ସୁକିନ୍ଦା ସମୃଦ୍ଧ, ନଗଡା ପୁଷ୍ଟିହୀନ

ସୁକିନ୍ଦା ସମୃଦ୍ଧ, ନଗଡା ପୁଷ୍ଟିହୀନ

Share :

  ସୁକିନ୍ଦା କ୍ରୋମ‌୍‍ ଉପତ୍ୟକାର ସବୁଠାରୁ ଦୁର୍ଗମ ଅଂଚଳର ମାନ୍ୟତା ପାଇଥିବା ଚିଙ୍ଗୁଡିପାଳ ପଂଚାୟତର ନଗଡାଠାରେ ଦେଖାଦେଇଥିବା ଶିଶୁ ମଡ଼କ ଥମିବାର ନା ଧରୁନି। ନିଜର ଅଜ୍ଞତା ହେଉ ଅବା ପ୍ରଶାସନର ଆନ୍ତରିକତାର ଅଭାବ ପାଇଁ ଏଠାରେ ଶିଶୁମୃତ୍ୟୁ ଘଟଣା ମହାମାରୀର ଋପ ନେଇଛି। କେଇମାସ ଭିତରେ ଏଠାରେ ବସବାସ କରୁଥିବା ଜୁଆଙ୍ଗ ପରିବାରର ୧୭ଟି ଶିଶୁଙ୍କର ଅକାଳ ବିୟୋଗ ଘଟିଲାଣି।   ଗତ ପ୍ରାୟ ତିନି ମାସ ମଧ୍ୟରେ ପୁଷ୍ଟିହୀନତା ଯୋଗୁଁ ଅକାଳରେ ମୃତ୍ୟୁବରଣ କରିଥିବା ୧୭ ଜଣ ଶିଶୁ  ହେଲେ ନିଧିଆ ପ୍ରଧାନର ଝିଅ ସୁକୁମାରୀ (୩), ପୁଅ ମଙ୍ଗୁଳି (୧), ରବି ପ୍ରଧାନର ପୁଅ କାବୁଲା (୮ ମାସ), ଗମାଇ ପ୍ରଧାନର ପୁଅ ଗୁଲିଆ (୯ ମାସ), ପଦୁ ପ୍ରଧାନର ଝିଅ ଦେଆପଦୀ(୩), ବିକ୍ରମ ପ୍ରଧାନର ଝିଅ ସୁମି(୨), ପବିତ୍ର ପ୍ରଧାନର ଝିଅ ସସ୍ମିତା(୩), ସନିଆ ପ୍ରଧାନର ପୁଅ ବଳିଆ(୩), ବାଇନ ପ୍ରଧାନର ଝିଅ ସୁମତୀ(୧), ଦେଶ ପ୍ରଧାନର ଝିଅ ରୀନା(୯ମାସ), ମଙ୍ଗଳା ପ୍ରଧାନର ଝିଅ ସରସ୍ୱତୀ(୩), ଘନିଆ ପ୍ରଧାନର ପୁଅ ରାଇସୁ(୨), ଶିବୁ ପ୍ରଧାନଙ୍କ ୩ମାସର ପୁଅ, ଧନିଆ ପ୍ରଧାନଙ୍କ ୧୦ ଦିନର ପୁଅ ଓ ବାବୁଲି ପ୍ରଧାନଙ୍କ ମାସକର ପୁଅ। ଉତ୍କଟ ପୁଷ୍ଟିହୀନତା ଓ ଅନୁପଯୁକ୍ତ ଜଳ ପାନ ଏସବୁ ମୃତ୍ୟୁର ପ୍ରାଥମିକ କାରଣ ବୋଲି ଜଣାପଡ଼ିଛି।   ସମୃଦ୍ଧ ସୁକିନ୍ଦାର ଅନୁନ୍ନତ ନଗଡ଼ା ଖଣି ଓ ଶିଳ୍ପ କମ୍ପାନୀଗୁଡ଼ିକ କିପରି ଲାଭ ଖାଇଲେ ମଧ୍ୟ ଲୋକଙ୍କ ଉନ୍ନତି ଦେଖନ୍ତି ନାହିଁ ତାହା ପ୍ରମାଣିତ କରିଛି। ରାଜ୍ୟ ସରକାର ଖଣି ଓ ଶିଳ୍ପରୁ ପ୍ରଚୁର ରାଜସ୍ବ ଆଦାୟ କରୁଥିଲେ ମଧ୍ୟ ସ୍ଥାନୀୟ ଅଂଚଳର ପୁଷ୍ଟିସାଧନ ପରିବର୍ତ୍ତେ ଅମଲାତନ୍ତ୍ରର ତୁଷ୍ଟିକରଣ କରିବାର ଏହା ଆଉ ଏକ ନମୁନା।   