜ ଛୋଟ ଓ ଛୋଟ ପିଲଙ୍କୁ ବି ମାରନ୍ତି? ହଠାତ ହସି ଉଠିଲା ମମତା, ଆଉ କହି ଉଠିଲା, ‘ମୁଁ ମୋ ଦେବତାକୁ ମାରି ଠିକ କରିଛି, ଠିକ କରିଛି ମୁଁ । ’ ତା କାନରେ କେବଳ ଶୁଭୁଥିଲା, ଯଥା ରାବଣସ୍ୟ ମନ୍ଦୋଦରୀ..ଯଥା ରାମସ୍ୟ ସୀତା...ମାଆ ଲୋ ସ୍ବାମୀ ଦେବତା ତୁଲ୍ୟ। ଏଇ ସବୁ ଭିତରେ ପାଗଳ ହୋଇ ଉଠୁଥିଲା ମମତା। ଠିକ ଏହି ସମୟରେ ବାହାରେ ଡାକବାଜୀ ଯନ୍ତ୍ରରେ ଶୁଭି ଉଠିଲା, ଅବକାରୀ ଦ୍ରବ୍ୟ ବିକିବାରେ ଖୋର୍ଦ୍ଧା ଜିଲ୍ଲା ନମ୍ବର ଏକ ହୋଇଛି, ଏଥି ପାଇଁ ସରକାର ଖୋର୍ଦ୍ଧା ଜିଲ୍ଲାକୁ ପୁରସ୍କୃତ କରିବେ।