ଚାଲ ପିଇବା ଆମ୍ବ ଓ ପଣସ ମଦ!

ଚାଲ ପିଇବା ଆମ୍ବ ଓ ପଣସ ମଦ!

Share :

 ଓଡ଼ିଶାରେ ଭାତରୁ ଚାଉଳି ଓ ମହୁଲରୁ ମହୁଲି ମଦ ତିଆରି ହେଉଥିବା କଥା ପ୍ରାୟ ସମସ୍ତେ ଜାଣନ୍ତି। କିନ୍ତୁ ଆମ୍ୱ, ପଣସ ଓ ଜାମୁ କୋଳିରୁ ମଦ ପ୍ରସ୍ତୁତ ହେଉଥିବା କଥା ଅନେକେ ଜାଣି ନଥିବେ। ସେମାନଙ୍କୁ ଏକଥା ଆଶ୍ଚର୍ଯ୍ୟ ବୋଧ ହେଉଥିବ। ମାତ୍ର ଏହା ସତ। ଏଭଳି ଅନେକ ପ୍ରକାର ଜଙ୍ଗଲି ଫଳମୂଳରୁ ମଦ ତିଆରି କରୁଛନ୍ତି ମାଲକାନଗିରି ଜିଲ୍ଲା ଆଦିମ ବଣ୍ଡା ଜନଜାତିର ଲୋକମାନେ। ଯେତେବେଳେ ଜଙ୍ଗଲରେ ଯେଉଁ ଫଳମୂଳ ଉପଲବ୍ଧ ହୁଏ, ତାକୁ ନେଇ ମଦ ପ୍ରସ୍ତୁତ କରନ୍ତି ବଣ୍ଡା ମହିଳା ଓ ପୁରୁଷମାନେ।   କେମିତି ତିଆରି ହେଉଛି ଏହି ଆମ୍ୱ ଓ ପଣସ ମଦ? ବିଲ୍‌କୁଲ୍ ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ। ମହୁଲି ଯେମିତି ପ୍ରସ୍ତୁତ ହୁଏ ଠିକ ସେମିତି ପ୍ରସ୍ତୁତ ହୁଏ ଆମ୍ବ ଓ ପଣସ ମଦ।   ଏଇ ଦେଖନ୍ତୁ ଏଠି ପଣସ ମଦ ରନ୍ଧାଯାଉଛି। ଏ ଦୃଶ୍ୟ ହେଉଛି ମାଲକାନଗିରି ଜିଲ୍ଲା ବଣ୍ଡା ଘାଟି ଲଣ୍ଡା ପାହାଡର। କେବଳ ପଣସ ନୁହଁ, ଅନ୍ୟ ଯେଉଁ ସବୁ ଜଙ୍ଗଲଜାତ ଦ୍ରବ୍ୟ ଦେଇ ବଣ୍ଡାମାନେ ମଦ ରାନ୍ଧୁନ୍ତି ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ବଣ୍ଡା ପୁରୁଷଙ୍କ ଆମୋଦ ପ୍ରମୋଦର ଏକ ପ୍ରମୁଖ ମାଧ୍ୟମ ହେଉଛି ମଦ। ସବୁ ଦିନେ ମହୁଲ ଫୁଲ ମିଳେ ନାହିଁ। ସବୁ ଦିନେ ସଳପ ରସ ମିଳେ ନାହିଁ। ତେଣୁ ଜଙ୍ଗଲରେ ଯେତେବେଳେ ଯେଉଁ ଫଳମୂଳ ମିଳେ ସେଥିରୁ ବଣ୍ଡା ଲୋକମାନେ ମଦ ପ୍ରସ୍ତୁତ କରିବାର କାଇଦା ବାହାର କରିଛନ୍ତି। ଆମ୍ୱ ସମୟରେ ଆମ୍ୱ, ପଣସ ସମୟରେ ପଣସ ଓ କଦଳୀରୁ ମଧ୍ୟ ବଣ୍ଡା ଲୋକମାନେ ମଦ ତିଆରି କରିପାରନ୍ତି। ଏହା ବ୍ୟତିତ ଅମୃତଭଣ୍ଡା, ଭାଲିଆ, ଜାମୁ କୋଳି, କୁସୁମ କୋଳିରୁ ମଧ୍ୟ ବିଶୁଦ୍ଧ ମଦ ପ୍ରସ୍ତୁତ କରନ୍ତି ଏମାନେ।   