କଳିଙ୍ଗନଗରରେ ଠିକା ଓଡ଼ିଆ!

କଳିଙ୍ଗନଗରରେ ଠିକା ଓଡ଼ିଆ!

Share :

ଶରତ ପଥାଳ   ରାଜ୍ୟରେ ଶିଳ୍ପ ହେଲେ ଓଡ଼ିଆ ବେକାରୀଙ୍କୁ ନିଯୁକ୍ତି ମିଳିବ। ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ଘଟିବ। ଲୋକଙ୍କୁ ଏହି ପ୍ରତିଶ୍ରୁତି ଦେଇ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ଶିଳ୍ପକୁ ଶସ୍ତାରେ ଜମି, ପାଣି ଓ ଖଣି ସମେତ ଅନ୍ୟାନ୍ୟ ଭିତ୍ତିଭୂମି ଓ କଂଚାମାଲ ସୁବିଧା ଯୋଗାଇଛନ୍ତି। ସେଥିପାଇଁ ଅନେକ ଜାଗାରେ ଶିଳ୍ପ ବିରୋଧୀଙ୍କୁ ପୁଲିସ ଓ ଗୁଣ୍ଡା ଲଗାଇ ହତ୍ୟା କରାଯାଇଛି। ଅନେକ ଜାଗାରେ କୋଟିକୋଟି ଟଙ୍କାର ଜମିକୁ ହଜାର ଓ ଲକ୍ଷରେ ବିକ୍ରି କରାଯାଇଛି। କେତେକ କମ୍ପାନୀକୁ ୫-୧୦ ଯାଏଁ ଟିକସ ଛାଡ଼ କରାଯାଇଛି। ତଥାପି, ସ୍ଥାନୀୟ ଅଂଚଳର ବେକାରୀ ସମସ୍ୟା ହଟି ନାହିଁ। ଶିକ୍ଷିତ ଓ ତାଲିମପ୍ରାପ୍ତ ଯୁବକଯୁବତୀ ସ୍ଥାନୀୟ କାରଖାନାରେ ନିଯୁକ୍ତିରୁ ବଂଚିତ ହୋଇଛନ୍ତି। ପ୍ରତାରଣ କରିଛି ଶିଳ୍ପ ଓ ସରକାରଙ୍କ ଶିଳ୍ପାୟନର ଇସ୍ତାହାର।   ଏସିଆ ମହାଦେଶର ଶିଳ୍ପ ରାଜଧାନୀ ବୋଲି କୁହାଯାଉଥିବା କଳିଙ୍ଗନଗରରେ ୧୦ଟି କାରଖାନା ଉତ୍ପାଦନ କରୁଛନ୍ତି। ଏଠାରେ ଗଢି ଉଠିଥିବା ଶିଳ୍ପ ମଧ୍ୟରୁ ଅନେକଙ୍କୁ ମୂଲ୍ୟଯୁକ୍ତ ନୀତି ଆଧାରରେ ଖଣି ଯୋଗାଇ ଦିଆଯାଇନି। ନିଜସ୍ବ ଖଣିରୁ ଏକରକମ ମାଗଣାରେ କଂଚାମାଲ ପାଉଥିଲେ ମଧ୍ୟ ଅନ୍ତର୍ଜାତୀୟ ବଜାରରେ ଇସ୍ପାତର ଚାହିଦା ହ୍ରସା ଯୋଗୁଁ କଳିଙ୍ଗନଗରର ଅନେକ ଶିଳ୍ପର ପରିସ୍ଥିତି ଏବେ ବେହାଲ।  