ରିଓ ଅଲିମ୍ପିକ‌୍‍ ଖେଳିବେ ଦୂତୀ ଚାନ୍ଦ

ରିଓ ଅଲିମ୍ପିକ‌୍‍ ଖେଳିବେ ଦୂତୀ ଚାନ୍ଦ

Share :

  କିଟ‌୍‍ ବିଶ୍ୱବିଦ୍ୟାଳୟର ଛାତ୍ରୀ ତଥା ଦୌଡ଼ରାଣୀ ଦୂତୀ ଚାନ୍ଦ ରିଓ ଅଲିମ୍ପିକ୍ସରେ ଭାଗନେବା ପାଇଁ ମନୋନୀତ ହୋଇଛନ୍ତି। କାଜାଖସ୍ତାନର ଆଲ‌୍‍ମାଟିଠାରେ ଚାଲିଥିବା ଆନ୍ତର୍ଜାତିକ ଜିକେ ଓସାନୋଭ ସ୍ମାରକୀ ମିଟ‌୍‍ରେ ଜୁନ ୨୫ ତାରିଖ ଶନିବାର ଦୂତୀ ୧୧.୩୦ ସେକେଣ୍ଡରେ ୧୦୦ମିଟର ଦୌଡି ରେକର୍ଡ କରିବା ସହ ରିଓ ଅଲିମ୍ପିକ୍ସରେ ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଅଲିମ୍ପିକ୍ସରେ  କ୍ୱାଲିଫାଏ କରିବା ପାଇଁ ୧୧.୩୨ ସେକେଣ୍ଡ ରଖାଯାଇଥିବାବେଳେ ଦୂତୀ ୦.୦୨ ସେକେଣ୍ଡ କମ‌୍‍ ସମୟରେ ଏହା ଶେଷ କରିଥିଲେ।   ୧୯୮୦ରେ ୧୦୦ ମିଟର ଦୌଡରେ ଭାରତର ପି.ଟି ଉଷା ଅଲିମ୍ପିକ୍ସ କ୍ୱାଲିଫାଏ କରିଥିଲା ବେଳେ ଅଲିମ୍ପିକ୍ସରେ ପ୍ରବେଶ କରିବାରେ ଦୂତୀ ହେଉଛନ୍ତି ଦ୍ୱିତୀୟ ଭାରତୀୟ ତଥା ପ୍ରଥମ ଓଡିଆ ଦୌଡାଳୀ। ତାଙ୍କ ପୂର୍ବରୁ ଅନ୍ୟ ଦୁଇ ଓଡ଼ିଆ ଖେଳାଳି ଅନ୍ୟ ଇଭେଣ୍ଟେର ଅଲିମ୍ପିକ ଖେଳିବାର ଯୋଗ୍ୟତା ଅର୍ଜନ କରିଥିଲେ। ସେମାନେ ହେଲେ ରଚିତା ପଣ୍ଡା ଓ ଅନୁରାଧା ବିଶ୍ବାଳ। ଦୂତୀଙ୍କ ସଫଳତାକୁ ଉଭୟ ରଚିତା ଓ ଅନୁରାଧା ମଧ୍ୟ ପ୍ରଶଂସା କରିବା ସହିତ ତାଙ୍କ ସଫଳତା କାମନା କରିଛନ୍ତି।   ଯାଜପୁର ଜିଲ୍ଲା ଚକଗୋପାଳପୁର ଗାଁର ଦୂତୀ ଚାନ୍ଦ ହେଉଛନ୍ତି କିଟ‌୍‍ ଲ ସ୍କୁଲ‌୍‍ର ଛାତ୍ରୀ। ତାଙ୍କର ଏହି ସଫଳତା ପାଇଁ କିଟ‌୍‍ ଓ କିସ‌୍‍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଆନନ୍ଦ ପ୍ରକାଶ କରିବା ସହ ଦୂତୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ସାମନ୍ତ ଦୀର୍ଘ ୬ ବର୍ଷ ଧରି ଦୂତୀଙ୍କ ପ୍ରଚ୍ଛଦପଟ୍ଟରେ ଥାଇ ତାଙ୍କୁ ସବୁ ପ୍ରକାର ସାହସ ସହଯୋଗ ଯୋଗାଇ ଆସୁଥିଲେ। ତାଙ୍କଠାରେ ଥିବା ପ୍ରତିଭାର ବିକାଶ ପାଇଁ କିଟ‌୍‍ କର୍ତୃପକ୍ଷ ସମସ୍ତ ପ୍ରକାର ପ୍ରୋତ୍ସାହନ ଯେଗାଇଦେଇ ଆସିବା ସହ ସମସ୍ତ ପ୍ରକାର ସହଯୋଗ କରିଆସୁଛନ୍ତି।   