ପାଉଚ ପାଣି, ପିଇବ ଛାଣି!

ପାଉଚ ପାଣି, ପିଇବ ଛାଣି!

Share :

ଅଜିତ କୁମାର ମଲ୍ଲିକ   ଗ୍ରୀଷ୍ମ ଯାଇ ଆଷାଢ ଋତୁ ପ୍ରବେଶ କଲାଣି। ମୌସୁମୀ ମଧ୍ୟ ଓଡିଶାକୁ ଛୁଇଁ ଦିନେ ଦୁଇଦିନ ବର୍ଷି ଆଉ ଦେଖା ନାହିଁ। ପ୍ରଥମ ମୌସୁମୀ ବର୍ଷା ଯୋଗୁଁ ପ୍ରଚଣ୍ଡ ଉତ୍ତାପରୁ ଆଶ୍ବସ୍ତି ମିଳିଥିଲେ ମଧ୍ୟ ଆଉ ବର୍ଷା ନହେବାରୁ ଗୁଳୁଗୁଳି ଅସହ୍ୟ ହେଲାଣି। ଏହି ପରିସ୍ଥିତିରେ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦର ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ବଜାରରେ ବିକ୍ରି ହେଉଥିବା ପାନୀୟ ଜଳର ସ୍ବଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।   କୋଣାର୍କ ଏନଏସି ଓ ଏହାର ଆଖପାଖ ଗ୍ରାମମାନଙ୍କରେ ଉତ୍ତମ ସ୍ୱଚ୍ଛ ପାନୀୟ ଜଳ ମିଳୁ ନଥିବା ବେଳେ ଦେଶବିଦେଶର ପର୍ଯ୍ୟଟକ ଓ ସ୍ଥାନୀୟ ଲୋକେ ବଜାରରେ ବିକ୍ରି ହେଉଥିବା ପାଣି ଉପରେ ନିର୍ଭର କରିଥାନ୍ତି। ବଜାରରେ ପାଣିର ଚାହିଦାକୁ ଦୃଷ୍ଟିରେ ରଖି ଠକ ବ୍ୟବସାୟୀମାନେ ନିମ୍ନମାନର ପାଣି ଯୋଗାଇ ପ୍ରଚୁର ଲାଭ କରୁଛନ୍ତି। ଏହି ପାଣି କିଛି ଦିନ ରହିଗଲା ପରେ ସେଥିରେ ଶିଉଳି ଆନ୍ୟାନ୍ୟ ଗୁଣ୍ଡ ଦେଖିବାକୁ ମିଳୁଛି। ବହୁଳ ପରିମାଣରେ ବଜାରରେ ବିକ୍ରୀ ହେଉଥିବା ବୋତଲ ଓ ପାଉଚ ପାଣିର ଶୁଦ୍ଧତାକୁ ନେଇ ଏବେ ସନ୍ଦେହରେ ପଡ଼ିଛନ୍ତି ଲୋକ। ଖରା ଓ ଅସହ୍ୟ ଗରମରେ ଅତିଷ୍ଠ ହୋଇ ଲୋକେ ତୃଷା ମେଣ୍ଟାଇବା ପାଇଁ  ବଜାରରେ ବିକ୍ରି ହେଉଥିବା ବୋତଲ ଓ ପାଉଚ ପାଣି କିଣିଥାନ୍ତି।   ଏହି ପାଣି ବୋତଲ ଓ ପାଉଚଗୁଡ଼ିକ ବିଭିନ୍ନ କମ୍ପାନୀମାନଙ୍କ ଦ୍ୱାରା ପ୍ୟାକିଂ କରାଯାଇ ବଜାରକୁ ଛଡ଼ାଯାଉଛି। ହେଲେ କମ୍ପାନୀମାନେ ପଇସା ଗଣି ନେଉଛନ୍ତି ସିନା ପାଣି ଛାଣିକି ଦେଉଛନ୍ତି କି ନାହିଁ ସେ ସଂପର୍କରେ ସରକାରୀ ଅଧିକାରୀମାନେ ଏହାର ଶୁଦ୍ଧତା ଯାଞ୍ଚ କରୁନାହାନ୍ତି। ଅନେକ ସମୟରେ ଏହି ପାଣି ବୋତଲ ଓ ପାଉଚରେ ମଇଳା ଆଦି ଦେଖାଯାଉଛି। ଅନକେ ପାଉଚ ପାଣି ପିଇବା ପାଇଁ ଅନୁପଯୁକ୍ତ। ପର୍ଯ୍ୟଟକ ଓ ସ୍ଥାନୀୟ ଜନସାଧାରଣ ନିଜର ତୃଷା ମେଣ୍ଟାଇବା  ପାଇଁ ଏହି ପାଣି ବ୍ୟବହାର କରି ଅଜାଣତରେ ଅନେକ ପ୍ରକାର ଜଳବାହିତ ରୋଗରେ ଆକ୍ରାନ୍ତ ହେବାର ନଜୀର ରହିଛି।   ଏହି ପାଣି ବୋତଲ ଓ ପାଉଚଗୁଡ଼ିକୁ ନିୟମିତ ଯାଞ୍ଚ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ଦାୟିତ୍ୱ ଦିଆଯାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀମାନଙ୍କର ଉଦାସିନତା ଯୋଗୁଁ ସଠିକ ଭାବରେ ପାଣିର ସ୍ୱଚ୍ଛତା ଯାଞ୍ଚ ହୋଇପାରୁ ନାହିଁ। ଫଳରେ ରାଜ୍ୟରେ ଏବେ ଛତୁ ଫୁଟିବା ଭଳି ପାଣି ବୋତଲ ଓ ପାଉଚ ତିଆରି କମ୍ପାନୀ ନିଜର ଆଧିପତ୍ୟ ବିସ୍ତାର କରିବାରେ ଲାଗିଛନ୍ତି। କମ୍ପାନୀମାନେ ପାଣି ବୋତଲ ଓ ପାଉଚ ତିଆରିକରି ବଜାରକୁ ପଠାଉଛନ୍ତି। ଏହି ପାଣି ବୋତଲ ଓ ପାଉଚଗୁଡ଼ିକରେ ଆଇଏସଆଇ ମାର୍କ ତଥା ଏକ୍ସପାୟାରି ଡେ଼‌୍‍ଟ ଉଲ୍ଲେଖ ନଥାଏ। ଅଧିକାଂଶ ପାଣି ବୋତଲ ଓ ପାଉଚରେ ଏଫଏସଏସଆଇଏ ଚିହ୍ନ ମଧ୍ୟ ନଥାଏ।   ବର୍ଷା ଋତୁ ଆସିଯାଇଥିବାରୁ ବୋତଲ ଓ ପାଉଚ ଜରିଆରେ ପ୍ରଦୂଷିତ ନଈ ଓ ନାଳର ପାଣି ପର୍ଯ୍ୟଟକଙ୍କ ରୋଗର କାରଣ ହେବା ପୂର୍ବରୁ ବିଭାଗୀୟ ଅଧିକାରୀମାନେ ସଜାଗ ହେବା ଜରୁରୀ ହୋଇପଡ଼ିଛି।   ମୋ-୯୨୩୭୫୫୮୮୫୦/୯୦୪୦୬୦୦୨୩୩

Share :