ଉଦଘାଟନର ୬ ମାସ ପରେ ମଧ୍ୟ ଟାଟା କାରଖାନା ପୂର୍ଣ୍ଣ ତ୍ପାଦନକ୍ଷମ ହୋଇନାହିଁ। ଭିସା ଓ ମଇଥାନ ବିକ୍ରି ହେବା ଉପରେ। ଅନ୍ୟ କାରଖାନାଗୁଡ଼ିକ ଓଳିଏ ଚାଲିଲେ ଦି’ ଓଳି ବନ୍ଦ। ସେଥିପାଇଁ ଅନେକ କାରଖାନା ପୂର୍ବରୁ ନିଯୁକ୍ତ କରିଥିବା କର୍ମଚାରୀ ଓ ଶ୍ରମିକଙ୍କୁ ଛଟେଇ କରିବା ଆରମ୍ଭ କଲେଣି। ସରକାରଙ୍କ ନିଯୁକ୍ତି ନୀତିକୁ ଫାଙ୍କିବା ପାଇଁ କଳିଙ୍ଗନଗର କାରଖାନାଗୁଡ଼ିକ ସିଧସାଳଖ ନିଯୁକ୍ତି ନଦେଇ ଶ୍ରମ ଠିକାଦାର ବା ପ୍ଲେସମେଣ୍ଟ କମ୍ପାନୀଙ୍କ ଜରିଆରେ କର୍ମଚାରୀ ଚୟନ କରିଥିଲେ। ଆଉଟିସୋର୍ସିଂ ଜରିଆରେ ନିଯୁକ୍ତ କରାଯାଇଥିବା କର୍ମଚାରୀଙ୍କ ପାଇଁ କାରଖାନା କୌଣସି ଉତ୍ତରଦାୟିତ୍ବ ବହନ କରୁ ନାହିଁ।   ଏବେ ଛଟେଇ ଚାଲିଥିବାବେଳ ଶିଳ୍ପ ଯୋଗୁଁ ଯେ ବେକାରୀ ହଟିଛି, ତାହା କହିବା ବାହୁଲ୍ୟ ହେବ। କଳିଙ୍ଗନଗର କାରଖାନାଗୁଡ଼ିକ ସ୍ଥାନୀୟ ଲୋକଙ୍କର ମୌଳିକ ସାମ୍ୱିଧାନିକ ଅଧିକାରକୁ ଅଣ ଦେଖା କରିଥିବା ଅଭିଯୋଗ ହେଉଛି। ବିଶେଷ କରି ଶିଳ୍ପ ପାଇଁ ଯେଉଁ ତଫସିଲଭୁକ୍ତ ଜାତି ଓ ଜନଜାତିଙ୍କୁ ଜମିବାଡ଼ି, ଘରଢିହ ଛାଡ଼ିବାକୁ ପଡ଼ିଛି ସେହିମାନଙ୍କ ଶିଳ୍ପପାଇଁ ମୌଳିକ ଅଧିକାର ଓ ଜୀବନ ଜୀବିକା ସଂପୂର୍ଣ୍ଣ ଭୁଶୁଡ଼ି ପଡିଛି। ସରକାର ଓ ଶିଳ୍ପାନୁଷ୍ଟାନଗୁଡ଼ିକ ଖୋଲାଖୋଲି ଓ.ଆର.ଭି ଆଇନ‌୍‍କୁ ଉଲ୍ଲଙ୍ଘନ କରୁଛନ୍ତି। ଦୀର୍ଘ ବର୍ଷ ହେବ ଏହି ଆଇନକୁ ଫାଙ୍କି ଚାଲିଥିବା ଅଭିଯୋଗ ହେଉଛି। ଯେଉଁଠିକି ତଫସିଲଭୁକ୍ତ ଜାତି ଓ ଜନଜାତିଙ୍କୁ ସାମାଜିକ ଅର୍ଥନୈତିକ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଭାରତୀୟ ସାମ୍ୱିଧାନିକ ନିୟମ ଅନୁଯାୟୀ ଶିକ୍ଷା, ଚାକିରୀ, ରାଜନୀତି ଓ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାରେ ସଂଖ୍ୟାନୁପାତିକ ସଂରକ୍ଷଣ ରଖିଛନ୍ତି। ଏହାକୁ ମଧ୍ୟ କେନ୍ଦ୍ର ସରକାର ଓ ମାନ୍ୟବର ସୁପ୍ରିମ କୋର୍ଟ ତାଙ୍କ ଆଦେଶରେ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଶିଳ୍ପନଗରୀରେ  କାର୍ଯ୍ୟକାରୀ କରାଯାଉନି।   