ଦୂତୀଙ୍କର ଏହି ସଫଳତାରେ କିଟ‌୍‍ ଓ କିସ‌୍‍ରେ ଖୁସିର ଲହରୀ ଖେଳିଯାଇଛି। ଶ୍ରୀ ସାମନ୍ତ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଦୂତୀଙ୍କଠାରେ ଅଲିମ୍ପିକ୍ସରେ ପ୍ରବେଶ କରିବାର ସମସ୍ତ ସମ୍ଭାବନା ଥିବା ଆମେ ପୂର୍ବାନୁମାନ କରିଥିଲୁ ଏବଂ ସେ ଅଲିମ୍ପିକ‌୍‍ସ ପାଇଁ ନିଶ୍ଚିତ ଭାବେ ମନୋନୀତ ହେବେ ବୋଲି ମୁଁ ସବୁଠାରେ ପ୍ରକାଶ କରିଆସୁଥିଲି। ଆଜି ତାହା ସତ୍ୟରେ ପରିଣତ ହୋଇଛି। ଶେଷରେ ଦୂତୀ  ଅଲିମ୍ପିକ୍ସରେ ପ୍ରବେଶକରି  କିଟ‌୍‍ ଓ କିସ‌୍‍ ସର୍ବୋପରି ଓଡିଶାକୁ ଗୌରବ ଆଣିଦେଇଛନ୍ତି। ଶ୍ରୀ ସାମନ୍ତ ମଧ୍ୟ ଦୂତୀଙ୍କ ଅଲିମ୍ପିକ୍ସ ଯାତ୍ରାର ସଫଳତା କାମନା କରିଛନ୍ତି। ସେହିପରି ଦୂତୀ ମଧ୍ୟ ତାଙ୍କର ଏହି ସଫଳତାର ଶ୍ରେୟ କିଟ‌୍‍ ଓ କିସ‌୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ପ୍ରଦାନ କରିଥିବା ବେଳେ ସମସ୍ତ ପ୍ରକାର ସହଯୋଗ ପାଇଁ ସେ କିଟ‌୍‍ କର୍ତୃପକ୍ଷଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି।   ଏହି ଖବର ପ୍ରସାରିତ ହେବା ପେର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଦୂତୀଙ୍କୁ ଅଭିନନ୍ଦନ ଜଣାଇବା ସହିତ ଅଲିମ୍ପିକରେ ତାଙ୍କର ସଫଳତା କାମନା କରିଛନ୍ତି। ଓଡ଼ିଶା ଅଲିମ୍ପିକ ଆସୋସିଏସନ, ଓଡ଼ିଶା ଆଥଲେଟିକ ଆସୋସିଏସନ ଓ ଓଡ଼ିଶା କ୍ରିକେଟ ଆସୋସିଏସନ ଦୂତୀଙ୍କୁ ବଧେଇ ଜଣେଇବା ସହିତ ଆର୍ଥିକ ପୁରସ୍କାର ଘୋଷଣା କରିଛନ୍ତି। ଓସିଏ ୧ ଲକ୍ଷ ଓ ଓଓଏ ଏବଂ ଓଏଏ ୫୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରିଛନ୍ତି।

Share :