ଗୋଟେପଟେ ଏହି ଶିଶୁ ମୃତ୍ୟୁ ଘଟଣା ଲୋକଲୋଚନକୁ ଆସିବା ପରେ ପ୍ରଶାସନ ନିୟନ୍ତ୍ରଣ କରିବା ପାଇଁ ତତ୍ପରତା ପ୍ରକାଶ କରିଛି। ଏହି ଅଦିମ ଆଦିବାସୀ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ‌୍‍ କରିବା ପାଇଁ ଆରମ୍ଭ ହୋଇଛି ନଗଡା ବଂଚାଓ ଅଭିଯାନ। ଜିଲ୍ଲାପାଳଙ୍କ ଆବାହକତ୍ୱରେ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ଦୁର୍ଗମ ନଗଡା ବାସିନ୍ଦାଙ୍କ ପାଇଁ ଗମନାଗମନ, ପାନୀୟ, ସ୍ୱାସ୍ଥ୍ୟ ଏବଂ ଖାଦ୍ୟ ପାଇଁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯିବା ସହ ଏହା ତୁରନ୍ତ କାର୍ଯ୍ୟକାରୀ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି।   ତେବେ ଏହା ଭିତରେ ଲୁଚି ରହିଥିବା ଏହି ଶିଶୁ ମଡ଼କ ପାଇଁ ପ୍ରକୃତ ଦାୟୀ କିଏ ତାହା ଏବେ ପ୍ରଶ୍ନବାଚୀର ବିଷୟ। ସ୍ୱର୍ଣ୍ଣଗର୍ଭା ସୁକିନ୍ଦାରେ ନଗଡା ବୋଲି ଏକ ଗ୍ରାମ ରହିଥିବା ଜିଲ୍ଲା ପ୍ରାଶସନ ପାଖରେ ପୂର୍ବରୁ ଖବର ଥିଲା ନା ନାହିଁ? ଯଦି ଥିଲା ତାହାହେଲେ ସୁକିନ୍ଦା ଭଳି ଏକ ବିକାଶଶୀଳ ବ୍ଲକ‌୍‍ରେ ଏହି ଗ୍ରାମ ପ୍ରତି ପ୍ରଶାସନର ଅବହେଳା ରହିଲା କାହିଁ କି? ଅନ୍ୟପଟେ ଦିନକୁ ଦିନ ଏହି ସୁକିନ୍ଦା ମାଟିରୁ କୋଟି କୋଟି ମୁନାଫା କମଉଥିବା ଖଣି କଂପାନୀଗୁଡ଼ିକର ପାରିପାର୍ଶ୍ୱିକ ବିକାଶ ମାଚିତ୍ରରେ ନଗଡା ରହିଲାନି କେମିତି? ଲୋକମାନଙ୍କ ସେବକ ସାଜି ସୁକିନ୍ଦାକୁ ବିକାଶ ପଥ ଆଗେଇ ନେଉଥିବା ଦାବି କରୁଥିବା ଲୋକ ପ୍ରତିନିଧି କିମ୍ୱା ବିରୋଧୀଙ୍କ ଦୃଷ୍ଟି ଆଢୁଆଳରେ ରହିଲା କେମିତି ନଗଡ଼ା? ଏମିତି ଅନେକଗୁଡାଏ ପ୍ରଶ୍ନ ସିଧାସଳଖ ଶୀତତାପ ନିୟନ୍ତ୍ରିତ କୋଠରିରେ ବସି ବିକାଶର ନକ୍ସା ପ୍ରସ୍ତୁତ କରୁଥିବା ନେତା ଓ ବାବୁମାନଙ୍କ ଆଡକୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛି।

Share :