ସୂଚନା ଅଧିକାର ଆଇନ‌୍‍ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ ଶିଳ୍ପ ରାଜଧାନୀ କଳିଙ୍ଗନଗରରେ ଗଡ଼ି ଉଠିଥିବା ପ୍ରମୁଖ ୧୦ଟି ଶିଳ୍ପ କାରଖାନାରେ ମାର୍ଚ୍ଚ ୨୦୧୬ ମଧ୍ୟରେ ମୋଟ ୯୩ ହଜାର ୮୬୭ ଜଣ କର୍ମଚାରୀ ନିଯୁକ୍ତ ପାଇଥିବା ବେଳେ ଅଣ ଓଡ଼ିଆ ଅଧିକାରୀଙ୍କ ସଂଖ୍ୟା ଓଡ଼ିଆଙ୍କଠାରୁ ଅଧିକ ରହିଛି। ଦୁଃଖର ବିଷୟ ଏଠାରେ ଗଢି ଉଠିଥିବା ଶିଳ୍ପ ଆଦିବାସୀମାନଙ୍କର ଜମିଜମା ନେବା ପରେ  ସେମାନଙ୍କୁ ଆଉ ଶିଳ୍ପାନୁଷ୍ଠାନଗୁଡ଼ିକରେ ନିଯୁକ୍ତି ଦେଉନାହାନ୍ତି। ଟାଟା ଷ୍ଟିଲ‌୍‍, ‍ବିଆରପିଏଲ‌୍‍, ଜିନ୍ଦଲ ଷ୍ଟେନଲେସ‌୍‍, ଭିସାଷ୍ଟିଲ, ୟାଜଦାନୀ ଷ୍ଟିଲ ଆଣ୍ଡ ପାୱାର, ରୋହିତ ଫେରୋ ଟେକ‌୍‍, ମେସ୍କୋ ଷ୍ଟିଲ‌୍‍, ନୀଳାଚଳ ଇସ୍ପାତ ନିଗମ, ମଇଥାନ ଇସ୍ପାତ ଓ କେଜେ ଇସ୍ପାତ ଲିମିଟେଡ଼‌୍‍  ପରି କରଖାନାଗୁଡ଼ିକରେ ଯେଉଁ ୯୩,୮୬୭ ଜଣ କର୍ମଚାରୀଙ୍କୁ ନିଯୁକ୍ତି ମିଳିଛି। କିନ୍ତୁ ଏହି ନିଯୁକ୍ତି କ୍ଷେତ୍ରରେ ବିସ୍ଥାପିତ, ଆଂଚଳିକ, ଜିଲା ଓ ଓଡ଼ିଶାର ବେକାରୀ ତପସିଲଭୁକ୍ତ ଜାତି ଓ ଜନଜାତି ବର୍ଗର ଶିକ୍ଷିତ କୁଶଳୀ ଓ ଅଣକୁଶଳୀଙ୍କ ନିଯୁକ୍ତି ନେ ରହିଥିବା ନୀତିନିୟମ ପାଳନ କରାଯାଇନି। ନିଯୁକ୍ତି କ୍ଷେତ୍ରରେ ବହୁ ଶିଳ୍ପସଂସ୍ଥା ସାମ୍ୱିଧାନିକ ଆଇନ ମାନି ନାହାନ୍ତି।   