ବାଲୁଖଣ୍ଡ- ବିପଦରେ ବନ୍ୟପ୍ରାଣୀ

ବାଲୁଖଣ୍ଡ- ବିପଦରେ ବନ୍ୟପ୍ରାଣୀ

Share :

  ପୁରୀ ଜିଲ୍ଲାର କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟ ଝାଉଁ ଓ କାଜୁ ଜଙ୍ଗଲ ପରିବେଷ୍ଟିତ। ୧୯୯୯ ମସିହା ମହାବାତ୍ୟା ଓ ୨୦୧୩ରେ ହୋଇଥିବା ଫାଇଲିନ ବାତ୍ୟାରେ ଏହି ବାଲୁଖଣ୍ଡ ଅଭୟାରଣ୍ୟରେ ବ୍ୟାପକ ଝାଉଁ ଓ କାଜୁ ଜଙ୍ଗଲ ଧ୍ୱଂସ ହୋଇଥିଲା। ଦୁଇ ମହାବିପତ୍ତିର ସମ୍ମୁଖୀନ ହୋଇ ବର୍ତ୍ତି ଯାଇଥିବା ଗଛଗୁଡିକ ଏବେ ମନୁଷ୍ୟକୃତ କାରଣରୁ ଧ୍ୱଂସାଭିମୁଖୀ ହେବାରେ ଲାଗିଛି। ଏଠାରେ ଏବ ଅବାଧରେ ବନ୍ୟପ୍ରାଣୀ ଶିକାର ହେଉଥିବା ପରିବେଶବିତମାନେ ଅଭିଯୋଗ କରିଛନ୍ତି।   କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟ ମଧ୍ୟରେ ରହିଛି କୋଣାର୍କ ରେଞ୍ଜ। ଏହି ରେଞ୍ଜ ଅନ୍ତର୍ଗତ କପିଳେଶ୍ୱର ବିଟ‌୍‍, ରାମଚଣ୍ଡୀ ବିଟ‌୍‍, କୁରୁଜଙ୍ଗ ବିଟ‌୍‍ ଓ ଚିତ୍ରେଶ୍ୱରୀ ବିଟ‌୍‍ରେ ଥିବା ସଂରକ୍ଷିତ ଜଙ୍ଗଲରୁ ଦଲାଲଙ୍କ ସହାୟତାରେ ପ୍ରତ୍ୟହ ମୂଲ୍ୟବାନ କାଠ ଓ  କାଜୁମଞ୍ଜି ଚୋରାରେ ବିକ୍ରୀ ହେଉଥିବା ବେଳେ ଅବାଧରେ ବନ୍ୟପ୍ରାଣୀ ଶିକାର କରାଯାଉଛି। ବନବିଭାଗର ନିଷ୍କ୍ରିୟତା ଶିକାରୀମାନଙ୍କୁ ଉତ୍ସାହିତ କରୁଥିବା ସହ ଏହି ବିଟ‌୍‍ ଗୁଡିକ ଏବେ ବ୍ୟବସାୟୀମାନଙ୍କ ଚରାଭୂଇଁ ପାଲୋଟିଛି। ସଂରକ୍ଷିତ ଜଙ୍ଗଲରୁ ମୂଲ୍ୟବାନ ଜଙ୍ଗଲ ସଂପଦ ଚୋରାଚାଲଣ ହେଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀମାନେ ଏହି କାର୍ଯ୍ୟରେ ଲିପ୍ତ ଦଲାଲ ଓ ବ୍ୟବସାୟୀଙ୍କ ବିରୁଦ୍ଧରେ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନହାନ୍ତି। କାଠ ମାଫିଆ ଓ ଜଙ୍ଗଲ ବିଭାଗର କିଛି ଅସାଧୁ କର୍ମଚାରୀଙ୍କ ମଧ୍ୟରେ ରହିଥିବା ମଧୁଚନ୍ଦ୍ରିକା ପାଇଁ  ଜଙ୍ଗଲ ସଂପଦ ହରିଲୁଟ ହେବାରେ ଲାଗିଛି।   ବିଗତ ଦିନରେ ଜଙ୍ଗଲ ସୁରକ୍ଷା ଓ କାଜୁ ମଞ୍ଜି ସଂଗ୍ରହକୁ କନ୍ଦ୍ର କରି ଦୁଇ ଗ୍ରାମ ମଧ୍ୟରେ ବିବାଦ ଉଗ୍ରରୂପ ନେଇ ରକ୍ତାକ୍ତ ସଂଘଷ୍ଟ ଘଟିଥିଲା। ଏହି ଘଟଣାକୁ କେନ୍ଦ୍ର କରି ଗ୍ରାମବାସୀଙ୍କ ଆକ୍ରମଣରେ କୋଣାର୍କ ରେଞ୍ଜ ଅଫିସ ଛାରଖାର ହୋଇଯାଇଥିଲା। ବନବିଭାଗ ପକ୍ଷରୁ ଜଙ୍ଗଲକୁ ସଠିକ ରୂପେ ସୁରକ୍ଷା ଓ ସୀମା ନିର୍ଦ୍ଧାରଣ କରାଯାଇ ନ ଥିବାରୁ ଅଧିକାଂଶ ଜଙ୍ଗଲର ଜମିକୁ ଏବେ ଜବରଦଖଲକାରୀମାନେ ଚାଷଜମି ଓ ଘରବାରିରେ ପରିଣତ କରିସାରିଲେଣି।   