ଏଥି ପାଇଁ ଆମ୍ୱ କିମ୍ୱା ପଣସ କିମ୍ୱା ଯେ କୌଣସି ନିର୍ଦ୍ଦିଷ୍ଟ ଫଳକୁ ଦୀର୍ଘ ଦିନ ଧରି ପାଣିରେ ବୁଡାଇ ପଚେଇ ସେଥିରୁ ପ୍ରଥମେ ପୋଚ ତିଆରି କରାଯାଇ ଥାଏ। ପୋଚ ପ୍ରସ୍ତୁତ ହେଲେ, ପଚା ଫଳମୂଳକୁ ସେଥିରୁ ଆଲଗା କରାଯାଏ। ପରେ ସେହି ପୋଚକୁ ଭାଟିରେ ପକାଇ ତାହାର ବାଷ୍ଫକୁ ପାଣି ଭିତରେ ବୁଡିଥିବା ଆଉ ଏକ ପାତ୍ରରେ ସଂଗ୍ରହ କରାଯାଏ। ପ୍ରଥମେ ଗାଁ ଦିଶାରୀକୁ ମଦ ଟିକିଏ ଚଖାଇ ଏହି ମଦକୁ ସେବନ କରି ଥାନ୍ତି ସେଠାରେ ଉପସ୍ଥିତ ପିଲା ଓ ବୁଢା ସବୁ ବୟସର ପୁରୁଷମାନେ।   ମାଲକାନଗିରି ଜିଲ୍ଲା ବଣ୍ଡା ଘାଟିରେ ବସବାସ କରନ୍ତି ପ୍ରାୟ ୮ ହଜାର ଆଦିମ ବଣ୍ଡା ଜନଜାତିର ଲୋକ। ଅତି ସରଳ ଏମାନଙ୍କ ଜୀବନଧାରା। ବଣ୍ଡା ସମ୍ପ୍ରଦାୟର ମହିଳାମାନେ ରୋଜଗାରକ୍ଷମ ହବା ସହ ଘର ଚଳାଇବା ସଂପୂର୍ଣ ଦାୟିତ୍ୱ ତୁଲାଉଥିବା ବେଳେ ଜଙ୍ଗଲରେ ଶିକାର କରିବା ସହ ଝରଣା କୂଳରେ ଥିବା ଏଭଳି ମଦ ଭାଟିରେ ଦିନ ତମାମ ଆଖଡା ଜମାନ୍ତି ବଣ୍ଡା ପୁରୁଷମାନେ। ପ୍ରକୃତି ସହ ଏମାନଙ୍କ ଜୀବନଧାରା ଯୋଡ଼ି ହୋଇ ରହିଥିବାରୁ ଆମ୍ୱ, ପଣସ, କଦଳି, ଅମୃତଭଣ୍ଡା, କୁସୁମ ଓ ଜାମୁ କୋଳି ପରି ନାନା ଜଙ୍ଗଲଜାତ ଫଳମୂଳରୁ ଏମାନେ ମଦ ରାନ୍ଧିବା କାଇଦା ବାହାର କରିଛନ୍ତି। ବଣ୍ଡା ସମାଜର ବାହାଘର, ଜନ୍ମ, ମୃତ୍ୟୁ ଓ ଅନ୍ୟ ସାମାଜିକ ଓ ସାଂସ୍କୃତିକ ଉତ୍ସବରେ ଏହି ମଦର ବିଶେଷ ଭୁମିକା ଥାଏ। ଉତ୍ସବ ଓ ସାମାଜିକ କାର୍ଜ୍ୟକ୍ରମରେ ମହିଳାମାନେ ମଧ୍ୟ ଏହି ମଦ ସେବନ କରିଥାନ୍ତି।   ବଜାରରେ ଅନେକ ପ୍ରକାର ଦେଶୀ ଓ ବିଦେଶୀ ମଦ ଉପଲବ୍ଧ ଥିଲେ ମଧ୍ୟ ସେ ସବୁରୁ ଦୂରେଇ ରହିଛନ୍ତି ବଣ୍ଡାମାନେ। ତେବେ ବଣ୍ଡାଙ୍କ ଏହି ବିଶୁଦ୍ଧ ମଦର ଚାହିଦା ଏବେ ଆସ୍ତେ ଆସ୍ତେ ଅଣବଣ୍ଡା ଓ ସାଧାରଣ ଲୋକଙ୍କ ମଧ୍ୟରେ ବଢିବାରେ ଲାଗିଛି। ବିଦେଶ ମଦପ୍ରିୟ ଓଡ଼ିଶା ସରକାର ଏଭଳି ଦେଶୀ ଓ ବିଶୁଦ୍ଧ ମଦକୁ ପ୍ରୋତ୍ସାହିତ କଲେ ଓଡ଼ିଶାର ବିପୁଳ ଅର୍ଥ ବାହାରକୁ ନଯାଇ ଓଡ଼ିଶାରେ ହିଁ ନିବେଶିତ ହୋଇପାରନ୍ତା। ତା’ ଛଡ଼ା ଏଥିରୁ ଅନେକ ଲୋକ ରୋଜଗାର କରିବା ସଙ୍ଗେସଙ୍ଗେ ଲୋକମାନେ ଶରୀର ପାଇଁ ପ୍ରଚୁର ପୁଷ୍ଟି ଓ ଶକ୍ତି ଲାଭ କରିପାରନ୍ତେ।

Share :