ବିଭିନ୍ନ ଶିଳ୍ପରେ ୯୩,୮୬୭ ଜଣ ନିଯୁକ୍ତି ପାଇଛନ୍ତି ସେମାନଙ୍କ ମଧ୍ୟରେ ନିୟମିତ କର୍ମଚାରୀଙ୍କ ସଂଖ୍ୟା ହେଉଛି ମାତ୍ର ୨୪,୨୩୫  ରହିଛି। ଏଥିମଧ୍ୟରୁ  ଯାଜପୁର ଜିଲା ଓ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରୁ ୧୮,୫୭୭ ଜଣ ଓଡ଼ିଆ ଓ ୭୦୭୦ ଜଣ ବାହାର ରାଜ୍ୟରୁ ନିଯୁକ୍ତି ପାଇଛନ୍ତି।  ଏମାନଙ୍କ ମଧ୍ୟରେ ପୁରୁଷ ୧୫,୮୨୭ ଜଣ ଓ ମହିଳା ୮୪୦୮ ଅଛନ୍ତି। ଠିକା ଶ୍ରମିକଙ୍କ ସଂଖ୍ୟା ମୋଟ ୭୦,୬୪୦। ଏମାନଙ୍କ ମଧ୍ୟରୁ ଓଡ଼ିଶାର ୫୬,୪୧୬ ଜଣ ଥିବା ବେଳେ ବାହାର ରାଜ୍ୟରୁ ୧୪,୨୨୪ ଜଣ ନିଯୁକ୍ତି ପାଇଛନ୍ତି। କାରଖାନାଗୁଡ଼ିକର ନିଯୁକ୍ତି ପରିସଂଖ୍ୟାନରୁ ଜଣାଯାଏ ଯେ ଅଣକୁଶଳୀ ଶ୍ରମିକ ନିଯୁକ୍ତି ଅଧିକ ହୋଇଥିଲେ ମଧ୍ୟ କୁଶଳୀ ଓ  ଅର୍ଦ୍ଧକୁଶଳୀ ଓ ସୁପରଭାଇଜର/ମ୍ୟାନେଜର ଆଦି ପରିଚାଳନା ପଦପଦବୀ କ୍ଷେତ୍ରରେ ଜିଲ୍ଲା ଓ ରାଜ୍ୟ ପ୍ରାର୍ଥୀଙ୍କୁ ସଂପୂର୍ଣ୍ଣ ଅଣଦେଖା କରାଯାଇଛି।   କଳିଙ୍ଗନଗରରେ ୧୧୧୮୪ ଜଣ ଅଣକୁଶଳୀ ଶ୍ରମିକ ନିଯୁକ୍ତି ପାଇଥିବା ବେଳେ, ୮୦୨୭ ଅର୍ଦ୍ଧକୁଶଳୀ,  ୧୨୪୬୮କୁଶଳୀ, ୬୨୬୦ ଉଚ୍ଚକୁଶଳୀ, ୧୭୦୦ ନିର୍ବାହୀ, ୧୫୦୭ ଅଣନିର୍ବାହୀ, ୫୯୬୦ ସୁପରଭାଇଜନର ଓ ୪୯ ଜଣ ଟ୍ରେନି ନିଯୁକ୍ତି ପାଇଛନ୍ତି। ଶିଳ୍ପ ପାଇଁ ୪୮୨ ପରିବାରକୁ ବିସ୍ଥାପିତ କରାଯାଇ ଥିବା ବେଳେ ତନ୍ମଧ୍ୟରୁ ୨୮୦ ଜଣଙ୍କୁ ନିଯୁକ୍ତି ମିଳିଛି।   କେଉଁ ମସିହାରେ କେତେ ନିଯୁକ୍ତି ଦିଆଯାଇଛି ଓ ତଫସିଲଭୁକ୍ତ ଜାତି ଓ ଜନଜାତିର କେତେ ଜଣ ନିଯୁକ୍ତି ପାଇଛନ୍ତି ସୂଚନା ଆଇନ ଅନୁସାରେ ତା’ର ସଠିକ ତଥ୍ୟ ଦେବାକୁ ଶିଳ୍ପ ସଂସ୍ଥାଗୁଡ଼ିକ ପଛଘୁଞ୍ଚା ଦେଇଛନ୍ତି। ରାଜ୍ୟର ଖଣି-ଖାଦାନ, ଭୂତଳ ଜଳ, ଜମି, ବିଦ୍ୟୁତ ଶକ୍ତିରାସ୍ତା ସବୁନେଇ ବାହାର ରାଜ୍ୟପିଲା ଚାକିରୀ କରୁଛନ୍ତି, କିନ୍ତୁ ଓଡ଼ିଶା ପିଲା ବେକାର ହୋଇ ବୁଲୁଛନ୍ତି।   