ଏ ବିଷୟରେ ଜଙ୍ଗଲ ବିଭାଗର ଅଧିକାରୀମାନେ ଅବଗତ ଥିଲେ ମଧ୍ୟ ଜବରଦଖଲ କାରିମାନଙ୍କୁ ଉଚ୍ଛେଦ କରିପାରୁ ନାହାନ୍ତି। ଜଙ୍ଗଲ ଜମିକୁ ନେଇ କିଛି ଜବରଦଖଲକାରୀ ସିଭିଲ ଅଦାଲତର ଆଶ୍ରୟ ନେଇ ଉକ୍ତ ସମ୍ପତ୍ତିକୁ କିଭଳି ଜଙ୍ଗଲ ବିଭାଗ ନେଇ ନ ପାରିବ ସେଥି ନିମନ୍ତେ ନିଷେଧାଦେଶ ମକଦମା ରୁଜୁ କରିଥିବା ନଜିର ରହିଛି। ବନ ବିଭାଗ ପକ୍ଷରୁ ସଠିକ ଭାବରେ ମକଦମା ପରିଚାଳନା କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ଦିନକୁ ଦିନ ଜଙ୍ଗଲ ଜମି ହ୍ରାସ ପାଇବାରେ ଲାଗିଛି। ଜଙ୍ଗଲରେ ଖାଦ୍ୟାଭାବ ଯୋଗୁଁ ବନ୍ୟଜନ୍ତୁମାନେ ଗ୍ରାମାଭିମୁଖୀ ହୋଇ ମୃତ୍ୟୁବରଣ କରୁଛନ୍ତି। ଦଲାଲ, କାଠ ମାଫିଆ ଓ ଅସାଧୁ ବନବିଭାଗ କର୍ମଚାରୀଙ୍କ ଯେଗୁଁ ଏହି ସଂରକ୍ଷିତ ଜଙ୍ଗଲରେ ଥିବା ବହୁ ମୂଲ୍ୟବାନ ଔଷଧୀୟ ବୃକ୍ଷ ବିଲୁପ୍ତ ହେଉଥିବା ବେଳେ ବିରଳ ପ୍ରଜାତିର ବାଲି ହରିଣ, ବଜ୍ରକାପ୍ତା, ଠେକୁଆ, ସାପ, ଗୋଧୀଙ୍କ ସଂଖ୍ୟା କମିବାରେ ଲାଗିଛି।   କୋଣାର୍କ ରେଞ୍ଜ ଅଧିନରେ ଥିବା ବିଟ‌୍‍ଗୁଡିକ ଗ୍ରାମାଞ୍ଚଳ ସଂଳଗ୍ନ ହୋଇଥିବାରୁ ପ୍ରତିଦିନ ଜାଳେଣି ପାଇଁ ଶହ ଶହ କୁଇଣ୍ଟାଲ କାଠ ଦିନ ଦ୍ୱିପ୍ରହରେ ଚାଲାଣ ହେଉଛି। ବନ ବିଭାଗ କର୍ମଚାରୀମାନେ ଜାଣି ନଜାଣିଲା ପରି ରହୁଛନ୍ତି। ଯିଏ ହାତଗୁଞ୍ଜ ଦେଲା ସିଏ ଖସିଲା ଆଉ ଯିଏ ନ ଦେଲା ସିଏ ଫସିଲା। ତାକୁ ଧରିଆଣି ଧର୍ମକୁ ଆଖିଠାର ସଦୃଶ ବିଭାଗୀୟ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଦର୍ଶା ଯାଇଥାଏ। ବନ ବିଭାଗ ଏବେରୁ ସଜାଗ ନ ହେଲେ ଜଙ୍ଗଲ ସଂପଦ ଓ ଜଙ୍ଗଲ ଜମି ଓ ବନ୍ୟପ୍ରାଣୀଙ୍କ ପାଇଁ ଅବାଧ ବିଚରଣରେ ବାଧକ ସାଜିବ। ଜବରଦଖଲକାରୀଙ୍କ କବଜାକୁ ଚାଲିଯିବା ସହ ଜଙ୍ଗଲ ସଂପଦର ବ୍ୟାପକ କ୍ଷତି ହେବାର ସମ୍ଭାବନା ଦେଖା ଦେଇଛି।   ୨୦୧୪ ମସିହାରୁ କୋଣାର୍କ ବନ୍ୟପ୍ରାଣୀ ଓ ବନାଞ୍ଚଳ କାର୍ଯ୍ୟାଳୟରେ କାର୍ଯ୍ୟରତ ବନାଞ୍ଚଳ ଅଧିକାରୀ ପ୍ରଶାନ୍ତ ସ୍ୱାଇଁଙ୍କ ଉଦ୍ୟମରେ ଜଙ୍ଗଲ ଓ ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବା, କୋଣାର୍କ ଠାରେ ଚାରା ଉତ୍ପାଦନ କେନ୍ଦ୍ର ସ୍ଥାପନ କରିବା, ଜଙ୍ଗଲ ସୁରକ୍ଷା କମିଟିଙ୍କଠାରୁ ପୂର୍ବାପେକ୍ଷା ପ୍ରଚୁର ପରିମାଣରେ କାଜୁମଞ୍ଜି ସଂଗ୍ରହ କରିବା ଓ ଖାଲିଥିବା ସ୍ଥାନମାନଙ୍କରେ ବ୍ୟାପକ ବୃକ୍ଷରୋପଣ କରିବା ସହ ଜଙ୍ଗଲ ସମ୍ପଦର ସୁରକ୍ଷା ପାଇଁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଜାରି ରହିଥିବା ଜଣାପଡ଼ିଛି।

Share :