କଳିଙ୍ଗନଗରରେ ଟାଟା ଷ୍ଟିଲ‌୍‍ ମୋଟ‌୍‍ ୨୬,୧୨୦ ଜଣଙ୍କୁ ନିଯୁକ୍ତି ଦେଇଥିବା ବେଳେ ତନ୍ମଧ୍ୟରେ ଅଣକୁଶଳୀ ୫୫୫୫, ଅର୍ଦ୍ଧକୁଶଳୀ ୪୪୭୮, କୁଶଳୀ ୭୫୭୫, ଉଚ୍ଚକୁଶଳୀ ୩୬୨, ସୁପରଭାଇଜର/ମ୍ୟାାନେଜର ୩୭୪୫, ଏଜକୁଟିଭବା ନିର୍ବାହୀ ୧୪୫ ହେଉଛନ୍ତି ଓଡ଼ିଶାର। ନିୟମିତ ୩୧୨୦ କର୍ମଚାରୀଙ୍କ ମଧ୍ୟରୁ ଓଡ଼ିଆ ୧୬୮୧ ଓ ଅଣଓଡ଼ିଆ ୧୪୩। ଅଣକୁଶଳୀରେ ୧୫୩, ଅର୍ଦ୍ଧ-କୁଶଳୀ ୧୧୦, କୁଶଳୀରେ ୩୬୭, ଉଚ୍ଚକୁଶଳୀରେ ୩୫୧, ସୁପରଭାଇଜର/ମ୍ୟାାନେଜର ୬୬, ଏଜକୁଟିଭ‌୍‍ ୩୨, ଜଣ ଓଡ଼ିଆ ଥିବାବେଳେ ଅଣକୁଶଳୀ ୦, ଅର୍ଦ୍ଧକୁଶଳୀରେ ୦, କୁଶଳୀରେ ୧୬୨, ଉଚ୍ଚକୁଶଳୀରେ ୨୩୭, ସୁପରଭାଇଜର/ମ୍ୟାାନେଜର ୯୨୭, ଏଜକୁଟିଭ ୧୧୩, ମୋଟ ୧୪୩୯ ଜଣ ହେଉଛନ୍ତି ଅଣଓଡ଼ିଆ। ସେହିପରି ମୋଟ ୨୩୦୦୦ ଠିକା ଶ୍ରମିକଙ୍କ ମଧ୍ୟରୁ ଓଡ଼ିଆ ହେଉଛନ୍ତି ୧୭୦୧୦ ଓ ଅଣଓଡ଼ିଆ ୫୯୯୦। କାରଖାନାରେ ୫୩୦୧ ଅଣକୁଶଳୀ, ୩୬୩୯ ଅର୍ଦ୍ଧକୁଶଳୀ, ୪୫୯୯ କୁଶଳୀ, ୧୯୯୧ କୁଶଳୀ,  ୧୪୮୦ ସୁପରଭାଇଜର/ମ୍ୟାାନେଜର, ୩୨ ଏଜକୁଟିଭ ହେଉଛନ୍ତି ଓଡ଼ିଆ ଓ ୧୧୦୧ ଅଣକୁଶଳୀ, ୭୨୯ ଅର୍ଦ୍ଧକୁଶଳୀରେ, ୨୪୪୭ କୁଶଳୀରେ, ୧୪୦୩ ଉଚ୍ଚ କୁଶଳୀରେ, ୬୭୦ ସୁପରଭାଇଜର/ମ୍ୟାାନେଜର, ୩୨ ଏଜକୁଟିଭ ହେଉଛନ୍ତି ଅଣଓଡ଼ିଆ।   ବ୍ରହ୍ମଣୀ ରିଭର ପେଲେଟ‌୍‍ ଲିଃରେ ନିଯୁକ୍ତ ହୋଇଥିବା ମୋଟ ୪୪୩ ଜଣଙ୍କ ମଧ୍ୟରେ ୧୨୫ ଜଣ ହେଉଛନ୍ତି ନିୟମିତ। ସେଥିମଧ୍ୟରୁ ଓଡ଼ିଆ ହେଲେ ୯୮, ଓ ଅଣଓଡ଼ିଆ ୨୭। ସେହିପରି ୩୧୮ ଜଣ ଠିକା ଶ୍ରମିକଙ୍କ ମଧ୍ୟରେ ଓଡ଼ିଆ ୩୧୫ ଓ ୩ ଅଣଓଡ଼ିଆ ଅଛନ୍ତି। ଜିନ୍ଦଲ ଷ୍ଟେନଲେସ୍ ଲିଃରେ ନିଯୁକ୍ତ ହୋଇଥିବା ୭୪୦୩ ଜଣଙ୍କ ମଧ୍ୟରୁ ୧୭୧୩ ଜଣ ନିୟମିତ କାର୍ଯ୍ୟ କରୁଛନ୍ତି। ସେମାନଙ୍କ ମଧ୍ୟରେ ଓଡ଼ିଆ ୧୦୧୬ ଓ ଅଣଓଡ଼ିଆ ୬୯୭। ସେହିପରି ୫୬୯୦ ଜଣ ଠିକା ଶ୍ରମିକଙ୍କ ମଧ୍ୟରେ ଓଡ଼ିଆ ୪୯୫୯ ଓ ଅଣଓଡ଼ିଆ ୭୩୧ ଜଣ। ନିୟମିତଙ୍କ ମଧ୍ୟରେ ଅଣକୁଶଳୀ ୩୬, ଅର୍ଦ୍ଧକୁଶଳୀ ୬୪, କୁଶଳୀ ୪୮, ଉଚ୍ଚ-କୁଶଳୀ ୩୩, ସୁପରଭାଇଜର/ମ୍ୟାାନେଜର ୪୯, ଏଜକୁଟିଭ ୨୪୩ ହେଲେ ଓଡ଼ିଆ ଓ ଅଣକୁଶଳୀ ୩୬, ଅର୍ଦ୍ଧକୁଶଳୀ ୬୬, କୁଶଳୀ ୫୫, ଉଚ୍ଚ କୁଶଳୀ ୩୫, ସୁପରଭାଇଜର/ମ୍ୟାାନେଜର ୯୨୮, ଏଜକୁଟିଭ ୫୯୩ ହେଲେ ଅଣଓଡ଼ିଆ।   ଭିସା ଷ୍ଟିଲରେ କାର୍ଯ୍ୟରତ ୪୭୧୨ ଜଣଙ୍କ ମଧ୍ୟରୁ ରେଗୁଲାର ହୋଇଛନ୍ତି ୨୧୮୩ ଜଣ। ସେଥିମଧ୍ୟରୁ ଓଡ଼ିଆ ୧୨୭୬, ଅଣଓଡ଼ିଆ ୯୦୭। ସେହିପରି ମୋଟ ୨୫୨୯ ଠିକାଶ୍ରମିକଙ୍କ ମଧ୍ୟରୁ ଓଡ଼ିଆ ୨୩୯୬, ଅଣଓଡ଼ିଆ ୧୩୩। ନିୟମିତ ହୋଇଥିବା ଅଣକୁଶଳୀ ୨, ଅର୍ଦ୍ଧକୁଶଳୀ ୫୧, କୁଶଳୀ ୨୨୭, ଉଚ୍ଚକୁଶଳୀ ୩୫୧, ଟ୍ରେନିଂ ୧୨, ଏଜକୁଟିଭ ୬୩୨  ହେଉଛନ୍ତି ଓଡ଼ିଆ ଓ ଅଣକୁଶଳୀ ୧, ଅର୍ଦ୍ଧକୁଶଳୀ ୨୧, କୁଶଳୀ ୧୨୪,      ଉଚ୍ଚକୁଶଳୀ ୩୦୪, ଟ୍ରେନି ୭, ଏଜକୁଟିଭ ୪୫୦ ହଉଛନ୍ତି ଅଣଓଡ଼ିଆ। ଠିକା ଶ୍ରମିକଙ୍କ କ୍ଷେତ୍ରରେ ଅଣକୁଶଳୀ ୧୩୭୩, ଅର୍ଦ୍ଧକୁଶଳୀ ୫୧୮, କୁଶଳୀ ୩୧୧, ଉଚ୍ଚକୁଶଳୀ ୧୯୪ ଜଣ ହେଲ ଓଡ଼ିଆ ଓ ଅଣକୁଶଳୀ ୭୭, ଅର୍ଦ୍ଧକୁଶଳୀ ୧୯, କୁଶଳୀ ୧୭, ଉଚ୍ଚକୁଶଳୀ ୨୦ ଜଣ ହେଲେ ଅଣଓଡ଼ିଆ। ନୀଳାଚଳ ଇସ୍ପାତରେ ମୋଟ ୪୮୩୨ ଜଣଙ୍କ ମଧ୍ୟରୁ ୩୩୭୩ ଜଣ ହେଲ ନିୟମିତ। ସେମଧ୍ୟରୁ ଓଡ଼ିଆ ୩୭୬୭ ଓ ଅଣଓଡ଼ିଆ ୩୧୨। ଠିକା ଶ୍ରମିକ ୧୪୫୯ ଜଣଙ୍କ ମଧ୍ୟରେ ଓଡ଼ିଆ ୧୩୩୩, ଅଣଓଡ଼ିଆ ୧୨୬। ନିୟମିତଙ୍କ ମଧ୍ୟରେ ଅର୍ଦ୍ଧକୁଶଳୀ ୭୧୪, କୁଶଳୀ ୪୭୭, ଉଚ୍ଚକୁଶଳୀ ୫୩୬, ଟ୍ରେନି ୩୪, ସୁପରଭାଇଜର ୫୩୬, ନନ‌୍‍ ଏଜକୁଟିଭ‌୍‍ ୧୧୫୭, ଏଜକୁଟିଭ ୩୦୩ ହେଲେ ଓଡ଼ିଆ ଓ କୁଶଳୀ ୩୪, ଉଚ୍ଚ କୁଶଳୀ ୬୫,. ଟ୍ରେନି ୧୧, ଏଜକୁଟିଭ ୧୦୩ ଓ ନନ‌୍‍ ଏଜକୁଟିଭ ୩୪ ଜଣ ହେଲ ଅଣଓଡ଼ିଆ। ଠିକା ଶ୍ରମିକଙ୍କ ମଧ୍ୟରେ ଅଣକୁଶଳୀ ୭୦୮, ଅର୍ଦ୍ଧକୁଶଳୀ ୩୯, କୁଶଳୀ ୪୩୫, ଉଚ୍ଚକୁଶଳୀ ୧୫୧ ଜଣ ଓଡ଼ିଆ ହୋଇଥିବାବେଳେ ଅର୍ଦ୍ଧକୁଶଳୀ ୧୨୬ ଜଣ ହେଲେ ଅଣଓଡ଼ିଆ।   ମୈଥାନ ଇସ୍ପାତ ଲିଃର ୯୬୨ ଜଣ କର୍ମଚାରୀଙ୍କ ମଧ୍ୟରୁ ୨୬୩ ହେଉଛନ୍ତି ନିୟମିତ। ସେଥିରୁ ଓଡ଼ିଆ ୨୧୦ ଓ ଅଣଓଡ଼ିଆ ୫୩। ଠିକା ଶ୍ରମିକ ୬୯୯ ଜଣଙ୍କ ମଧ୍ୟରେ ଓଡ଼ିଆ ୬୧୮ ଓ ଅଣଓଡ଼ିଆ ୮୧। ନିମୟିତଙ୍କ ମଧ୍ୟରେ କୁଶଳୀ ୮୪, ଉଚ୍ଚକୁଶଳୀ ୮୧, ଏଜକୁଟିଭ ୩୭ ହେଲେ ଓଡ଼ିଆ ଓ କୁଶଳୀ ୧୬, ଉଚ୍ଚକୁଶଳୀ ୨୭,  ଏଜକୁଟିଭ ୧୦ ଜଣ ହେଲେ ଅଣଓଡ଼ିଆ। ଠିକା ଶ୍ରମିକଙ୍କ ମଧ୍ୟରେ ଅଣକୁଶଳୀ ୨୦୪, ଅର୍ଦ୍ଧକୁଶଳୀ ୧୯୮, କୁଶଳୀ ୧୬୩, ଉଚ୍ଚକୁଶଳୀ ୧୮, ଏଜକୁଟିଭ‌୍‍ ୧୫ ଜଣ ହେଲେ ଓଡ଼ିଆ ଓ ଅଣକୁଶଳୀ ୧୧, ଅର୍ଦ୍ଧକୁଶଳୀ ୪୦, କୁଶଳୀ ୨୨, ଉଚ୍ଚକୁଶଳୀ ୬ ଓ ଏଜକୁଟିଭ‌୍‍ ୨ ଜଣ ହେଲେ ଅଣଓଡ଼ିଆ। ମେସ୍କୋରେ ମୋଟ ୧୦୭୩ କର୍ମଚାରୀଙ୍କ ମଧ୍ୟରୁ ୪୯୬ ହେଉଛନ୍ତି ନିୟମିତ। ସେମଧ୍ୟରୁ ଓଡ଼ିଆ ୪୫୫ ଓ ଅଣଓଡ଼ିଆ ୪୧। ମୋଟ ୫୮୦ ଠିକା ଶ୍ରମିକଙ୍କ ମଧ୍ୟରେ ଓଡ଼ିଆ ୫୫୫ ଓ ଅଣଓଡ଼ିଆ ୨୫। କେଜେ ଇସ୍ପାତ ଲିଃରେ ମୋଟ ୧୮୭ କର୍ମଚାରୀରୁ ୧୧୫ ନିୟମିତ ନିଯୁକ୍ତି ପାଇଛନ୍ତି। ସେମାନଙ୍କ ମଧ୍ୟରେ ଓଡ଼ିଆ ୧୦୭ ଓ ଅଣଓଡ଼ିଆ ୮। କାରଖାନାରେ ମୋଟ ୭୨ ଜଣ ଠୀକା ଶ୍ରମିକ କାମ କରନ୍ତି। ୟାଜଦାନୀ ଲିଃରେ  ୪୮୯ ଜଣରୁ ୧୯୪ ଜଣ ନିୟମିତ କାର୍ଯ୍ୟ କରୁଛନ୍ତି। କାରଖାନାରେ ମୋଟ ୨୯୩ ଜଣ ଠିକା ନିଯୁକ୍ତି ପାଇଛନ୍ତି।   ସେହିପରି ରୋହିତ ଫେରୋଟେକ‌୍‍ ଲିଃରେ ମୋଟ ୧୩୦୭ କର୍ମଚାରୀଙ୍କ ମଧ୍ୟରେ ୫୯୩ ଜଣ ନିୟମିତ। ସେଥିମଧ୍ୟରୁ ଓଡ଼ିଆ ୫୪୧ ଓ ଅଣଓଡ଼ିଆ ୫୨। କାରଖାନାରେ ଠିକା ନିଯୁକ୍ତିରେ ଅଛନ୍ତି ୭୧୪୯ ଜଣ। ସେମାନଙ୍କ ମଧ୍ୟରେ ଓଡ଼ିଆ ୬୯୦ ଓ ଅଣଓଡ଼ିଆ ୨୪। ଭିସା ଷ୍ଟିଲରେ ମୋଟ କାର୍ଯ୍ୟରତ ୪୭୧୨ ଜଣଙ୍କ ମଧ୍ୟରେ ୨୧୮୩ ଜଣ ନିୟମିତ ନିଯୁକ୍ତି ପାଇଛନ୍ତି। ତନ୍ମଧ୍ୟରେ ଓଡ଼ିଆ ୧୨୭୬ ଓ ଅଣଓଡ଼ିଆ ୯୦୭।  କାରଖାନାର ମୋଟ ୨୫୨୯ ଠିକା କର୍ମଚାରୀଙ୍କ ମଧ୍ୟରେ ଓଡ଼ିଆ୨୩୯୬ ଓ ଅଣଓଡ଼ିଆ ୧୩୩। ନିୟମିତଙ୍କ ମଧ୍ୟରେ ଅଣକୁଶଳୀ ୨, ଅର୍ଦ୍ଧକୁଶଳୀ ୫୧, କୁଶଳୀ ୨୨୭, ଉଚ୍ଚକୁଶଳୀ ୩୫୧,  ଟ୍ରେନି ୧୨, ଏଜକୁଟିଭ ୬୩୨ ଜଣ ହେଲ ଓଡ଼ିଆ ଓ ଅଣକୁଶଳୀ ୧, ଅର୍ଦ୍ଧକୁଶଳୀ ୨୧, କୁଶଳୀ ୧୨୪, ଉଚ୍ଚକୁଶଳୀ ୩୦୪, ଟ୍ରେନି ୭ ଓ ଏଜକୁଟିଭ ୪୫୦ ହେଲେ ଅଣଓଡ଼ିଆ।   ସୂଚନା ଅଧିକାର ଆଇନ ବଳରେ ମିଳିଥିବା ଏହି ହିସାବରୁ  କଳିଙ୍ଗନଗରର କାରଖାନାଗୁଡ଼ିକ କିପରି ସ୍ଥାନୀୟ ତଥା ଓଡ଼ିଆ ପ୍ରାର୍ଥୀଙ୍କୁ ଅବହେଳା କରିଛନ୍ତି ତାହା ବେଶ୍ ସ୍ପଷ୍ଟ। ଓଡ଼ିଆ କର୍ମଚାରୀଙ୍କୁ ନିୟମିତ ନିଯୁକ୍ତି ନଦେଇ ଠିକା ନିଯୁକ୍ତି ଦେବା, ଯୋଗ୍ୟ ଓଡ଼ିଆ ପ୍ରାର୍ଥୀଙ୍କୁ ତତ୍ତ୍ବାବଧାନ ଓ ପରିଚାଳନା ପଦପଦବୀରେ ନେଇ ଶ୍ରମିକ ବର୍ଗରେ ନିଯୁକ୍ତି ଦେବା ଘଟଣାରୁ ଓଡ଼ିଶା ଓ ଓଡ଼ିଆଙ୍କ ପ୍ରତି କମ୍ପାନୀଗୁଡ଼ିକର ଅଭିମୁଖ୍ୟ ଜଣାପଡ଼ିଯାଉଛି। ଓଡ଼ିଆଙ୍କ ପ୍ରତି ଓଡ଼ିଶାର ପ୍ରଚଳିତ ସରକାରର ମଧ୍ୟ ଏହି ଆଭିମୁଖ୍ୟ ରହିଥିବାରୁ କମ୍ପାନୀଗୁଡ଼ିକ ଏଭଳି ଓଡ଼ିଆ ବିରୋଧୀ ନୀତି ସତ୍ତ୍ବେ ଓଡ଼ିଶା ଭିତରେ ବ୍ୟବସାୟ ଚଳାଇଛନ୍ତି।

Share :